ଶେଷ ମ୍ୟାଚ୍‌ ପରେ କାନ୍ଦିଲେ, କେକେଆରରେ ବଡ଼ ଦାୟିତ୍ୱ ପାଇଲେ ବ୍ରାଭୋ

ଟି-୨୦ କ୍ରିକେଟର ଜଣେ ପ୍ରଖ୍ୟାତ ଖେଳାଳି ଭାବେ ଜଣାଶୁଣା ବ୍ରାଭୋ ୬୩୧ଟି ୱିକେଟ ନେଇଛନ୍ତି। ସେ ୫୮୨ଟି ମ୍ୟାଚ୍‌ ଖେଳିଛନ୍ତି। 

ଡିଜେ ବ୍ରାଭୋ

  • Published: Friday, 27 September 2024
  • , Updated: 27 September 2024, 03:35 PM IST

ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡ୍ୱେନ ବ୍ରାଭୋ କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ନେଇଛନ୍ତି। ସେ ସେପ୍ଟେମ୍ବର ୨୪ରେ ତ୍ରିନବାଗୋ ନାଇଟ ରାଇଡର୍ସ ପାଇଁ ସିପିଏଲରେ ଶେଷ ମ୍ୟାଚ୍‌ ଖେଳିବା ପରେ ଅବସର ଘୋଷଣା କରିଛନ୍ତି। ସେଣ୍ଟ ଲୁସିଆ କିଙ୍ଗରେ ଶେଷ ମ୍ୟାଚ୍‌ ଖେଳିବା ପରେ ବ୍ରାଭୋ କାନ୍ଦି ପକାଇଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

୪୦ ବର୍ଷୀୟ ବ୍ରାଭୋ ଜଣେ ଚର୍ଚ୍ଚିତ କ୍ରିକେଟ ଭାବେ ପରିଚିତ। ସେ ୨୦୧୨ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଜିତିଥିବା ଟି-୨୦ ବିଶ୍ୱକପ ଟିମର ସଦସ୍ୟ ରହିଥିଲେ। ଟି-୨୦ କ୍ରିକେଟର ଜଣେ ପ୍ରଖ୍ୟାତ ଖେଳାଳି ଭାବେ ଜଣାଶୁଣା ବ୍ରାଭୋ ୬୩୧ଟି ୱିକେଟ ନେଇଛନ୍ତି। ସେ ୫୮୨ଟି ମ୍ୟାଚ୍‌ ଖେଳିଛନ୍ତି। ସେ ଅବସର ପରେ କ୍ରିକେଟ ଦୁନିଆରେ ଛାଡ଼ି ଯାଇଥିବା ଛାପ ଅନେକ ଦିନ ଯାଏ ସମସ୍ତେ ମନେ ରଖିବେ।

୨୦୨୧ ନଭେମ୍ବର ମାସରୁ ବ୍ରାଭୋ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ହେଲେ ସେ ବିଭିନ୍ନ ଟି-୨୦ ପ୍ରାଞ୍ଚାଇଜ୍‌ ପକ୍ଷରୁ ବିଶ୍ୱର ସବୁ ସ୍ଥାନରେ ଖେଳୁଥିଲେ। କ୍ରିକେଟର ସବୁ ପ୍ରକାରର ଫର୍ମାଟରୁ ଅବସର ନେବାର କିଛି ଘଣ୍ଟା ପରେ ବ୍ରାଭୋଙ୍କୁ ଆଇପିଏଲରେ ମିଳିଛି ବଡ଼ ଦାୟିତ୍ୱ।

ତାଙ୍କୁ ଆଇପିଏଲ ୨୦୨୫ ପାଇଁ କୋଲକାତା ନାଇଟ ରାଇଡର୍ସ(କେକେଆରର) ମେଣ୍ଟୋର ଭାବେ ନିଯୁକ୍ତି ମିଳିଛି। ସେହିପରି କେକେଆର ଓ ପ୍ରାଞ୍ଚାଇ ଅଧୀନରେ ଥିବା ବିଭିନ୍ନ ଟିମ ମଧ୍ୟ ବ୍ରାଭୋ କାମ କରିବେ।

