ବାଂଲାଦେଶ
ପାକିସ୍ତାନ କଥାରେ ଡେଉଁଥିବା ବାଂଲାଦେଶ ମୁଣ୍ଡରୁ ଏଯାଏ ଟି-୨୦ ବିଶ୍ୱକପ ଖେଳିବା ଭୂତ ଉତୁରି ନାହିଁ। ଭାରତରେ ବିଶ୍ୱକପର ମ୍ୟାଚଗୁଡ଼ିକ ନ ଖେଳିବାକୁ ଜିଦ କରୁଥିବା ବାଂଲାଦେଶ ଏବେ ପୂରା ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିବା ସ୍ଥିତିରେ ରହିଛି। ଏପରି ସ୍ଥିତିରେ ନିଜର ଶେଷ ଚାଲ ଚଳାଇଛି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି।
ସୁରକ୍ଷା ଆଳ ଦେଖାଇ ଭାରତ ବଦଳରେ ଶ୍ରୀଲଙ୍କାରେ ବିଶ୍ୱକପର ମ୍ୟାଚଗୁଡ଼ିକ ନ ଖେଳିବାକୁ ଜିଦ କରି ଚାଲିଛି ବାଂଲାଦେଶ। ହେଲେ ଆଇସିସି ଏହି ଅନୁରୋଧକୁ ଅଗ୍ରାହ୍ୟ କରିବାରୁ ବିଶ୍ୱକପରୁ ବାଂଲାଦେଶ ବାଦ ପଡ଼ିବା ସୁନିଶ୍ଚିତ ହୋଇଛି। ସ୍ଥାନ ପରିବର୍ତ୍ତନ ଦାବି ଖାରଜ ହେବା ପରେ ବିସିବି ପକ୍ଷରୁ ପୁଣି ଗୋଟିଏ ଚିଠି ଆଇସିସିକୁ ଲେଖା ଯାଇଛି। ପୂରା ବିବାଦରେ ଆଇସିସିର ସ୍ୱାଧୀନ ବିବାଦ ସମାଧାନ କମିଟି (ଡିଆରଏସ୍) ର ହସ୍ତକ୍ଷେପ ଲୋଢ଼ିଛି ବାଂଲାଦେଶ କ୍ରିକେଟ ବୋର୍ଡ।
ଫେବୃଆରୀ ୭ରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ(T20 World Cup) ପାଇଁ ବାଂଲାଦେଶ ନିଜର ଟିମକୁ ଭାରତ ପଠାଇବ ନାହିଁ ବୋଲି କହିବା ପରେ ପୁଣି ଥରେ ଆଇସିସିକୁ ଚିଠି ଲେଖି ଡିଆରଏସର ହସ୍ତକ୍ଷେପ ଲୋଢ଼ିଛି।
ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଆଇସିସି ଚିଠିର ଜବାବ ରଖିବ ବୋଲି ବିସିବି ଆଶାବାଦୀ ରହିଛି। ସେହିପରି ସେମାନଙ୍କ ସ୍ଥାନ ପରିବର୍ତ୍ତନ ଦାବିକୁ ବିବାଦ ସମାଧାନ କମିଟି ବା ଡିଆରଏସ ନିକଟକୁ ପଠାଇବ ବୋଲି ବିସିବି କହିଛି।
ସ୍ୱାଧୀନ ଆଇନଜୀବୀକୁ ନେଇ ଡିଆରଏସ ଗଠନ କରାଯାଇଛି। ଆଇସିସି ସହ ଜଡ଼ିତ ବିବାଦର ବିଚାର କରିବାକୁ ଏହା ରହିଛି। ଏହା ବ୍ରିଟିଶ ଆଇନ ଅନୁସାରେ କାର୍ଯ୍ୟ କରେ ଓ ଏହାର ଶୁଣାଣି ପ୍ରକ୍ରିୟା ଲଣ୍ଡନରେ ହୋଇଥାଏ। ବିଭିନ୍ନ ବୋର୍ଡ ଓ ଖେଳାଳିଙ୍କ ସହ ଜଡ଼ିତ ବିବାଦର ସମାଧାନ ପାଇଁ ଡିଆରଏସ ରହିଛି।
ଡିଆରଏସ କେବଳ ଆବେଦନର ମଞ୍ଚ ନୁହେଁ, ଏହା ଆଇସିସି ନିଷ୍ପତ୍ତିର ବୈଧତା ଓ ରାୟର ମୂଲ୍ୟାଙ୍କନ କରିଥାଏ। ଏହାର ନିଷ୍ପତ୍ତି ଚୂଡ଼ାନ୍ତ। ଏହାର ରାୟକୁ ଚ୍ୟାଲେଞ୍ଜ କରିବାର କୌଣସି ବ୍ୟବସ୍ଥା ନାହିଁ।
ବୁଧବାର ଆଇସିସି ପକ୍ଷରୁ ବିସିବିର ସ୍ଥାନ ପରିବର୍ତ୍ତନର ଅନୁରୋଧକୁ ଭୋଟିଂ ମାଧ୍ୟମରେ ଖାରଜ କରାଯାଇଥିଲା। ଏପରି କି ବାଂଲାଦେଶ ବିଶ୍ୱକପ ଖେଳିବାକୁ ଭାରତ ନ ଗଲେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରି ଧାର୍ଯ୍ୟ ସୂଚୀରେ ମ୍ୟାଚ କରିବାକୁ ମଧ୍ୟ ଆଇସିସି ଯୋଜନା କରୁଥିବା ରିପୋର୍ଟ ପ୍ରକାଶ ପାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/t20-2026-01-23-16-33-51.jpg)