Gill
ଶୁକ୍ରବାର ଅହମଦାବାଦରେ ମ୍ୟାଚ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ବେଶ ଚମତ୍କାର ଢଙ୍ଗରେ ଚେନ୍ନାଇ ସୁପର କିଙ୍ଗସକୁ ୩୫ ରନରେ ହରାଇ ଦେଇଛି। ୨୩୨ ରନର ପିଛା କରୁଥିବା ଚେନ୍ନାଇ ୮ ୱିକେଟରେ କେବଳ ୧୯୬ ରନ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ଟାଇଟନ୍ସ ମ୍ୟାଚ୍ ଜିତିଥିଲେ ହେଁ ଦଳର ଅଧିନାୟକ ଶୁବମନ ଗିଲ ଓ ପୂରା ଟିମ ଦଣ୍ଡିତ ହୋଇଛନ୍ତି।
ଧିମା ଓଭର ରେଟ ପାଇଁ ଅଧିନାୟକ ଗିଲଙ୍କ ଉପରେ ୨୪ ଲକ୍ଷ ଟଙ୍କାର ଫାଇନ ଲାଗୁ କରାଯାଇଛି। ଦ୍ୱିତୀୟ ଥର ପାଇଁ ଧିମା ଓଭର ରେଟ୍ ଅପରାଧ ଘଟାଇଥିବା ଗୁଜରାଟର ବାକି ୧୧ ଖେଳାଳିଙ୍କୁ ମଧ୍ୟ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯାଇଛି। ଇମ୍ପାକ୍ଟ ଖେଳାଳିଙ୍କୁ ମିଶାଇ ଗୁଜରାଟର ୧୧ ଖେଳାଳିଙ୍କୁ ୬ ଲକ୍ଷ ଟଙ୍କା ବା ସେମାନଙ୍କ ମ୍ୟାଚ୍ ଫି’ର ୨୫% ଜୋରିମାନା କରାଯାଇଛି।
ମ୍ୟାଚ୍ ରେଫରୀ ଓ ଦୁଇ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକ୍ରମେ ଏପରି ଜୋରିମାନା ଲାଗୁ କରାଯାଇଛି। ଏହାପୂର୍ବରୁ ମାର୍ଚ୍ଚ ୨୬ରେ ମଧ୍ୟ ଧିମା ଓଭର ରେଟ ପାଇଁ ଗିଲ ଦଣ୍ଡିତ ହୋଇଥିଲା। ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରାଯାଇଥିଲା।
କୌତୁହଳର ବିଷୟ ହେଲା, ସେହି ଚେନ୍ନାଇ ବିପକ୍ଷରେ ହିଁ ଗୁଜରାଟ ଧିମା ଓଭର ଅପରାଧ ଘଟାଇଥିଲା। ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଧିମା ଓଭର ରେଟ ଅପରାଧ ପାଇଁ ଗିଲ ଓ ଗୁଜରାଟର ସମସ୍ତ ୧୧ ଖେଳାଳିଙ୍କ ଉପରେ ଜୋରିମାନା ଲାଗୁ କରାଯାଇଛି।
ଶୁକ୍ରବାର ଗୁଜରାଟ ୩୫ ରନରେ ଚେନ୍ନାଇକୁ ହରାଇବା ସହ ନିଜର ପ୍ଲେଅଫ ଖେଳିବା ଆଶା ଉଜ୍ଜୀବିତ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଗୁଜରାଟ ବି ସାଇ ସୁଦର୍ଶନ ଓ ଗିଲଙ୍କ ଶତକ ଯୋଗୁ ୩ ୱିକେଟ ହରାଇ ୨୩୧ ରନ କରିଥିଲା। ଏହାର ଜବାବରେ ଚେନ୍ନାଇ ୮ ୱିକେଟ ହରାଇ କେବଳ ୧୯୬ ରନ କରିପାରି ଥିଲା।
ବିଜୟ ପରେ ଟାଇଟନ୍ସ ପଏଣ୍ଟ ଟେବୁଲର ୮ମ ସ୍ଥାନକୁ ଉଠିଛି। ଦଳ ୧୨ ମ୍ୟାଚ୍ରୁ ୫ ବିଜୟ ହାସଲ କରିଛି। ପରାଜୟ ସତ୍ତ୍ୱେ ଚେନ୍ନାଇ ପୂର୍ବ ଭଳି ୪ର୍ଥ ସ୍ଥାନରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gill_1715420572.jpg)