Advertisment

ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ବଶିରଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଡାକିଲା ଇଂଲଣ୍ଡ

ତୃତୀୟ ଟେଷ୍ଟରେ ଆହତ ହୋଇଥିବା ସ୍ପିନର ଶୋଏବ ବଶିରଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି ଇଂଲଣ୍ଡ।

author-image
Hemant Lenka
Bashir

Bashir

ଲର୍ଡସରେ ନାଟକୀୟ ବିଜୟ ପରେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଇଂଲଣ୍ଡ। ଏବେ ୫ ଟିକିଆ ଟେଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଆଗୁଆ ରହିଛି। ୪ର୍ଥ ଟେଷ୍ଟ ଜୁଲାଇ ୨୩ରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବ। ଏହାପୂର୍ବରୁ ତୃତୀୟ ଟେଷ୍ଟରେ ଆହତ ହୋଇଥିବା ସ୍ପିନର ଶୋଏବ ବଶିରଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି ଇଂଲଣ୍ଡ।

Advertisment

ବାମହାତୀ ଅର୍ଥଡକ୍ସ ସ୍ପିନର ଲିଆମ ଡାୱସନ ଇଂଲଣ୍ଡ ଟେଷ୍ଟ ସ୍କ୍ୱାଡକୁ କମବ୍ୟାକ କରିଛନ୍ତି। ଦୀର୍ଘ ୮ ବର୍ଷ ପରେ ଡାୱସନଙ୍କୁ ଇଂଲଣ୍ଡର ଟେଷ୍ଟ ସ୍କ୍ୱାଡରେ ସାମିଲ କରାଯାଇଛି। ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ଓ ଘରୋଇ ମ୍ୟାଚ୍‌ଗୁଡ଼ିକରେ ଡାୱସନ କମାଲ କରିଥିଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି। ଏଥିପାଇଁ ତାଙ୍କୁ ଏବେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ଡାକରା ମିଳିଛି।

ଲର୍ଡସରେ ଇଂଲଣ୍ଡ ୨୨ରେ ଭାରତକୁ ହରାଇ ଦେଇଛି। ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ବଶିର ନିଜ ବୋଲିଂରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ହାତରେ ଗୋଟିଏ ବଲ ମାଡ଼ ହୋଇଥିଲା। ବାମ ଆଙ୍ଗୁଠି ଭାଙ୍ଗି ଯାଇଥିଲେ ହେଁ ବଶିର ଭାରତର ଦ୍ୱିତୀୟ ଇନିଂସରେ ବୋଲିଂ କରିଥିଲେ। ଏଥିସହ ସେ ହିଁ ଶେଷ ୱିକେଟ ଭାବେ ମହମ୍ମଦ ସିରାଜଙ୍କୁ ବୋଲ୍ଡ କରି ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

Advertisment

ଆହତ ସମସ୍ୟା ଯୋଗୁ ସେ ଭାରତ ବିପକ୍ଷ ସିରିଜରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ୩୫ ବର୍ଷୀୟ ଡାୱସନଙ୍କୁ ସାମିଲ କରାଯାଇଛି। ୨୦୧୭ରେ ଡାୱସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ଟି ଟେଷ୍ଟ ଶେଷ ଥର ପାଇଁ ଖେଳିଥିଲେ। ତାଙ୍କ ନାଁରେ ୭ଟି ୱିକେଟ ରହିଛି। ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ଡାୱସନ ଇଂଲଣ୍ଡ ପାଇଁ ୬ଟି ଦିନିକିଆ ଓ ୧୪ଟି ଟି-୨୦ ମଧ୍ୟ ଖେଳିଛନ୍ତି।

ଅନ୍ତର୍ଜାତୀୟ ସ୍ତରରେ ସେତେଟା ସୁଯୋଗ ପାଇ ନଥିଲେ ହେଁ ଡାୱସନ ହାମ୍ପଶିରେ ପାଇଁ ଢେର ବର୍ଷ ହେଲାଣି ଖେଳି ଆସୁଛନ୍ତି। ୨୦୨୩ ଓ ୨୦୨୪ରେ ତାଙ୍କୁ ପିସିଏ ପ୍ଲେୟା ଅଫ ଦ ଇୟର ଭାବେ ନାମିତ କରାଯାଇଥିଲା। ୨୧୨ ପ୍ରଥମ ଶ୍ରେଣୀ କ୍ରିକେଟରେ ଡାୱସନ ୩୭୧ଟି ୱିକେଟ, ୧୦ ହଜାରରୁ ଅଧିକ ରନ ଓ ୧୮ଟି ଶତକ ମାରିଛନ୍ତି। ଏହାକୁ ଆଧାର କରି ତାଙ୍କୁ ଜାତୀୟ ଟିମରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ଭାରତ ବିପକ୍ଷ ଟେଷ୍ଟ ସିରିଜର ସ୍କ୍ୱାଡରେ ଥିବା ସାମ କୁକ ଓ ଜାମି ଓଭରଟନଙ୍କୁ ନିଜ ନିଜର କାଉଣ୍ଟୀ ଟିମ ପାଇଁ ଖେଳିବାକୁ କୁହାଯାଇଛି।

ଇଂଲଣ୍ଡ ସ୍କ୍ୱାଡ: ବେନ ଷ୍ଟୋକ୍ସ(ଅଧିନାୟକ), ଜୋଫ୍ରା ଆର୍ଚର, ଗସ ଅଟକିନସନ, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାଏଡନ କାର୍ସ, ଜ୍ୟାକ କ୍ରଉଲୀ, ଲିଆମ ଡାୱସନ, ବେନ ଡକେଟ, ଓଲି ପପ, ଜୋ ରୁଟ, ଜାମି ସ୍ମିଥ, ଜୋଶ ଟଙ୍ଗ ଓ କ୍ରିସ ୱିକ୍ସ।

India Vs England Test Cricket Test Match