Advertisment

ଚେନ୍ନାଇକୁ ଚିତ୍‌ କରି ବିଜୟରୁ ଅଭିଯାନ ଆରମ୍ଭ କଲା ଗୁଜରାଟ

ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ ଦେଖାଇଥିବା ଗୁଜରାଟର ରଶିଦ ଖାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ବୋଲିଂରେ ୨୬ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ।

author-image
Hemant Lenka
IPL

IPL

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ୫ ୱିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ଦେଇଛି।

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ଋତୁରାଜ ଗାଏକ୍ୱାଡଙ୍କ ବିସ୍ଫୋରକ ୯୨ ରନ ବଳରେ ୭ ୱିକେଟ ହରାଇ ୧୭୮ ରନ କରିଥିଲା। ଏହାର ଜବାବରେ ଗୁଜରାଟ ଶୁବମନ ଗିଲଙ୍କ ଚମତ୍କାର ୬୩ ଓ ଶେଷ ଭାଗରେ ରଶିଦ ଖାନଙ୍କ ୩ ବଲରେ ଅପରାଜିତ ୧୦ ରନ ବଳରେ ୫ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଛି।

ଶେଷ ୫ ବଲରେ ଜିତିବା ପାଇଁ ୧ ରନ ଦରକାର ଥିବା ବେଳେ ରାହୁଲ ତେୱାତିଆ ଚମତ୍କାର ଚୌକା ମାରି ଦଳର ବିଜୟ ମୁଣ୍ଡି ମାରିଥିଲେ। ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ ଦେଖାଇଥିବା ଗୁଜରାଟର ରଶିଦ ଖାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ବୋଲିଂରେ ୨୬ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଚେନ୍ନାଇ ୧୪ ରନରେ ପ୍ରଥମ ୱିକେଟ ହରାଇଥିଲା। ଡେଭୋନ କନୱେ ମାତ୍ର ୧ ରନ କରି ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ। ମୋଇନ ଅଲୀ ଭଲ ଆରମ୍ଭ କରିଥିଲେ ହେଁ କେବଳ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ। ବେନ ଷ୍ଟୋକ୍ସ ୭, ଅମ୍ବାତି ରାୟୁଡୁ ୧୨, ଶିବମ ଦୁବେ ୧୯, ରବୀନ୍ଦ୍ର ଜାଡେଜା ୧ ରନ କରିବାକୁ ସକ୍ଷମ ହୋଇଥିଲେ।

ତେବେ ଋତୁରାଜ ଗାଏକ୍ୱାଡ ଆରମ୍ଭରୁ ୧୮ ଓଭର ଯାଏ ବ୍ୟାଟିଂ କରି ୫୦ ବଲରେ ୯୨ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ୯ଟି ବିଶାଳ ଛକା ଓ ୪ଟି ଚୌକା ମାରିଛନ୍ତି। ତାଙ୍କୁ ଅଲଜାରି ଯୋଶେଫ ଆଉଟ କରି ଚେନ୍ନାଇର ରନ ସଂଗ୍ରହ ହାରରେ ବ୍ରେକ ଲଗାଇଥିଲେ। ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନି ୭ ବଲରେ ଅପରାଜିତ ୧୪ ଓ ମିଚେଲ ସାଣ୍ଟନର ୩ ବଲରେ ଅପରାଜିତ ୧ ରନ କରିବାରୁ ଚେନ୍ନାଇ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୭ ୱିକେଟ ହରାଇ ଚ୍ୟାଲେଞ୍ଜିଂ ୧୭୮ ରନ କରିଥିଲା।

୧୭୯ ରନର ଟାର୍ଗେଟ ପାଇଥିବା ଘରୋଇ ଟିମ ଦମଦାର ଆରମ୍ଭ କରିଥିଲା। ରିଦ୍ଧିମାନ ସାହା ଓ ଶୁବମନ ଗିଲ୍‌ ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ୪ ଓଭର ସୁଦ୍ଧା ଦଳୀୟ ସ୍କୋର ୩୭ରେ ପହଞ୍ଚି ଯାଇଥିଲା। ଏତିକି ବେଳେ ବଡ଼ ଶଟ ଖେଳିବା ଲୋଭରେ ସାହା ୨୫ ରନ କରି ଡେବ୍ୟୁଟାଣ୍ଟ ରାଜବର୍ଦ୍ଧନ ହଙ୍ଗରେକରଙ୍କ ବଲରେ ଆଉଟ ହୋଇଯାଇଥିଲେ।

୩ନଂରେ ଗୁଜରାଟର ଇମ୍ପାକ୍ଟ ଖେଳାଳି ସାଇ ସୁଦର୍ଶନ ଆସିଥିଲେ। ଫିଲ୍ଡିଂ ବେଳେ କେନ ୱିଲିୟମସନ ଆହତ ହୋଇଥିବାରୁ ତାଙ୍କ ବଦଳରେ ସୁଦର୍ଶନ ଗୁଜରାଟ ପାଇଁ ଇମ୍ପାକ୍ଟ ଖେଳାଳି ରୂପରେ ଆସିଥିଲେ। ସେ ଗିଲ୍‌ଙ୍କ ସହ ମିଶି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୯୦ରେ ପହଞ୍ଚାଇ ଦେଇଥିଲେ। ସେ ୧୭ ବଲରେ ୨୨ ରନ କରି ହଙ୍ଗରେକରଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ଅଧିନାୟକ ପାଣ୍ଡ୍ୟା କେବଳ ୮ ରନ କରି ଜାଡେଜାଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଗୁଜରାଟର ସ୍କୋର ୧୩୮ ଥିବା ବେଳେ ଶୁବମନ ଗିଲ୍‌ ୬୩ ରନ କରି ତୁଷାର ଦେଶପାଣ୍ତେଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ବିଜୟ ଶଙ୍କର ଶେଷ ଭାଗରେ ଧୈର୍ଯ୍ୟପୂର୍ଣ୍ଣ ୨୭ ରନ କରି ମ୍ୟାଚ୍‌ ଶେଷ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ଠିକଣା ସମୟରେ ହଙ୍ଗରେକର ଆଉଟ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଥିଲେ।

ଶେଷ ୨ ଓଭରରେ ଦଳକୁ ଜିତିବା ପାଇଁ ୨୩ ରନ ଦରକାର ଥିବା ବେଳେ ୧୯ତମ ଓଭର ପକାଇଥିଲେ ଦୀପକ ଚହର। ତାଙ୍କୁ ରଶିଦ ଖାନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ମୋଟ ୧୧ ରନ ଆଦାୟ କରିଥିଲେ। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୮ ରନ ଦରକାର ଥିଲା। ରାହୁଲ ତେୱାତିଆ ଗୋଟିଏ ଛକା ଓ ଗୋଟିଏ ଚୌକା ମାରି ୪ ବଲ ପୂର୍ବରୁ ଦଳକୁ ବିଜୟ ଭେଟି ଦେଇଥିଲେ। ତେୱାତିଆ ଶେଷ ଯାଏ ୧୪ ବଲରେ ୧୫ ଓ ରଶିଦ ୩ ବଲରେ ୧୦ ରନ କରି ଅପରାଜିତ ରହିଥିଲେ।

IPL