Advertisment

ଅପରାଜେୟ ଭାରତ, ସାମ୍ନାରେ ସ୍ୱପ୍ନ ଭାଙ୍ଗି ଦେଉଥିବା ନ୍ୟୁଜିଲ୍ୟାଣ୍ଡ

ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ସେହି ରନ ଆଉଟ ଆଜି ବି ସମସ୍ତଙ୍କର ମନେ ଅଛି।

author-image
Hemant Lenka
ଅଦ୍ୟତନ ହୋଇଛି
Team India

Team India

ନ୍ୟୁଜିଲ୍ୟାଣ୍ଡ। ଏହି ନାଁ ଶୁଣିବା ମାତ୍ରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ମନରେ କେବଳ ଗୋଟିଏ କଥା ଆସେ, ଆଉ ସେଇଟା ହେଉଛି ୨୦୧୯ ସେମି ଫାଇନାଲର ପରାଜୟ। ୨୦୧୯ ବିଶ୍ୱକପ ସେମିରେ ନ୍ୟୁଜିଲ୍ୟାଣ୍ଡ ୧୮ ରନରେ ଭାରତକୁ ପରାସ୍ତ କରି କୋଟି କୋଟି ଫ୍ୟାନ୍ସଙ୍କ ବିଶ୍ୱକପ ଜିତିବା ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା।

Advertisment

ଇଂଲଣ୍ଡର ମାଞ୍ଚେଷ୍ଟର୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ସେହି ରନ ଆଉଟ ଆଜି ବି ସମସ୍ତଙ୍କର ମନେ ଅଛି। କେବଳ ସେତିକି ନୁହେଁ, ୨୦୨୧ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ୨୦୨୧ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତକୁ ଚକମା ଦେଇଥିଲା ନ୍ୟୁଜିଲ୍ୟାଣ୍ଡ। ନ୍ୟୁଜିଲ୍ୟାଣ୍ଡ ପାଇଁ ଭାରତ ଅନେକ ଥର ଟ୍ରଫିର ଅତି ନିକଟକୁ ଆସି ହାରି ଯାଇଛି।

ଆଇସିସି ଇଭେଣ୍ଟରେ ବାରମ୍ବାର ଭାରତର ସ୍ୱପ୍ନକୁ ଭାଙ୍ଗି ଦେଉଥିବା ନ୍ୟୁଜିଲ୍ୟାଣ୍ଡ ଏବେ ପୁଣିଥରେ ଟିମ ଇଣ୍ଡିଆର ରାସ୍ତାରେ ରହିଛି। ୨୦୨୩ ବିଶ୍ୱକପ ସେମି ଫାଇନାଲରେ ଭାରତର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହେବ। ‌ଆସନ୍ତାକାଲି ମୁମ୍ବାଇର ଐତିହାସିକ ୱାଙ୍ଖେଡେ ଷ୍ଟାଡିୟମରେ ଦିନ ୨ଟାରେ ମ୍ୟାଚ୍‌ ଖେଳାଯିବ।

Advertisment

୧୨ ବର୍ଷ ତଳେ ଏହି ୱାଙ୍ଖେଡେ ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନି ଛକା ମାରି ଭାରତକୁ ବିଶ୍ୱ ବିଜେତା କରିଥିଲେ। ଏବେ ପୁଣି ୱାଙ୍ଖେଡେରେ ଭାରତ ଚଳିତ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଖେଳିବାକୁ ଯାଉଛି। କାରଣ ଏଯାଏ ଅପରାଜେୟ ଥିବା ଟିମ ଇଣ୍ଡିଆ ଯଦି ତା’ର ଶ୍ରେଷ୍ଠ ପ୍ରଦର୍ଶନ ନ ଦେବ, ତା’ହେଲେ ବିଶ୍ୱକପରୁ ବିଦାୟ ନେବ। ଏଠାରେ ହାରିବାର ଅର୍ଥ ବିଶ୍ୱକପରୁ ବିଦାୟ ନେବା।

