Advertisment

ଟି ୨୦ ମହିଳା ବିଶ୍ୱକପ: ଇଂଲଣ୍ଡ ଠାରୁ ହାରିଲା ଭାରତ

ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ନାଟ ସ୍କିଭର ବ୍ରଣ୍ଟଙ୍କ ୫୦ ଓ ଆମୀ ଜୋନ୍ସଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୧୫୧ ରନ କରିଥିଲା।

author-image
Hemant Lenka
Team India

Team India

ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପରେ ଇଂଲଣ୍ଡ ଠାରୁ ହାରି ଯାଇଛି ଭାରତ। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇଥିବା ହରମନପ୍ରୀତ କୌରଙ୍କ ଭାରତୀୟ ଦଳ ଆଜି ୧୧ ରନରେ ଇଂଲଣ୍ଡ ଠାରୁ ହାରିଯାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ନାଟ ସ୍କିଭର ବ୍ରଣ୍ଟଙ୍କ ୫୦ ଓ ଆମୀ ଜୋନ୍ସଙ୍କ ୪୦ ରନ ବଳରେ ୭ ୱିକେଟ ହରାଇ ୧୫୧ ରନ କରିଥିଲା। ଭାରତ ପକ୍ଷରୁ ରେଣୁକା ସିଂହ ୫ ୱିକେଟ ଦଖଲ କରିଥିଲେ।

Advertisment

ଏହାର ଜବାବରେ ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରେ ୫ ୱିକେଟ ହରାଇ କେବଳ ୧୪୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ୫୦ ରନ କରିଥିବା ବେଳେ ରିଚା ଘୋଷ ଅପରାଜିତ ୪୭ ରନର ଇନିଂସ ଖେଳିଛନ୍ତି। ହେଲା ଏହା ମ୍ୟାଚ୍‌ ବିଜୟ ପାଇଁ ଯଥେଷ୍ଟ ନଥିଲା। 

୨୦ ଓଭରରେ ୧୫୨ ରନର ଟାର୍ଗେଟ ପାଇଥିବା ଭାରତୀୟ ମହିଳା ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୨୯ ଥିବା ବେଳେ ଶେ‍ଫାଳି ବର୍ମା (୮) ଆଉଟ ହୋଇଥିଲେ। ପାକିସ୍ତାନ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଜେମିମା ରୋଡ୍ରିଗ୍ସ କେବଳ ୧୩ ରନ କରିବାକୁ ସକ୍ଷମ ହୋଇଥିଲେ। 

Advertisment

ଅଧିନାୟକ ହରମନପ୍ରୀତ କୌର(୪) ବଡ଼ ଶଟ୍‌ ଖେଳିବା ଲୋଭରେ ଆଉଟ ହୋଇଯାଇଥିଲେ। ୬୨ ରନରେ ଦଳ ୩ଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ସ୍ମୃତି ମନ୍ଧାନା ଓ ରିଚା ଘୋଷ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦଳୀୟ ସ୍କୋରକୁ ୬୨ରୁ ନେଇ ୧୦୫ରେ ପହଞ୍ଚାଇଥିଲେ। ମନ୍ଧାନା ମଧ୍ୟ ଛକା ମାରି ଅର୍ଦ୍ଧଶତକ ହାସଲ କରିଥିଲେ।

କିନ୍ତୁ ଏହାର ପରବର୍ତ୍ତୀ ବଲରେ ପୁଣି ବଡ଼ ଶଟ ମାରିବାକୁ ଯାଇ ମନ୍ଧାନା(୫୨) ସାରା ଗ୍ଲେନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଦୀପ୍ତି ଶର୍ମା ମଧ୍ୟ ୭ ରନ କରି ରନ ଆଉଟ ହୋଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଅନ୍ୟ ପଟେ ରନରେଟର ଚାପ ମଧ୍ୟ ବଢ଼ିବାରେ ଲାଗିଥିଲା। ସ୍ଥିତି ଏପରି ହୋଇଥିଲା ଯେ ଶେଷ ଓଭରରେ ଦଳକୁ ଜିତିବା ୩୧ ରନର ଟାର୍ଗେଟ ମିଳିଥିଲା।

ରିଚା ଘୋଷ କିଛି ବଡ଼ ଶଟ ବି ଖେଳିଥିଲେ। ହେଲେ ଭାରତ ଟାର୍ଗେଟ ଠାରୁ ୧୨ ରନ ପଛରେ ରହି ଯାଇଥିଲା। ଇଂଲଣ୍ଡ ୧୧ ରନରେ ମ୍ୟାଚ୍‌ ଜିତି ବିଶ୍ୱକପ ସେମି ଫାଇନାଲରେ ପ୍ରବେଶ କରିବା ପାଇଁ ଆହୁରି ନିକଟତର ହୋଇଯାଇଛି। ଭାରତ ବିପକ୍ଷରେ ବିଶ୍ୱକପରେ ଏହା ଇଂଲଣ୍ଡର କ୍ରମାଗତ ୬ଷ୍ଠ ବିଜୟ। ଭାରତ ପାଇଁ ରିଚା ଘୋଷ ଶେଷ ଯାଏ ୩୪ ବଲରେ ୪୭ ରନ କରି ଅପରାଜିତ ରହିଥିଲେ।

ଇଂଲଣ୍ଡ ପକ୍ଷରୁ ଗ୍ଲେନ ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ଲାଉରେନ ବେଲ ଓ ଶୋଫି ଏସ୍ଲେଷ୍ଟୋନ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

T20 World Cup Women Cricket