Advertisment

ଡନ ବ୍ରାଡମ୍ୟାନ ଓ ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇବେ ଶୁବମନ ଗିଲ!

ଗିଲ ୨ଟି ମ୍ୟାଚ୍‌ର ୪ ଇନିଂସରେ ୫୮୫ ରନ କରି ସାରିଲେଣି। ତେଣୁ ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରିବାର ଅତି ନିକଟରେ ଏବେ ସେ ପହଞ୍ଚି ଯାଇଛନ୍ତି।

author-image
Hemant Lenka
Gill

Gill

ଭାରତୀୟ ଟେଷ୍ଟ ଟିମର ନୂଆ କ୍ୟାପ୍ଟେନ ଶୁବମନ ଗିଲ ବେଶ ଦମଦାର ଢଙ୍ଗରେ ତାଙ୍କ ଡେବ୍ୟୁ ସିରିଜ ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରେ ତାଙ୍କ ବ୍ୟାଟରୁ ବାହାରିଛି ବଡ଼ ବଡ଼ ଶତକ। ଗିଲ ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିଲେ ହେଁ ଭାରତ ହାରି ଯାଇଥିଲା। କିନ୍ତୁ ଦ୍ୱିତୀୟ ଟେଷ୍ଟରେ ଗିଲ ଏକାକୀ ୪୩୦(ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ୧୬୧) କରିବାରୁ ଏବେ ସିରିଜ ୧-୧ ସ୍ଥିତିକୁ ଚାଲି ଆସିଛି।

Advertisment

ଗିଲ ୨ଟି ମ୍ୟାଚ୍‌ର ୪ ଇନିଂସରେ ୫୮୫ ରନ କରି ସାରିଲେଣି। ତେଣୁ ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ରେକର୍ଡ କରିବାର ଅତି ନିକଟରେ ଏବେ ସେ ପହଞ୍ଚି ଯାଇଛନ୍ତି। କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଓ ଡନ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିବାର ସୁଯୋଗ ତାଙ୍କ ପାଖରେ ରହିଛି। କୌଣସି ଟେଷ୍ଟ ସିରିଜରେ ସର୍ବାଧିକ ରନ କରିଥିବା ଭାରାତୀୟଙ୍କ ମଧ୍ୟରେ ଗାଭାସ୍କର ୧ନଂ ସ୍ଥାନରେ ରହିଛନ୍ତି। ୧୯୭୦/୭୧ରେ ଭାରତର ଐତିହାସିକ ୪ ମ୍ୟାଚ୍‌ ବିଶିଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଗାଭାସ୍କର ୭୭୪ ରନ କରିଥିଲେ। ଗାଭାସ୍କରଙ୍କ ବ୍ୟାଟିଂ ହାର ୧୫୪.୮୦ ରହିଥିଲା।

ସେହିପରି କୌଣସି ଟେଷ୍ଟରେ ସର୍ବାଧିକ ରନ କରିଥିବା ବିଶ୍ୱ ଖେଳାଳିଙ୍କ ତାଲିକାର ୧ନଂ ସ୍ଥାନରେ ଡନ ବ୍ରାଡମ୍ୟାନ ରହିଛନ୍ତି। ୧୯୩୦ରେ ଅଷ୍ଟ୍ରେଲିଆ ଯେତେବେଳେ ଇଂଲଣ୍ଡ ଗସ୍ତ କରିଥିଲା ସେତେବେଳେ ବ୍ରାଡମ୍ୟାନ ୫ଟି ଟେଷ୍ଟରେ ୯୭୪ ରନ କରିଥିଲେ। ତାଙ୍କ ବ୍ୟାଟିଂ ହାର ୧୩୯.୧୪ ରହିଥିଲା। ଏହି ସିରିଜରେ ବ୍ରାଡମ୍ୟାନଙ୍କ ବ୍ୟାଟରୁ ଐତିହାସିକ ୩୩୪ ରନର ଇନିଂସ ଦେଖିବାକୁ ମିଳିଥିଲା।

Advertisment

ଇଂଲଣ୍ଡ ବିପକ୍ଷ ୨ଟି ଟେଷ୍ଟରେ ଗିଲ ୫୮୫ ରନ କରି ସାରିଛନ୍ତି। ଏବେ ବି ଆଉ ୩ଟି ମ୍ୟାଚ୍‌ ବାକି ରହିଛି। ତେଣୁ ଗିଲ ଉଭୟ ଗାଭାସ୍କର ଓ ବ୍ରାଡମ୍ୟାନଙ୍କୁ ଅତିକ୍ରମ କରିବେ ବୋଲି ଆଶା କରାଯାଉଛି। କ୍ରିକେଟ ପଣ୍ଡିତମାନେ ମଧ୍ୟ ଗିଲ ଇଂଲଣ୍ଡ ସିରିଜରେ ୧ ହଜାର ରନ କରି ପୂରା ବିଶ୍ୱରେ ନୂଆ ଉଦାହରଣ ସୃଷ୍ଟି କରିବେ ବୋଲି ପୂର୍ବାନୁମାନ କରିଛନ୍ତି।

Test Cricket Test Match India Vs England Test Shubaman Gill