/odisha-reporter/media/post_attachments/uploadimage/library/16_9/16_9_0/INDIA_1693663876.jpg)
INDIA
ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ପାକିସ୍ତାନ ବିପକ୍ଷରେ ଚ୍ୟାଲେଞ୍ଜିଂ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮୭ ଓ ଇଶାନ କିଶନଙ୍କ ୮୨ ରନ ବଳରେ ଟିମ ଇଣ୍ଡିଆ ୪୮.୫ ଓଭରରେ ସମସ୍ତ ୱିକେଟ ହରାଇ ୨୬୬ ରନ କରିବାକୁ ସକ୍ଷମ ହୋଇଛି। ଫଳରେ ଚଳିତ ଏସିଆ କପରେ ପାକିସ୍ତାନକୁ କ୍ରମାଗତ ଦ୍ୱିତୀୟ ବିଜୟ ପାଇଁ ୨୬୭ ରନର ଟାର୍ଗେଟ ମିଳିଛି। ପାକିସ୍ତାନ ପକ୍ଷରୁ ବାମହାତୀ ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି ସର୍ବାଧିକ ୪ ୱିକେଟ ଦଖଲ କରିଛନ୍ତି।
ଶ୍ରୀଲଙ୍କାର କ୍ୟାଣ୍ଡୀରେ ଖେଳା ଯାଉଥିବା ଆଜିର ହାଇଭୋଲଟେଜ ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଏହା ଦଳ ପାଇଁ ଏହା ବୁମେରାଂ ହୋଇଥିଲା। ଶାହୀନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଭାରତୀୟ ବ୍ୟାଟର ଆଦୌ ସାମ୍ନା କରି ପାରି ନଥିଲେ।
ଆଫ୍ରିଦି ଟିମ ଇଣ୍ଡିଆର ରୋହିତ ଶର୍ମା(୧୧) ଓ ବିରାଟ କୋହଲି(୪)ଙ୍କୁ ବୋଲ୍ଡ କରି ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଦୋହଲାଇ ଦେଇଥିଲେ। ଏହାପରେ ଶ୍ରେୟସ ଆୟର(୧୪) ଓ ଶୁବମନ ଗିଲ୍(୧୦)ଙ୍କୁ ହାରିସ ରୌଫ ଆଉଟ କରି ବିପର୍ଯ୍ୟୟ ସୃଷ୍ଟି କରିଥିଲେ।
ଦଳ ୬୬ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଈଶାନ କିଶନ ଓ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥିତି ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ। ଏଥିସହ ୫ ୱିକେଟ ପାଇଁ ୧୩୮ ରନ ଯୋଡ଼ିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୪ରେ ଥିବା ବେଳେ ବଡ଼ ଶଟ୍ ଖେଳିବା ଲୋଭରେ ଈଶାନ କିଶନ(୮୨) ରୌଫଙ୍କ ବଲରେ କ୍ୟାଚ୍ ଆଉଟ ହୋଇଯାଇଥିଲେ।
ସେ ଆଉଟ ହେବା ପୂର୍ବରୁ ୮୧ ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଓ ୨ଟି ଛକା ମାରିଥିଲେ। ଏହା ଈଶାନଙ୍କ ପାକିସ୍ତାନ ବିପକ୍ଷରେ ପ୍ରଥମ ଅର୍ଦ୍ଧଶତକ ଥିଲା। ଈଶାନଙ୍କ ପରେ କ୍ରିଜ୍କୁ ଆସିଥିଲେ ରବୀନ୍ଦ୍ର ଜାଡେଜା। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ୩୫ ରନର ଭାଗିଦାରୀ କରିଥିଲେ।
ହାର୍ଦ୍ଦିକ ନିଜର ଶତକ ଆଡ଼କୁ ଯାଉଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ଆଫ୍ରିଦି। ସେ ପ୍ରଥମ ବଲରେ ହିଁ ୮୭ ରନ କରିଥିବା ପାଣ୍ଡ୍ୟାଙ୍କୁ ଆଉଟ କରି ଭାରତକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ପାଣ୍ଡ୍ୟା ତାଙ୍କ ୮୭ ରନର ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।
ସେହି ଓଭରରେ ରବୀନ୍ଦ୍ର ଜାଡେଜା(୧୪)ଙ୍କୁ ମଧ୍ୟ ଆଫ୍ରିଦି ଆଉଟ କରିଥିଲେ। ଏହାର ପରବର୍ତ୍ତୀ ଓଭର୍ର ପ୍ରଥମ ବଲରେ ନଶୀମ ଶାହ ମାତ୍ର ୩ ରନ କରିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।
୭ଟି ବଲରେ ୩ ୱିକେଟ ହରାଇ ଭାରତ ପୁଣି ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା। ଦଳର ରନ ସଂଗ୍ରହ ହାର କମି ଯାଇଥିଲା। ତେବେ ଶେଷ ଭାଗରେ ଯଶପ୍ରୀତ ବୁମ୍ରା କିଛି ଶଟ ମାରିବାରୁ ଦଳୀୟ ସ୍କୋର ୨୬୦ ପାର କରିଥିଲା।
ଶେଷରେ ସେ ବଡ଼ ଶଟ ଖେଳିବାକୁ ଯାଇ ନଶୀମ ଶାହଙ୍କ ବଲରେ ଆଉଟ ହୋଇଥିଲେ। ବୁମ୍ରା ୧୪ ବଲରେ ୧୬ ରନର ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୁଲଦୀପ ଯାଦବ୪ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ସିରାଜ ୧ ରନ କରି ଅପରାଜିତ ରହିଥିଲେ।
ପାକିସ୍ତାନ ପକ୍ଷରୁ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ନଶୀମ ଶାହ ଓ ହରିଶ ରୌଫ ୩ଟି ଲେଖାଏ ସଫଳତା ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