ବିଶ୍ୱକପ ଓ ଭାରତ ମଧ୍ୟରେ କହିବାକୁ ଗଲେ ଏବେ ନ୍ୟୁଜିଲ୍ୟାଣ୍ଡ ରହିଛି। ଭାରତ ଆଉ ଯେକୌଣସି ଦଳ ବିରୋଧରେ ଯେତିକି ଚାପ ଅନୁଭବ କରି ନଥାଏ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଛାତିର ଧଡ଼ଧଡ଼ ଅଧିକ ବଢ଼ିଯାଏ। ପୂର୍ବରୁ ଅନେକ ଥର ଭାରତକୁ ମାତ ଦେଇ ନ୍ୟୁଜିଲ୍ୟାଣ୍ଡ ବିପର୍ଯ୍ୟୟ ସୃଷ୍ଟି କରିଛି। ଦୀର୍ଘ ୨୦ ବର୍ଷ ହେଲା ଭାରତ ଆଇସିସିର କୌଣସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନଥିଲା।

କିନ୍ତୁ ଚଳିତ ବର୍ଷ ଧର୍ମଶାଳାରେ ଖେଳା ଯାଇଥିବା ବିଶ୍ୱକପର ଲିଗ ପର୍ଯ୍ୟାୟରେ ଭାରତ ବେଶ ଚମତ୍କାର ଢଙ୍ଗରେ ନ୍ୟୁଜିଲ୍ୟାଣ୍ତକୁ ହରାଇଥିଲା। ନ୍ୟୁଜିଲ୍ୟାଣ୍ଡ ଏବେ ପଲଟ ବାର କରିବା ମୁଡରେ ରହିଛି। ଦଳକୁ ଅଭିଜ୍ଞ କେନ ୱିଲିୟମସନ ମଧ୍ୟ ଫେରିଛନ୍ତି। ଭାରତ ବିପକ୍ଷରେ ଏମିତି କୌଣସି ଗୋଟିଏ ମ୍ୟାଚ୍‌ ନାହିଁ, ଯେଉଁଥିରେ ୱିଲିୟମସନ ରନ କରିନାହାନ୍ତି। ଭାରତ ବିପକ୍ଷରେ ରନ ହାସଲ କରିବା ୱିଲିୟମସନଙ୍କ ଅଭ୍ୟାସ। ଧର୍ମଶାଳା ମ୍ୟାଚ୍‌ରେ ସେ ଖେଳୁ ନଥିଲେ। ତେଣୁ ଭାରତ ସାମ୍ନାରେ ୱିଲିୟମସନ ଏବେ ବଡ଼ ବିପଦ ହୋଇ ଛିଡ଼ା ହୋଇଛନ୍ତି।

ଭାରତୀୟ ଟିମ ଅନେକ ଘାତ ପ୍ରତିଘାତକୁ ମାତ ଦେବାରେ ମାହିର। କିନ୍ତୁ ୱାଙ୍ଖେଡେରେ ଯଦି ବୁଧବାର କିଛି ଓଲଟପାଲଟ ହେଲା, ତା’ହେଲେ ଏହା ଜାତୀୟ ବିପର୍ଯ୍ୟୟ ସୃଷ୍ଟି କରିବ। କୋଟି କୋଟି ଲୋକଙ୍କ ହୃଦୟ ଭାଙ୍ଗି ଚୂରମାର ହୋଇଯିବ। ଏଥିପ୍ରତି ମଧ୍ୟ ଭାରତୀୟ ଟିମକୁ ନଜର ଦେବାକୁ ପଡ଼ିବ।

ଲିଗ ପର୍ଯ୍ୟାୟରେ ଭାରତ ୯ ମ୍ୟାଚ୍‌ରୁ ୯ରେ ବିଜୟ ହାସଲ କରିଥିବାରୁ ଦଳ ପ୍ରତି ଆଶା ଆହୁରି ଅଧିକ ବଢ଼ି ଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କ ହୋମଗ୍ରାଉଣ୍ଡ ହେଉଛି ୱାଙ୍ଖେଡେ। ଲୋକାଲ ବୟ ଭାବେ ତାଙ୍କ ଉପରେ ମଧ୍ୟ ଅଧିକ ଚାପ ରହିବ।