୨୦୨୪ ଆଇପିଏଲରେ ଗୌତମ ଗମ୍ଭୀର କେକେଆରର ମେଣ୍ଟୋର ଭାବେ କାର୍ଯ୍ୟ କରୁଥିଲେ। ସେ ଏବେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ନେଇଛନ୍ତି। ତେଣୁ ତାଙ୍କ ସ୍ଥାନରେ ଶାହରୁଖ ଖାନଙ୍କ ମାଲିକାନରେ ଥିବା କେକେଆରର ମେଣ୍ଟୋର ବ୍ରାଭୋ ହୋଇଛନ୍ତି।

କେକେଆରର ସିଇଓ ଭେଙ୍କୀ ମହୀଶୂର କହିଛନ୍ତି, ଡିଜେ ବ୍ରାଭୋ ଆମ ସହ ସାମିଲ ହେଉଥିବାରୁ ଆମେ ବେଶ ଉତ୍ସାହିତ। ସେ ଯେଉଁଠାରେ ବି ଖେଳନ୍ତି, ସେଠାରେ ବିଜୟ ପାଇଁ ଇଚ୍ଛା ରଖିଥାଆନ୍ତି। ତାଙ୍କ ପାଖରେ ଥିବା ଅଭିଜ୍ଞତା ଓ ଦକ୍ଷତା ପ୍ରାଞ୍ଚାଇଜକୁ ଫାଇଦା ଦେବ।

ସେ ପ୍ରାଞ୍ଚାଇଜ ଭାଗ ନେଉଥିବା ବିଶ୍ୱର ବିଭିନ୍ନ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଦଳ ପାଇଁ କାମ କରିବେ। ଆଇପିଏଲ ବ୍ୟତୀତ ସିପିଏଲ, ଏମଏଲସି ଓ ଆଇଏଲ ଟି-୨୦ରେ ମଧ୍ୟ ନାଇଟ ରାଇଡର୍ସର ଟିମ ରହିଛି ବୋଲି ଭେଙ୍କୀ କହିଛନ୍ତି।

୨୦୨୪ ଆଇପିଏଲରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସର ବୋଲିଂ କୋଚ୍ ଥିଲେ। ଏହାପୂର୍ବରୁ ସେ ଚେନ୍ନାଇ ପାଇଁ ମଧ୍ୟ ଖେଳୁଥିଲେ। ଏବେ ସେ କେକେଆର ସହ ସାମିଲ ହେବାରୁ ସିଏସକେ ଫ୍ୟାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ନିଜର ନୂଆ ଦାୟିତ୍ୱ ପାଇଁ ବ୍ରାଭୋ ଉତ୍ସାହିତ।

ନିକଟରେ ଶେଷ ହୋଇଥିବା ଟି-୨୦ ବିଶ୍ୱକପରେ ବ୍ରାଭୋ ଆଫଗାନିସ୍ତାନ ଟିମର ବୋଲିଂ କୋଚ ଭାବେ କାମ କରିଥିଲେ। ତାଙ୍କ କୋଚିଂରେ ଆଫଗାନ ପ୍ରଥମଥର ପାଇଁ ବିଶ୍ୱକପ ସେମି ଫାଇନାଲରେ ପହଞ୍ଚି ପାରିଥିଲା।

୧୮ ବର୍ଷ ଧରି କ୍ରିକେଟ ଖେଳି ଚାଲିଥିବା ବ୍ରାଭୋ ଟି-୨୦ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଆଇପିଏଲ, ପିଏସ୍‌ଲ ଓ ବିଗବାଶ ଭଳି ଟୁର୍ଣ୍ଣାମେଣ୍ଟରେ ଟ୍ରଫି ତୋଳି ଧରିବାର ଗୌରବ ହାସଲ କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Dwayne Bravo aka SIR Champion🏆🇹🇹 (@djbravo47)

Related story