/odisha-reporter/media/post_attachments/uploadimage/library/16_9/16_9_0/Srilanka__1698313395.jpg)
Srilanka
ଭାରତରେ ଚାଲିଥିବା ବିଶ୍ୱକପର ୨୫ତମ ମ୍ୟାଚ୍ରେ ମୁହାଁମୁହିଁ ହେଉଛନ୍ତି ଶ୍ରୀଲଙ୍କା ଓ ଇଂଲଣ୍ଡ। ବେଙ୍ଗାଲୁରୁରେ ଖେଳା ଯାଉଥିବା ଏହି ମୁକାବିଲା ଦୁଇ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଉଭୟ ଦଳ ୪ଟି ମୁକାବିଲାରୁ କେବଳ ଗୋଟିଏ ଲେଖାଏ ମ୍ୟାଚ୍ ଜିତିବାକୁ ସକ୍ଷମ ହୋଇଛନ୍ତି। ଆଜି ଯେଉଁ ଦଳ ହାରିବ, ସିଏ ବିଶ୍ୱକପ ସେମି ଫାଇନାଲ ଦୌଡ଼ରୁ ଏକପ୍ରକାରର ବାଦ ପଡ଼ିବ। ତେଣୁ ଆଜିର ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ସଦୃଶ ହୋଇଛି।
ବେଙ୍ଗାଲୁରୁରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଂଲଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୪୫ ରନ ଯାଏ କୌଣସି ୱିକେଟ ହରାଇ ନଥିବା ଇଂଲଣ୍ଡ ୮୫ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଛି।
ଦଳୀୟ ସ୍କୋର ୪୫ ବେଳେ ବ୍ୟକ୍ତିଗତ ୨୮ ରନ କରି ଡାୱିଡ ମଲାନ ଆଉଟ ହୋଇଥିଲେ। ତାଙ୍କୁ ଶ୍ରୀଲଙ୍କାର ଅଭିଜ୍ଞ ଖେଳାଳି ତଥା ଚଳିତ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ଆଞ୍ଜେଲୋ ମାଥ୍ୟୁସ ଆଉଟ କରିଛନ୍ତି।
ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଜୋ ରୁଟ କେବଳ ୩ ରନ କରିବାକୁ ସକ୍ଷମ ହୋଇ ଥିଲେ। ଜନ୍ନି ବେୟାରଷ୍ଟୋଙ୍କ ସହ ତାଳ ମେଳ ଅଭାବରୁ ସେ ରନ ଆଉଟ ହୋଇ ପ୍ୟାଭିଲିନୟ ଫେରିଛନ୍ତି। ତାଙ୍କୁ ମାଥ୍ୟୁସ ହିଁ ରନ ଆଉଟ କରିଛନ୍ତି।
ତେବେ କ୍ରିଜ୍ରେ ପ୍ରଥମ ବଲରେ ଏକ ନିଶ୍ଚିତ ଆଉଟରୁ ରକ୍ଷା ପାଇଥିବା ବି ଜନ୍ନି ବେୟାରଷ୍ଟୋ ବେଶ କିଛି ସମୟ ଲଢ଼େଇ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୮ ଥିବା ବେଳେ ସେ ମଧ୍ୟ ଆଉଟ ହୋଇଯାଇଛନ୍ତି। ସେ କସୁନ ରଜିଥାଙ୍କ ବଲକୁ ମିଡ ଅନ୍ ଅଞ୍ଚଳରେ ଖେଳୁଥିବା ବେଳେ ସେଠାରେ ଥିବା ଧନଞ୍ଜୟ ଡିସଲଭା ଧରି ପକାଇଥିଲେ। ବେୟାରଷ୍ଟୋ ୩୧ ବଲରେ ୩୦ ରନ କରି ଆଉଟ ହୋଇଛନ୍ତି।
