Advertisment

ବାପା ଟ୍ରକ ଚାଳକ, କାନାଡା ଯିବାକୁ ମନା କରିଥିବା ହରବଂଶ ସିଂହ ଭାରତୀୟ ଟିମରେ ପାଇଲେ ସୁଯୋଗ

୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ୧୯ ବର୍ଷରୁ କମ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି ୱିକେଟ କିପର ହରବଂଶ ସିଂହ।

author-image
Hemant Lenka
 Harvansh

Harvansh

ଦୃଢ଼ ଇଚ୍ଛା ଶକ୍ତି ଥିଲେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ବେଶ ସହଜ ହୋଇଯାଏ। କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼ିଥାଏ। ଯୁଗେ ଯୁଗେ ଏହା ସତ ପ୍ରମାଣିତ ହୋଇ ଆସିଛି। ଏବେ ପୁଣି ଏହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ସାମ୍ନାକୁ ଆସିଛି। ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ କିଛି ବଳିଦାନ ଦେଇଥିବା ଜଣେ ଯୁବ ଖେଳାଳିଙ୍କୁ ଏବେ କିଛି ମାତ୍ରାରେ ସଫଳତା ମିଳିଛି। ସେ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ୧୯ ବର୍ଷରୁ କମ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି।

Advertisment

୧୭ ବର୍ଷୀୟ ଆୟୁଷ ମହାତ୍ରେଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ୧୯ ବର୍ଷରୁ କମ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି ୱିକେଟ କିପର ହରବଂଶ ସିଂହ। ଅବଶ୍ୟ ଦଳରେ ଅଭିଜ୍ଞାନ କୁଣ୍ଡୁଙ୍କୁ ପ୍ରଥମ ୱିକେଟ କିପର ସହ ଉପ ଅଧିନାୟକ ପଦ ମିଳିଛି। କିନ୍ତୁ ୧୬ ଜଣିଆ ଭାରତୀୟ ଟିମରେ ହରବଂଶ ସିଂହ ସ୍ଥାନ ପାଇବା କୌଣସି ଚମତ୍କାର ଠାରୁ କମ ନୁହେଁ। ଦେଶ ପାଇଁ ଖେଳିବାକୁ ସ୍ୱପ୍ନ ରଖିଥିବା ହରବଂଶଙ୍କୁ ଏଥିପାଇଁ ନିଜ ବାପା ଓ ପରିବାର ଲୋକଙ୍କ ଠାରୁ ଦୂରରେ ରହିବାକୁ ପଡ଼ିଥିଲା।

ସୌରାଷ୍ଟ୍ର ପାଇଁ କନିଷ୍ଠ ବର୍ଗରେ ବେଶ କିଛି ବର୍ଷ ହେଲା ଖେଳି ଆସୁଛନ୍ତି ହରବଂଶ। ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ୟୁଥ ଟେଷ୍ଟରେ ସେ ଦମଦାର ଶତକ ହାସଲ କରିଥିଲେ। ନିଜ ବ୍ୟାଟିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥିବା ହରବଂଶ ଏବେ ଭାରତୀୟ ଅଣ୍ଡର ୧୯ ଟିମରେ ସ୍ଥାନ ପାଇଛନ୍ତି।

Advertisment

ହରବଂଶଙ୍କ ବାପା ଜଣେ ଟ୍ରକ ଚାଳକ। କିଛି ବର୍ଷ ତଳେ ହରବଂଶଙ୍କୁ ଭାରତ ଛାଡ଼ି କାନାଡା ଯିବାର ବିକଳ୍ପ ମିଳିଥିଲା। କିନ୍ତୁ ସେ କାନାଡା ବଦଳରେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ବାପା ଦମନଦୀପ ସିଂହ କାନାଡାରେ ଟ୍ରକ ଚଳାନ୍ତି। ସେଠାରେ ସେ ରହିବା ସହ ପରିବାରର ଅନ୍ୟ ସଦସ୍ୟମାନେ କାନାଡାରେ ରୁହନ୍ତି। ହେଲେ ହରବଂଶ ନିଜ କ୍ରିକେଟ ସ୍ୱପ୍ନକୁ ପୂରଣ କରିବା ପାଇଁ ବାପା ଓ ପରିବାର ଲୋକଙ୍କୁ ଛାଡ଼ି ମା’ଙ୍କ ସହ ଭାରତରେ ରହୁଥିଲେ। କ୍ରିକେଟକୁ ନିଜ ଜୀବନ କରିଥିଲେ। ଏବେ ଏହାକୁ କିଛି ମାତ୍ରାରେ ସଫଳତା ମିଳିଛି।

