/odisha-reporter/media/post_attachments/uploadimage/library/16_9/16_9_0/WorldCup_1683716475.jpg)
WorldCup
୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓ ରନର୍ସ ଅପ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ। ଗୁଜରାଟର ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପର ପ୍ରଥମ ମ୍ୟାଚ୍ ଖେଳାଯିବ। ସେହିପରି ନଭେମ୍ବର ୧୯ରେ ଏହି ଅହମଦାବାଦରେ ବିଶ୍ୱକପ ଫାଇନାଲ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ।
ଅତ୍ୟନ୍ତ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଭାରତର ବିଶ୍ୱକପ ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ଆରମ୍ଭ ହେବ। ଦଳ ଚେନ୍ନାଇର ଚେପକ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳିବ। ତେବେ ବିଶ୍ୱକପର ସବୁଠାରୁ ବଡ଼ ଲଢ଼େଇ ଅକ୍ଟୋବର ୧୫ ତାରିଖ ରବିବାର ଦିନ ଖେଳାଯିବ। ଭାରତ ଓ ପାକିସ୍ତାନ ଏହି ମ୍ୟାଚ୍ରେ ମୁହାଁମୁହିଁ ହେବେ। ଏହି ବହୁ ପ୍ରତିକ୍ଷୀତ ମ୍ୟାଚ୍ ମଧ୍ୟ ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ବିସିସିଆଇ ଖୁବଶୀଘ୍ର ବିଶ୍ୱକପ ଭେନ୍ୟୁ ଓ ମ୍ୟାଚ୍ ସୂଚୀ ଜାରି କରିବ। ଆଇପିଏଲ ପରେ ପରେ ବିସିସିଆଇ ବିଶ୍ୱକପ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏସିଆ କପକୁ ନେଇ ଅନିଶ୍ଚିତତା ଲାଗି ରହିଥିଲେ ମଧ୍ୟ ପାକିସ୍ତାନ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବ ବୋଲି ସ୍ପଷ୍ଟ ହୋଇଛି। ଏନେଇ ଆଇସିସି ସହ ପାକିସ୍ତାନ କ୍ରିକେଟ ବୋର୍ଡ କଥା ହୋଇ ସାରିଛି। ପାକିସ୍ତାନର ଭେନ୍ୟୁ ମଧ୍ୟ ସ୍ଥିର କରାଯାଇଛି।
ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ହୋଇଥିବା ଭେନ୍ୟୁ ଅନୁଯାୟୀ, ପାକିସ୍ତାନ ତା’ର ମ୍ୟାଚ୍ଗୁଡ଼ିକ ଅହମଦାବାଦ, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବ। ଅହମଦାବାଦ ଓ ୩ ଦକ୍ଷିଣ ସେଣ୍ଟର ବ୍ୟତୀତ କୋଲକାତା, ଦିଲ୍ଲୀ, ଇନ୍ଦୋର, ଧର୍ମଶାଲା, ଗୌହାଟୀ, ରାଜକୋଟ, ରାୟପୁର ଓ ମୁମ୍ବାଇରେ ବିଶ୍ୱକପର ସମସ୍ତ ମ୍ୟାଚ୍ ଖେଳାଯିବ। ମୋହାଲି ଓ ନାଗପୁର ବିଶ୍ୱକପ ମ୍ୟାଚ୍ ଆୟୋଜନରୁ ବଞ୍ଚିତ ହୋଇଛନ୍ତି।
ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ବିଶ୍ୱକପର ଗୋଟିଏ ସେମି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶ୍ୱକପରେ ମୋଟ ୧୦ଟି ଟିମ ଭାଗ ନେବେ ଓ ୪୮ଟି ମ୍ୟାଚ୍ ଖେଳାଯିବ। ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାର ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।
ଏବେ ବାକି ଦୁଇଟି ଟିମ ପାଇଁ ଜୁନ ଓ ଜୁଲାଇରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଅନୁଷ୍ଠିତ ହେବ। ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ବିଶ୍ୱକପ ଏଣ୍ଟ୍ରୀ ପାଇଁ ନେଦରଲ୍ୟାଣ୍ଡ୍ସ, ଆୟର୍ଲ୍ୟାଣ୍ଡ, ନେପାଳ, ଓମାନ, ସ୍କଟଲ୍ୟାଣ୍ଡ, ୟୁଏଇ ଓ ଜିମ୍ବାୱେ ସହ ଲଢ଼େଇ କରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
