Advertisment

ଓଲିଙ୍କ ଅପରାଜିତ ୧୪୮, ଇଂଲଣ୍ଡକୁ ୧୨୬ ରନ୍‌ର ଲିଡ୍‌

ବେନ୍‌ ଫୋକ୍ସ ଅଧିକ ରନ୍ କରି ନଥିଲେ ହେଁ ଓଲି ପପ୍‌ଙ୍କ ସହିତ ରହି ଏକ ବଢ଼ିଆ ପାର୍ଟନଶିପ୍ ଗଢ଼ିଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
 Ollie Pope

Ollie Pope

ଶୁକ୍ରବାର ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୧୭୫ ରନ୍‌ରେ ଆଗୁଆ ଥିଲା ଭାରତ। ଶନିବାର ୧୨୬ ରନ୍‌ର ଲିଡ୍‌ ପାଇଛି ଇଂଲଣ୍ଡ। ଭାରତର ପ୍ରଥମ ଇନିଂସ ୪୩୬ରେ ଅଟକିବା ପରେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଇଂଲଣ୍ଡ ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ୍ ହରାଇ ୩୧୬ ରନ୍ କରିଛି। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଓଲି ପପ୍‌। ସେ ଅପରାଜିତ ୧୪୮ ରନ୍ କରିଛନ୍ତି। ସେ ଓ ରେହାନ ଅହମଦ ଆସନ୍ତାକାଲି ଦଳର ଇନିଂସକୁ ଆଗେଇ ନେବେ।

Advertisment

ଭାରତ ଆଜି ତା’ର ପ୍ରଥମ ଇନିଂସରେ ୪୨୧ ରନ୍‌ରୁ ପୁଣି ଖେଳ ଆରମ୍ଭ କରିଥିଲା। ହେଲେ ଗତକାଲି ୭ ୱିକେଟ୍ ହରାଇଥିବା ଭାରତୀୟ ଦଳର ବାକି ୩ଟି ୱିକେଟ୍ ଆଜି ମାତ୍ର ୧୫ ରନ୍‌ରେ ପଡ଼ିଯାଇଥିଲା। ୮୧ ରନ୍ କରି ନଟ୍‌ଆଉଟ୍ ଥିବା ରବୀନ୍ଦ୍ର ଜାଡେଜା ଆଉ ୬ ରନ୍ ଯୋଡ଼ି ଆଉଟ୍ ହୋଇଯାଇଥିଲେ। ସେ ଜୋ ରୁଟ୍‌ଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଯାଇଥିଲେ। ସେହିଭଳି ୩୫ ରନ୍ କରି ଅପରାଜିତ ଥିବା ଅକ୍ଷର ପଟେଲ ୪୪ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ରେହାନ ଅହମଦ ତାଙ୍କୁ ବୋଲ୍‌ଡ କରି ଦେଇଥିଲେ। ଅନ୍ୟପକ୍ଷରେ ଯଶପ୍ରୀତି ବୁମ୍ରା ଖାତା ଖୋଲି ପାରି ନଥିଲେ।  

ପ୍ରଥମ ଇନିଂସରେ ଭାରତ ୧୯୦ ରନ୍‌ର ଲିଡ୍‌ ପାଇଥିବା ବେଳେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ପ୍ରଦର୍ଶନ ଭଲ ରହିଥିଲା। ବିଶେଷ କରି ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଓଲି ପପ୍‌ ଭଲ ଖେଳି ଥିଲେ। ସେ ୨୦୮ ବଲ୍‌ରୁ ୧୭ଟି ଚୌକା ସହାୟତାରେ ୧୪୮ ରନ୍ କରି ଅପରାଜିତ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜାକ କ୍ରାଉଲୀ ୩୧ ରନ୍ କରି ଆଉଟ୍ ହୋଇଥିବା ବେଳେ ବେନ୍ ଡକେଟ ୪୭ ରନ୍ କରିଥିଲେ। ଡକେଟ୍‌ଙ୍କୁ ଯଶପ୍ରୀତ ବୁମ୍ରା ବୋଲ୍‌ଡ କରି ଦେଇଥିଲେ। କ୍ରାଉଲୀଙ୍କ ୱିକେଟ୍ ନେଇଥିଲେ ରବିଚନ୍ଦ୍ରନ ଅଶ୍ୱିନ। ସେ ରୋହିତ ଶର୍ମାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିଭଳି ଭାରତ ବିପକ୍ଷରେ ଭଲ ଖେଳୁଥିବା ଜୋ ରୁଟ୍ ଆଜି ଫେଲ୍ ମାରିଥିଲେ। ୨ ରନ୍ କରିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

Advertisment

ଜନି ବେୟାରଷ୍ଟୋ ଓ ବେନ୍ ଷ୍ଟୋକ୍ସ ଯଥାକ୍ରେମ ୧୦ ଓ ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ଜନି ବେୟାରଷ୍ଟୋଙ୍କ ୱିକେଟ୍ ନେଇଥିଲେ ରବୀନ୍ଦ୍ର ଜାଡେଜା। ସେ ଜନିଙ୍କୁ ବୋଲ୍‌ଡ କରି ଦେଇଥିଲେ। ଅନ୍ୟପକ୍ଷରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ବୋଲ୍‌ଡ ହୋଇଥିଲେ ବେନ୍ ଷ୍ଟୋକ୍‌ସ। ବେନ୍‌ ଫୋକ୍ସ ଅଧିକ ରନ୍ କରି ନଥିଲେ ହେଁ ଓଲି ପପ୍‌ଙ୍କ ସହିତ ରହି ଏକ ବଢ଼ିଆ ପାର୍ଟନଶିପ୍ ଗଢ଼ିଥିଲେ। ଓଲି ପପ୍ ଓ ବେନ୍ ଫୋକ୍ସଙ୍କ ମଧ୍ୟରେ ୧୧୨ ରନ୍‌ (୧୮୩ ବଲ୍‌) ର ପାର୍ଟନରଶିପ ହୋଇଥିଲା। ବେନ୍ ଫୋକ୍ସ ୮୧ଟି ବଲ୍‌ରୁ ୩୪ ରନ୍ କରି ଆଉଟ୍ ହୋଇଥିଲେ। ଏହା ପରେ ରେହାନ ଅହମଦଙ୍କୁ ସାଥୀ କରି ଖେଳିଥିଲେ ଓଲି ପପ୍‌। ସେମାନଙ୍କ ମଧ୍ୟରେ ଅପରାଜିତ ୪୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଓଲି ପପ୍‌ ଓ ରେହାନ ଅହମଦ ଅପରାଜିତ ଅଛନ୍ତି। ସେମାନେ ଆସନ୍ତାକାଲି ଦଳର ଇନିଂସକୁ ଆଗେଇ ନେବେ।

INDvsENG Ollie Pope