ଆର ପ୍ରେମଦାସା ଷ୍ଟାଡିୟମ
ଆଉ କିଛି ଘଣ୍ଟା ପରେ ଚଳିତ ଟି-୨୦ ବିଶ୍ୱକପର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଶ୍ରୀଲଙ୍କାର କଲମ୍ବୋ ସ୍ଥିତ ଐତିହାସିକ ପ୍ରେମଦାସା ଷ୍ଟାଡିୟମରେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ(IND Vs Pak) ମୁହାଁମୁହିଁ ହେବେ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ପଡ଼ିବ ପ୍ରଥମ ବଲ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଶନିବାର ଦୁଇ ଦଳ ପ୍ରେମଦାସାରେ ଅଭ୍ୟାସ ସେସନ୍ସ ମଧ୍ୟ ଶେଷ କରିଛନ୍ତି।
ଏହି ଐତିହାସିକ ମୁକାବିଲାକୁ ଦେଖିବା ପାଇଁ ଆଜି ସକାଳୁ ହିଁ ପ୍ରେମଦାସା ଷ୍ଟାଡିୟମକୁ ଫ୍ୟାନ୍ସ ଆସିବାରେ ଲାଗିଛନ୍ତି। ଉଭୟ ଦେଶର କ୍ରିକେଟ ଫ୍ୟାନ୍ସ ଟିଭିରେ ମ୍ୟାଚ୍ ଦେଖିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏସବୁ ଭିତରେ କଲମ୍ବୋର ପାଣିପାଗ କେମିତି ରହିଛି ଓ ମ୍ୟାଚ୍ରେ ବର୍ଷା ବାଧକ ସାଜିବ କି, ସେହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି। କାରଣ ଶନିବାର ଅପରାହ୍ନ ସମୟରେ କଲମ୍ବୋରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ସେହିପରି ସନ୍ଧ୍ୟା ସମୟରେ ମଧ୍ୟ ସ୍ୱଳ୍ପ ଧରଣର ବର୍ଷା ହୋଇଛି।
ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ଯଥେଷ୍ଟ ପ୍ରଭାବ ଶ୍ରୀଲଙ୍କାର ପାଣିପାଗ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଶ୍ରୀଲଙ୍କା ପାଣିପାଗ ବିଭାଗ ମ୍ୟାଚ୍ ସମୟରେ ବର୍ଷାର ପୂର୍ବାନୁମାନ ପୂର୍ବରୁ ହିଁ କହି ସାରିଛି। ଏହାର ପ୍ରଭାବ ମଧ୍ୟ ସକାଳୁ କଲମ୍ବୋ ଆକାଶରେ ଦେଖିବାକୁ ମିଳିଛି। ମଧ୍ୟାହ୍ନ ହେବା କ୍ଷଣି କଲମ୍ବୋ ଆକାଶ ମେଘାଚ୍ଛନ୍ନ ହୋଇ ଯାଇଛି। ବର୍ଷା ଉଠାଇଥିବାରୁ ଆର ପ୍ରେମଦାସା ଷ୍ଟାଡିୟମରେ ଆଲୋକ କମି ଯାଇଛି।
କଳା ବାଦଳ ଆକାଶରେ ଘୋଟେଇ ଆସିଥିବାରୁ ଏବେ ଠାରୁ ହିଁ ଷ୍ଟାଡିୟମର ଫ୍ଲଡ ଲାଇଟକୁ ଅନ କରି ଦିଆଯାଇଛି। ଗ୍ରାଉଣ୍ଡ ଷ୍ଟାଫ ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯିବାକୁ ଥିବା ପିଚକୁ କାଲି ଠାରୁ ହିଁ ଘୋଡ଼ାଇ ରଖିଛନ୍ତି। ସମୟ ଗଡ଼ିବା ସହ ପାଗ ବିଗୁଡ଼ୁଥିବାରୁ ସମସ୍ତଙ୍କ ମନରେ ମହାମୁକାବିଲାକୁ ନେଇ ସଂଚୟ ସୃଷ୍ଟି ହୋଇଛି।
କଲମ୍ବୋ ଆକାଶରେ କଳା ବାଦଲ ରହିଥିଲେ ହେଁ ଗତକାଲି ରାତିରୁ ଏଠାରେ ବର୍ଷା ହୋଇନାହିଁ। ତଥାପି ଅପରାହ୍ନରେ ଏଠାରେ ବର୍ଷାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଆଜି ସନ୍ଧ୍ୟାରେ ଫୁଲ ମ୍ୟାଚ୍ର ସମ୍ଭାବନା ଯଥେଷ୍ଟ କମ ବୋଲି ଅନେକ ମତ ରଖିଛନ୍ତି।
ପାଣିପାଗ ସଂସ୍ଥାର ପୂର୍ବାନୁମାନ ଅନୁଯାୟୀ, ରବିବାର କଲମ୍ବୋର ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭବ ହୋଇପାରରେ। ସେହିପରି ବର୍ଷା ଯୋଗୁ ମ୍ୟାଚ ମଧ୍ୟ ବାଧାପ୍ରାପ୍ତ ହୋଇପାରେ। ରବିବାର ଦିନ ୧୨ରୁ ୨ଟା ଯାଏ ଆଖପାଖ ଅଞ୍ଚଳରେ ବର୍ଷା ହୋଇପାରେ। ଦିନ ୩ଟା ବେଳକୁ କଲମ୍ବୋରେ ହାଲୁକା ବର୍ଷା ଆରମ୍ଭ ହେବ।
୪ଟା ବେଳକୁ ବର୍ଷାର ପରିମାଣ ବଢ଼ିବ। ୫ଟା ବେଳକୁ ଅତିପ୍ରବଳ ବର୍ଷା ହୋଇପାରେ। ୬ଟା ବେଳକୁ ବର୍ଷାର ପରିମାଣ ହ୍ରାସ ପାଇବ। ସେହିପରି ମ୍ୟାଚ ସମୟ ଅର୍ଥାତ ସନ୍ଧ୍ୟା ୭ଟା ପରଠାରୁ ହାଲୁକା ଓ ମଝିରେ ମଝିରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। କିନ୍ତୁ ବର୍ଷା ଲାଗି ରହିବାର ଆଶଙ୍କା କମ। ତେଣୁ ମ୍ୟାଚ୍ କାଣ୍ଟଛାଣ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/15/r-premadasa-2026-02-15-13-33-24.jpg)