Advertisment

ବିଦାୟୀ ମ୍ୟାଚରେ ଇଂଲଣ୍ଡ ପାଇଁ କମାଲ କଲେ ୱିଲୀ, ପରାଜୟ ସହ ବିଦାୟ ନେଲା ପାକିସ୍ତାନ

ଇଂଲଣ୍ଡ  ୩୩୮ ରନର ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ ୪୩.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୨୪୪ ରନ କରିଛି।

author-image
Hemant Lenka
ଅଦ୍ୟତନ ହୋଇଛି
David Willey

David Willey

ଇଂଲଣ୍ଡ ପାଇଁ ଶେଷ ଅନ୍ତର୍ଜାତୀୟ ଦିନିକିଆ ଖେଳୁଥିବା ବାମହାତୀ ଦ୍ରୁତ ବୋଲର ଡାଭିଡ ୱିଲୀ ଆଜି ପାକିସ୍ତାନକୁ ଘାଣ୍ଟିଛନ୍ତି। ତାଙ୍କ ଘାତକ ବୋଲିଂ ଯୋଗୁ ପାକିସ୍ତାନ ଚଳିତ ବିଶ୍ୱକପରେ ପରାଜୟ ସହ ନିଜର ଅଭିଯାନ ଶେଷ କରିଛି।

Advertisment

ଇଂଲଣ୍ଡ  ୩୩୮ ରନର ଟାର୍ଗେଟ ଦେଇଥିବା ବେଳେ ପାକିସ୍ତାନ ୪୩.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ କେବଳ ୨୪୪ ରନ କରିଛି। ଇଂଲଣ୍ଡ ମ୍ୟାଚ୍‌କୁ ୯୩ ରନରେ ଜିତି ତା’ର ବିଶ୍ୱକପ ଅଭିଯାନ ଶେଷ କରିଛି। ୱିଲୀ ୧୦ ଓଭର୍‌ରେ ୫୬ ରନ ଦେଇ ୩ ୱିକେଟ ଦଖଲ କରିଛନ୍ତି। ବିଦାୟୀ ମ୍ୟାଚ୍‌ରେ କମାଲ କରିଥିବାରୁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି।

ଡିଫେଣ୍ଡି ଚାମ୍ପିୟନ ଇଂଲଣ୍ଡ ପୂରା ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ମ୍ୟାଚ୍‌ରେ କମାଲ କରିଛି। ଏଥିସହ ୨୦୨୫ ଚାମ୍ପିୟନସ ଟ୍ରଫି ଖେଳିବାକୁ ଦଳ ଯୋଗ୍ୟତା ମଧ୍ୟ ଅର୍ଜନ କରି ନେଇଛି। ଚଳିତ ବିଶ୍ୱକପର ଟପ୍‌ ୮ଟିମ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଖେଳିବେ।

Advertisment

ଇଂଲଣ୍ତ ୭ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଦଳ ୯ଟି ମ୍ୟାଚ୍‌ରୁ ୬ ପରାଜୟ ଓ ୩ ବିଜୟ ହାସଲ କରିଛି। ଏକଦା ଇଂଲଣ୍ଡ ଲଗାତର ୫ ମ୍ୟାଚ୍‌ ହାରି ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଥିଲା। ଲାଗୁଥିଲା ଦଳ ଚାମ୍ପିୟନ୍ସ ଟ୍ରଫିକୁ ଯୋଗ୍ୟତା ଅର୍ଜନ କରିପାରିବ ନାହିଁ। କିନ୍ତୁ ପ୍ରଥମେ ନେଦରଲ୍ୟାଣ୍ଡ ଓ ଆଜି ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିୟନ୍ସ ଟ୍ରଫି ଟିକେଟ ହାସଲ କରି ନେଇଛି।

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିଲା। ଭେଟରାନ ବେନ ଷ୍ଟୋକ୍ସଙ୍କ ୮୪, ଜୋ ରୁଟଙ୍କ ୬୦ ଓ ଜନ୍ନି ବେୟାରଷ୍ଟୋଙ୍କ ୫୯ ରନ ବଳରେ ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ ହରାଇ ୩୩୭ ରନ କରିଥିଲା।

ପାକିସ୍ତାନକୁ ସେମି ଫାଇନାଲ ଟିକେଟ ପାଇଁ ଏହି ମ୍ୟାଚ୍‌କୁ ୬.୪ ଓଭରରେ ଜିତିବାର ଥିଲା। ଏହା ଅସମ୍ଭବ ଥିବାରୁ ଦଳ କେବଳ ମ୍ୟାଚ ଜିତି ନିଜର ବିଶ୍ୱକପ ଅଭିଯାନ ଶେଷ କରିବା ମୁଡରେ ପଡ଼ିଆକୁ ଓହ୍ଲାଇଥିଲା।

କିନ୍ତୁ ବିଶ୍ୱକପ ପରେ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ନେବେ ବୋଲି ଘୋଷଣା କରି ସାରିଥିବା ୱିଲୀ ଆରମ୍ଭରୁ ପାକିସ୍ତାନକୁ ଝଟକା ଦେଇଥିଲେ। ସେ ପ୍ରଥମ ଓଭର୍‌ରେ ହିଁ ଅବଦୁଲ୍ଲା ଶଫିକ(୦)ଙ୍କୁ ଆଉଟ କରିଥିଲେ। ଏହାପରେ ୩ୟ ଓଭର୍‌ରେ ବିସ୍ଫୋରକ ଫଖର ଜମାନ(୧) ତାଙ୍କ ଶିକାର ବନିଥିଲେ। ସେ ଦୁଇଟି ୱିକେଟ ନେବା ସହ ପାକିସ୍ତାନକୁ ହାତ ଖୋଲା ଶଟ ଖେଳିବାକୁ ଦେଇ ନଥିଲେ।

