Advertisment

ଗମ୍ଭୀର ହେଲେ ମୁଖ୍ୟ କୋଚ୍

ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Gautam Gambhir

Gautam Gambhir

Advertisment

ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି।  

Advertisment

ଶ୍ରୀ ଶାହ ତାଙ୍କ ଏକ୍ସରେ ଏ ସଂପର୍କରେ ଘୋଷଣା କରି ଲେଖିଛନ୍ତି, ମୁଁ ବହୁତ ଆନନ୍ଦ ସହକାରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ସ୍ୱାଗତ କରୁଛି। ଆଧୁନିକ କ୍ରିକେଟ ଦ୍ରୁତଗତିରେ ବିକଶିତ ହେଉଛି। ଆଉ ଏହି ପରିବର୍ତ୍ତନକୁ ଗମ୍ଭୀର ଖୁବ୍ ନିକଟରୁ ଦେଖିଛନ୍ତି। ନିଜ କ୍ୟାରିୟରେ ବିଭିନ୍ନ ପ୍ରକାର ଦାୟିତ୍ୱ ତୁଲାଇଥିବା ଗମ୍ଭୀର ଭାରତୀୟ କ୍ରିକେଟକୁ ଆଗକୁ ନେବାକୁ ସଠିକ୍ ବ୍ୟକ୍ତି ବୋଲି ମୁଁ ବିଶ୍ୱାସ କରୁଛି। ଟିମ୍ ଇଣ୍ଡିଆ ପାଇଁ ତାଙ୍କ ପାଖରେ ଥିବା ସ୍ପଷ୍ଟ ଦୃଷ୍ଟିକୋଣ, ତା’ସହିତ ତାଙ୍କ ପାଖରେ ଥିବା ବିପୁଳ ଅଭିଜ୍ଞତା ତାଙ୍କୁ ଏହି ରୋମାଞ୍ଚକର ଓ ଗୁରୁତ୍ୱପୂର୍ଣ୍ଣ ପଦବୀରେ ସ୍ଥାନିତ କରିଛି। ତାଙ୍କର ଏହି ନୂଆ ଯାତ୍ରା ପାଇଁ ବିସିସିଆଇ ତାଙ୍କୁ ପୂରା ସମର୍ଥନ କରିବ। 

ଆଇପିଏଲ୍ ୨୦୨୪ ଶେଷ ପରଠାରୁ ଗୌତମ ଗମ୍ଭୀର ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ହେବେ ବୋଲି ଜୋର ଚର୍ଚ୍ଚା ଧରିଥିଲା। କାରଣ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ଚାମ୍ପିୟନ ହୋଇଥିଲା। ଆଉ ଏହାର ମେଣ୍ଟର ଥିଲେ ଗୌତମ ଗମ୍ଭୀର। ତାଙ୍କ ମାର୍ଗ ଦର୍ଶନରେ କୋଲକାତା ନାଇଟ ରାଇଡର୍ସକୁ ଏହି ସଫଳତା ମିଳିଥିଲା। ସେହିପରି ରାହୁଲ ଡ୍ରାଭିଡ ମଧ୍ୟ ଆଉ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରହିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଶେଷ ହେବା ସହିତ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଛି। ସେ ଏକ ମଧୁର ସ୍ମୃତି ନେଇ ମୁଖ୍ୟ କୋଚ୍ ପଦରୁ ଅବସର ନେଇଛନ୍ତି। କାରଣ ଟିମ୍ ଇଣ୍ଟିଆ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଛି। 

Advertisment

ଗମ୍ଭୀର ପ୍ରଥମେ ଲକ୍ଷ୍ମୌ ସୁପର ଜାଏଣ୍ଟସର ମେଣ୍ଟର ଥିଲେ। ୨୦୨୨ରେ ସେ ଦଳ ସହିତ ଯୋଗ ଦେଇଥିଲେ। ସେ ଦୁଇଟି ଟର୍ମ ଦଳର ମେଣ୍ଟର ଥିବା ବେଳେ ଦଳ ପ୍ଲେଅଫ୍‌ ରାଉଣ୍ଡକୁ ଯାଇଥିଲା। ତା’ପରେ ସେ ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସକୁ ଆସିଥିଲେ। ସେ ପ୍ରଥମେ ଏହି ଦଳର ଖେଳାଳି ଥିଲେ। ୨୦୧୭ରେ ସେ ଏହି ଦଳ ଛାଡ଼ିଥିଲେ। ତାଙ୍କ ନେତୃତ୍ୱରେ କୋଲକାତା ନାଇଟ ରାଇଡର୍ସ ଦୁଇ ଥର- ୨୦୧୨ ଓ ୨୦୧୪ରେ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ଆଉ ଚଳିତ ବର୍ଷ ତାଙ୍କ ମାର୍ଗ ଦର୍ଶନରେ ଦଳ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା। ମେଣ୍ଟର ଭାବରେ ତାଙ୍କ ଦୃଷ୍ଟିକୋଣ ପୂରା ସ୍ପଷ୍ଟ ଥିଲା। ସେଥିପାଇଁ ଦଳ ଚାମ୍ପିୟନ ହେଲା।  

ଗୌତମ ଗମ୍ଭୀର ଭାରତ ପାଇଁ ୧୪୭ଟି ଦିନିକିଆ ମ୍ୟାଚ୍ ଖେଳି ୫,୨୩୮ ରନ୍ କରିଥିଲେ। ତା’ ମଧ୍ୟରେ ୧୧ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ରହିଛି। ସେହିପରି ୫୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ଗମ୍ଭୀର ୪,୧୫୪ ରନ୍ କରିଥିବା ବେଳେ ତା’ ମଧ୍ୟରେ ୯ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ରହିଛି। ସେ ଟିମ୍ ଇଣ୍ଡିଆ ପାଇଁ ୩୭ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ୯୩୨ ରନ୍ କରିଥିବା ବେଳେ ତା’ ଭିତରେ ରହିଛି ୭ଟି ଅର୍ଦ୍ଧଶତକ। 

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେ ଭାରତ ଜିତିଥିବା ଦୁଇଟି ବିଶ୍ୱକପ୍‌ ଦଳର ସଦସ୍ୟ ଥିଲେ। ୨୦୦୭ରେ ଭାରତ ଜିତିଥିଲା ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ୍‌। ଗମ୍ଭୀର ସେହି ଟିମ୍‌ର ସଦସ୍ୟ ଥିଲେ ଓ ଫାଇନାଲ ମ୍ୟାଚ୍‌ରେ ୫୪ଟି ବଲ୍‌ରୁ ୭୫ ରନ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ସେହିପରି ୨୦୧୧ରେ ଭାରତ ବିଶ୍ୱକପ ଜିତିଥିବା ବେଳେ ତା’ର ସଦସ୍ୟ ଥିଲେ ଗମ୍ଭୀର। ସେହି ବିଶ୍ୱକପର ଫାଇନାଲ ମ୍ୟାଚ୍‌ରେ ତାଙ୍କ ବଡ଼ ଯୋଗଦାନ ରହିଥିଲା। ସେ ୧୨୨ଟି ବଲ୍‌ରୁ ୯୭ ରନ୍ କରିଥିଲେ। ୨୦୦୮ରେ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe