ମାର୍କ ଏଦୈରଙ୍କୁ ବୋଲ୍ଡ କରିବା ଥିବା ନାଥନ ଏଲିସ
ଚଳିତ ଟି-୨୦ ବିଶ୍ୱକପ(T20 World Cup) ଫେବୃଆରୀ ୭ରୁ ଆରମ୍ଭ ହୋଇଛି। ବିଶ୍ୱକପରେ ସାମିଲ ହୋଇଥିବା ୨୦ଟି ଦଳ ମଧ୍ୟରୁ ଆଜି(୧୧) ତାରିଖ ମଧ୍ୟରେ ଅତିକମରେ ଗୋଟିଏ ଲେଖାଏ ମ୍ୟାଚ୍ ଖେଳି ସାରିଥିଲେ। ଏପରି କି କିଛି ଦଳ ଦୁଇଟି ମ୍ୟାଚ ମଧ୍ୟ ଖେଳି ସାରିଛନ୍ତି। ହେଲେ ବିଶ୍ୱକପ ଆରମ୍ଭର ୪ ଦିନ ପରେ ଆଜି ନିଜର ପ୍ରଥମ ମ୍ୟାଚ ଖେଳିଛି ଅଷ୍ଟ୍ରେଲିଆ। ୨୦ଟି ଦଳ ମଧ୍ୟରେ ସବୁଠାରୁ ବିଳମ୍ବରେ ନିଜର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ଖେଳିଥିବା ବେଳେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି।
ଆଜି ଦଳ ଆୟର୍ଲ୍ୟାଣ୍ଡକୁ ଏକତରଫା ଭାବେ ୬୭ ରନରେ ହରାଇ ଦେଇଛି। ନିୟମିତ ଅଧିନାୟକ ମିଚେଲ ମାର୍ଶଙ୍କ ବିନା ଆଜି ପ୍ରଥମ ମ୍ୟାଚ୍ ଖେଳୁଥିବା ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ କମାଲ କରି ବାଜିମାତ କରିଛି। ଅସ୍ଥାୟୀ ଅଧିନାୟକ ଟ୍ରାଭିସ ହେଡ୍ଙ୍କ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୨ ରନ କରିଥିଲା।
ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ସ୍କୋର କରିଥିଲେ ମାର୍କସ ଷ୍ଟୋଇନିସ। ସେ ୨୯ ବଲରେ ୪୫ ରନର ଇନିଂସ ଖେଳିଛନ୍ତି। ତାଙ୍କ ବ୍ୟତୀତ ଜୋଶ ଇଙ୍ଗଲିସ ୧୬ ବଲରେ ୩୭ ଓ ମ୍ୟାଟ ରେନଶ’ ୩୩ ବଲରେ ୩୭ ରନ କରିଥିଲା। ଟ୍ରାଭିସ ହେଡ ଗୋଟିଏ ଚୌକା ମାରିଥିଲେ ହେଁ ରନ ଆଉଟ ହେବାରୁ ବଡ଼ ସ୍କୋର କରିପାରି ନଥିଲେ।
ଆୟର୍ଲ୍ୟାଣ୍ଡ ପକ୍ଷରୁ ମାର୍କ ଏଦୈର ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ମାଥ୍ୟୁ ହୁମ୍ଫେରେୟସ, ଜର୍ଜ ଡୋକରେଲ ଓ ହ୍ୟାରୀ ଟେକ୍ଟର ଗୋଟିଏ ଲେଖାଏ ସଫଳତା ପାଇଥିଲେ।
୧୮୩ ରନର ଚ୍ୟାଲେଞ୍ଜ ସ୍କୋର ନେଇ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲ୍ୟାଣ୍ଡ ଆରମ୍ଭରୁ ଅଧିନାୟକ ପଲଷ୍ଟ୍ରିଲିଙ୍ଗ(୧)ଙ୍କୁ ରିଟାର୍ଡ ଆଉଟ ଭାବେ ହରାଇଥିଲା। ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟରଙ୍କୁ ନାଥନ ଏଲିସ ଓ ଆଡାମ ଜାମ୍ପା ଘାଇଲା କରି ପ୍ୟାଭିଲିୟନ ପଠାଇଥିଲେ। ଶେଷ ଭାଗରେ ଡୋକରେଲ ୨୯ ବଲରେ ୪୧ ରନ କରିବାରୁ ଆୟର୍ଲ୍ୟାଣ୍ଡ ବହୁତ କଷ୍ଟରେ ୧୧୫ ରନରେ ପହଞ୍ଚି ପାରିଥିଲା।
ଅନ୍ୟମାନଙ୍କ ମଧ୍ୟରେ ଲୋରକାନ ଟୁକେର ୨୪ ଓ ମାର୍କ ଏଦୈର ୧୨ ରନ କରିଛନ୍ତି। ଆୟର୍ଲ୍ୟାଣ୍ଡ ପୂରା ୨୦ ଓଭର ମଧ୍ୟ ଖେଳିବାକୁ ସକ୍ଷମ ହୋଇନି। ଦଳ ୧୬.୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନରେ ଅଲଆଉଟ ହୋଇଯାଇଛି।
ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ ୩.୫ ଓଭରରେ ମାତ୍ର ୧୨ ରନ ଦେଇ ୪ ୱିକେଟ ନେଇଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ମିଳିଛି। ଆଡାମ ଜାମ୍ପା ୪ ଓଭରରେ ୨୩ ରନ ଦେଇ ୪ ୱିକେଟ ଓ ମାଥ୍ୟୁ କୁହନେମାନ ଗୋଟିଏ ସଫଳତା ପାଇଛନ୍ତି।
ଚଳିତ ବିଶ୍ୱକପରେ ଏହା ଆୟର୍ଲ୍ୟାଣ୍ଡର ଦ୍ୱିତୀୟ ପରାଜୟ। ପ୍ରଥମ ମ୍ୟାଚ୍ରେ ଦଳ ବିଶ୍ୱକପର ସହ ଆୟୋଜକ ଶ୍ରୀଲଙ୍କା ଠାରୁ ୨୦ ରନରେ ହାରିଥିଲା। ଆଜି ଦଳ ଅଷ୍ଟ୍ରେଲିଆ ଠାରୁ ୬୭ ରନରେ ଏହି ଦଳ ପରାସ୍ତ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/11/t20-2026-02-11-19-56-04.jpg)