Advertisment

ଧୋନି ଆହତ ହୋଇଥିବା ସୂଚନା ଦେଲେ ଚେନ୍ନାଇର ମୁଖ୍ୟ କୋଚ୍‌

ସେ ୧୭ ବଲରେ ଅପରାଜିତ ୩୨ ରନର ଇନିଂସ ଖେଳିଥିଲେ। ଏଥିରେ ଗୋଟିଏ ଚୌକା ଓ ୩ଟି ଛକା ରହିଥିଲା। ସେ ରବୀନ୍ଦ୍ର ଜାଡେଜା(୧୫ ବଲରେ ୨୫)ଙ୍କ ସହ ଭଲ ଭାଗିଦାରୀ ମଧ୍ୟ କରିଥିଲେ।

author-image
Hemant Lenka
MS Dhoni

MS Dhoni

ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ବିଜୟର ନିକଟତର ହୋଇ ଏହାକୁ ହାସଲ କରିବାରେ ବିଫଳ ହୋଇଛି। ବୁଧବାର ଖେଳା ଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ୩ ରନରେ ଚେନ୍ନାଇକୁ ହରାଇ ଦେଇଛି। ୨୦୦୮ ପରେ ଚେପକରେ ରାଜସ୍ଥାନ କୌଣସି ମ୍ୟାଚ୍‌ ଜିତିବାର ରେକର୍ଡ ମଧ୍ୟ କରିଛି।

Advertisment

ମ୍ୟାଚ୍‌ ଜିତିବାକୁ ଶେଷ ବଲରେ ୫ ରନ ଦରକାର ଥିବା ବେଳେ ମହେନ୍ଦ୍ର ସିଂହ ଧୋନି କ୍ରିଜ୍‌ରେ ରହିଥିଲେ। ହେଲେ ଧୋନି ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ଏହି ମ୍ୟାଚ୍‌କୁ ଜିତି ରାଜସ୍ଥାନ ଟେବୁଲ ଶୀର୍ଷରେ ପହଞ୍ଚି ଯାଇଛି।

ତେବେ ମ୍ୟାଚ୍‌ ପରେ ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ୍‌ ଷ୍ଟେଫେନ ଫ୍ଲେମିଂ ଅଧିନାୟକ ଧୋନିଙ୍କ ଆହତ ସମସ୍ୟା ନେଇ ସୂଚନା ଦେଇଛନ୍ତି। ଗତକାଲି ମ୍ୟାଚ୍‌ରେ ଧୋନି ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୧୭ ବଲରେ ଅପରାଜିତ ୩୨ ରନର ଇନିଂସ ଖେଳିଥିଲେ। ଏଥିରେ ଗୋଟିଏ ଚୌକା ଓ ୩ଟି ଛକା ରହିଥିଲା। ସେ ରବୀନ୍ଦ୍ର ଜାଡେଜା(୧୫ ବଲରେ ୨୫)ଙ୍କ ସହ ଭଲ ଭାଗିଦାରୀ ମଧ୍ୟ କରିଥିଲେ।

Advertisment

ଶେଷ ଓଭରରେ ଦଳକୁ ୨୧ ରନ ଦରକାର ଥିବା ବେଳେ ସନ୍ଦୀପ ଶର୍ମାଙ୍କୁ ଧୋନି ୨ଟି ଛକା ମଧ୍ୟ ମାରିଥିଲେ। ତଥାପି ସେ ବାଉନ୍ସ ବ୍ୟାକ୍‌ କରିବା ସହ ରାଜସ୍ଥାନକୁ ୩ ରନରେ ବିଜୟ ଭେଟି ଦେଇଥିଲେ।

ମ୍ୟାଚ୍‌ ପରେ ଫ୍ଲେମିଂ ସାମ୍ବାଦିକ ସମ୍ମିଳନୀରେ ଧୋନି ଆଣ୍ଠୁ ଜନିତ ସମସ୍ୟାରେ ପଡ଼ିଥିବା କଥା କହିଛନ୍ତି। ତଥାପି ସେ ବ୍ୟାଟିଂ କରିବା ସହ ରାଜସ୍ଥାନ ହାତରୁ ଏକପ୍ରକାରର ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ ବୋଲି ଫ୍ଲେମିଂ କହିଛନ୍ତି।

ସେ କହିଛନ୍ତି, “ଧୋନି ଆଣ୍ଠୁ ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଆପଣମାନେ ତାଙ୍କ ରନିଂ ଓ ଚାଲିବାରୁ ଏହା ଜାଣି ପାରୁଥିଲେ। ଏହା ତାଙ୍କୁ କେଉଁଠି ନା କେଉଁଠି କଷ୍ଟ ଦେଉଛି। ତାଙ୍କ ଫିଟନେସ ସବୁବେଳେ ଚମତ୍କାର। ଏହାକୁ ସେ ସବୁବେଳେ ଗୁରୁତ୍ୱ ଦିଅନ୍ତି। ଟୁର୍ଣ୍ଣାମେଣ୍ଟ ଆରମ୍ଭର ଗୋଟିଏ ମାସ ପୂର୍ବରୁ ସେ ଆସିଥିଲେ। ସେ ଜଣେ ମହାନ ଖେଳାଳି। ତାଙ୍କ ଉପରେ ଆମର କୌଣସି ସନ୍ଦେହ ନାହିଁ। ସେ କେବଳ ଚମତ୍କାର।”

ଧୋନି ଆହତ ସମସ୍ୟାରେ ପଡ଼ିଥିବା ଫ୍ଲେମିଂ କହିଥିଲେ ହେଁ ଚେନ୍ନାଇର ପରବର୍ତ୍ତୀ ମ୍ୟାଚ୍‌ରେ ସେ ନଜର ଆସିବେ କି ନାହିଁ, ସେକଥା କହି ନାହାନ୍ତି। ତେବେ ଚେନ୍ନାଇ ଦ୍ରୁତ ବୋଲର ସିସାନ୍ଦା ମାଗଲାଙ୍କୁ କିଛି ସପ୍ତାହ ପାଇଁ ହରାଇବ ବୋଲି ଫ୍ଲେମିଂ ନିଶ୍ଚିତ କରିଛନ୍ତି। ଗତକାଲି ମ୍ୟାଚ୍‌ ବେଳେ ମାଗଲା ଆହତ ହୋଇଥିବାରୁ ମାତ୍ର ୨ ଓଭର ବୋଲିଂ କରିଥିଲେ।

Cricket IPL MS Dhoni