ଏହାପୂର୍ବର ଇନିଂସଲ ପ୍ରଥମେ ବଲରେ ବେୟାରଷ୍ଟୋ ଶ୍ରୀଲଙ୍କାର ଦିଲସାନ ମଧୁଶଙ୍କାଙ୍କ ବଲରେ ସେ LBW ହୋଇଥିଲେ। କିନ୍ତୁ ଅମ୍ପାୟାର ଏହାକୁ ଆଉଟ ଦେଇ ନଥିଲେ। ଶ୍ରୀଲଙ୍କା ମଧ୍ୟ ପ୍ରଥମ ବଲରେ ଏପରି ଘଟଣା ଘଟିଥିବାରୁ ରିଭ୍ୟୁ ନେଇ ନଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ବଲରେ ଇଂଲଣ୍ଡକୁ ୩ ରନ ମଧ୍ୟ ମିଳିଥିଲା। ପ୍ରଥମ ବଲଟି ପ୍ୟାଡ୍ରେ ମାଡ଼ ହେବା ପରେ ବେୟାରଷ୍ଟୋଙ୍କ ବ୍ୟାଟରେ ମାଡ଼ ହୋଇଥିଲା। ବଲଟି ସିଧା ବାଉଣ୍ଡରୀ ଆଡ଼କୁ ଯାଇଥିବା ବେଳେ ବେୟାରଷ୍ଟୋ ୩ ରନ ହାସଲ କରିଥିଲେ। କିପିଂ କରୁଥିବା ଶ୍ରୀଲଙ୍କାର ଅଧିନାୟକ କୁଶଲ ମେଣ୍ଡିସ ରିଭ୍ୟୁ ନେବା ପାଇଁ ବୋଲର ମଧୁଶଙ୍କାଙ୍କ ସହ କଥା ମଧ୍ୟ ହୋଇଥିଲେ।
କିନ୍ତୁ ଶ୍ରୀଲଙ୍କା କୌଣସି ପ୍ରକାରର ରିଭ୍ୟୁ ନେଇ ନଥିଲା। ପରବର୍ତ୍ତୀ ଅବସ୍ଥାରେ ରିପ୍ଲେରୁ ଜଣାପଡ଼ିଥିଲା ଯେ ବଲଟି ବେୟାରଷ୍ଟୋଙ୍କ ଗୋଡ଼ରେ ମାଡ଼ ହେବା ପରେ ବ୍ୟାଟରେ ମାଡ଼ ହୋଇଥିଲା। ସେହିପରି ବଲଟି ସିଧା ମିଡିଲ ଷ୍ଟମ୍ପରେ ମାଡ଼ ହେଉଥିବା ଦେଖିବାକୁ ମିଳିଥିଲା। ଏହାର ଅର୍ଥ ଯଦି ଶ୍ରୀଲଙ୍କା ରିଭ୍ୟୁ ନେଇ ଥାଆନ୍ତା, ତା’ହେଲେ ବେୟାରଷ୍ଟୋ ଆଉଟ ହୋଇ ପ୍ୟାଭିଲିନୟ ଫେରିଥାଆନ୍ତେ।
ଜୀବନଦାନ ପାଇବା ପରେ ସେ ଦମଦାର ବ୍ୟାଟିଂ କରିବା ସହ ଗୋଟିଏ ପରେ ଗୋଟିଏ ଚୌକା ମାରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୮ ବେଳକୁ ସେ ମଧ୍ୟ ଆଉଟ ହୋଇଯାଇଛନ୍ତି। ଏହାପରେ ଅଧିନାୟକ ଜୋଶ ବଟଲର ଓ ଅଭିଜ୍ଞ ବେନ ଷ୍ଟୋକ୍ସଙ୍କ ଉପରେ ସବୁ ଦାୟିତ୍ୱ ରହିଥିଲା। ହେଲେ ଲାହିର କୁମାରା ଏହା କରାଇ ଦେଇ ନଥିଲେ। ସେ ୮ ରନ କରିଥିବା ବଟଲରଙ୍କୁ ଆଉଟ କରି ଇଂଲଣ୍ଡକୁ ୪ର୍ଥ ଝଟକା ଦେଇଛନ୍ତି।
ଏହାର ପରବର୍ତ୍ତୀ ଓଭର୍ରେ କୁମାରା ୧ ରନ କରିଥିବା ଲିଆମ ଲିଭଙ୍ଗଷ୍ଟୋନଙ୍କ ୱିକେଟ ମଧ୍ୟ ନେଇଛନ୍ତି।
ରିପୋର୍ଟ ଲେଖାହେବା ବେଳକୁ ଇଂଲଣ୍ତ ୧୭ ଓଭର୍ରେ ୫ ୱିକେଟ ହରାଇ ୮୫ ରନ କରିଛି। ଷ୍ଟୋକ୍ସ ୭ ରନ କରି ଅପରାଜିତ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
