Advertisment

ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଇଂଲଣ୍ଡ, ୮ ବର୍ଷ ପରେ ଏହି ଖେଳାଳିଙ୍କୁ ମିଳିଲା ସୁଯୋଗ

ଲର୍ଡସ ଟେଷ୍ଟକୁ ଇଂଲଣ୍ଡ ନାଟକୀୟ ଢଙ୍ଗରେ ଜିତି ଏବେ ୫ ଟିକିଆ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜ ୨-୧ରେ ଆଗରେ ରହିଛି।

author-image
Hemant Lenka
ENG

ENG

ଆସନ୍ତାକାଲି ଠାରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୪ର୍ଥ ଟେଷ୍ଟ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଇଂଲଣ୍ଡ ୪ର୍ଥ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛନ୍ତି। ଚୂଡ଼ାନ୍ତ ଏକାଦଶରେ ଦଳ ଗୋଟିଏ ପରିବର୍ତ୍ତନ କରିଛି।

Advertisment

ତୃତୀୟ ଟେଷ୍ଟରେ ଆହତ ହୋଇଥିବା ଶୋଏବ ବଶିର ସିରିଜରୁ ବାଦ ପଡ଼ିଥିବା ବେଳେ ତାଙ୍କ ବଦଳରେ ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡାୱସନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଥିଲା। ଏବେ ସେ ବଶିରଙ୍କ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ଦୀର୍ଘ ୮ ବର୍ଷ ପରେ ସେ ଇଂଲଣ୍ଡର ଟେଷ୍ଟ ଟିମକୁ କମବ୍ୟାକ କରିଛନ୍ତି।

ଲର୍ଡସ ଟେଷ୍ଟକୁ ଇଂଲଣ୍ଡ ନାଟକୀୟ ଢଙ୍ଗରେ ଜିତି ଏବେ ୫ ଟିକିଆ ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜ ୨-୧ରେ ଆଗରେ ରହିଛି। ୪ର୍ଥ ଟେଷ୍ଟକୁ ଡ୍ର କିମ୍ବା ଜିତିବା ପାଇଁ ଭାରତ ଚେଷ୍ଟା କରିବ। ନଚେତ ଦଳ ହାତରୁ ସିରିଜ ଚାଲିଯିବ। ଭାରତ ପାଇଁ କର ବା ମର ସ୍ଥିତି ରହିଥିବା ବେଳେ ଇଂଲଣ୍ଡ ଚାପ ମୁକ୍ତ ହୋଇ ମାଞ୍ଚେଷ୍ଟରରେ ମ୍ୟାଚ୍‌ ଖେଳିବ।

Advertisment

ଲିଆମ ଡାୱସନ କିଏ?

୨୦୧୬ରେ ଡାୱସନ ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ରେ କରୁଣ ନାଏର ଅପରାଜିତ ୩୦୩ ରନର ରେକର୍ଡ କରିଥିଲେ। କରୁଣ ନାଏରଙ୍କ ଉପରେ ସମସ୍ତଙ୍କ ଫୋକସ ଥିବା ବେଳେ ଡାୱସନ ନିଜର ପ୍ରଦର୍ଶନ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ସେ ପ୍ରଥମେ ଇନିଂସରେ ୬୬ ରନ କରିବା ସହ ୨ଟି ୱିକେଟ ନେଇଥିଲେ। ଇଂଲଣ୍ଡ ପାଇଁ ସେ ଶେଷ ଥର ଦକ୍ଷିଣ ଆଫ୍ରିକା ୨୦୧୭ ନଟ୍ଟିଂହାମ ଟେଷ୍ଟରେ ନଜର ଆସିଥିଲେ।

ଏହାପରେ ସେ ଇଂଲଣ୍ଡ ଜାତୀୟ ଟେଷ୍ଟ ସେଟଅପରୁ ଦୂରେଇ ଯାଇଥିଲେ। କିନ୍ତୁ ଘରୋଇ କ୍ରିକେଟରେ କ୍ରମାଗତ ଦମଦାର ପ୍ରଦର୍ଶନ କରି ଚାଲିଥିଲେ। ବାମହାତୀ ଅର୍ଥଡକ୍ସ ବୋଲର ଭାବେ ପରିଚିତ ଡାୱସନ ୨୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୦,୭୩୧ ରନ କରିବା ସହ ୩୭୧ଟି ୱିକେଟ ନେଇଛନ୍ତି।

ବର୍ତ୍ତମାନ ଚାଲିଥିବା ୨୦୨୫ କାଉଣ୍ଟୀ ଚାମ୍ପିୟନଶିପ ଡିଭିଜନ ୱାନ ସିଜିନରେ ମଧ୍ୟ ଡାୱସନ ଦମଦାର ପ୍ରଦର୍ଶନ କରିଛନ୍ତି। ୯ଟି ମ୍ୟାଚ୍‌ରେ ସେ ୫୩୬ ରନ କରିବା ସହ ୨୧ଟି ୱିକେଟ ନେଇଛନ୍ତି। ଏବେ ଚୂଡ଼ାନ୍ତ ଏକାଦଶରେ ଡାୱସନ ସାମିଲ ହେବା ଦଳର ବ୍ୟାଟିଂ ଲାଇନ ଅପକୁ ଆହୁରି ମଜବୁତ କରିଛି। ଡାୱସନ ସ୍ପିନ ବୋଲିଂ ସହ ବ୍ୟାଟିଂ କରିବାର ଦମ୍ଭ ରଖିଛନ୍ତି।

ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ: ଜ୍ୟାକ କ୍ରଉଲୀ, ବେନ ଡକେଟ, ଓଲି ପୋପ, ଜୋ ରୁଟ, ହ୍ୟାରୀ ବ୍ରୁକ, ବେନ ଷ୍ଟୋକ୍ସ(ଅଧିନାୟକ), ଜାମି ସ୍ମିଥ(ୱିକେଟ କିପର), କ୍ରିସ ୱକ୍ସ, ବ୍ରାୟଣ୍ଡନ କାର୍ସେ, ଜୋଫ୍ରା ଆର୍ଚର ଓ ଲିଆମ ଡାୱସନ।

Test Cricket Test Match India Vs England Test