ମାର୍ଟିନ (ଫାଇଲ ଫଟୋ)
ପୂର୍ବତନ କ୍ରିକେଟର ତଥା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ଡାମିନ ମାର୍ଟିନଙ୍କ ଅବସ୍ଥା ଗୁରୁତର। ଅସୁସ୍ଥତା କାରଣରୁ ସେ ଏବେ କୋମାରେ ରହିଛନ୍ତି। ବ୍ରିସବେନ ସ୍ଥିତ ଗୋଟିଏ ହସ୍ପିଟାଲରେ ଅଷ୍ଟ୍ରେଲିଆ ପାଇଁ ୬୭ ଟେଷ୍ଟ ଖେଳିଥିବା ମାର୍ଟିନଙ୍କ ଚିକିତ୍ସା ଚାଲିଛି।
ଅଷ୍ଟ୍ରେଲୀୟ(Australia) ମିଡିଆ ରିପୋର୍ଟ ଅନୁସାରେ, ୫୪ ବର୍ଷୀୟ ମାର୍ଟିନ କିଛି ଦିନ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ସେ କୋମାକୁ ଚାଲି ଯାଇଛନ୍ତି। ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।
ମାର୍ଟିନଙ୍କ ଅସୁସ୍ଥତା ଖବର ମିଳିବା ପରେ ତାଙ୍କ ସାଥୀ ଖେଳାଳି ଡାରେନ ଲେହମାନ ସୋଶାଲ ମିଡିଆରେ ଆଶୁ ଆରୋଗ୍ୟ କାମନା କରି ଗୋଟିଏ ପୋଷ୍ଟ କରିଛନ୍ତି। ମାର୍ଟିନଙ୍କ ଘନିଷ୍ଠ ବନ୍ଧୁ ତଥା ଅଷ୍ଟ୍ରେଲିଆର ପୂର୍ବତନ ୱିକେଟ କିପର ବ୍ୟାଟର ଆଡାମ ଗିଲଖ୍ରୀଷ୍ଟ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ସେ କହିଛନ୍ତି, “ତାଙ୍କୁ ସବୁଠାରୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଅନେକ ସେମାନଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ପଠାଉଥିବା ମାର୍ଟିନଙ୍କ ପାର୍ଟନର ଅମଣ୍ଡା ଓ ତାଙ୍କ ପରିବାର ଭଲ ଭାବେ ଜାଣିଛନ୍ତି।” କ୍ରିକେଟ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଟୋଡ ଗ୍ରୀନ ବର୍ଗ ମଧ୍ୟ ମାର୍ଟିନଙ୍କ ଶୀଘ୍ର ଆଗୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି, “ମାର୍ଟିନଙ୍କ ଅସୁସ୍ଥତା ଖବର ଶୁଣି ମୁଁ ବେଶ ଦୁଃଖିତ। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଓ କ୍ରିକେଟ(Cricket) ଜଗତ ସହ ଜଡ଼ିତ ସମସ୍ତେ ତାଙ୍କ ସହ ରହିଛନ୍ତି।”
ଡାହାଣ ହାତୀ ମାର୍ଟିନ ଜଣେ ଦକ୍ଷ ବ୍ୟାଟର ଭାବେ ବେଶ ପରିଚିତ। ଟେଷ୍ଟ କ୍ରିକେଟରେ ତାଙ୍କ ବ୍ୟାଟିଂ ହାର ୪୬.୩୭ ରହିଥିଲା। ଡାରୱିନରେ ଜନ୍ମ ଗ୍ରହଣ କରିଥିବା ମାର୍ଟିନ ମାତ୍ର ୨୧ ବର୍ଷ ବୟସରେ ଅଷ୍ଟ୍ରେଲିଆ ପାଇଁ ୧୯୯୨-୯୩ରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୩ ବର୍ଷ ବୟସରେ ସେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆର କ୍ୟାପ୍ଟେନ ହୋଇଥିଲେ।
ଟେଷ୍ଟ କ୍ରିକେଟରେ ୧୩ଟି ଶତକ ମାରିଥିବା ମାର୍ଟିନ ୨୦୦୫ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୬୫ ରନର ଇନିଂସ ଖେଳିଥିଲେ। ଏହା ଟେଷ୍ଟ କ୍ରିକେଟରେ ତାଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର। ୨୦୦୬-୦୭ରେ ମାର୍ଟିନ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍ ଆଡିଲେଡ ଓଭାଲରେ ଖେଳିଥିଲେ। ଆଶେସ ସିରିଜର ଏହି ମ୍ୟାଚ୍ ପରେ ସେ ଅବସର ଘୋଷଣା କରିବା ସହ ଭାଷ୍ୟକାର ବନି ଯାଇଥିଲେ।
କେବଳ ଟେଷ୍ଟ ନୁହେଁ, ଅଷ୍ଟ୍ରେଲିଆ ପାଇଁ ସେ ୨୦୮ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ୧୯୯୯ ଓ ୨୦୦୩ରେ ଦିନିକିଆ ବିଶ୍ୱକପ ଜିତିଥିବା ଦଳରେ ମଧ୍ୟ ସେ ରହିଥିଲେ। ୨୦୦୩ ଭାରତ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ମାର୍ଟିନ ଅପରାଜିତ ୮୮ ରନ କରିଥିଲେ। ତାଙ୍କର ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଥିଲେ ମଧ୍ୟ ସେ ଦମଦାର ବ୍ୟାଟିଂ କରିବାକୁ ଭୁଲି ନଥିଲେ। ୨୦୦୬ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଅଷ୍ଟ୍ରେଲିଆ ଟିମରେ ମଧ୍ୟ ମାର୍ଟିନ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/31/martin-2025-12-31-12-56-35.jpg)