ରେଣୁକା ଓ ଅମନଜୋତ୍
ରବିବାର ରାତିରେ ଭାରତୀୟ ମହିଳା କ୍ରିକେଟ ଟିମ( Indian Women Cricket Team) ଇତିହାସ ରଚିଛି। ହରମନପ୍ରୀତ କୌର ଆଣ୍ଡ କୋ ପ୍ରଥମଥର ପାଇଁ ମହିଳା ଦିନିକିଆ ବିଶ୍ୱକପ ନଭି ମୁମ୍ବାଇରେ ଉଠାଇଛନ୍ତି। ଫାଇନାଲ ମ୍ୟାଚ୍ରେ ଭାରତୀୟ ଟିମ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପ ଦଖଲ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତ ୨୯୮ ରନ କରିଥିବା ବେଳେ ଦକ୍ଷିଣ ଆଫ୍ରିକା କଡ଼ା ଟକ୍କର ଦେଇଥିଲା। ଅଧିନାୟକ ଲୋରା ୱଲଭର୍ଟ ଦମଦାର ୧୦୧ ରନ ଇନିଂସ ଖେଳି ଭାରତ ହାତରୁ ମ୍ୟାଚ ଛଡ଼ାଇ ନେବାକୁ ବସିଥିଲେ। କିନ୍ତୁ ଦୀପ୍ତି ଶର୍ମା ୫ ୱିକେଟ ଓ ଶେଫାଳି ବର୍ମା ୨ ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ୨୪୬ ରନରେ ଅଟକାଇ ଦେଇଥିଲେ। ଶେଫାଳୀ ଫାଇନାଲ ମ୍ୟାଚ୍ ଓ ଦୀପ୍ତି ବିଶ୍ୱକପର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।
ତେବେ ଲୋରା ୱଲଭର୍ଟଙ୍କ ଚମତ୍କାର କ୍ୟାଚ ଧରିଥିବା ଅମନଜୋତଙ୍କ ଅବଦାନ ବେଶ ଚର୍ଚ୍ଚାରେ ରହିଛି। ଦୀପ୍ତିଙ୍କୁ ଛକା ମାରିବା ପାଇଁ ଲୋରା ଚେଷ୍ଟା କରିଥିଲେ ହେଁ ଅମନଜୋତ ଆକର୍ଷଣୀୟ କ୍ୟାଚ୍ ଧରି ଦକ୍ଷିଣ ଆଫ୍ରିକାର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ପ୍ରଥମ ପ୍ରୟାସରେ ତାଙ୍କ ହାତରୁ କ୍ୟାଚ୍ ବାହାରି ଯାଇଥିଲା। କିନ୍ତୁ ସେ ଡାଇଭ ମାରି ବଲକୁ ତଳେ ପଡ଼ିବା ପୂର୍ବରୁ ପୁଣି ଧରି ପକାଇଥିଲେ।
ଏହି କ୍ୟାଚ୍ ସହ ଭାରତର ବିଜୟ ଏକପ୍ରକାରର ନିଶ୍ଚିତ ହୋଇଥିଲା। ଏହାପୂର୍ବରୁ ସେ ଗୋଟିଏ ରନ ଆଉଟ ମଧ୍ୟ କରିଥିଲେ। ଭାରତର ଐତିହାସିକ ବିଜୟ ପରେ ଅମନଜୋତଙ୍କ ବାପା ଗୋଟିଏ ବଡ଼ ଖୁଲାସା କରିଛନ୍ତି। ଭାରତୀୟ ମହିଳା ଦଳ ବିଶ୍ୱକପ ଖେଳୁଥିବା ବେଳେ ତାଙ୍କ ପରିବାର ସାମ୍ନା କରିଥିବା ସଙ୍କଟ ସମ୍ପର୍କରେ ସେ ସମସ୍ତଙ୍କୁ ଜଣାଇଛନ୍ତି।
