CSK
ମୁମ୍ବାଇ: ଫାଫ୍ ଡୁପ୍ଲେସିସ୍ ଓ ଋତୁରାଜ ଗାଏକ୍ୱାଡଙ୍କ ଦମଦାର ବ୍ୟାଟିଂ ବଳରେ ଚେନ୍ନାଇ ସୁପର୍ କିଙ୍ଗସ୍ ଏଠାରେ ଖେଳାଯାଉଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୦ ରନର ବିଶାଳ ସ୍କୋର କରିଛି। ମ୍ୟାଚ୍ ଜିତିବା ପାଇଁ କେକେଆରକୁ ୨୨୧ ରନ୍ କରିବାକୁ ପଡ଼ିବ।
ଚେନ୍ନାଇ ପକ୍ଷରୁ ଦୁଇ ଓପ୍ନର ଋତୁରାଜ ଗାଏକ୍ୱାଡ୍ ଓ ଫାଫ୍ ଡୁପ୍ଲେସିସ୍ ଶତକୀୟ ଭାଗିଦାରୀ କରିଥିବା ବେଳେ ମୋଇନ୍ ଅଲୀ ଓ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ମଧ୍ୟ ଉପଯୋଗୀ ରନ୍ ସଂଗ୍ରହ କରିଛନ୍ତି। ଡୁପ୍ଲେସିସ୍ ୬୦ ବଲରେ ୯୫ (୯ ଚୌକା ଓ ୪ ଛକା) ରନ୍ ଓ ଋତୁରାଜ ୬୪ (୪୨ ବଲ୍, ୬ ଚୌକା, ୪ ଛକା) ରନ୍ କରିଛନ୍ତି। ଅନ୍ୟପକ୍ଷରେ କେକେଆରର ବରୁଣ ଚକ୍ରବର୍ତ୍ତୀ ଓ ସୁନୀଲ୍ ନରିନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରିନାହାନ୍ତି।
ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କେକେଆର୍ କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇକୁ ଆଶାମୁତାବକ ଷ୍ଟାର୍ଟ ଦେଇଥିଲେ ଋତୁରାଜ ଓ ଫାଫ୍। ଦୁହେଁ ପାୱାରପ୍ଲେ'ରେ ୫୪ ରନ୍ ଯୋଡ଼ିଥିବା ବେଳେ ୧୦୦ ରନ୍ ପୂରଣ କରିବା ପାଇଁ ୬୮ ବଲର ସହାୟତା ନେଇଥିଲେ।
ଋତୁରାଜ ୩୩ ବଲରେ ଓ ଡୁପ୍ଲେସିସ୍ ୩୫ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ଅର୍ଦ୍ଧଶତକ ମାରିବା ପରେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିବା ପ୍ରୟାସରେ ଋତୁରାଜ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ମୋଇନ୍ ଅଲୀ ମଧ୍ୟ ଦ୍ରୁତ ରନ୍ କରି ଦଳକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ମୋଇନ୍ ଡୁପ୍ଲେସିସଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୦ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ମୋଇନ୍ ୨୫ (୧୨ ବଲ୍, ୨ ଚୌକା, ୨ ଛକା) ରନ୍ କରି ନରିନଙ୍କ ଶିକାର ହୋଇଥିଲେ।
ଚେନ୍ନାଇ କ୍ୟାପଟେନ୍ ଧୋନି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଦ୍ରୁତ ୧୭ (୮ ବଲ୍, ୨ ଚୌକା, ୧ ଛକା) ରନର ଇନିଂସ୍ ଖେଳି ଟିମର ସ୍କୋରକୁ ୨୦୦ ରନ୍ ଅତିକ୍ରମ କରାଇଥିଲେ। ଡୁପ୍ଲେସିସଙ୍କ ପାଖରେ ଶତକ ମାରିବାର ସୁଯୋଗ ରହିଥିଲେ ହେଁ, ସେ ଏହାକୁ ହାସଲ କରିପାରିନଥିଲେ। ରବୀନ୍ଦ୍ର ଜାଡେଜା ଶେଷ ବଲରେ ଛକା ମାରି ଦଳର ସ୍କୋରକୁ ୨୨୦ ରନରେ ପହଞ୍ଚାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/CSK-2.jpg)