Advertisment

ପର୍ଥରେ ବୋଲରଙ୍କ ମଉଜ: ଭାରତ ୧୫୦, ଅଷ୍ଟ୍ରେଲିଆ ୬୭/୭

ପ୍ରଥମେ ଅଷ୍ଟ୍ରେଲିଆର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟିଥିଲେ। ଏହାପରେ ବିଦେଶ ମାଟିରେ ଭାରତୀୟ ବୋଲର ଘରୋଇ ଅଷ୍ଟ୍ରେଲିଆକୁ ଘାଇଲା କରିଛନ୍ତି।

author-image
Hemant Lenka
smith

smith

ଅଷ୍ଟ୍ରେଲିଆର ପର୍ଥରେ ଥିବା ଓପଟସ ଷ୍ଟାଡିୟମ ବୋଲରଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି। ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ପର୍ଥରେ କମାଲ କରିଛନ୍ତି ଉଭୟ ଅଷ୍ଟ୍ରେଲିଆ ଓ ଭାରତୀୟ ବୋଲର। ପ୍ରଥମେ ଅଷ୍ଟ୍ରେଲିଆର ବୋଲରମାନେ ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟିଥିଲେ। ଏହାପରେ ବିଦେଶ ମାଟିରେ ଭାରତୀୟ ବୋଲର ଘରୋଇ ଅଷ୍ଟ୍ରେଲିଆକୁ ଘାଇଲା କରିଛନ୍ତି। ବିଶେଷ କରି ଭାରତୀୟ ଟିମର କାମଚଳା ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କ କାଉଣ୍ଟର ପଞ୍ଚରେ ଅଷ୍ଟ୍ରେଲିଆର ବ୍ୟାଟରମାନେ ଘାଇଲା ହୋଇଛନ୍ତି। 

Advertisment

ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ୧୭ଟି ୱିକେଟ ଝଡ଼ିଛି। ଭାରତ ସମସ୍ତ ୱିକେଟ ହରାଇ ପ୍ରଥମ ଇନିଂସରେ ୧୫୦ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ଏହାର ଜବାବରେ ୭ ୱିକେଟ ହରାଇ ୬୭ ରନ କରିଛି। ଏବେ ଘରୋଇ ଟିମ ଭାରତର ପ୍ରଥମ ଇନିଂସ ସ୍କୋର ଠାରୁ ୮୩ ରନ ପଛରେ ରହିଛି।

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଆଲେକ୍ସ କେରୀ ୧୯ ଓ ମିଚେଲ ଷ୍ଟାର୍କ ୬ ରନ କରି ଅପରାଜିତ ରହିଛନ୍ତି। ଏହି ଦୁଇ ଜଣ ଆସନ୍ତାକାଲି ଅଷ୍ଟ୍ରେଲିଆର ଇନିଂସକୁ ଆଗକୁ ବଢ଼ାଇବେ।

Advertisment

୧୯୫୨ ପରଠାରୁ ଅଷ୍ଟ୍ରେଲିଆରେ କେବେ ହେଲେ କୌଣସି ଟେଷ୍ଟର ପ୍ରଥମ ଦିନରେ ୧୭ଟି ୱିକେଟ ଯଡ଼ି ନଥିଲା। କିନ୍ତୁ ପର୍ଥ ଟେଷ୍ଟରେ ପ୍ରଥମ ଦିନରେ ୧୭ ୱିକେଟ ଝଡ଼ିବା ରେକର୍ଡ। ସେହିପରି ସମସ୍ତ ୧୭ଟି ଯାକ ୱିକେଟ ଦ୍ରୁତ ବୋଲରଙ୍କ ଖାତାକୁ ହିଁ ଯାଇଛି।

ପର୍ଥରେ ଭାରତର କାମଚଳା ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଟପ୍‌ ଅର୍ଡର ଫେଲ ମାରିଥିଲେ ହେଁ ଡେବ୍ୟୁଟାଣ୍ଟ ନୀତୀଶ କୁମାରଙ୍କ ୪୧ ଓ ଋଷଭ ପନ୍ତଙ୍କ ୩୭ ରନ ବଳରେ ଭାରତ ତା’ର ପ୍ରଥମ ଇନିଂସରେ ୧୫୦ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜୋଶ ହାଜେଲଉଡ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ପାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ମିଚେଲ ମାର୍ଶ ୨ଟି ଲେଖାଏ ୱିକେଟ ନେଇଛନ୍ତି। ଭାରତର ସମସ୍ତ ୱିକେଟ ପେସରଙ୍କ ଖାତାକୁ ଯାଇଛି।