ପ୍ରଥମଥର ପାଇଁ ଭାରତ ପାଇଁ ଖେଳିବାକୁ ହରବଂଶ ବିଦେଶ ଗସ୍ତ କରିବେ। ଏହାକୁ ନେଇ ତାଙ୍କ ବାପା ଦମନଦୀପ ବେଶ ଖୁସି। ସେ ଖୁଲାସା କରିଛନ୍ତି ଯେ ତାଙ୍କ ପୁଅ କାନାଡା ଯିବାକୁ ମନା କରିଥିଲା। ଅନ୍ତର୍ଜାତୀୟ କ୍ରିକେଟରେ ସେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ସ୍ୱପ୍ନ ଦେଖିଥିଲା। ଏହାକୁ ପୂରଣ କରିବା ପାଇଁ ସେ ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିଲା ବୋଲି ଦମନଦୀପ କହିଛନ୍ତି।

ଏବେ ବି ଦମନଦୀପ କାନାଡାରେ ରହୁଛନ୍ତି। ସେ କହିଛନ୍ତି, “୧୫ରୁ ୧୬ ଘଣ୍ଟା ଟ୍ରକ ଚଳାଇବା ପରେ ନିଦ ଭାଙ୍ଗିବା ବେଶ କଷ୍ଟକର। ମୋତେ ଅନେକ ଶୁଭେଚ୍ଛା ଭରା ମେସେଜ ଆସିଛି। ଏହା ଅଲଗା ପ୍ରକାରର ଅନୁଭୂତି ଦେଇଛି। ଏଥିସହ କିଛି ପୁରୁଣା ସ୍ମୃତିକୁ ମଧ୍ୟ ତାଜା କରି ଦେଇଛି। କାନାଡା ଆସିବାକୁ ହରବଂଶ କେମିତି ମନା କରିଥିଲା, ସେକଥା ମୋର ମନେ ପଡ଼ି ଯାଉଛି। ସେ ବହୁତ ଜିଦ ଖୋର ପିଲା। ସେ ତା’ର ସ୍ୱପ୍ନକୁ ପୂରଣ କରିବାକୁ ଲାଗି ପଡ଼ିଥିଲା।”

ହରବଂଶ ସବୁବେଳେ ଯୁବରାଜ ସିଂହଙ୍କୁ ନିଜର ଆଦର୍ଶ ମାନି ଆସିଛନ୍ତି। ଯୁବରାଜଙ୍କ ଭଳି ହରବଂଶ ମଧ୍ୟ ଜଣେ ବାମହାତୀ ବ୍ୟାଟର। ଦମନଦୀପ କହିଛନ୍ତି, “ମୁଁ ଓ ମୋ ବଡ଼ ଭାଇ କ୍ରିକେଟ ପାଗଳ। ଆମେ କ୍ରିକେଟ ଖେଳିବାକୁ ବେଶ ଭଲ ପାଉ। ରାଜକୋଟ ଆମ ଘର ଠାରୁ ୨୦୦ କିମି ଦୂର। ୨୦୧୨ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ପକ୍ଷରୁ ପ୍ରଥମଥର ପାଇଁ ଗୋଟିଏ କ୍ରିକେଟ ଏକାଡେମୀ ଆମ ସହରରେ ଖୋଲା ଯାଇଥିଲା।

ହରବଂଶକୁ ୬ ବର୍ଷ ବୟସ ହୋଇଥିବା ବେଳେ ସେଠାରେ ମୁଁ ତା’ର ନାଁ ଲେଖାଇଥିଲି। ସେ ମୋ ଠାରୁ କିପିଂ ଶିଖିଛି। କାରଣ ମୁଁ କିପିଂ କରିବାକୁ ବେଶ ଭଲ ପାଏ। କିନ୍ତୁ ସେ ଯୁବରାଜ ସିଂହଙ୍କୁ ଦେଖି ବାମହାତୀ ବ୍ୟାଟର ବନିଥିଲା। ସେ ଯୁବରାଜଙ୍କର ଜଣେ ବଡ଼ ଫ୍ୟାନ। ଯୁବରାଜ ପିକରେ ଥିବା ବେଳେ ତାଙ୍କ ଖେଳ ସେ ଦେଖି ନଥିଲା। କିନ୍ତୁ ଷ୍ଟୁଆର୍ଟ ବ୍ରଡଙ୍କୁ ସେ ଯେଉଁ ୬ ବଲରେ ୬ ଛକା ମାରିଥିଲେ, ତା’ର ଭିଡିଓକୁ ହରବଂଶ ସବୁବେଳେ ଦେଖେ। ଏହାକୁ ଦେଖି ସେ ଯୁବରାଜଙ୍କ ଭଳି ବ୍ୟାଟିଂ କରିବାକୁ ସବୁବେଳେ ଚେଷ୍ଟା କରିଥାଏ।”

