Advertisment

ଯଶପ୍ରୀତ ବୁମ୍ରାଙ୍କୁ କ୍ୟାପ୍ଟେନ କର ନାହିଁ, କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ?

ସଞ୍ଜନା ହେଉଛନ୍ତି କ୍ୟାପ୍ଟେନ ଦୌଡ଼ରେ ଥିବା ବୁମ୍ରାଙ୍କ ପତ୍ନୀ। ତାଙ୍କରି ଆଗରେ ଶାସ୍ତ୍ରୀ କହିଛନ୍ତି ଯେ ସେ ବୁମ୍ରାଙ୍କୁ କ୍ୟାପ୍ଟେନ ଭାବେ ଦେଖିବାକୁ ଚାହୁଁ ନାହାନ୍ତି।

Jasprit Bumrah

Jasprit Bumrah

Advertisment

ଟେଷ୍ଟ କ୍ରିକେଟକୁ ରୋହିତ ଶର୍ମା ଅଲବିଦା କହିବା ପରେ ଏବେ ଭାରତୀୟ ଦଳର କମାଣ କିଏ ସମ୍ଭାଳିବେ ତାକୁ ନେଇ ଚର୍ଚ୍ଚା। ଭାରତୀୟ ଟେଷ୍ଟ ଟିମର କ୍ୟାପ୍ଟେନ ଦୌଡ଼ରେ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ଓ ଯୁବ କ୍ରିକେଟର ଶୁବମନ ଗିଲ ରହିଛନ୍ତି। ଗିଲ ଯୁବ କ୍ରିକେଟର ହୋଇଥିବାରୁ ତାଙ୍କୁ କ୍ୟାପ୍ଟେନ କରିବାକୁ କ୍ରିକେଟ ପଣ୍ଡିତମାନେ ମତ ରଖୁଛନ୍ତି। ସେହିପରି ଆଉ କିଛି କ୍ରିକେଟ ଭେଟରାନ ମିଳିତ ଭାବେ ଯଶପ୍ରୀତ ବୁମ୍ରା ହିଁ ବର୍ତ୍ତମାନ ସମୟରେ ଭାରତୀୟ ଟେଷ୍ଟ ଟିମର କ୍ୟାପ୍ଟେନ ପଦ ସମ୍ଭାଳିବାକୁ ଯୋଗ୍ୟ ବୋଲି କହୁଛନ୍ତି।

Advertisment

ଏସବୁ ଭିତରେ ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ରଖିଛନ୍ତି ଭାରତୀୟ ଟିମର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ। ଆଇସିସି ରିଭ୍ୟୁ କାର୍ଯ୍ୟକ୍ରମର ହୋଷ୍ଟ ସଞ୍ଜନା ଗଣେଶନଙ୍କ ସହ କଥା ହେବା ବେଳେ ଶାସ୍ତ୍ରୀ ଖୋଲା ଖୋଲି ଭାବେ ନିଜର ମତ ରଖିଛନ୍ତି। ସଞ୍ଜନା ହେଉଛନ୍ତି କ୍ୟାପ୍ଟେନ ଦୌଡ଼ରେ ଥିବା ବୁମ୍ରାଙ୍କ ପତ୍ନୀ। ତାଙ୍କରି ଆଗରେ ଶାସ୍ତ୍ରୀ କହିଛନ୍ତି ଯେ ସେ ବୁମ୍ରାଙ୍କୁ କ୍ୟାପ୍ଟେନ ଭାବେ ଦେଖିବାକୁ ଚାହୁଁ ନାହାନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବିସିସିଆଇକୁ କ୍ୟାପ୍ଟେନ ଚୟନ କରିବାକୁ ପଡ଼ିବ। ଏପରି ସ୍ଥିତିରେ ବୁମ୍ରାଙ୍କୁ କ୍ୟାପ୍ଟେନ୍ସି ଚାପରେ ବାନ୍ଧିବାକୁ ସେ ବାରଣ କରିଛନ୍ତି।

ସେ କହିଛନ୍ତି, “ଅଷ୍ଟ୍ରେଲିଆ ସିରିଜ ପରେ ମୋ ପାଇଁ ଯଶପ୍ରୀତ ହେଉଛନ୍ତି କ୍ୟାପ୍ଟେନ ପଦ ହାସଲ କରିବାର ହକଦାର। ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ମୁଁ ଚାହୁଁନାହିଁ ଯେ ଯଶପ୍ରୀତଙ୍କୁ କ୍ୟାପ୍ଟେନ କରାଯାଉ। କାରଣ ତାଙ୍କୁ କ୍ୟାପ୍ଟେନ କଲେ ଆପଣମାନେ ତାଙ୍କୁ ବୋଲର ଭାବେ ହରାଇ ଦେବେ।”

