ଗୌତମ ଗମ୍ଭୀରଙ୍କୁ ବଡ଼ ଝଟକା: ବିସିସିଆଇ ନେଲା ଏମିତି ପଦକ୍ଷେପ

ଏବେ ଲାଗୁ ହୋଇଥା ନୂଆ ନିୟମ ଖୋଦ ଗୌତମ ଗମ୍ଭୀରଙ୍କୁ ଝଟକା ଦେଇଛି।

GG

ଗୌତମ ଗମ୍ଭୀର

Hemant Lenka
  • Published: Friday, 14 February 2025
  • , Updated: 14 February 2025, 05:05 PM IST

ଶୃଙ୍ଖଳା, ଏକତା ଓ ସକାରାତ୍ମକ ପରିବେଶ। ଭାରତୀୟ କ୍ରିକେଟ ଟିମରେ ଏହାକୁ ଗୁରୁତ୍ୱ ଦେଇ ଚାଲିଛି ବିସିସିଆଇ। ଏଥିପାଇଁ ବିସିସିଆଇ ୧୦ ସୂତ୍ରୀ ନିୟମ କାର୍ଯ୍ୟକାରୀ କରିଛି। ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଧ୍ୟ ଏହା ଲାଗୁ ହେବ।

ବର୍ଡର-ଗାଭାସ୍କର ଟ୍ରଫି ବେଳେ ଟିମ ଭାଗଭାଗ ହୋଇଥିବା ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଟିମରେ ଏକତା ନଥିବା କୁହାଯାଇଥିଲା। ଟିମ ପରିବେଶରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ପାଇଁ ବିସିସିଆଇ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସହ ଆଲୋଚନା କରି କିଛି ନିୟମ ପ୍ରଣୟନ କରିଛି।

କିନ୍ତୁ ଏବେ ଲାଗୁ ହୋଇଥା ନୂଆ ନିୟମ ଖୋଦ ଗୌତମ ଗମ୍ଭୀରଙ୍କୁ ଝଟକା ଦେଇଛି। ବିସିସିଆଇର ନୂଆ ନିୟମ କହୁଛି ଯେ ବ୍ୟକ୍ତିଗତ ଆସିସଷ୍ଟାଣ୍ଟ କିମ୍ବା ସପୋର୍ଟ ଷ୍ଟାଫ ମ୍ୟାନେଜର ଏଣିକି ଟିମ ବସରେ ସିନିୟର ଖେଳାଳିଙ୍କ ସହ ଏକାଠି ଯାତ୍ରା କରିପାରିବେ ନାହିଁ। ସେହିପରି ସେମାନେ ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ରହୁଥିବା ହୋଟେଲରେ ରହିବାକୁ ଅନୁମତି ପାଇବେ ନାହିଁ।

ଏହି ନିୟମରେ ଗମ୍ଭୀର ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଗମ୍ଭୀରଙ୍କ ବ୍ୟକ୍ତିଗତ ସହାୟକ ସବୁବେଳେ ତାଙ୍କ ପାଖେପାଖେ ରହୁଥିଲେ। ବର୍ଡର-ଗାଭାସ୍କର ଟ୍ରଫି ଠାରୁ ସେ ଗମ୍ଭୀରଙ୍କ ପାଖରେ ରହୁଥିବା ଫଟୋ ବି ସାମ୍ନାକୁ ଆସିଥିଲେ। କିନ୍ତୁ ଏହାକୁ ବିସିସିଆଇ ନାପସନ୍ଦ କରିଥିଲା। ଚାମ୍ପିୟନ୍ସ ଟ୍ରଫି ବେଳେ ଯେମିତି ଏହି ଘଟଣାର ପୁନରାବୃତ୍ତି ନ ହେବ, ତାକୁ ବିସିସିଆଇ ନଶ୍ଚିତ କରିବାକୁ ଚାହୁଁଛନ୍ତି। ଏବେ ଗମ୍ଭୀରଙ୍କ ପିଏ ଖେଳାଳି ଓ ସପୋର୍ଟ ଷ୍ଟାଫ ରହୁଥିବା ହୋଟଲରେ ରହୁନାହାନ୍ତି। ତାଙ୍କୁ ଅଲଗା ରହିବାକୁ ପଡ଼ୁଛି।