ତାଙ୍କ କହିବା କଥା ଯେ ବିଶ୍ୱକପ ଚାଲିଥିବା ବେଳେ ଅମନଜୋତଙ୍କ ଜେଜେ ମା’ ହୃଦଘାତର ଶିକାର ହୋଇଥିଲେ। କିନ୍ତୁ ପରିବାର ଏ ଖବର ଅମନଜୋତଙ୍କୁ ଜଣାଇ ନଥିଲେ। ଖବର ପାଇଲେ ଅମନଜୋତ ବିଶ୍ୱକପ ଖେଳିବା ଉପରେ ଫୋକସ କରିପାରିବେ ନାହିଁ ବୋଲି ଆଶଙ୍କା କରି ପରିବାର ଲୋକ ଏପରି ପଦକ୍ଷେପ ନେଇଥିଲେ।
ଅମନଜୋତଙ୍କ ବାପା ଭୂପିନ୍ଦର ସିଂହ କହିଛନ୍ତି, “ମୋ ମା’ ଭଗୱନ୍ତୀ ହେଉଛନ୍ତି ଅମରଜୋତର ସବୁଠାରୁ ବଡ଼ ଶକ୍ତି। ଅମନଜୋତ ଯେବେଠାରୁ ରାସ୍ତାରେ ଓ ମୋହାଲି ସ୍ଥିତ ଫେଜ ୫ରେ ଥିବା ଆମ ଘର ନିକଟ ପାର୍କରେ ଖେଳିବା ଆରମ୍ଭ କରିଥିଲା ସେବେଠାରୁ ମୋ ମା’ ହିଁ ତା’ ସହ ଛିଡ଼ା ହୋଇ ଆସିଥିଲେ। ମୋତେ ପ୍ରାୟତଃ ବାଲୋଙ୍ଗି ସ୍ଥିତ ଆମ କାଠ ଦୋକାନରେ ରହିବାକୁ ପଡ଼େ। ଏହି ସମୟରେ ଅମନଜୋତ ପୁଅ ମାନଙ୍କ ସହ ଓ ଅନ୍ୟ ଝିଅମାନଙ୍କ ସହ ଖେଳିବା ବେଳେ ମୋ ମା’ ତା’ ସହ ସବୁଆଡ଼େ ଯାଏ।
ଗତ ମାସରେ ମୋ ମା’ ହୃଦଘାତର ଶିକାର ହୋଇଥିଲା। ହେଲେ ଆମେ ଅମନଜୋତକୁ ଏ ବିଷୟରେ କିଛି ବି କହି ନଥିଲୁ। ଏଇ କିଛି ଦିନ ହେବ ମା’ର ଚିକିତ୍ସା ପାଇଁ ଆମେ ହସ୍ପିଟାଲରେ ସମୟ କାଟୁଥିବା ସେ ଦେଖିବାକୁ ପାଇଥିଲା। ବିଶ୍ୱକପ ଉପରେ ପୂରା ଫୋକସ କରିବା ପାଇଁ ଆମେ ଅମନଜୋତକୁ ସବୁ କଥା ଲୁଚାଇ ରଖିଥିଲୁ। ଆମ ପରିବାର ଗୋଟିଏ କଠିନ ସମୟ ଦେଇ ଗତି କରୁଥିବା ବେଳେ ବିଶ୍ୱକପ ବିଜୟ ଗୋଟିଏ ମଲମ ଭାବେ ଆମ ପାଖକୁ ଆସିଛି।”
ମ୍ୟାଚ୍ ପରେ ଅମନଜୋତ କ୍ୟାମେରା ସାମ୍ନାରେ କାନ୍ଦି ପକାଇଥିଲେ। ଏହାପରେ ସେ ଗୋଟିଏ ହାତରେ ଧରିଥିବା ଲୋରାଙ୍କ କ୍ୟାଚ୍ ସମ୍ପର୍କରେ ବି ମତ ରଖିଛନ୍ତି। ସେ କହିଛନ୍ତି, “ଆମେ ସମସ୍ତେ ଜାଣିଥିଲୁ ଯେ ଉକ୍ତ କ୍ୟାଚ୍ର ଗୁରୁତ୍ୱ କେତେ ଥିଲା।
ପ୍ରଥମଥର ପାଇଁ ମୁଁ ମୋ ଜୀବନରେ କୌଣସି କ୍ୟାଚ୍ ଧରିବାକୁ ଦ୍ୱିତୀୟ ସୁଯୋଗ ପାଇଥିଲି। ଏହାକୁ ବର୍ଣ୍ଣନା କରିବାକୁ ମୋ ପାଖରେ ଶବ୍ଦ ନାହିଁ। ଏହାର ଅର୍ଥ ବହୁତ। ପୂରା ଦର୍ଶକ ଆମ ପାଇଁ ଆସିଛନ୍ତି। ଆମେ ଇତିହାସ ସୃଷ୍ଟି କରିଛୁ। ଭାରତୀୟ କ୍ରିକେଟ ପରବର୍ତ୍ତୀ ସ୍ତରକୁ ଯିବାର ଏହା ଆରମ୍ଭ ମାତ୍ର।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/03/amanjot-2025-11-03-17-24-48.jpg)