/odisha-reporter/media/media_files/2026/03/08/t20-2026-03-08-14-09-54.jpg)
ଭାରତୀୟ ଟିମ
ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ସହ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଗୋଟିଏ ଅଲଗା ସମ୍ପର୍କ ରହିଛି। ୨୦୨୧ରେ ସୂର୍ଯ୍ୟ କୁମାର ଦେଶ ପାଇଁ ଟି-୨୦ରେ ଡେବ୍ୟୁ କରିଥିଲେ। ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଛକା ମାରି ସେ ନିଜ ଅଭିଯାନ ଆରମ୍ଭ କରିଥିଲେ।
ତାଙ୍କ ବ୍ୟାଟିଂ ଦେଖି ଅନେକ କହିଥିଲେ ଯେ ସୂର୍ଯ୍ୟ କୁମାର ୨ ବର୍ଷ ପୂର୍ବରୁ ଭାରତ ପାଇଁ ଡେବ୍ୟୁ କରିବାର ଥିଲା। ଏହି ବ୍ୟାଟର ଜଣଙ୍କ ଭାରତକୁ ଅନେକ କିଛି ଦେବାର ଦକ୍ଷତା ରଖିଛନ୍ତି। ଏକଥା ଭାବୁଥିବା ଲୋକମାନେ ଠିକ କହିଥିଲେ।
ଅହମଦାବାଦ ଏମିତି ଏକ ଷ୍ଟାଡିୟମ ଯିଏ ସୂର୍ଯ୍ୟ କୁମାରଙ୍କ ଦିନିକିଆ କ୍ୟାରିୟରକୁ ବରବାଦ କରିଛି। ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ସୂର୍ଯ୍ୟ କୁମାରଙ୍କ ଠାରୁ ଚମତ୍କାର ଇନିଂସ ଚାହୁଁଥିଲା ଦଳ। ହେଲେ ସେ ସଂପୂର୍ଣ୍ଣ ଭାବେ ଫେଲ ମାରିଥିଲେ। ଭାରତ ୨୦୨୩ ନଭେମ୍ବର ୧୯ରେ ଅଷ୍ଟ୍ରେଲିଆ ଠାରୁ ଫାଇନାଲ ହାରିଥିଲା।
ଏହି ଭେନ୍ୟୁକୁ ସୂର୍ଯ୍ୟ କୁମାର ପୁଣି ଫେରିଛନ୍ତି। ଏଥର ସେ ଭାରତ ଟି-୨୦ କ୍ୟାପ୍ଟେନ। ସେ ନଭେମ୍ବର ୧୯ର ଦୁଃଖକୁ ମାଟି ତଳେ ପୋତି ନୂଆ ଇତିହାସ ଲେଖିବା ମୁଡରେ ରହିଛନ୍ତି ସୂର୍ଯ୍ୟ କୁମାର। କାରଣ ଆଉ କିଛି ଘଣ୍ଟା ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟି-୨୦ ବିଶ୍ୱକପ(T20 World Cup) ଫାଇନାଲରେ ମୁହାଁମୁହିଁ ହେବେ।
୨୦୨୩ ଭଳି ଭାରତ ଏଥର ଫାଇନାଲକୁ ସବୁ ମ୍ୟାଚ୍ ବିଜୟୀ ହୋଇ ଆସିନାହିଁ। ଦଳକୁ ଅନେକ ସଂଘର୍ଷ କରି ଫାଇନାଲ ଟିକେଟ ହାତେଇବାକୁ ପଡ଼ିଛି। ଟି-୨୦ରେ ବିଶ୍ୱକର ୧ ନମ୍ବର ବ୍ୟାଟର ଅଭିଷେକ ଶର୍ମା ଓ ଟି-୨୦ରେ ବିଶ୍ୱର ୧ ନମ୍ବର ବୋଲର ବରୁଣ ଚକ୍ରବର୍ତ୍ତୀ ଫର୍ମରେ ନାହାନ୍ତି।
ଟୁର୍ଣ୍ଣାମେଣ୍ଟର ଏକାଧିକ ପର୍ଯ୍ୟାୟରେ ଭାରତ ବ୍ୟାକଫୁଟରେ ରହିଥିଲା। ତଥାପି ଭାରତ ଠିକଣା ସମୟରେ କମବ୍ୟାକ କରିବା ସହ ଫାଇନାଲରେ ପ୍ରବେଶ କରିଛି। ଏବେ ଦଳର ମୁକାବିଲା ମିଚେଲ ସାଣ୍ଟରଙ୍କ ଟିମ ସହ ହେବ।