ଆମେ ଯଦି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ୧୦ ଦିନିକିଆ ମ୍ୟାଚ୍‌କୁ ବିଚାରକୁ ନେବା, ତା’ହେଲେ ସ୍ଥିତି ୪-୪ ରହିଛି। ଦୁଇଟି ମ୍ୟାଚ୍‌ ଡ୍ର ରହିଛି। ପ୍ରଥମ ୪ ମ୍ୟାଚ୍‌ ନ୍ୟୁଜିଲ୍ୟାଣ୍ଡ ଜିତି ଥିବା ବେଳେ ବାକି ୪ ମ୍ୟାଚ୍‌ ଭାରତ ଜିତିଛି। ସେହିପରି ଭାରତ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ୫୯ଟି ଦିନିକିଆ ମ୍ୟାଚ୍‌ ଜିତିଥିବା ବେଳେ କ୍ୱିୱି ଟିମ ୫୦ଟି ଦିନିକିଆ ଜିତିଛି। ଗୋଟିଏ ମ୍ୟାଚ୍‌ ଟାଇ ରହିଛି ଓ ୭ଟି ମ୍ୟାଚ୍‌ର ରେଜଲ୍ଟ ବାହାରି ପାରିନାହିଁ। 

ବୁଧବାର ମ୍ୟାଚ୍‌ ବେଳେ କୋଟି କୋଟି କ୍ରିକେଟ ପ୍ରେମୀ ଚାହିଁବେ ଯେ ଟସ୍‌ ରୋହିତ ଶର୍ମାଙ୍କ ସପକ୍ଷରେ ଯାଉ। କାରଣ ୱାଙ୍ଖେଡେରେ ଦ୍ୱିତୀୟ ବ୍ୟାଟିଂ କରୁଥିବା ଦଳ ସଅଳ ୱିକେଟ ହରାଇ ଥାଏ। ନୂଆ ବଲ ଅଣ୍ଡର ଲାଇଟରେ ସ୍କିଡିଂ କରେ। ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ପାଖରେ ଏମିତି ବୋଲରମାନେ ଅଛନ୍ତି, ଯେଉଁମାନେ ନୂଆ ବଲରେ ବିପର୍ଯ୍ୟୟ ଘଟାଇବାରେ ବେଶ ପାରଙ୍ଗମ। ତଥାପି ବଲ ପୁରୁଣା ହେଲେ ବ୍ୟାଟରଙ୍କୁ ସୁହାଇବ। ଏହା ସହ କାକର ପଡ଼ିବାର ମଧ୍ୟ ସମ୍ଭାବନା ରହିଛି। 

ଏପରି ସ୍ଥିତିରେ ବହୁତ କିଛି ରୋହିତ ଶର୍ମା ଓ ଶୁବମନ ଗିଲଙ୍କ ଉପରେ ନିର୍ଭର କରିବ। ରୋହିତ ଶର୍ମା ଚଳିତ ବିଶ୍ୱକପରେ ୫୦୩ ରନ କରିଛନ୍ତି। କିନ୍ତୁ ଗିଲ୍‌ ୭ଟି ମ୍ୟାଚ୍‌ରେ ୨୭୦ ରନ କରିଛନ୍ତି। ତେଣୁ ସେମି ଫାଇନାଲ ଭଳି ବଡ଼ ମୁକାବିଲାରେ ଗିଲଙ୍କଠାରୁ ସମସ୍ତେ ବଡ଼ ଇନିଂସର ଅପେକ୍ଷାରେ ରହିଛନ୍ତି।

୫୯୩ ରନ ସହ ବିରାଟ କୋହଲି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ହୋଇଛନ୍ତି। ସେହିପରି ତାଙ୍କ ବ୍ୟାଟରୁ ସମସ୍ତେ ୫୦ତମ ଶତକ ଅପେକ୍ଷାରେ ରହିଛନ୍ତି। ସେମି ଫାଇନାଲରେ ଭାରତର ବିଜୟ ସହ ସେ ଐତିହାସିକ ରେକର୍ଡ ହାସଲ କରିବା ଲକ୍ଷ୍ୟରେ ରହିବେ।

ତେବେ ବିଶ୍ୱ କପ୍‌ ସେମି ଫାଇନାଲରେ ବିରାଟଙ୍କ ପ୍ରଦର୍ଶନ ଆଦୌ ଭଲ ନାହିଁ। ୨୦୧୯ରେ ନ୍ୟୁଜିଲ୍ୟାଣ୍ଡ ଓ ୨୦୧୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ସେମି ଫାଇନାଲ ପୂର୍ବରୁ ଭାରତର ମଧ୍ୟକ୍ରମ ବ୍ୟାଟର କେଏଲ ରାହୁଲ ଓ ଶ୍ରେୟସ ଆୟର ନିଜ ଜଲୱା ଦେଖାଇଛନ୍ତି। ସେହିପରି ଶେଷ ଭାଗରେ ବିସ୍ଫୋରକ ଇନିଂସ ଖେଳିବାକୁ ସୂର୍ଯ୍ୟ କୁମାର ଯାଦବ ରହିଛନ୍ତି। ତାଙ୍କ ଇନିଂସ ଦଳ ପାଇଁ ବୋନସ ହେବ।

ବୋଲିଂରେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ ରହିଛନ୍ତି। ସେମାନଙ୍କୁ ଖେଳିବା ମୁସ୍କିଲ। ଯଶପ୍ରୀତ ବୁମ୍ରା ସେମାନଙ୍କଠାରୁ ଆହୁରି ଭୟଙ୍କର। କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସବୁବେଳେ ନିଜ ଦାୟିତ୍ୱ ଠିକ ଭାବେ ତୁଲାଇ ଆସିଛନ୍ତି। ଚଳିତ ବିଶ୍ୱକପରେ ଭାରତର ବୋଲିଂ ଆଟାକ ବେଶ ଚମତ୍କାର ରହିଛି। ବିଶେଷ କରି ଫ୍ଲାଟପିଚ୍‌ରେ ମଧ୍ୟ ଭାରତୀୟ ବୋଲର କମାଲ କରିଛନ୍ତି।

କିନ୍ତୁ କ୍ୱିୱି ବୋଲର ମଧ୍ୟ କିଛି କମ ନୁହନ୍ତି। ଦଳ ପାଖରେ ଟ୍ରେଣ୍ଟ ବୋଲ୍ଡ, ଟିମ ସାଉଦି, ଲକି ଫର୍ଗୁସନ ଓ ମିଚେଲ ସାଣ୍ଟନର ରହିଛନ୍ତି। ସେମାନେ ଭାରତ ଉପରେ ଲୋକଙ୍କ ଚାପକୁ ବ୍ୟବହାର କରି ଫାଇଦା ହାସଲ କରିବା ଲକ୍ଷ୍ୟରେ ରହିବେ। ହୋମ କ୍ରାଉଡ୍‌ ଓ ସେମି ଫାଇନାଲ ଲଢ଼େଇ ହୋଇଥିବାରୁ ଭାରତୀୟ ଟିମ ନିଶ୍ଚିତ ଅଧିକ ସତର୍କତା ଅବଲମ୍ବନ କରିବ। ନ୍ୟୁଜିଲ୍ୟାଣ୍ଡ ପାଖରେ ହରାଇବାର କିଛି ନଥିବାରୁ ଦଳ ତା’ର ଶ୍ରେଷ୍ଠ ପ୍ରଦର୍ଶନ କରିବା ମୁଡରେ ରହିବ।

ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂରେ ଗଭୀରତା ଓ ଅଭିଜ୍ଞତା ଉଭୟ ରହିଛି। ଓପନର ଡେଭନ କନୱେ କେବଳ ଗୋଟିଏ ଶତକ କରିଥିଲେ ହେଁ ରଚିନ ରବୀନ୍ଦ୍ର ନିଜର ଜଲୱା ଦେଖାଇଛନ୍ତି। ସେ ଟୁର୍ଣ୍ଣାମେଣ୍ଟରେ ଏଯାଏ ୫୬୫ ରନ କରି ସାରିଲେଣି। ଏହାବାଦ ୱିଲୟମସନ, ଗ୍ଲେନ ଫିଲିପ୍ସ, ଡାରେଲ ମିଚେଲ, ଟମ ଲାଥମଙ୍କ ଭଳି ଖେଳାଳି ଦଳ ପାଖରେ ରହିଛନ୍ତି।

ପେନ ପେପର୍‌ରେ ଭାରତର ବିସ୍ଫୋରକ ବ୍ୟାଟିଂ ସହ ନ୍ୟୁଜିଲ୍ୟାଣ୍ଡ ସମକକ୍ଷ ନୁହେଁ। କିନ୍ତୁ ବିପର୍ଯ୍ୟୟ ଘଟାଇବାର କଳା କ୍ୱିୱି ଟିମକୁ ବେଶ ଭଲ ଭାବେ ଜଣା।

ICC ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup ICCC World Cup ICC WC