ସାମସନ ଓ ଈଶାନ
ଚଳିତ ଟି-୨୦ ବିଶ୍ୱକପ(T20 World Cup) ଫାଇନାଲରେ ଟପ ୩ ଭାରତୀୟ ବ୍ୟାଟରଙ୍କ ବିସ୍ଫୋରଣ। ଅଭିଷେକ ଶର୍ମାଙ୍କ ୨୧ ବଲରେ ୫୨, ସଞ୍ଜୁ ସାମସନଙ୍କ ୪୬ ବଲରେ ୮୯ ଓ ଈଶାନ କିଶନଙ୍କ ୨୫ ବଲରେ ୫୪ ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୫୫ ରନ କରିଛି।
ପ୍ରଥମ ଥର ପାଇଁ ବିଶ୍ୱକପ ଇତିହାସରେ କୌଣସି ଦଳର ଟପ ୩ ବ୍ୟାଟର ଅର୍ଦ୍ଧଶତକ ହାସଲ କରିବା ପ୍ରଥମ ଘଟଣା। ଏବେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଥର ଟି-୨୦ ବିଶ୍ୱକପ ଜିତିବା ପାଇଁ ୨୫୬ ରନର ଟାର୍ଗେଟ ମିଳିଛି। ବିଶ୍ୱକପ ଫାଇନାଲରେ ଏଯାଏ କୌଣସି ଟିମ କେବେ ବି ଏତେ ରନ କରି ନାହାନ୍ତି। ଭାରତ ଏବେ ଏହି ରେକର୍ଡ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡକୁ ଜିତିବା ପାଇଁ ଏହି ରେକର୍ଡକୁ ଭାଙ୍ଗିବାକୁ ପଡ଼ିବ।
ଟସ୍ ହାରି ଅହମଦାବାଦରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଦ୍ରୁତ ଆରମ୍ଭ ଦେଇଥିଲେ। ଉଭୟ ପାୱାର ପ୍ଲେ ଅର୍ଥାତ ୬ ଓଭରରେ ୯୨ ରନ ଯୋଡ଼ିଥିଲେ। କିନ୍ତୁ ୮ମ ଓଭରରେ ଅଭିଷେକ ଶର୍ମା ଆଉଟ ହୋଇଥିଲେ। ଆଜି ସେ ୬ଟି ଚୌକା ଓ ୩ଟି ବିଶାଳ ଛକା ମାରିଛନ୍ତି। ତାଙ୍କ ୱିକେଟ ରଚିବ ରବୀନ୍ଦ୍ରଙ୍କୁ ମିଳିଛି।
ଅଭିଷେକ ଆଉଟ ହେବା ପରେ ଈଶାନ କିଶନ ଆସିବା ସହ ସଞ୍ଜୁଙ୍କ ସହ ମିଶି ଦଳୀୟ ସ୍କୋରକୁ ଦ୍ରୁତଗିତରେ ଆଗକୁ ନେଇଥିଲେ। ଉଭୟ ପ୍ରତି ଓଭରରେ ଅତିକମରେ ୨ଟି ଲେଖାଏ ବାଉଣ୍ଡରୀ ହାସଲ କରିଥିଲେ। ସଞ୍ଜୁ ୩୩ ବଲରେ ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିବା ପରେ ଗିୟର ବଦଳାଇଥିଲେ। ସେ ବଡ଼ବଡ଼ ଶଟ ଖେଳି ନିଜର ଶତକ ଆଡ଼କୁ ବଢ଼ିଥିଲେ। ଈଶାନ କିଶନ ମଧ୍ୟ ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ୧୫ ଓଭର ଶେଷ ବେଳକୁ ଭାରତର ସ୍କୋର ୨୦୩ ରେ ପହଞ୍ଚି ଯାଇଥିଲା।
