/odisha-reporter/media/media_files/2025/11/28/gg-2025-11-28-13-40-08.jpg)
ଗିଲ ଓ ଗମ୍ଭୀର (ଫାଇଲ ଫଟୋ)
ଦକ୍ଷିଣ ଆଫ୍ରିକା ବିପକ୍ଷ ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ମୁଖ୍ୟ କୋଚ ଗୌତମ ଗମ୍ଭୀର(Gautam Gambhir)ଙ୍କୁ ପଦରୁ ହଟାଇବା ମୁଡରେ ନାହିଁ ବିସିସିଆଇ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତ ୦-୨ରେ ମୂଳପୋଛ ହୋଇଯାଇଥିଲା। ତଥାପି ଗମ୍ଭୀର ଭାରତୀୟ କ୍ରିକେଟର ୩ଟି ଯାକ ଫର୍ମାଟରେ ମୁଖ୍ୟ କୋଚ ଭାବେ କାମ କରିବେ। ବିସିସିଆଇ ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଭାରତୀୟ ଟିମ ଘରୋଇ ପରିବେଶରେ ଖେଳିଥିଲେ ହେଁ ରେକର୍ଡ ପରାଜୟର ସମ୍ମୁଖୀନ ହୋଇଥିଲା। ୨୦୨୪ରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୦-୩ରେ ହାରିଥିଲା। ଏହି ଡବଲ ଝଟକା ପରେ ଘରୋଇ ପରିବେଶରେ ଭାରତର ଲମ୍ବା ବର୍ଷ ଧରି ରହିଥିବା ଦବଦବାକୁ ଶକ୍ତ ଝଟକା ଲାଗିଛି।
କୋଚ ଗୌତମ ଗମ୍ଭୀରଙ୍କ ଅଧୀନରେ ଭାରତ ୧୬ ମାସ ମଧ୍ୟରେ ଅତ୍ୟନ୍ତ ଦୟନୀୟ ସ୍ଥିତର ସମ୍ମୁଖୀନ ହୋଇ ୨ଟି ଟେଷ୍ଟ ସିରିଜ ହାରିଛି। ଭାରତୀୟ ଟିମ ପୂର୍ବରୁ କେବେ ବି ଘରୋଇ ମାଟିରେ କୌଣସି ଟେଷ୍ଟ ୩୫୦ରୁ ଅଧିକ ରନରେ ହାରି ନଥିଲା। କିନ୍ତୁ ଗୁହାଟୀରେ ଦଳକୁ ୪୦୮ ରନରେ ହାରିବାକୁ ପଡ଼ିଛି। ଏସବୁ ଗମ୍ଭୀର ଯୁଗରେ ହୋଇଛି।
ଦକ୍ଷିଣ ଆଫ୍ରିକା ମଧ୍ୟ ଗମ୍ଭୀର ଯୁଗରେ ଦୀର୍ଘ ୨୫ ବର୍ଷ ପରେ ଭାରତ ମାଟିରେ କୌଣସି ଟେଷ୍ଟ(Test Match) ସିରିଜ ଜିତିଛି। ଗମ୍ଭୀର ଯୁଗରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ କୌଣସି ଟେଷ୍ଟ ସିରିଜରେ ମୂଳପୋଛ ହୋଇଯାଇଛି। ୨୦୨୪ରେ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଦକ୍ଷିଣ ଆଫ୍ରିକା ଠାରୁ ୦-୨ରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲରେ ଭରତ ସିଧା ୫ ନମ୍ବରକୁ ଖସି ଆସିଛି।
