pandya-brothers
ବେଙ୍ଗାଲୁରୁ: ଆରମ୍ଭରୁ ଏକାଠି ଖେଳିଲେ। ହେଲେ ଏବେ ଅଲଗା ହୋଇଗଲେ। ଆମେ କହୁଛୁ ପ୍ରାଣ୍ଡ୍ୟା ବ୍ରଦର୍ସଙ୍କ କଥା। ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ୍ ପାଣ୍ଡ୍ୟା ପ୍ରଥମଥର ଆଇପିଏଲରେ ଅଲଗା ଅଲଗା ଟିମ୍ ପକ୍ଷରୁ ଖେଳିବେ। ଅଲରାଉଣ୍ଡର କୃନାଲ୍ ପାଣ୍ଡ୍ୟା ଚଳିତ ଆଇପିଏଲ୍ ନିଲାମରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ପାଇଁ ୮.୨୫ କୋଟିରେ ବିକ୍ରି ହୋଇଛନ୍ତି।
ପଞ୍ଜାବ କିଙ୍ଗସ୍ କୃନାଲଙ୍କ ପାଇଁ ନିଲାମ ଆରମ୍ଭ କରିଥିଲା। ଏହା ପରେ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟ ତାଙ୍କୁ ନେବା ପାଇଁ ଆଗ୍ରହ ଦେଖାଇଥିଲା। ୫ କୋଟି ଟଙ୍କା ପରେ ଚେନ୍ନାଇ ପଛକୁ ହଟିଯାଇଥିଲା। ଏହା ପରେ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ମଧ୍ୟରେ ନିଲାମ ଡାକ ଆରମ୍ଭ ହୋଇଥିଲା। ଗୁଜରାଟ ଟାଇଟନ୍ସ ୭.୫ କୋଟି ଟଙ୍କାରେ ନିଲାମ ଡାକିଥିଲା, କିନ୍ତୁ ଶେଷରେ ଲକ୍ଷ୍ନୌ କୃନାଲଙ୍କୁ ନିଜ ଟିମରେ ସାମିଲ୍ କରିନେଇଥିଲା।
କୃନାଲ୍ ୨୦୧୬ରେ ଆଇପିଏଲରେ ଡେବ୍ୟୁ କରିଥିଲେ। ତେବେ ୨୦୧୮ ଆଇପିଏଲ୍ ନିଲାମରେ ମୁମ୍ବାଇ ଇଣ୍ଡିଆନ୍ସ କୃନାଲଙ୍କୁ ୮.୮ କୋଟି ଟଙ୍କାରେ ଆରଟିଏମ୍ ଜରିଆରେ ନିଜ ଟିମରେ ରଖିଥିଲା। ସେହି ବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ରେ ସେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ଗତବର୍ଷ ସେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।
ଅହମଦାବାଦରେ ଜନ୍ମିତ ଏହି କ୍ରିକେଟର୍ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ୧୩୮.୫୫ ହାରରେ ୧୧୪୩ ରନ୍ କରିଛନ୍ତି। ସେହିପରି ସେ ବୋଲିଂରେ ମଧ୍ୟ ଦମ୍ ଦେଖାଇ ୭.୩୭ ଇକୋନମୀରେ ୫୧ ୱିକେଟ୍ ନେଇଛନ୍ତି। ନିଲାମ ପୂର୍ବରୁ ପାଣ୍ଡ୍ୟା ବ୍ରଦର୍ସଙ୍କୁ କୌଣସି ଫ୍ରାଞ୍ଚାଇଜି ରିଟେନ୍ କରିନଥିଲେ। ଏବେ ପ୍ରଥମଥର ଲାଗି କୃନାଲ୍ ଅନ୍ୟ ଟିମ୍ ପାଇଁ ଖେଳିବେ।
ଅନ୍ୟପକ୍ଷରେ ତାଙ୍କ ଭାଇ ହାର୍ଦ୍ଦିକ ମଧ୍ୟ ପ୍ରଥମଥର ଗୋଟିଏ ଟିମ୍ ପକ୍ଷରୁ ଖେଳିବେ ନାହିଁ। ହାର୍ଦ୍ଦିକଙ୍କୁ ଚଳିତ ସଂସ୍କରଣରେ ଗୁଜରାଟ ଟାଇଟନ୍ସ ଡ୍ରାଫ୍ଟ କରିଥିଲା। ନିକଟରେ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିଥିବା ଦୀପକ ହୁଡାଙ୍କୁ ଲକ୍ଷ୍ନୌ କିଣିଛି। ଗତବର୍ଷ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦୀପକ ହୁଡା ଓ କୃନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ଖୁବ୍ ବିବାଦ ହୋଇଥିଲା। ସାଥୀ ଖେଳାଳିଙ୍କ ସାମ୍ନାରେ କୃନାଲ୍ ଦୀପକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ଆଣିଥିଲେ। ଏହା ପରେ ଦୀପକ ଟିମର କ୍ୟାମ୍ପ ଛାଡ଼ି ଦେଇଥିଲେ ଏବଂ ଆଉ ବରୋଦା ପକ୍ଷରୁ ଖେଳିନଥିଲେ। ସେ ରାଜସ୍ଥାନ ପକ୍ଷରୁ ଘରୋଇ ମ୍ୟାଚ୍ ଖେଳିବେ। ହେଲେ ଆଇପିଏଲ-୨୦୨୨ରେ ଦୀପକ ଓ କୃନାଲ୍ ଲକ୍ଷ୍ନୌ ପକ୍ଷରୁ ଖେଳିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/pandya-brothers.jpg)