ଶତକ ପରେ ଗିଲ୍
ଭାରତୀୟ ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ(Shubman Gill) ପୁଣି କମାଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦିଲ୍ଲୀ ଟେଷ୍ଟ(Test Match)ର ଦ୍ୱିତୀୟ ଦିନରେ ଗିଲ ତାଙ୍କ ଟେଷ୍ଟ କ୍ୟାରିୟରର ୧୦ମ ଶତକ ହାସଲ କରିଛନ୍ତି।
୨୬ ବର୍ଷୀୟ ଗିଲଙ୍କୁ ନିକଟରେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ଅଧିନାୟକ ହେବା କ୍ଷଣୀ ସେ ବ୍ୟାଟରେ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି। ଏହାକୁ ମିଶାଇ ଗିଲ ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ୫ଟି ଶତକ ହାସଲ କରିଛନ୍ତି।
ଅଧିନାୟକ ଭାବେ ଟେଷ୍ଟ କ୍ରିକେଟରେ ୫ମ ଶତକ ହାସଲ କରିବା କ୍ଷଣି ଗିଲ ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ଟେଷ୍ଟ କ୍ୟାପ୍ଟେନ ରେକର୍ଡର ସମକକ୍ଷ ହୋଇଛନ୍ତି। ରୋହିତ ଟେଷ୍ଟ ଟିମର ଅଧିନାୟକ ଭାବେ ଭାରତ ପାଇଁ ୪ଟି ଓ ଧୋନି ୫ଟି ଶତକ ହାସଲ କରିଥିଲେ।
ଇଂଲଣ୍ଡ ବିପକ୍ଷ ଆଣ୍ଡରସନ-ତେନ୍ଦୁଲକର ଟ୍ରଫିରେ ଗିଲଙ୍କୁ ଟେଷ୍ଟ ଟିମ(Test Cricket)ର କ୍ୟାପ୍ଟେନ କରାଯାଇଥିଲା। ଏହି ସିରିଜରେ ୪ଟି ଶତକ ହାସଲ କରିଥିଲେ। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷ ଘରୋଇ ଟେଷ୍ଟରେ ସେ ଆଉ ଏକ ଟେଷ୍ଟ ଶତକ ହାସଲ କରିଛନ୍ତି।
କ୍ୟାପ୍ଟେନ ଭାବେ ଭାରତ ପାଇଁ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିବା ତାଲିକାର ୧ନଂ ସ୍ଥାନରେ ବିରାଟ କୋହଲି ରହିଛନ୍ତି। ସେ ୨୦ଟି ଶତକ ହାସଲ କରିଥିବା ବେଳେ ତାଙ୍କ ପଛକୁ ୧୧ଟି ଶତକ ସହ ସୁନୀଲ ଗାଭାସ୍କର ଓ ତୃତୀୟ ସ୍ଥାନରେ ୯ଟି ଟେଷ୍ଟ ଶତକ ସହ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି।
ମ୍ୟାଚ୍ କଥା ବିଚାରକୁ ନେଲେ ଗିଲ ପ୍ରଥମେ ୧୭୭ ବଲରେ ନିଜ ଟେଷ୍ଟ କ୍ୟାରିୟରର ୧୦ମ ଶତକ ହାସଲ କରିଥିଲେ। ଏହା ମଧ୍ୟରେ ୧୩ଟି ଚୌକା ଓ ଗୋଟିଏ ଛକା ରହିଥିଲା। ଏହାପରେ ସେ ଆଉ ଗୋଟିଏ ଛକା ଓ ୩ଟି ଚୌକା ମାରିଥିଲେ। ତାଙ୍କ ସହ ଏହି ସମୟରେ ଧ୍ରୁବ ଜୁରେଲ ରହିଥିଲେ। ଜୁରେଲ ୪୪ ରନ କରି ଆଉଟ ହେବା ପରେ ଭାରତ ପ୍ରଥମ ପାଳିକୁ ୫୧୮/୫ରେ ଘୋଷଣା କରିଛି। ଗିଲ ଅପରାଜିତ ୧୨୯ ରନର ଇନିଂସ ଖେଳିଛନ୍ତି।
ଗିଲଙ୍କ ବ୍ୟତୀତ ଯଶସ୍ୱୀ ଜୈସୱାଲ ୧୭୫, ସାଈ ସୁଦର୍ଶନ ୮୭, ନୀତୀଶ କୁମାର ରେଡ୍ଡୀ ୪୩ ଓ କେଏଲ ରାହୁଲ ୩୮ ରନ କରିଛନ୍ତି। ଭାରତ ପ୍ରଥମ ପାଳି ୫୧୮ରେ ଘୋଷଣା କରିବା ପରେ ୱେଷ୍ଟଇଣ୍ଡିଜ ତା’ର ଇନିଂସ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/11/gill-2025-10-11-13-57-05.jpg)