ଇଂଲଣ୍ଡ ବିପକ୍ଷ ସେମିରେ ହାଇସ୍କୋରିଂ ଥ୍ରୀଲର ଓ ରୋମାଞ୍ଚକର ବିଜୟ ସହ ଭାରତ ଫାଇନାଲକୁ ଆସିଛି। ଯଶପ୍ରୀତ ବୁମ୍ରା ଓ ସଞ୍ଜୁ ସାମସନଙ୍କ ପ୍ରଦର୍ଶନ ବଳରେ ଭାରତ ୨୫୩କୁ ମାତ୍ର ୭ ରନରେ ଡିଫେଣ୍ଡ କରିପାରିଛି।
ନ୍ୟୁଜିଲ୍ୟାଣ୍ଡର କାହାଣୀ ମଧ୍ୟ ପ୍ରାୟତଃ ସମାନ। ଟୁର୍ଣ୍ଣାମେଣ୍ଟର ଦଳର ପ୍ରଦର୍ଶନ ସେତେଟା ଆଖି ଦୃଶିଆ ନୁହେଁ। ଏକଦା ସୁପର ୮ରୁ ଦଳ ବିଦା ହେବା ସ୍ଥିତିରେ ରହିଥିଲା। ନେଟ ରନ ରେଟ ଆଧାରରେ ପାକିସ୍ତାନକୁ ପଛରେ ପକାଇ କ୍ୱିୱି ଟିମ ସେମିରେ ପହଞ୍ଚିଥିଲା। କିନ୍ତୁ ସୁପର ୮ରେ ଦଳ ଦକ୍ଷିଣ ଆଫ୍ରିକାକୁ ଏକତରଫା ଭାବେ ୯ ୱିକେଟରେ ହରାଇ ଟ୍ରଫି ଟକ୍କରକୁ ଆସିଛି।
ଏକତରଫା ବିଜୟ ପରେ ସାଣ୍ଟନରଙ୍କ ମୁହଁରେ ହସ ଫୁଟିଛି। ଏହି ହସ ହିଁ ଅନେକ କିଛି ବୟାନ କରୁଛି। ଖାସ ଏଥିପାଇଁ ସାଣ୍ଟନର ମଧ୍ୟ ୨୦୨୩ରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସଙ୍କ ବୟାନକୁ ଭାରତ ବିପକ୍ଷ ମ୍ୟାଚ୍ ପୂର୍ବରୁ ଦୋହରାଇଛନ୍ତି। ଭାରତର ଦର୍ଶକଙ୍କୁ ଚୁପ କରାଇବା ହିଁ ନ୍ୟୁଜିଲ୍ୟାଣ୍ଡର ଏକମାତ୍ର ଲକ୍ଷ୍ୟ ବୋଲି ସାଣ୍ଟନର ମତ ରଖିଛନ୍ତି।
ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡର ଆତ୍ମବିଶ୍ୱାସ ଯଥେଷ୍ଟ ଅଧିକ ରହିଛି। ଦଳ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନପାରେ। ଦଳର ସବୁ ସଦସ୍ୟ ଫିଟ ରହିଛନ୍ତି। କୋଲେ ମ୍ୟାକକୋଞ୍ଚି ଗୋଟିଏ ଅଜଣା ନାଁ। ଅଜଣା ଖେଳାଳି ହିଁ ଭାରତକୁ ସମସ୍ୟାରେ ପକାଇବାର ନଜିର ରହିଛି। ତେଣୁ ରବିବାର ନ୍ୟୁଜିଲ୍ୟାଣ୍ଢ ମ୍ୟାକକୋଞ୍ଚିଙ୍କ ଉପରେ ଫୋକସ କରିବ।
ଗ୍ଲେପ ଫିଲିପ୍ସ, ଡାରେଲ ମିଚେଲ ଓ ରଚିନ ରବୀନ୍ଦ୍ର ଭାରତ ବିପକ୍ଷରେ ଅନେକ ଅଭିଜ୍ଞତା ରଖିଛନ୍ତି। ସେମାନେ ଲୟରେ ରହିଲେ ବିପକ୍ଷ ଦଳର ସବୁ ଯୋଜନାକୁ ଭଣ୍ଡୁର କରିଦେବେ। ହେଲେ ନ୍ୟୁଜିଲ୍ୟାଣ୍ଡର ସବୁଠାରୁ ବଡ଼ ସମ୍ପତ୍ତି ହେଛନ୍ତି କେନ ୱିଲିୟମସନଙ୍କ ଉତ୍ତରାଧିକାରୀ ସାଣ୍ଟନର। ଯଦିଓ ସାଣ୍ଟନର ଏଯାଏ ଟୁର୍ଣ୍ଣାମେଣ୍ଟରେ ଆଖି ଦୃଶିଆ ପ୍ରଦର୍ଶନ କରିନାହାନ୍ତି ତଥାପି ସେ ଭାରତକୁ ଅଡ଼ୁଆରେ ପକାଇବାକୁ ସକ୍ଷମ।