ରିପୋର୍ଟରେ କୁହାଯାଇଛି ଯେ ଜଣେ କୋଚିଂ ଷ୍ଟାଫ ସଦସ୍ୟଙ୍କ ବ୍ୟକ୍ତିଗତ କର୍ମଚାରୀ ପୂର୍ବରୁ ଖେଳାଳିମାନେ ରହୁଥିବା ହୋଟେଲରେ ରହୁଥିଲେ। କିନ୍ତୁ ଏବେ ତାଙ୍କୁ ଅଲଗା ସ୍ଥାନରେ ରହିବାକୁ ପଡ଼ୁଛି। ଅବଶ୍ୟ ତାଙ୍କୁ ନିକଟରେ ଶେଷ ହୋଇଥିବା ଭାରତ ବନାମ ଇଂଲଣ୍ଡ ସିରିଜର ସବୁ ଭେନ୍ୟୁରେ ଦେଖିବାକୁ ମିଳିଥିଲା। ହେଲେ ସେ ଆଉ ଦଳ ରହୁଥିବା ହୋଟେଲରେ ରହିବାକୁ ଅନୁମତି ପାଉ ନାହାନ୍ତି।

ଅଷ୍ଟ୍ରେଲିଆ ଟୁର ସମୟରେ ଗମ୍ଭୀର ଏକମାତ୍ର କୋଚିଂ ଷ୍ଟାଫ ଥିଲେ ଯାହାଙ୍କ ସହ ବ୍ୟକ୍ତଗତ କର୍ମଚାରୀ ରହିଥିଲେ। ଏବେ କିନ୍ତୁ ଆଉ ତାଙ୍କୁ ସମାନ ସେଟଅପ ମିଳିବ ନାହିଁ। କାରଣ ବିସିସିଆଇ ବିଧିବଦ୍ଧ ଭାବେ ନୂଆ ନିୟମ ଲାଗୁ କରି ସାରିଛି।

ବର୍ଡର-ଗାଭାସ୍କର ଟ୍ରଫି ପରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ବିରକ୍ତ ହୋଇ କହିଥିଲେ ଯେ “ଜାତୀୟ ଚୟନକର୍ତ୍ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ଥିବା କାରରେ ତାଙ୍କ(ଗମ୍ଭୀର) ପିଏ କାହିଁକି ବସିଥିଲେ? ଅଜଣା ତୃତୀୟ ବ୍ୟକ୍ତିଙ୍କ ପାଇଁ ସେମାନେ ଗୁପ୍ତ ଭାବେ କିଛି ଆଲୋଚନା ମଧ୍ୟ କରିପାରୁ ନାହାନ୍ତି। କାହିଁକି ଆଡିଲେଡରେ ତାଙ୍କୁ ବିସିସିଆଇ ପକ୍ଷରୁ ହୋଇଥିବା ସ୍ୱତନ୍ତ୍ର ବକ୍ସକୁ ଯିବା ପାଇଁ ଅନୁମତି ମିଳିଥିଲା? ଏସବୁ ବନ୍ଦ ହେବା ଦରକାର।”

ଅଷ୍ଟ୍ରେଲିଆ ଟୁର ପରେ ବିସିସିଆଇ ଟିମର ପରିଚାଳନା ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ବୋର୍ଡ ପକ୍ଷରୁ ବିଭିନ୍ନ ପ୍ରକାରର ନିର୍ଦ୍ଦେଶ ଜାରି କରାଯାଇଛି। ନିର୍ଦ୍ଦେଶ ଅନୁସାରେ ଚାମ୍ପିୟନ୍ସ ଟ୍ରଫି ବେଳେ ଖେଳାଳିଙ୍କ ସହ ସେମାନଙ୍କ ପରିବାର ସଦସ୍ୟ, ପତ୍ନୀ କିମ୍ବା ପାର୍ଟନର ଗସ୍ତ କରିପାରିବେ ନାହିଁ। ଯଦି କେହି ପରିବାର ଲୋକଙ୍କୁ ନେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ନିଜ ହାତରୁ ସମସ୍ତ ଖର୍ଚ୍ଚ କରିବେ। ଏଥିସହ ବିସିସିଆଇକୁ ମଧ୍ୟ ପୂର୍ବରୁ ଏନେଇ ଅବଗତ କରାଇବାକୁ ହେବ।

ବୋର୍ଡ ପକ୍ଷରୁ ବ୍ୟକ୍ତିଗତ ରୋଷେଆ, ଚୁଟି କଟାଳୀ ଓ ଖେଳାଳିଙ୍କ ଏଜେଣ୍ଟମାନଙ୍କ ଉପରେ ମଧ୍ୟ ରୋକ ଲଗାଯାଇଛି।

Related story