ଭାରତ ମାତ୍ର ୧୫୦ ରନ କରିଥିଲେ ହେଁ ବୋଲିଂରେ ଆରମ୍ଭରୁ କମାଲ କରିଥିଲା। ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା ସାମ୍ନାରୁ ଲିଡ୍‌ କରିଥିଲେ। ସେ ପ୍ରଥମେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରୁଥିବା ନାଥନ ମ୍ୟାକସ୍ୱିନୀ(୧୦)ଙ୍କୁ ଆଉଟ କରିଥିଲେ। ସମାନ ଓଭରରେ ମାର୍ନସ ଲାବୁଶେନଙ୍କ ଗୋଟିଏ ସହଜ କ୍ୟାଚ୍‌କୁ ଦ୍ୱିତୀୟ ସ୍ଲିପରେ ଫିଲ୍ଡିଂ କରିଥିବା ବିରାଟ କୋହଲି ଛାଡ଼ି ଦେଇଥିଲେ।

ତେବେ ୭ମ ଓଭର ବୋଲିଂ କରୁଥିବା ବୁମ୍ରା ପୁଣି କମାଲ କରିଥିଲେ। ସେ ୪ର୍ଥ ବଲରେ ପ୍ରଥମେ ଉସମାନ ଖୱାଜା(୮)ଙ୍କୁ ଆଉଟ କରିଥିଲେ। ପରବର୍ତ୍ତୀ ବଲରେ ଷ୍ଟିଭ ସ୍ମିଥ ତାଙ୍କ ଶିକାର ବନିଥିଲେ। ଅଷ୍ଟ୍ରେଲିଆ ୧୯ ରନରେ ତୃତୀୟ ୱିକେଟ ହରାଇଥିଲା।

ଟ୍ରାଭିସ ହେଡ୍‌ ଓ ଲାବୁଶେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଡେବ୍ୟୁଟାଣ୍ଟ ହର୍ଷିତ ରାଣା ଏହା କରାଇ ଦେଇ ନଥିଲେ। ସେ ୧୧ ରନ କରିଥିବା ହେଡଙ୍କୁ କ୍ଲିନବୋଲ୍ଡ କରି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ। ୧୭ତମ ଓଭରେ ମହମ୍ମଦ ସିରାଜ ୬ ରନ କରିଥିବା ମଚେଲ ମାର୍ଶଙ୍କୁ ଆଉଟ କରିଥିଲେ।

ଲାବୁଶେନ ୫୨ଟି ବଲର ସମ୍ମୁଖୀନ ହୋଇଥିଲେ ହେଁ କେବଳ ୨ ରନ କରିବାକୁ ସକ୍ଷମ ହୋଇଛନ୍ତି। ତାଙ୍କ ୱିକେଟ ମଧ୍ୟ ସିରାଜ ନେଇଛନ୍ତି। ଷ୍ଟମ୍ପ ଅପସାରଣ ପାଇଁ ଆଉ କିଛି ମିନିଟ ବାକିଥିବା ବେଳେ ଭାରତର ଅଧିନାୟକ ବୁମ୍ରା ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ(୩)ଙ୍କ ୱିକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ଅଷ୍ଟ୍ରେଲିଆ ୫୯ ରନରେ ୭ମ ୱିକେଟ ହରାଇଥିଲା।

ଏହାପରେ କିନ୍ତୁ ଷ୍ଟାର୍କ ଓ କେରୀ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। ଉଭୟ ଦଳୀୟ ସ୍କୋରକୁ ୬୭ରେ ପହଞ୍ଚାଇବା ସହ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କ୍ରିଜରେ ରହିବାକୁ ସକ୍ଷମ ହୋଇଛନ୍ତି।

ଭାରତ ପାଇଁ ବୁମ୍ରା ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ସିରାଜଙ୍କୁ ୨ଟି ଓ ରାଣା ଗୋଟିଏ ସଫଳତା ପାଇଛନ୍ତି।

India Vs Australia Jasprit Bumrah Border-Gavaskar Trophy