Advertisment

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିଲେ ଯୁବତୀ

ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ କ୍ୟାପ୍ଟେନ ପଦରୁ ହଟାଇବାରୁ ଏହାକୁ ସହଜର ଗ୍ରହଣ କରିନଥିଲେ ଫ୍ୟାନ୍ସ।

author-image
Hemant Lenka
Hardik

Hardik

ଟିମ ଇଣ୍ଡିଆର ଉପ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ସମୟରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ସେ ବେଶ କିଛି ଦିନ ହେବ ଏଥିପାଇଁ ମାନସିକ ଚାପରେ ମଧ୍ୟ ରହିଥିଲେ। ଆଇପିଏଲ ସମୟରେ ତାଙ୍କୁ ଫ୍ୟାନ୍ସ କଟାକ୍ଷ କରିବା ସହ ମନଇଚ୍ଛା ଗାଳିଗୁଲଜ କରି ଚିଢ଼ାଇଥିଲେ।

Advertisment

ରୋହିତ ଶର୍ମାଙ୍କ ସ୍ଥାନରେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ସମ୍ଭାଳିବାରୁ ତାଙ୍କୁ ଏପରି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ କ୍ୟାପ୍ଟେନ ପଦରୁ ହଟାଇବାରୁ ଏହାକୁ ସହଜର ଗ୍ରହଣ କରିନଥିଲେ ଫ୍ୟାନ୍ସ।

ଏହାର ରାଗ ସେମାନେ ପାଣ୍ଡ୍ୟାଙ୍କ ଉପରେ ସୁଝାଇଥିଲେ। ପାଣ୍ଡ୍ୟା ଯେଉଁ ଷ୍ଟାଡିୟମରେ ମ୍ୟାଚ୍‌ ଖେଳୁଥିଲେ, ସେଠାରେ ତାଙ୍କୁ ଫ୍ୟାନ୍ସଙ୍କ କଟାକ୍ଷର ସମ୍ମୁଖୀନ ହେବାକୁ ପଡ଼ୁଥିଲା।

Advertisment

ଏତେ ସମାଲୋଚନା ଓ କଟାକ୍ଷ ସତ୍ତ୍ୱେ ପାଣ୍ତ୍ୟା ଭାଙ୍ଗି ପଡ଼ି ନଥିଲେ। ସେ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଦମଦାର ପ୍ରଦର୍ଶନ କରି ଚାମ୍ପିୟନ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପାଣ୍ଡ୍ୟା ନିଜ ପ୍ରଦର୍ଶନ ବଳରେ ଆଜି ହିରୋ। ଫ୍ୟାନ୍ସମାନେ ମଧ୍ୟ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି। ସେ ଟି-୨୦ ବିଶ୍ୱକପ ଫାଇନାଲର ଶେଷ ଓଭର ବୋଲିଂ କରି ଭାରତକୁ ୭ ରନର ବିଜୟ ଭେଟି ଦେଇଥିଲେ।

ଏହି ବିଜୟ ପରେ ପାଣ୍ତ୍ୟାଙ୍କୁ ଦିନେ ସମାଲୋଚନା କରୁଥିବା ଫ୍ୟାନ୍ସ ମଧ୍ୟ ତାଙ୍କର ପ୍ରଶଂସା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଆଇପିଏଲରେ ତାଙ୍କୁ ସମାଲୋଚନା କରୁଥିବା ଜଣେ ଯୁବତୀ ମଧ୍ୟ କ୍ଷମା ମାଗିଛନ୍ତି। ସେ ଲାଇଭ ଟିଭିରେ ସମସ୍ତଙ୍କ ସାମ୍ନାରେ ପାଣ୍ଡ୍ୟାଙ୍କୁ କ୍ଷମା ମାଗି ନିଜ ଭୁଲ ସ୍ୱୀକାର କରିଛନ୍ତି।

ଯୁବତୀ ଜଣଙ୍କ ଗୁରୁବାର ମୁମ୍ବାଇରେ ଅନୁଷ୍ଠିତ ଟିମ ଇଣ୍ଡିଆର ବିଜୟ ଯାତ୍ରା ଦେଖିବାକୁ ମୁମ୍ବାଇର ମେରାଇନ ଡ୍ରାଇଭରେ ପହଞ୍ଚିଥିଲେ। ଏହି ସମୟରେ ସେ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ “ସମସସ୍ତ ପ୍ରକାରର ଟ୍ରୋଲିଂ ପାଇଁ ପ୍ରଥମେ ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସରି କହିବାକୁ ଚାହୁଁଛି। ମୁଁ କାହିଁକି ତାଙ୍କୁ କଟାକ୍ଷ କରୁଥିଲି, ସେକଥା ଜାଣନି।

ମୁଁ ଅତ୍ୟନ୍ତ ଦୁଃଖିତ। ବହୁତ ବହୁତ ଧନ୍ୟବାଦ। ବିଶ୍ୱକପର ଶେଷ ଓଭର ଅତ୍ୟନ୍ତ ଚମତ୍କାର ଥିଲା। ମୁଁ ତାଙ୍କୁ ସରି କହିବାକୁ ଚାହୁଁଛି। ମୁଁ ତାଙ୍କ ବିଷୟରେ ଖରାପ କାହିଁକି କହୁଥିଲି? ସରି।”

ଗୁରୁବାର ୱାଙ୍ଖଡେରେ ଆୟୋଜିତ ବିଜୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଅଧିନାୟ ରୋହିତ ଶର୍ମା ସର୍ବମସମ୍ମୁଖରେ ହାର୍ଦ୍ଦିକଙ୍କ ଶେଷ ଓଭରର ପ୍ରଶଂସା କରିଥିଲେ। ଏହି ସମୟରେ ପୂରା ଷ୍ଟାଡିୟମ ହାର୍ଦ୍ଦିକ ହାର୍ଦ୍ଦିକ ନାରା ଦେଇଥିଲା। ସେ ମଧ୍ୟ ସମସ୍ତଙ୍କୁ ହାତ ହଲାଇ ଧନ୍ୟବାଦ ଦେଇଥିଲେ।

Hardik Pandya T20 World Cup