ବାବର ଆଜମ ଓ ମହମ୍ମଦ ରିଜୱାନ କିଛି ସମୟ ପାଇଁ ୱିଲୀ ଓ ଇଂଲଣ୍ଡର ଅନ୍ୟ ବୋଲରଙ୍କ ମୁକାବିଲା କରିଥିଲେ। କିନ୍ତୁ ଦଳୀୟ ସ୍କୋର ୬୧ ଥିବା ବେଳେ ବ୍ୟକ୍ତିଗତ ୩୮ ରନ କରି ବାବର ଆଉଟ ହୋଇଯାଇଥିଲେ। ତାଙ୍କ ୱିକେଟ ଗସ୍‌ ଅଟକିନସନ ନେଇଥିଲେ।

୪ର୍ଥ ୱିକେଟ ପାଇଁ ରିଜୱାନ ଓ ସୌଦ ସକୀଲ ୩୯ ରନ ଯୋଡ଼ିଥିଲେ। ଏହି ଯୋଡ଼ିକୁ ଭାଙ୍ଗିଥିଲେ ମୋଇନ ଅଲୀ। ସେ ରିଜୱାନ(୩୬)ଙ୍କୁ ବୋଲ୍ଡ କରି ପାକିସ୍ତାନକୁ ୪ର୍ଥ ଝଟକା ଦେଇଥିଲେ। ସକୀଲ ମଧ୍ୟ ୨୯ ରନ କରି ଆଦିଲ ରଶିଦଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶଦାବ ଖାନ(୪) ମଧ୍ୟ ବେଶି କିଛି କରିପାରି ଥିଲେ। ଇଫତକାର ଅହମଦ (୩)ଙ୍କ ୱିକେଟ ନେଇ ମୋଇନ ଅଲୀ ପାକିସ୍ତାନ ବ୍ୟାଟିଂ ଲାଇନ ଅପ୍‌କୁ ଛିନଛତ୍ର କରି ଦେଇଥିଲେ।

ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ଆଘା ସଲମାନ କିଛି ସମୟ ପାଇଁ ଲଢ଼େଇ କରିଥିଲେ। ଏଥିସହ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ଶାହୀନ ଶାହ ଆଫ୍ରିଦିଙ୍କ ସାଥ ମିଳିଥିଲା। କିନ୍ତୁ ୱିଲୀ ନିଜର ଦ୍ୱିତୀୟ ସ୍ପେଲରେ ୫୧ ରନ କରିଥିବା ସଲମାନଙ୍କୁ ଆଉଟ କରି ପାକିସ୍ତାନକୁ ୮ମ ଝଟକା ଦେଥିଲେ। ୧୮୬ରେ ପାକିସ୍ତାନ ୮ମ ୱିକେଟ ହରାଇଥିଲା। ଶାହୀନ ଶାହ ଆଫ୍ରିଦି (୨୫) ମଧ୍ୟ ଦଳୀୟ ସ୍କୋର ୧୯୧ ରନ ଥିବା ବେଳେ ଆଉଟ ହୋଇଥିଲେ।

ଶେଷ ୱିକେଟରେ ହ୍ୟାରିସ ରୌଫ ଓ ମହମ୍ମଦ ୱାସିମ କିଛି ବଡ଼ ବଡ଼ ଶଟ ଖେଳି ଇଡେନ ଗାର୍ଡେନ୍ସରେ ଉପସ୍ଥିତ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। କିନ୍ତୁ ଉଭୟଙ୍କ ଇନିଂସ ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା। ୱାସିମଙ୍କ ଅପେକ୍ଷା ରୌଫଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଏପରି କି ୩୩ ବଲରେ ଉଭୟ ୫୩ ରନ ଭାଗିଦାରୀ ମଧ୍ୟ କରି ନେଇଥିଲେ।

୪୩ ଓଭର ସୁଦ୍ଧା ପାକିସ୍ତାନ ୯ ୱିକେଟ ହରାଇ ୨୪୪ ରନ କରି ନେଇଥିଲା। ରୌଫ ୨୧ ବଲରେ ୩୫ ଓ ୱାସିମ ୧୪ ବଲରେ ୧୬ ରନ କରିଥିଲେ। ଏହି ସମୟରେ ୪୪ତମ ଓଭର ନେଇ ଆସିଥିଲେ କ୍ରିସ ୱିକ୍ସ। ସେ ଢୃତୀୟ ବଲରେ ୩୬ ରନ କରିଥିବା ରୌଫଙ୍କୁ ଆଉଟ କରି ପାକିସ୍ତାନ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ପାକିସ୍ତାନ ୪୩.୩ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୪୪ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଇଂଲଣ୍ଡ ୯୩ ରନର ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଶେଷ କରିଛି। 

ଇଂଲଣ୍ଡ ପକ୍ଷରୁ ୱିଲୀ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ମୋଇନ ଅଲୀ, ରଶିଦ ଓ ଅଟକିନସନ ୨ଟି ଲେଖାଏ ସଫଳତା ପାଇଛନ୍ତି। ସେହିପରି ୱକ୍ସଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି। 

ICC ICC Men’s Cricket World Cup 2023 ICC World Cup 2023 ICC World Cup