/odisha-reporter/media/post_attachments/uploadimage/library/16_9/16_9_0/ENG_1751360395.jpg)
ENG
ଆସନ୍ତାକାଲି ଏଜବାଷ୍ଟନରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ତେନ୍ଦୁଲକର-ଆଣ୍ଡରସନ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍କୁ ଇଂଲଣ୍ଡ ଜିତି ଏବେ ୧-୦ରେ ଆଗୁଆ ରହିଛି। ଆସନ୍ତାକାଲି ଠାରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ଏହାର ଦିନକ ଆଗରୁ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି।
ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟର ସ୍କ୍ୱାଡରେ ଇଂଲଣ୍ଡ ଜୋଫ୍ରା ଆର୍ଚରଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ଚୂଡ଼ାନ୍ତ ଏକାଦଶରେ ତାଙ୍କ ନାଁ ନାହିଁ। ଇଂଲଣ୍ଡ ପ୍ରଥମ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ପ୍ରଥମ ଟେଷ୍ଟରେ ଯେଉଁମାନେ ଖେଳୁଥିଲେ ଦ୍ୱିତୀୟ ଟେଷ୍ଟରେ ସେହିମାନେ ନଜର ଆସିବେ।
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ପରିଚିତ ୩୦ ବର୍ଷୀୟ ଆର୍ଚର ଆହତ ସମସ୍ୟା ଯୋଗୁ ଦୀର୍ଘ ବର୍ଷ ହେଲାଣି ନାଲି ବଲ କ୍ରିକେଟରୁ ଦୂରେଇ ରହିଥିଲେ। ସେ ଶେଷଥର ପାଇଁ ୨୦୨୧ ଫେବୃଆରୀ ମାସରେ ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏବେ ଜୁଲାଇ ୨ରୁ ଭାରତ ବିପକ୍ଷ ବର୍ମିଂହାମର ଏଜବାଷ୍ଟନରେ ଖେଳା ଯିବାକୁ ଥିବା ଟେଷ୍ଟରେ ସେ ନଜର ଆସିବାର ସମ୍ଭାବନା ସୃଷ୍ଟି ହୋଇଥିଲା।
ସବୁଠାରୁ କୌତହଳର ବିଷୟ ହେଲା ଆର୍ଚର ଇଂଲଣ୍ଡ ପାଇଁ ଶେଷ ଟେଷ୍ଟ ୨୦୨୧ ଫେବୃଆରୀରେ ଭାରତ ବିପକ୍ଷରେ ହିଁ ଖେଳିଥିଲେ। ସେବେଠାରୁ ସେ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ୨୦୨୪ରେ ମୈଦାନକୁ ଓହ୍ଲାଇଥିଲେ। ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରି ସାରିଥିବାରୁ ଆର୍ଚରଙ୍କ ଅପେକ୍ଷା ଆହୁରି ବଢ଼ିଛି।
ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବେଶ ସହଜରେ ୩୭୧ ରନର ଟାର୍ଗେଟକୁ ହାସଲ କରି ନେଇଥିଲେ। ଟେଷ୍ଟର ୫ ଦିନ କାଳ ଭାରତ ତା’ର ଦବଦବା ଦେଖାଇଥିଲେ ହେଁ ଶେଷ ଦିନରେ ଇଂଲଣ୍ଡ ଜବରଦସ୍ତ ବ୍ୟାଟିଂ କରି ମ୍ୟାଚ୍କୁ ଜିତି ନେଇଥିଲା। ଏବେ ଭାରତ କମବ୍ୟାକ ଲକ୍ଷରେ ରହିଛି।
ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଜ୍ୟାକ କ୍ରଉଲୀ, ବେନ ଡକେଟ, ଓଲି ପୋପ, ଜୋ ରୁଟ, ହ୍ୟାରୀ ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜାମି ସ୍ମିଥ(ୱିକେଟ କିପର), କ୍ରିସ ୱକ୍ସ, ବ୍ରାୟଣ୍ଡନ କାର୍ସେ, ଜୋଶ ଟଙ୍ଗ ଓ ଶୋଏବ ବଶିର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