ଭାରତର ଅଣ୍ଡର ୧୯ ଟିମର ଅଧିନାୟକ ହୋଇଛନ୍ତି ୧୭ ବର୍ଷୀୟ ଆୟୁଷ ମହାତ୍ରେ। ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଜୁନିୟର କ୍ରିକେଟ କମିଟି ଆୟୁଷଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଛି। ଭାରତର ଅଣ୍ଡର ୧୯ ଟିମ ଇଂଲଣ୍ଡ ଗସ୍ତ କରି ପ୍ରଥମେ ଗୋଟିଏ ୫୦ ଓଭର ବିଶିଷ୍ଟ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପରେ ଭାରତୀୟ ଅଣ୍ଡର ୧୯ କ୍ରିକେଟ ଟିମ ଓ ଇଂଲଣ୍ଡ ଅଣ୍ଡର ୧୯ କ୍ରିକେଟ ଟିମ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଯୁବ ଦିନିକିଆ ସିରିଜ ଖେଳାଯିବ। ସେହିପରି ୨ଟି ଟେଷ୍ଟ ମ୍ୟାଚ୍‌ ମଧ୍ୟ ଦୁଇ ଦେଶର ଯୁବ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହେବ।

ଇଂଲଣ୍ଡ ଟୁର ପାଇଁ ଘୋଷଣା ହୋଇଥିବା ୧୬ ଜଣିଆ ସ୍କ୍ୱାଡରେ ୧୪ ବର୍ଷୀୟ ବାମହାତୀ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ରହିଛନ୍ତି। ନିକଟରେ ସୂର୍ଯ୍ୟବଂଶୀ ଆଇପିଏଲରେ ସର୍ବକନିଷ୍ଠ କ୍ରିକେଟର ଭାବେ ଡେବ୍ୟୁ କରିବା ସହ ବିସ୍ଫୋରକ ଶତକ ହାସଲ କରିଥିଲେ। ସେ ରାଜସ୍ଥାନ ରୟାଲ୍ସ ପାଇଁ ଚଳିତ ଆଇପିଏଲରେ ୭ଟି ମ୍ୟାଚ୍‌ ଖେଳି ୨୦୬.୫୬ ଷ୍ଟ୍ରାଇକ ରେଟରେ ୨୫୨ ରନ କରିଛନ୍ତି।

ଭାରତର ଅଣ୍ଡର ୧୯ ସ୍କ୍ୱାଡ: ଆୟୁଷ ମହାତ୍ରେ(ଅଧିନାୟକ), ବୈଭବ ସୂର୍ଯ୍ୟବଂଶୀ, ଭିହାନ ମାଲହୋତ୍ରା, ମଳୟରାଜସିଂହ ଚାବଡା, ରାହୁଲ କୁମାର, ଅଭିଜ୍ଞାନ କୁଣ୍ଡୁ(ଉପ ଅଧିନାୟକ ଓ ୱିକେଟ କିପର), ହରବଂଶ ସିଂହ(ୱିକେଟ କିପର), ଆର ଏସ୍‌ ଅମ୍ବ୍ରିଶ, କନିଷ୍କ ଚୌହାନ, ଖିଲାନ ପଟେଲ, ହେନିଲ ପଟେଲ, ଯୁଦ୍ଧଜିତ ଗୁହା, ପ୍ରଣବ ରାଘଭେନ୍ଦ୍ର, ମହମ୍ମଦ ଇନାନ, ଆଦିତ୍ୟ ରାଣା ଓ ଅନମୋଲଜିତ ସିଂହ।

ଷ୍ଟାଣ୍ଡବାଇ ଖେଳାଳି: ନମନ ପୁଷ୍ପକ, ଡି ଦୀପେଶ, ବେଦାନ୍ତ ତ୍ରିବେଦୀ, ବିକଳ୍ପ ତିୱାରୀ, ଅଳଙ୍କ୍ରିତ ରାପୋଲ(ୱିକେଟ କିପର)।

ମ୍ୟାଚ୍ ସୂଚୀ

ଜୁନ ୨୪: ୫୦ ବିଶିଷ୍ଟ ଅଭ୍ୟାସ ମ୍ୟାନ

ଜୁନ ୨୭: ପ୍ରଥମ ଦିନିକିଆ

ଜୁନ ୩୦: ଦ୍ୱିତୀୟ ଦିନିକିଆ

ଜୁଲାଇ ୨: ତୃତୀୟ ଦିନିକିଆ

ଜୁଲାଇ ୫: ୪ର୍ଥ ଦିନିକିଆ

ଜୁଲାଇ ୭: ୫ମ ଦିନିକିଆ

ଜୁଲାଇ ୧୨ରୁ ୧୫ : ପ୍ରଥମ ଟେଷ୍ଟ

ଜୁଲାଇ ୨୦ରୁ ୨୩: ଦ୍ୱିତୀୟ ଟେଷ୍ଟ

Indian Cricket Team Harvansh Singh