/odisha-reporter/media/media_files/2025/11/26/gg1-2025-11-26-15-52-43.jpg)
ଗୌତମ ଗମ୍ଭୀର
ବିବାଦରେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର। ଭାରତୀୟ କ୍ରିକେଟରେ ଗମ୍ଭୀର ଯୁଗ ଆରମ୍ଭ ହେବା ପରେ ଟେଷ୍ଟରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଦୟନୀୟ ହୋଇଯାଇଛି। ଗୁହାଟୀରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଠାରୁ ଟେଷ୍ଟ ସିରିଜରେ ମୂଳପୋଛ ହେବା ପରେ ଗମ୍ଭୀରଙ୍କ ଉପରେ ଉଠିଛି ଅଙ୍ଗୁଳି। ଟେଷ୍ଟ କ୍ରିକେଟ ପାଇଁ କୋଚିଂ ଦେବାର ଯୋଗ୍ୟତା ଗମ୍ଭୀରଙ୍କ ପାଖରେ ରହିଛି କି ନାହିଁ, ତା’କୁ ନେଇ ଉଠିଛି ପ୍ରଶ୍ନ।
ଦକ୍ଷିଣ ଆଫ୍ରିକା ଠାରୁ ୦-୨ରେ ଭାରତ ହାରିବା ପରେ ଗଣମାଧ୍ୟମର ପ୍ରଶ୍ନ ବାଣରେ ଘାଇଲା ହୋଇଛନ୍ତି ଗମ୍ଭୀର। ତଥାପି ଗମ୍ଭୀର ପରାଜୟ ପାଇଁ ଆଦୌ ଅନୁତପ୍ତ ନଥିବା ଭଳି ଲାଗୁଛି। ସେ ପରାଜୟର କାରଣ କହିବା ବଦଳରେ ତାଙ୍କ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନେବ ବୋଲି ବେଧଡ଼କ ଅନ୍ଦାଜରେ କହିଛନ୍ତି। ସେହିପରି ଧଳା ବଲ କ୍ରିକେଟରେ ଭାରତ ଗମ୍ଭୀର ଯୁଗରେ ପାଇଥିବା ସଫଳତାକୁ ମଧ୍ୟ ସେ ଦୋହରାଇବାକୁ ପଛାଇ ନାହାନ୍ତି।
ଗୁହାଟୀରେ ଭାରତ ରେକର୍ଡ ୪୦୮ ରନରେ ହାରିଛି। ଘରୋଇ ମାଟିରେ ଭାରତର ଏହା ସବୁଠାରୁ ବଡ଼ ଟେଷ୍ଟ ପରାଜୟ। ଭାରତୀୟ ଟିମ ପୂର୍ବରୁ କେବେ ବି ଘରୋଇ ମାଟିରେ କୌଣସି ଟେଷ୍ଟ ୩୫୦ରୁ ଅଧିକ ରନରେ ହାରି ନଥିଲା। କିନ୍ତୁ ଗୁହାଟୀରେ ଦଳକୁ ୪୦୮ ରନରେ ହାରିବାକୁ ପଡ଼ିଛି। ଏସବୁ ଗମ୍ଭୀର ଯୁଗରେ ହୋଇଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଗମ୍ଭୀର ଯୁଗରେ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ କୌଣସି ଟେଷ୍ଟ ସିରିଜ ଜିତିଛି। ଗମ୍ଭୀର ଯୁଗରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଛି। ୨୦୨୪ରେ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା।
ଦକ୍ଷିଣ ଆଫ୍ରିକା ଠାରୁ ୦-୨ରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭରତ ସିଧା ୫ ନମ୍ବରକୁ ଖସି ଆସିଛି। ଭାରତ ଉପରେ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦଳ ରହିଛନ୍ତି। ଗମ୍ଭୀର ଯୁଗରେ ଏହା ଘଟିଛି।
ଗମ୍ଭୀର ପ୍ରଥମ ଭାରତୀୟ କୋଚ ଯାହାଙ୍କ ଅଧୀନରେ ଭାରତ ଦୁଇଟି ଘରୋଇ ଟେଷ୍ଟ ସିରିଜରେ ମୂଳପୋଛର ଲଜ୍ଜା ମୁଣ୍ଡାଇଛି। ଟେଷ୍ଟ କୋଚ ଭାବେ ଗମ୍ଭୀରଙ୍କ ପ୍ରଥମ ବର୍ଷରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ଓ ଏବେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି। ଆଜି ମ୍ୟାଚ୍ ପରେ ଗମ୍ଭୀର ଗଣମାଧ୍ୟମ ସାମ୍ନାକୁ ଆସିବାରୁ ତାଙ୍କୁ(Gautam Gambhir) ଏକାଧିକ ପ୍ରଶ୍ନ କରାଯାଇଛି।