ଭାରତ ଫାଇନାଲକୁ ଅନେକ ପ୍ରଶ୍ନବାଚୀ ସହ ଆସିଛି। ବରୁଣ ଚକ୍ରବର୍ତ୍ତୀଙ୍କ ବଦଳରେ କ’ଣ କୁଲଦୀପ ଯାଦବ ଖେଳିବେ? ଅଭିଷେକ ଶର୍ମାଙ୍କୁ ଟପ ଅର୍ଡରରୁ ହଟାଇ ନିମ୍ନ ଭାଗରେ ରିଙ୍କୁ ସିଂହଙ୍କୁ ସାମିଲ କରାଯାଇ ପାରିବ? ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ଭାରତ ସମ୍ଭବତଃ ସେମି ଫାଇନାଲରେ ଖେଳୁଥିବା ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନ ପାରେ।
ଅହମଦାବାଦର ପିଚ୍
ନରେନ୍ଦ୍ର ମୋଦି ଷ୍ଟାଡିୟମର ମିଶ୍ରିତ ମାଟିରେ ପ୍ରସ୍ତୁତ ପିଚରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ ଖେଳିବେ। ମୁମ୍ବାଇର ୱାଙ୍ଖଡେରେ ଯେଉଁ ଭଳି ପିଚ୍ ଭାରତକୁ ମିଳିଥିଲା ପ୍ରାୟତଃ ଫାଇନାଲରେ ସେହିଭଳି ପିଚ ମିଳିବ। ଇଂଲଣ୍ଡ ବିପକ୍ଷ ସେମି ଫାଇନାଲ ବେଶ ହାଇସ୍କୋରିଂ ରହିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନ କରିଥିବା ବେଳେ ମାତ୍ର ୭ ରନରେ ଜିତିବାକୁ ସକ୍ଷମ ହୋଇଥିଲା। ବ୍ୟାଟରଙ୍କ ପାଇଁ ସେହି ମ୍ୟାଚ୍ ସ୍ୱର୍ଗ ସାବ୍ୟସ୍ତ ହୋଇଥିଲା।
ଅହମଦାବାଦର ପିଚ୍ ମଧ୍ୟ ବ୍ୟାଟରଙ୍କୁ ସୁହାଇବ। ବୋଲରମାନଙ୍କୁ ବହୁତ କମ ଫାଇଦା ପିଚରୁ ମିଳିବ। ପଡ଼ିଆର ମଝିରେ ପ୍ରସ୍ତୁତ ପିଚ ହିଁ ଫାଇନାଲ ପାଇଁ ବ୍ୟବହାର କରାଯିବ। ଏହି ପିଚ୍କୁ ଉଭୟ କଳା ଓ ନାଲି ମାଟିର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି। ଫଳରେ ବୋଲରଙ୍କୁ ଭଲ ବାଉନ୍ସ ମିଳିବ ଓ ବ୍ୟାଟକୁ ବଲ ଭଲ ଭାବେ ଆସିବ। ତେଣୁ ଏହି ପିଚ୍ରେ ୨୦୦ରୁ ଅଧିକ ରନ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
୨୦୨୬ ଟି-୨୦ ବିଶ୍ୱକପରେ ଏହି ପିଚ୍ରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ଓ କାନାଡା ଏହି ପିଚରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ୨୧୩ ରନ କରି ଏଠାରେ କାନାଡାକୁ ହରାଇଥିଲା। ସେହିପରି ନ୍ୟୁଜିଲ୍ୟାଣ୍ଡ ଗୋଟିଏ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିବା ବେଳେ ଭାରତ ୨ଟି ମ୍ୟାଚ୍ ଖେଳିଛି। ସୁପର ୮ର ପ୍ରଥମ ମୁକାବିଲା ଭାରତ ଏଠାରେ ଖେଳିଥିଲେ ହେଁ ୭୬ ରନରେ ହାରିଥିଲା।