Advertisment

ବୁମ୍ରାଙ୍କ ନିକଟରେ ସାମ୍ନା କରିଥିବା ବ୍ୟାକ ଇଞ୍ଜୁରୀ ସମ୍ପର୍କରେ ମଧ୍ୟ ଶାସ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବର୍ଡର-ଗାଭାସ୍କର ଟ୍ରଫି ବେଳେ ସେ ବ୍ୟାକ ଇଞ୍ଜୁରୀର ସାମ୍ନା କରିଥିଲେ। ଏଥିପାଇଁ ତାଙ୍କୁ ଚାମ୍ପିୟନ୍ସ ଟ୍ରଫିରେ ଦେଖିବାକୁ ମିଳି ନଥିଲା। ୩ ମାସ ଯାଏ ସେ କ୍ରିକେଟରୁ ଦୂରେଇ ରହିଥିଲେ। ଏ ସମ୍ପର୍କରେ ଶାସ୍ତ୍ରୀ କହିଛନ୍ତି, “ମୁଁ ଭାବୁଛି ସେ(ବୁମ୍ରା) ଗୋଟିଏ ସମୟରେ କେବଳ ଗୋଟିଏ ମ୍ୟାଚ ପାଇଁ ନିଜ ଶରୀରର ବିଚାର କରନ୍ତୁ। ଏବେ ସେ ଗୋଟିଏ ଗୁରୁତର ଆହତ ସମସ୍ୟାରୁ ଫେରିଛନ୍ତି। ସେ ଆଇପିଏଲ ଖେଳିପାରିବେ। କାରଣ ଏହା ୪ ଓଭର ବିଶିଷ୍ଟ ମ୍ୟାଚ୍। ଏବେ ଆମେ ଟେଷ୍ଟ କ୍ରିକେଟକୁ ଆସିବା। ଏଠାରେ ୧୦ରୁ ୧୫ ଓଭର ବୋଲିଂ କରିବାକୁ ପଡ଼ିବ। ସେହିପରି ସେ କ୍ୟାପ୍ଟେନ ହେଲେ, ଏହାର ଅତିରିକ୍ତ ଚାପ ମଧ୍ୟ ତାଙ୍କ ମୁଣ୍ଡରେ ରହିବ।”

ବୁମ୍ରାଙ୍କ ଉପରେ ଅତିରିକ୍ତ ଚାପ ଓ ଦାୟିତ୍ୱ ଲଦିବା ଅପେକ୍ଷା ଶାସ୍ତ୍ରୀ ଯୁବ ତାରକା ଶୁବମନ ଗିଲ ଓ ଋଷଭ ପନ୍ତଙ୍କୁ ଟେଷ୍ଟ କ୍ୟାପ୍ଟେନ ପଦ ଦେବାକୁ ଓକିଲାତି କରିଛନ୍ତି। ସେ କହିଛନ୍ତି, “ଆପଣଙ୍କୁ ଏବେ ଠାରୁ ଜଣଙ୍କୁ କ୍ୟାପ୍ଟେନ ଭାବେ ଗଢ଼ିବାକୁ ପଡ଼ିବ। ମୁଁ କହିବି ଶୁବମନ ଏବେ ଚମତ୍କାର ପ୍ରାର୍ଥୀ। ତାଙ୍କୁ ସୁଯୋଗ ଦିଆଯାଉ। ତାଙ୍କୁ ଏବେ ମାତ୍ର ୨୫, ୨୬ ବର୍ଷ। ତାଙ୍କୁ ଆପଣମାନେ ସମୟ ଦେଇପାରିବେ। ଟିମରେ ଋଷଭ ପନ୍ତ ବି ରହିଛନ୍ତି। ମୁଁ ଭାବୁଛି ଏହି ଦୁଇ ଖେଳାଳି କ୍ୟାପ୍ଟେନ ପାଇଁ ଉପଯୁକ୍ତ ପ୍ରାର୍ଥୀ। କାରଣ ସେମାନଙ୍କ ବୟସ ବହୁତ କମ। ସେହିପରି ସେମାନେ ଗୋଟିଏ ଦଶନ୍ଧିରୁ ଅଧିକ ସମୟ ମଧ୍ୟ ଖେଳିପାରିବେ। ତେଣୁ ସେମାନଙ୍କୁ ଶିଖିବାକୁ ଛାଡ଼ି ଦିଅନ୍ତୁ।”

ରୋହିତ ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବାରୁ ବିସିସିଆଇକୁ ଏବେ ଠାରୁ ଭବିଷ୍ୟତ କଥା ଚିନ୍ତା କରିବାକୁ ପଡ଼ିବ ବୋଲି ଶାସ୍ତ୍ରୀ କହିଛନ୍ତି। ଗିଲ ଓ ପନ୍ତଙ୍କ ପାଖରେ କ୍ୟାପ୍ଟେନ୍ସିର ଅଭିଜ୍ଞତା ରହିଛି। ଉଭୟ ଏବେ ଆଇପିଏଲରେ ନିଜ ପ୍ରାଞ୍ଚାଇଜର ନେତୃତ୍ୱ ନେଉଛନ୍ତି। ସେ ଭାରତ ପାଇଁ ଏକାଧିକ ଥର ପନ୍ତ ଓ ଗିଲ କାମଚଳା ଅଧିନାୟକ ଭାବେ ମଧ୍ୟ କାମ କରିଛନ୍ତି। ତେଣୁ ଶାସ୍ତ୍ରୀ ଏହି ଦୁଇ ଜଣଙ୍କୁ ଟେଷ୍ଟ ଟିମର କମାଣ ଦେବାକୁ ମତ ରଖିଛନ୍ତି।

Bcci Jasprit Bumrah Test Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe