Advertisment

ବିଶ୍ୱକପ୍ କ୍ରିକେଟ: ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡର ଷଷ୍ଠ ପରାଜୟ, ୩୩ ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୧୦ ପଏଣ୍ଟ ପାଇ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି। ଦଳ ଗ୍ରୁପ୍ ସ୍ତରରେ ଆହୁରି ଦୁଇଟି ମ୍ୟାଚ୍ ଖେଳିବ।

ଅଦ୍ୟତନ ହୋଇଛି
ENGvsAus

ENGvsAus

Advertisment

ଗତ ବିଶ୍ୱକପ୍ କ୍ରିକେଟର ଚାମ୍ପିୟନ ଇଂଲଣ୍ଡ ଚଳିତ ବିଶ୍ୱକପ୍ କ୍ରିକେଟରେ ହାରିଛି ଆଉ ଏକ ମ୍ୟାଚ୍‌। ଏହା ହେଉଛି ଦଳର ଷଷ୍ଠ ପରାଜୟ। ଦଳ ଏଯାବତ୍ ୭ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ମାତ୍ର ଗୋଟିଏରେ ଜିତିଛି। ଆଉ ୨ ପଏଣ୍ଟ ସହ ଟେବୁଲର ପୂରା ତଳେ ରହିଛି। ନେଦରଲ୍ୟାଣ୍ଡସ ଓ ଆଫଗାନିସ୍ତାନଠାରୁ ବି ଖରାପ ଖେଳିଛି ଦଳ।

Advertisment

ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ମ୍ୟାଚ୍‌ରେ ଇଂଲଣ୍ଡ ୩୩ ରନ୍‌ରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ୪୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୮୬ ରନ୍ କରିଥିବା ବେଳେ ଇଂଲଣ୍ଡ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୩ ରନ୍ କରିଥିଲା।

ଇଂଲଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ମାର୍ନସ ଲାବୁଶେନଙ୍କ ୭୧ ରନ୍‌, ଷ୍ଟିଭ୍ ସ୍ମିଥ୍‌ଙ୍କ ୪୪, କ୍ୟାମେରୁନ ଗ୍ରୀନଙ୍କ ୪୭, ମାର୍କସଙ୍କ ୩୫ ଓ ଆଡାମ ଜାମ୍ପାଙ୍କ ୨୯ ରନ୍ ବଳରେ ୨୮୬ ରନ୍ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଟ୍ରାଭିସ ହେଡ୍ ୧୧, ପ୍ୟାଟ୍ କମିନ୍ସ ୧୦ ଓ ମିଚେଲ ଷ୍ଟାର୍କ ୧୦ ରନ୍ କରିଥିଲେ।

Advertisment

ଅନ୍ୟପକ୍ଷରେ ୨୮୭ ରନ୍‌ର ବିଜୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡକୁ ପ୍ରଥମ ଓଭରର ପ୍ରଥମ ବଲ୍‌ରେ ଲାଗିଥିଲା ଝଟକା। ଆଉଟ୍ ହୋଇଯାଇଥିଲେ ଜନ୍ନୀ ବେୟାରଷ୍ଟୋ। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଜୋଶ ଇଂଲିସଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ ୪.୩ ଓଭରରେ ମିଚେଲ ଷ୍ଟାର୍କଙ୍କ ବଲରେ ଜୋଶ ଇଂଲିସ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଜୋ ରୁଟ୍‌।

୧୯ ରନ୍‌ରେ ଦୁଇଟି ୱିକେଟ୍ ହରାଇବା ପରେ ଦଳକୁ ସମ୍ଭାଳି ଥିଲେ ଡାୱିନ ମଲାନ ଓ ବେନ୍ ଷ୍ଟୋକ୍ସ। ମଲାନ ୫୦ ରନ୍ କରି ଆଉଟ୍ ହେଲା ବେଳକୁ ଦଳର ସ୍କୋର ୧୦୩ରେ ପହଞ୍ଚି ଯାଇଥିଲା। ତେବେ ସେ ଯିବା ପରେ ଅଧିନାୟକ ଜୋଶ ବଟଲର ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ତା’ପରେ ମୋଇନ ଅଲ୍ଲୀ ଓ ବେନ୍‌ ଷ୍ଟୋକ୍ସ ପାରିକୁ ସମ୍ଭାଳିଥିଲେ। ତେବେ ୯୦ଟି ବଲ୍‌ରେ ୬୪ ରନ୍ କରିଥିବା ବେଳେ ଆଡାମ ଜାମ୍ପାଙ୍କ ଶିକାର ହେଲେ ବେନ୍ ଷ୍ଟୋକ୍ସ। ମାର୍କସଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଲିଆମ ଲିଭିଙ୍ଗଷ୍ଟୋନ୍ ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ମୋଇନ ଅଲ୍ଲୀ ୪୨ ଓ ଡାଭିଡ ୱିଲ୍ଲୀ ୧୫ ରନ୍ କରିଥିଲେ।

ଶେଷ ଆଡ଼କୁ କ୍ରିସ୍ ୱିକ୍ସ ଭଲ ଖେଳିଥିଲେ। ତାଙ୍କୁ ସାଥ୍ ଦେଇଥିଲେ ଆଦିଲ ରଶିଦ। କ୍ରିସ୍ ୱିକ୍ସ ୩୩ଟି ବଲ୍‌ରେ ୩୨ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୪ଟି ଚୌକା ଓ ଗୋଟିଏ ଛକା। ତେବେ ସେ ୪୭.୬ ଓଭରରେ ଆଉଟ୍ ହୋଇଯାଇଥିଲେ। ସେତେବେଳକୁ ଦଳର ସ୍କୋର ୨୫୩ ହୋଇଥିଲା। ସେ ଆଉଟ୍ ହେବା ପରେ ୪୮.୧ ଓଭରରେ ଆଉଟ୍ ହୋଇଯାଇଥିଲେ ଆଦିଲ ରଶିଦ। ସେ ୧୫ଟି ବଲ୍‌ରୁ ୨୦ ରନ୍ କରିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ମିଚେଲ ଷ୍ଟାର୍କ, ଜୋଶ ହାଜେଲଉଡ୍‌ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ମାର୍କସ ଗୋଟିଏ ୱିକେଟ୍ ନେଇଥିଲେ।

ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୧୦ ପଏଣ୍ଟ ପାଇ ଟେବୁଲର ୩ ନମ୍ବର ସ୍ଥାନରେ ରହିଛି। ଦଳ ଗ୍ରୁପ୍ ସ୍ତରରେ ଆହୁରି ଦୁଇଟି ମ୍ୟାଚ୍ ଖେଳିବ।

ICC Men’s Cricket World Cup 2023 ICC World Cup 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe