/odisha-reporter/media/media_files/2026/03/09/gg-2026-03-09-14-38-41.jpg)
ଗମ୍ଭୀର ଓ ଜୟ ଶାହ
ଭାରତ ରେକର୍ଡ ଥର ପାଇଁ ଜିତିଛି ଟି-୨୦ ବିଶ୍ୱକପ। ବିଶ୍ୱର ପ୍ରଥମ ଦଳ ଭାବେ ଭାରତ ତୃତୀୟ ଥର ଟ୍ରଫି କବଜା କରିବାକୁ ସକ୍ଷମ ହୋଇଛି। ଖେଳାଳିଙ୍କ ପରିଶ୍ରମ, ଦକ୍ଷତା ଓ ସେମାନଙ୍କୁ ବଡ଼ ମ୍ୟାଚ୍ ପାଇଁ ପ୍ରସ୍ତୁତ କରୁଥିବା ପରଦା ପଛର ଲୋକଙ୍କ ପାଇଁ ଆଜି ଭାରତ ଇତିହାସ ପୃଷ୍ଠାରେ ନିଜ ନାଁ ଲେଖିଛି। ରବିବାର ଖେଳା ଯାଇଥିବା ୨୦୨୬ ଟି-୨୦ ବିଶ୍ୱକପ(T20 World Cup) ଫାଇନାଲରେ ଭାରତ ୯୬ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ବିଶ୍ୱ ବିଜେତା ବନି ଯାଇଛି।
ଏହାପରେ ଭାରତୀୟ ଟିମର ମୁଖ୍ୟ କୋଚ ଗୌତମ ଗମ୍ଭୀର ଖୁସିରେ ଗଦଗଦ ହୋଇ ଯାଇଛନ୍ତି। ସେ ବିଜୟ ଟ୍ରଫିକୁ ପୂର୍ବତନ କୋଚ ରାହୁଲ ଡ୍ରାଭିଡ, ଭିଭିଏସ ଲକ୍ଷ୍ମଣ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କୁ ଉତ୍ସର୍ଗ କରି ଧନ୍ୟବାଦ ଜଣାଇଛନ୍ତି। ଭାରତୀୟ କ୍ରିକେଟର ଦୃଢ଼ ମୂଳଦୁଆରେ ଏମାନଙ୍କ ଭୂମିକା ରହିଥିବାରୁ ଗମ୍ଭୀର ଟ୍ରଫି ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହା ମଧ୍ୟ ସ୍ୱାଭାବିକ କଥା। ଭାରତୀୟ କ୍ରିକେଟ ସହ ଏମାନେ ଜଡ଼ିତ। କ୍ରିକେଟ ସମ୍ପର୍କରେ ଏମାନଙ୍କ ଅଭିଜ୍ଞତା ରହିଛନ୍ତି। ୩ ଜଣ ଯାକ ଭାରତ ପାଇଁ କ୍ରିକେଟ ମଧ୍ୟ ଖେଳିଛନ୍ତି। ଗମ୍ଭୀର ସେମାନଙ୍କ ଅବଦାନକୁ ପ୍ରଶଂସା କରିବା ନିଶ୍ଚିତ ଭଲ କଥା।
ହେଲେ ଆଇସିସିର ଅଧ୍ୟକ୍ଷ ଜୟ ଶାହଙ୍କୁ ଗମ୍ଭୀର ଏମିତି ପ୍ରଶଂସା କରିଛନ୍ତି, ଯାହା ଅନେକଙ୍କୁ ବେଶ ଚକିତ କରିଛି। ଆଇସିସି ହେଉଛି କ୍ରିକେଟର ସର୍ବୋଚ୍ଚ ସଂସ୍ଥା। ତା’ର ମୁଖ୍ୟ ପଦ ଜଣେ ଭାରତୀୟ ଭାବେ ଜୟ ଶାହ ଦଖଲ କରିବା ନିଶ୍ଚିତ ଗର୍ବର ବିଷୟ। କିନ୍ତୁ ଭାରତ ଟି-୨୦ ବିଶ୍ୱକପ ଜିତିବା ପରେ ଗମ୍ଭୀର ସର୍ବସମ୍ମୁଖରେ ଜୟ ଶାହଙ୍କୁ ପ୍ରଶଂସା କରିଛନ୍ତି।
ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ବେଳେ ଅନେକ ଗମ୍ଭୀରଙ୍କୁ ସମାଲୋଚନା କରୁଥିଲେ। ଏହି ସମୟରେ ଜୟ ଶାହ କୁଆଡ଼େ ତାଙ୍କ ସହ ଛିଡ଼ା ହୋଇଥିଲେ ଓ ତାଙ୍କୁ ଫୋନ କରି ଆଶ୍ୱସନା ଦେଇଥିଲେ ବୋଲି ଗମ୍ଭୀର କହିଛନ୍ତି। ଅଭିଜ୍ଞତା ନଥାଇ ଗମ୍ଭୀରଙ୍କୁ କୋଚ୍ ଭାବେ ଜୟ ଶାହ ଦାୟିତ୍ୱ ଦେଇ ବଡ଼ ପଣ ଦେଖାଇଥିଲେ। ଏଥିପାଇଁ ଗମ୍ଭୀର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମ୍ୟାଚ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଭାରତୀୟ କ୍ରିକେଟକୁ ସଫଳ କରିବାରେ ଦୀର୍ଘ ସମୟ ଧରି ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ୱୀକାର କରିଛନ୍ତି। ପ୍ରଥମେ ସେ ଚାମ୍ପିୟ ଆଖ୍ୟାକୁ ରାହୁଲ ଡ୍ରାଭିଡଙ୍କୁ ଉତ୍ସର୍ଗ କରିଛନ୍ତି। ଡ୍ରାଭିଡ ନିଜର କୋଚିଂ ସମୟରେ ଟିମର ଢାଞ୍ଚା ଓ ସ୍ଥିରତା ବଜାୟୀ ରଖିଥିବାରୁ ଗମ୍ଭୀର ତାଙ୍କୁ ପ୍ରଶଂସା କରିଛନ୍ତି।
ବିସିସିଆଇର ସେଣ୍ଟର ଅଫ ଏକ୍ସିଲେନ୍ସିରେ ଥିବା ଭିଭିଏସ ଲକ୍ଷ୍ମଣ ଭୂମିକାକୁ ମଧ୍ୟ ସେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ଭାରତୀୟ ଜାତୀୟ ଟିମର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅନେକ ସମାଲୋଚନା ମଧ୍ୟରେ ନିଜର ଦାୟିତ୍ୱକୁ ବେଶ ଭଲ ଭାବେ ତୁଲାଇ ଥିବା ମଧ୍ୟ ଗମ୍ଭୀର କହିଛନ୍ତି।
ସେ କହିଛନ୍ତି, “ପ୍ରଥମତଃ, ଏହି ଟ୍ରଫିକୁ ମୁଁ ରାହୁଲ ଭାଇ(ରାହୁଲ ଡ୍ରାଭିଡ)ଙ୍କୁ ଉତ୍ସର୍ଗ କରିବାକୁ ଚାହୁଁଛି। ଏହାପରେ ଲକ୍ଷ୍ମଣ ଭାଇ(ଭିଭିଏସ ଲକ୍ଷ୍ମଣ)ଙ୍କୁ ଏହା ଉତ୍ସର୍ଗ କରୁଛି। ରାହୁଲ ଭାଇ ଭାରତୀୟ କ୍ରିକେଟକୁ ଯେଉଁ ଚମତ୍କାର ଢଙ୍ଗରେ ଗଢ଼ି ତୋଳିଛନ୍ତି, ତାହା ଅତୁଳନୀୟ। ସେ ତାଙ୍କ କୋଚିଂ ସମୟରେ ଯାହା ସବୁ କରିଥିଲେ, ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି।
ଭାରତୀୟ କ୍ରିକେଟ ପାଇଁ ନିଃସ୍ୱାର୍ଥପର ଭାବେ ଅନେକ କିଛି କରି ଚାଲିଥିବାରୁ ମୁଁ ଭିଭିଏସ ଲକ୍ଷ୍ମଣଙ୍କୁ ଧନ୍ୟବାଦ ଜଣାଉଛି। ବିଶେଷ କରି ପରଦା ପଛରେ ରହି ସେ ସବୁ କିଛି କରୁଛନ୍ତି। ଲକ୍ଷ୍ମଣ ହେଉଛନ୍ତି ସିଓଇର ମୁଖ୍ୟ। ଆଉ ସିଇଓ ହେଉଛି ଭାରତୀୟ କ୍ରିକେଟର ପାଇପଲାଇନ। ନିଶ୍ଚିତ ଭାବେ ତୃତୀୟରେ ଅଜିତ ଅଗରକରଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି। ସେ ସ୍ୱଚ୍ଛ ଓ ପ୍ରତିବଦ୍ଧତା ସହ କାମ କରୁଥିଲେ ହେଁ ତାଙ୍କୁ ଅନେକ ଚାପର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତଥାପି ସେ ନିଜ କାମରୁ କେବେ ବି ଓହରି ନାହାନ୍ତି।”
ଖରାପ ସମୟରେ କେବଳ ଜୟ ଶାହ ଫୋନ କରିଥିଲେ
ଭାରତର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏହି ସାମ୍ବାଦିକ ସମ୍ମିଳନୀରେ ବିସିସିଆଇର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନ ଆଇସିସି ଅଧ୍ୟକ୍ଷ ଭାବେ ଜୟ ଶାହଙ୍କୁ ପ୍ରଶଂସା କରିବାକୁ ଆଦୌ ପଛାଇ ନାହାନ୍ତି। ଚ୍ୟାଲେଞ୍ଜିଂ ସମୟରେ କେବଳ ଜୟ ଶାହ ହିଁ ତାଙ୍କୁ ସମର୍ଥନ କରିଥିଲେ ବୋଲି ଗମ୍ଭୀର କହିଛନ୍ତି।
ସେ କହିଛନ୍ତି, “ମୁଁ ଜୟ ଭାଇ(ଜୟ ଶାହ)ଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। କାରଣ କୋଚିଂ କ୍ୟାରିୟରର ବିଫଳତା ସମୟରେ ମୁଁ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଥିଲି। ଅଧିକାଂଶ ଲୋକ ଏହି ସମୟରେ ମୋତେ ଫୋନ କରି ନଥିଲେ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ କିମ୍ବା ଦକ୍ଷିଣ ଆଫ୍ରିକା ବିକ୍ଷ ସିରିଜ ପରାଜୟ ପରେ ଅନେକ କିଛି ଘଟିଥିଲା। ଏହି ସମୟରେ ମୋତେ ଫୋନ କରିଥିବା ଏକମାତ୍ର ବ୍ୟକ୍ତି ହେଉଛନ୍ତି ଜୟ ଭାଇ।
ଏହି କାମ ପାଇଁ ମୋ ଉପରେ ବିଶ୍ୱାସ ଦେଖାଇଥିବାରୁ ମୁଁ ତାଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। କାରଣ ମୁଁ ଯେତେବେଳେ ଏହି ଦାୟିତ୍ୱ ନେଇଥିଲି ସେତେବେଳେ କୌଣସି ପ୍ରାଞ୍ଚାଇଜ କିମ୍ବା ଟିମର ମୁଖ୍ୟ କୋଚ ଭାବେ କାମ କରିବାର ଅଭିଜ୍ଞତା ମୋ ପାଖରେ ନଥିଲା। ତଥାପି ସେ(ଜୟ ଭାଇ) ମୋ ଉପରେ ଭରାସ କରିଥିଲେ ଓ ଦାୟିତ୍ୱ ଦେଇଥିଲେ। ତେଣୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଭାବିଛୁ ତାଙ୍କ ଭଳି ଲୋକ ଯେଉଁ ପର୍ଯ୍ୟନ୍ତ ରହିଛନ୍ତି, ସେଯାଏ ଭାରତତୀୟ କ୍ରିକେଟ ସୁରକ୍ଷିତ ଲୋକଙ୍କ ହାତରେ ରହିଛି।”
ଗମ୍ଭୀରଙ୍କ କୋଚିଂରେ ଭାରତ ସୀମିତ ଓଭର କ୍ରିକେଟରେ ସଫଳତା ପାଇଥିବା ବେଳେ ସମାନ ସଫଳତା ଦଳକୁ ଟେଷ୍ଟ କ୍ରିକେଟରେ ମିଳୁନାହିଁ। ଗମ୍ଭୀରଙ୍କ ସମୟରେ ଭାରତ ୨୦୨୫ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲ୍ୟାଣ୍ଡ ଠାରୁ ଘରୋଇ ଟେଷ୍ଟ ସିରିଜରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଥିଲା। ତଥାପି ଦଳ ୨୦୨୫ ଚାମ୍ପିୟନସ ଟ୍ରଫି ଓ ଏବେ ୨୦୨୬ ଟି-୨୦ ବିଶ୍ୱକପ ଜିତିଛି। ଗମ୍ଭୀରଙ୍କ କୋଚିଂରେ ଭାରତ ୨୦୨୭ ଦିନିକିଆ ବିଶ୍ୱକପ ମଧ୍ୟ ଖେଳିବାର ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