ଦଳ ହାତରେ ୯ ୱିକେଟ ବାକିଥିବାରୁ ଭାରତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୩୦୦ ରନ କରିବ ବୋଲି ଆଶା ସୃଷ୍ଟି ହୋଇଥିଲା। ସାମସନ ମଧ୍ୟ ବିଶ୍ୱକପ ଫାଇନାଲରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ଖେଳାଳି ବନି ଯାଇଥିଲେ। କିନ୍ତୁ ୧୬ତମ ଓଭରରେ ଆସିଥିଲା ବଡ଼ ଟ୍ୱିଷ୍ଟ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ବୋଲିଂ କରିବାକୁ ଆସିଥିବା ଜିମ୍ମି ନଶୀମ ପ୍ରଥମ ବଲରେ ୮୯ ରନ କରିଥିବା ସଞ୍ଜୁଙ୍କୁ ଆଉଟ କରିଥିଲେ। ସେହିପରି ଓଭରରେ ଈଶାନ ମଧ୍ୟ ତାଙ୍କ ଶିକାର ବନିଥିଲେ। ଶେଷ ବଲରେ ସେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ।
ଭାରତ ଗୋଟିଏ ଓଭରରେ ୩ଟି ୱିକେଟ ହରାଇ ବ୍ୟାକଫୁଟକୁ ଚାଲି ଯାଇଥିଲା। ଏହି ଓଭରରେ ନଶୀମ ମାତ୍ର ୧ ରନ ମଧ୍ୟ ଦେଇଥିଲେ। ପରବର୍ତ୍ତୀ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା କେବଳ ୭ ରନ ଆଦାୟ କରିପାରିଥିଲେ।
ଭାରତୀୟ ବ୍ୟାଟରଙ୍କୁ କ୍ୱିୱି ବୋଲରମାନେ ଏକପ୍ରକାରର ବାନ୍ଧି ଦେଇଥିଲେ। ୧୯ତମ ଓଭରର ପ୍ରଥମ ବଲରେ ପ୍ୟାଣ୍ଡ୍ୟା ଛକା ମାରିଥିଲେ ହେଁ ପରବର୍ତ୍ତୀ ବଲରେ ଆଉଟ ହୋଇଯାଇଥିଲେ। ସେ ୧୩ ବଲରେ କେବଳ ୧୮ ରନ କରିପାରିଛନ୍ତି। ମ୍ୟାଟ ହେନରୀ ୧୯ତମ ଓଭରରେ ୧୧ ରନ ଦେବା ସହ ଗୋଟିଏ ୱିକେଟ ନେଇଥିଲେ। ୧୯ ଓଭର ଶେଷ ସୁଦ୍ଧା ଭାରତ ୫ ୱିକେଟ ହରାଇ ୨୩୧ ରନ କରିଥିଲା।
ଶେଷ ଓଭର ନେଇ ଆସିଥିଲେ ନୀଶମ। ପ୍ରଥମ ବଲରେ ଶିବମ ଦୁବେ ଚୌକା ମାରି ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ୨ଟି ବଲରେ ସେ ୨ଟି ଛକା ମାରିଥିଲେ। ୪ର୍ଥ ବଲରେ ସେ ଚୌକା ମାରି ଦଳୀୟ ସ୍କୋରକୁ ୨୫୦ ପାର କରାଇଥିଲେ।
୫ମ ବଲରେ ଦୁବେ ଡଟ ହୋଇଯାଇଥିଲେ। ଶେଷ ବଲରେ ସେ ଚୌକା ମାରିବାରୁ ଦଳୀୟ ସ୍କୋର ୨୫୬ରେ ପହଞ୍ଚିଛି। ଏବେ ନ୍ୟୁଜିଲ୍ୟାଣ୍ଡକୁ ଟ୍ରଫି ଜିତିବା ପାଇଁ ରେକର୍ଡ ୨୫୭ ରନ କରିବାକୁ ପଡ଼ିବ। ଦୁବେ ୮ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/08/samson-2026-03-08-20-39-18.jpg)