ଟେଷ୍ଟ କ୍ରିକେଟ ପାଇଁ ଏବେ ବି କ’ଣ ସେ ଉପଯୁକ୍ତ ବ୍ୟକ୍ତି ବୋଲି ଭାବୁଛନ୍ତି ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିଛନ୍ତି। ଘରୋଇ ପରିବେଶରେ ଭାରତ ଶେଷ ୭ ଟେଷ୍ଟରୁ ୫ଟିରେ ହାରିଥିବା ବେଳେ ମୋଟ ଉପରେ ଗମ୍ଭୀର ଯୁଗରେ ୧୯ ଟେଷ୍ଟରୁ ୧୦ଟିରେ ପରାସ୍ତ ହୋଇଛି। ତେଣୁ ଗମ୍ଭୀରଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠିଛି।
ଏହାର ଜବାବ ଗମ୍ଭୀର ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ମୋ ଭବିଷ୍ୟତର ନିଷ୍ପତ୍ତି ବିସିସିଆଇ ନେବ। ମୁଁ କୋଚ ଦାୟିତ୍ୱ ନେବା ବେଳେ ସାମ୍ବାଦିକ ସମ୍ମିଳନୀରେ ଗୋଟିଏ କଥା କହିଥିଲି। ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ। ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏବେ ବି ମୁଁ ଏଠାରେ ବସି ସମାନ କଥା କହୁଛି।”
ଦକ୍ଷିଣ ଆଫ୍ରିକା ବିପକ୍ଷ କୋଲକାତା ଟେଷ୍ଟରେ ଭାରତ ୧୨୪ ରନକୁ ପିଛା କରୁଥିବା ବେଳେ ୩୦ ରନ ପଛରେ ରହିଯାଇଥିଲା। ଗୁହାଟୀ ପିଚ ବ୍ୟାଟରଙ୍କୁ ସୁହାଉଥିଲେ ହେଁ ଦୁଇଟି ଯାକ ଇନିଂସରେ ଭାରତୀୟ ବ୍ୟାଟର ଫେଲ ମାରିଛନ୍ତି। ଭାରତୀୟ ବ୍ୟାଟରଙ୍କ ଶଟ ଚୟନରେ ଥିବା ତ୍ରୁଟି ଓ ଦୀର୍ଘ ସମୟ ଧରି ଖେଳିବାର ଧୈର୍ଯ୍ୟ ନଥିବା ଦ୍ୱିତୀୟ ଟେଷ୍ଟ ପରେ ସ୍ପଷ୍ଟ ହୋଇଛି। ଗମ୍ଭୀର ଟେଷ୍ଟ ସ୍ପେଶାଲିଷ୍ଟଙ୍କ ବଦଳରେ ଅଲରାଉଣ୍ଡରମାନଙ୍କୁ ଚୂଡ଼ାନ୍ତ ଏକାଦଶରେ ଅଧିକ ପ୍ରାଧ୍ୟାନ୍ୟ ଦେଉଥିବାରୁ ତାଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି।
ସମାଲୋଚନାର ସମ୍ମୁଖୀନ ହେଉଥିବା ଗମ୍ଭୀର ଆଜି ସାମ୍ବାଦିକ ସମ୍ମିଳନୀରେ ନିଜର ପୁରୁଣା ସଫଳତାକୁ ଦୋହରାଇବାକୁ ମଧ୍ୟ ପଛାଇ ନାହାନ୍ତି। ସେ କହିଛନ୍ତି, “ଲୋକମାନେ ସବୁ କିଛି ଭୁଲି ଯାଉଛନ୍ତି। ଗୋଟିଏ ଯୁବ ଟିମ ସହ ଇଂଲଣ୍ଡରେ ସଫଳତା ଆଣି ଦେଇଥିବା ସମାନ ବ୍ୟକ୍ତି ହେଉଛି ମୁଁ। ଆପଣମାନେ ସମସ୍ତେ ସେସବୁ ଶୀଘ୍ର ଭୁଲି ଯିବେ।
ଅନେକ ଲୋକ ସବୁବେଳେ ନ୍ୟୁଜିଲ୍ୟାଣ୍ଡ ସିରିଜ କଥା କହୁଛନ୍ତି। ହେଲେ ମୁଁ ସମାନ ବ୍ୟକ୍ତି ଯାହା ଅଧୀନରେ ଚାମ୍ପିୟନ୍ସ ଟ୍ରଫି ଓ ଏସିଆ କପ ଭାରତ ଜିତିଥିଲା। ଏହି ଟିମ ପାଖରେ ଅଭିଜ୍ଞତା କମ ରହିଛି। ମୁଁ ଏକଥା ପୂର୍ବରୁ ମଧ୍ୟ କହି ସାରିଛି ଯେ ସେମାନଙ୍କୁ ଶିଖିବାର ଅଛି ଓ ସେମାନେ ଯଥା ସମ୍ଭବ ସବୁ କିଛି କରିବାକୁ ଚେଷ୍ଟା କରୁଛନ୍ତି।”
ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିବା ସମୟରେ ଥିବା ସମସ୍ୟା କ’ଣ ଏଯାଏ ସମାଧାନ ହୋଇ ନଥିବା ପ୍ରଶ୍ନର ଜବାବ ମଧ୍ୟ ଗମ୍ଭୀର ଦେଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିବା ବେଳେ ଚୂଡ଼ାନ୍ତ ଏକାଦଶରେ ବିରାଟ କୋହଲି, ରୋହିତ ଶର୍ମା ଓ ଆର ଅଶ୍ୱିନ ରହିଥିଲେ। ଏମାନେ ସମସ୍ତେ ଇଂଲଣ୍ଡ ବିପକ୍ଷ ଟୁର ପୂର୍ବରୁ ଅବସର ନେଇ ସାରିଛନ୍ତି।
ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଯୁବ ଟିମ ଇଂଲଣ୍ଡ ଗସ୍ତ କରି ସେଠାରେ ସିରିଜକୁ ୨-୨ରେ ଡ୍ର କରିଥିଲା। ସେହିପରି ଗତ ମାସରେ ଗିଲଙ୍କ ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜକଚ ୨-୦ରେ ହରାଇଥିଲା। କିନ୍ତୁ ଦଳ ହଠାତ୍ ବିଶ୍ୱ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧରାଶାୟୀ ହୋଇଛି।
ଗମ୍ଭୀର କହିଛନ୍ତି, “ନା, ସେମିତି ଆଦୌ ନୁହେଁ। ଆଜିର ଟିମ ତୁଳନାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦଳ ପୂରା ଭିନ୍ନ ଥିଲା। ଆପଣମାନେ ସମସ୍ତେ ଅନେକ କ୍ରିକେଟ ମ୍ୟାଚ ଦେଖିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବ୍ୟାଟିଂ ଲାଇନ ଅପର ଅଭିଜ୍ଞତା ଓ ବର୍ତ୍ତମାନ ଟିମର ଅଭିଜ୍ଞତା ମଧ୍ୟରେ ଆକାଶ ପାତାଳର ଫରକ ରହିଛି।
ମୁଁ କୌଣସି ବାହାନା ଦେଖାଇ ନଥାଏ କିମ୍ବା ଦେଖାଇବି ନାହିଁ। କିନ୍ତୁ ଟପ ୮ରେ ଥିବା ଆମରୁ ୪ରୁ ୫ ଜଣ ବ୍ୟାଟରୁ ୧୫ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳି ନାହାନ୍ତି। ସେମାନେ ଶିଖୁଛନ୍ତି। ସେମାନେ ମଧ୍ୟକ୍ରମର ଚାପ ଜାଣୁଛନ୍ତି। ଗୋଟିଏ ଦକ୍ଷ ଟିମ ବିପକ୍ଷରେ ସବୁ କିଛି ସହଜ ହୋଇ ନଥାଏ। ସେମାନଙ୍କୁ ଚାପକୁ ଗ୍ରହଣ କରି ଆଗକୁ ବଢ଼ିବା ପାଇଁ ସମୟ ଆବଶ୍ୟକ।”
କୋଲକାତା ଟେଷ୍ଟରେ ବେକ ଜନିତ ସମସ୍ୟାରେ ପଡ଼ିଥିବା ଗିଲଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ ଋଷଭ ପନ୍ତଙ୍କ କ୍ୟାପ୍ଟେନ୍ସିରେ ଗୁହାଟୀ ଟେଷ୍ଟ(Test Cricket) ଖେଳୁଥିଲା। ପନ୍ତ ଦଳର କ୍ୟାପ୍ଟେନ ହୋଇଥିବା ବେଳେ କୌଣସି ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ତାଙ୍କ ଉପରେ ମଧ୍ୟ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ତେବେ ଗମ୍ଭୀର ପରାଜୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ଦାୟୀ କରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପାଇଁ ସମସ୍ତେ ଦାୟୀ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ମୁଁ ସମସ୍ତଙ୍କ ଠାରୁ ଅଧିକ କିଛି ଚାହେଁ। ଏହି ସମସ୍ତଙ୍କ ମଧ୍ୟରେ ମୁଁ ବି ରହିଛି। ମୁଁ ଏଠାରେ ବସି ଜଣଙ୍କୁ ଅଙ୍ଗୁଳି ଦେଖାଇ ପାରିବି ନାହିଁ।
ଯଦି ଭଲ ଦଳ ବିପକ୍ଷରେ ଆପଣଙ୍କୁ ଟେଷ୍ଟ ମ୍ୟାଚ୍ ଜିତିବାର ଅଛି, ତା’ହେଲେ ସମସ୍ତ ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଟେଷ୍ଟ ବିଜୟ ପାଇଁ ଗୋଟିଏ ସାମୂହିକ ଉଦ୍ୟମ ଆବଶ୍ୟକ। ଆପଣ ଗୋଟିଏ ଶଟ କିମ୍ବା ଜଣେ ଖେଳାଳିଙ୍କୁ ଦାୟୀ କରିପାରିବେ ନାହିଁ। ପୂରା ଗ୍ରୁପକୁ ଆପଣ ଦେଖନ୍ତୁ। ମୁଁ କେବେ ହେଲେ କୌଣସି ନିର୍ଦ୍ଦିଷ୍ଟ ଖେଳାଳିଙ୍କ ସମ୍ପର୍କରେ ସର୍ବସମ୍ମୁଖରେ କୁହେ ନାହିଁ। ଏବେ ବି ମୁଁ ଏହା କରିବି ନାହିଁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