ଭାରତ ଉପରେ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦଳ ରହିଛନ୍ତି। ଗମ୍ଭୀର ଯୁଗରେ ଏହା ଘଟିଛି। ଗମ୍ଭୀର ପ୍ରଥମ ଭାରତୀୟ କୋଚ ଯାହାଙ୍କ ଅଧୀନରେ ଭାରତ ଦୁଇଟି ଘରୋଇ ଟେଷ୍ଟ(Test Cricket) ସିରିଜରେ ମୂଳପୋଛର ଲଜ୍ଜା ମୁଣ୍ଡାଇଛି। ଟେଷ୍ଟ କୋଚ ଭାବେ ଗମ୍ଭୀରଙ୍କ ପ୍ରଥମ ବର୍ଷରେ ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ଓ ଏବେ ଦକ୍ଷିଣ ଆଫ୍ରିକା ଠାରୁ ପରାସ୍ତ ହୋଇଛି।
ଗମ୍ଭୀର ଯୁଗରେ ଭାରତର ଏହା ୧୦ମ ଟେଷ୍ଟ ପରାଜୟ। ୨୦୨୪ ଜୁଲାଇରେ କୋଚ ଦାୟିତ୍ୱ ନେଇଥିବା ଗମ୍ଭୀରଙ୍କ କୋଚିଂରେ ଭାରତ ୧୯ଟି ଟେଷ୍ଟ ଖେଳିଥିବା ବେଳେ ୧୦ଟି ହାରିଛି ଓ ୭ଟି ଜିତିଛି। ସେହିପରି ଦୁଇଟି ମ୍ୟାଚ୍ ଡ୍ର ରହିଛି। ଘରୋଇ ପରିବେଶରେ ଭାରତ ଶେଷ ୭ ଟେଷ୍ଟରୁ ୫ଟିରେ ହାରିଛି।
ଗମ୍ଭୀର ଯୁଗରେ ଭାରତର ବିଜୟ ପ୍ରତିଶତ ମାତ୍ର ୩୮.୯% ରହିଛି। ଗତ ୨୫ ବର୍ଷ ମଧ୍ୟରେ ଭାରତୀୟ କୋଚଙ୍କ ତୁଳନାରେ ଗମ୍ଭୀରଙ୍କ ରେକର୍ଡ ସବୁଠାରୁ ଖରାପ ରହିଛି। ଏହାପରେ ନାଲି ଭଲ କ୍ରିକେଟର କୋଚିଂ ଦାୟିତ୍ୱରୁ ଗମ୍ଭୀରଙ୍କୁ ହଟାଇବା ଦାବି ଜୋର ଧରିଥିଲା।
ହେଲେ ଗମ୍ଭୀର ପୂର୍ବଭଳି ୩ଟି ଯାକ ଫର୍ମାଟରେ ନିଜର ପଦ ବଜାୟୀ ରଖିବେ ବୋଲି ସ୍ପଷ୍ଟ ହୋଇଛି। ବିସିସିଆଇର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ଗୌତମ ଗମ୍ଭୀର ୩ଟି ଯାକ ଫର୍ମାଟରେ ମୁଖ୍ୟ କୋଚ ଭାବେ ପୂର୍ବଭଳି ରହିବେ। କୌଣସି ନିଷ୍ପତ୍ତିକୁ ଆଦୌ ବିଚାରକୁ ନିଆଯାଇ ନାହିଁ।”
ବିସିସିଆଇ ଗମ୍ଭୀରଙ୍କୁ ନ ହଟାବା ଜିଦରେ ଅଟଳ ରହିଥିବା ବେଳେ ଫ୍ୟାନ୍ସ କିନ୍ତୁ ତାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଗୁହାଟୀ ଟେଷ୍ଟରେ ଭାରତୀୟ ଟିମ ୪୦୮ ରନରେ ହାରିବା ପରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଫ୍ୟାନ୍ସ ‘ଗୌତମ ଗମ୍ଭୀର ହାଏ ହାଏ’ ନାରା ଦେଇଥିଲେ। ସୋଶାଲ ମିଡିଆରେ ମଧ୍ୟ ଗମ୍ଭୀରଙ୍କୁ ଅତିକମରେ ଟେଷ୍ଟ କ୍ରିକେଟ ଦାୟିତ୍ୱରୁ ହଟାବାକୁ ଅନେକ ଦାବି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