ପିଚ୍କୁ ଉଭୟ କଳା ଓ ନାଲି ମାଟିରେ ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। କିନ୍ତୁ କଳା ଅପେକ୍ଷା ନାଲି ମାଟିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଇଛି। ନାଲି ମାଟିର ଅଧିକ ବ୍ୟବହାର କରାଯାଇଥିବାରୁ ଏହା ବ୍ୟାଟରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ନାଲି ମାଟି ଅଧିକ ବ୍ୟବହାର କରାଯିବାର କାରଣ ମଧ୍ୟ ଯଥେଷ୍ଟ ରହିଛି।
୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ସେତେବଳେ ପିଚ ପ୍ରସ୍ତୁତରେ କଳା ମାଟିକୁ ଅଧିକ ବ୍ୟବହାର କରାଯାଇଥିଲା। ହେଲେ ଭାରତ ହାରିଥିଲା। ଚଳିତ ବର୍ଷ ଟି-୨୦ ବିଶ୍ୱକପର ପ୍ରଥମ ସୁପର ୮ରେ ମଧ୍ୟ କଳା ମାଟିକୁ ଅଧିକ ବ୍ୟବହାର କରି ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ପାଇଁ ପିଚ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଭାରତ ୭୦ରୁ ଅଧିକ ରନରେ ହାରିଲା। ଏହାକୁ ନେଇ ମ୍ୟାନେଜମେଣ୍ଟ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଫାଇନାଲର ପିଚ୍ ପୂର୍ବ ଦୁଇ ଥର ଅପେକ୍ଷା ଭିନ୍ନ ରହିବ ବୋଲି କୁହାଯାଉଛି।
ଭାରତର ଅନ୍ୟ ଷ୍ଟାଡିୟମଗୁଡ଼ିକ ତୁଳନାରେ ମୋଟେରା ବା ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ ସାମାନ୍ୟ ଭିନ୍ନ। ଏହାରେ ୩ ପ୍ରକାରର ପିଚ ରହିଛି। ନାଲି ମାଟି, କଲା ମାଟି ଓ ଆଉ ଗୋଟିଏ ହାଇବ୍ରିଡ ବା ମିଶ୍ରିତ ମାଟିର ପିଚ୍। ପ୍ରତିଟି ପିଚ୍ ନିଜର ସ୍ୱତନ୍ତ୍ରତା ମ୍ୟାଚରେ ଦେଖାଇଥାଏ।
କଳା ମାଟି ପିଚ ସାଧାଣତଃ ଧିମା ଓ ଗ୍ରିପ କରିବାରେ ସହାୟତା କରିଥାଏ। ଫଳରେ ଲାଇନ ବାହାରେ ଶଟ ଖେଳିବା କଲା ମାଟି ପିଚରେ ବେଶ କଷ୍ଟ। ନାଲି ମାଟି ପିଚ୍ ବାଉନ୍ସ ଦେଇଥାଏ। ଏଭଳି ପିଚ୍ ବ୍ୟାଟରଙ୍କୁ ଶଟ ଖେଳିବାରେ ସହାୟତା କରିଥାଏ। ତେଣୁ କ୍ୟୁରୋଟର ବେଶ ସତର୍କତାର ସହ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଫାଇନାଲ ପାଇଁ ପିଚ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମିକ୍ସଡ ମାଟିରେ ପ୍ରସ୍ତୁତ ପିଚରେ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
