/odisha-reporter/media/post_attachments/uploads/2022/02/ganguly-and-hardik.jpg)
ganguly-and-hardik
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ କଥା ମାନିଲେନି ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ହାର୍ଦ୍ଦିକଙ୍କୁ ରଣଜୀ ଟ୍ରଫି ଖେଳିବାକୁ ଗାଙ୍ଗୁଲି ପରାମର୍ଶ ଦେଇଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ରଣଜୀ ଟ୍ରଫି ନଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବରୋଦା ଟିମର ଘୋଷଣା କରାଯାଇଛି। କିନ୍ତୁ ଟିମରେ ହାର୍ଦ୍ଦିକଙ୍କ ନାଁ ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ହାର୍ଦ୍ଦିକ ରଣଜୀ ଟ୍ରଫି ଖେଳିବେ ନାହିଁ।
ହାର୍ଦ୍ଦିକ ଦୀର୍ଘ ସମୟ ଧରି ଭାରତୀୟ ଟିମରୁ ବାହାରେ ଅଛନ୍ତି। ଟି-୨୦ ବିଶ୍ୱକପରେ ସେ ଶେଷଥର ଲାଗି ଭାରତୀୟ ଦଳ ପକ୍ଷରୁ ଖେଳିଥିଲେ। ଏହା ପରେ ପିଠି ଯନ୍ତ୍ରଣା ଏବଂ ଫିଟନେସ୍ କାରଣରୁ ସେ ନିଜକୁ ଚୟନରୁ ଦୂରେଇ ନେଇଥିଲେ। ଜାତୀୟ ଦଳରୁ ଦୂରେଇ ରହିବା ପରେ ହାର୍ଦ୍ଦିକଙ୍କୁ ରଣଜୀ ଟ୍ରଫି ଖେଳିବାକୁ ପରାମର୍ଶ ଦେଇଥିଲେ ଗାଙ୍ଗୁଲି।
ଗାଙ୍ଗୁଲି କହିଥିଲେ ଯେ ଯେହେତୁ ହାର୍ଦ୍ଦିକ ଆହତ ଥିଲେ, ତେଣୁ ତାଙ୍କୁ ପୂରା ଠିକ୍ ହେବା ପାଇଁ ବ୍ରେକ୍ ଦିଆଯାଇଥିଲା। ଯାହଦ୍ୱାରା ସେ ଲମ୍ବା ସମୟ ଧରି ଭାରତୀୟ କ୍ରିକେଟର ସେବା କରିପାରିବେ। ମୋର ବିଶ୍ୱାସ ଯେ ତାଙ୍କୁ ମୁଁ ରଣଜୀ ଟ୍ରଫିରେ ଦେଖିବାକୁ ପାଇବି। ହାର୍ଦ୍ଦିକ ପ୍ରଚୁର ବୋଲିଂ କରିବା ସହ ନିଜ ଶରୀରକୁ ମଜଭୁତ୍ କରନ୍ତୁ ବୋଲି ଗାଙ୍ଗୁଲି ଆଶାବାଦୀ ଥିଲେ।
ହାର୍ଦ୍ଦିକ ସମ୍ପୂର୍ଣ୍ଣ ଫିଟ୍ ନହେବା କାରଣରୁ ବୋଲିଂରୁ ଦୂରେଇ ରହିଥିଲେ। ଟି-୨୦ ବିଶ୍ୱକପର ପ୍ରାରମ୍ଭିକ ମ୍ୟାଚରେ ସେ ବୋଲିଂ କରିନଥିଲେ। ଏହି କାରଣରୁ ତାଙ୍କ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା। ଅନ୍ୟପକ୍ଷରେ ୨୦୧୮ ଡିସେମ୍ବର ପରଠାରୁ ହାର୍ଦ୍ଦିକ ନାଲି ବଲର କ୍ରିକେଟ୍ ଅର୍ଥାତ୍ ଟେଷ୍ଟ କିମ୍ବା ପ୍ରଥମଶ୍ରେଣୀ ଖେଳିନାହାନ୍ତି। ଏଥର ହାର୍ଦ୍ଦିକ ଆଇପିଏଲରେ ନୂଆ ଫ୍ରାଞ୍ଚାଇଜି ଅହମଦାବାଦ ପକ୍ଷରୁ ଖେଳିବେ। ସେ ମଧ୍ୟ ଟିମର କ୍ୟାପଟେନ୍ ହୋଇଛନ୍ତି।
ଅନ୍ୟପକ୍ଷରେ ହାର୍ଦ୍ଦିକଙ୍କ ବଡ଼ ଭାଇ କୃନାଲ୍ ପାଣ୍ଡ୍ୟା ରଣଜୀ ଟ୍ରଫି ଖେଳିବେ। କୃନାଲଙ୍କୁ ବରୋଦା ରଣଜୀ ଟିମରେ ସାମିଲ୍ କରାଯାଇଛି। ଆଇପିଏଲ୍-୨୦୨୨ ପୂର୍ବରୁ ରଣଜୀ ଟ୍ରଫିର ପ୍ରଥମ ପର୍ଯ୍ୟାୟ ଖେଳାଯିବ। ଏହି ପର୍ଯ୍ୟାୟ ମାର୍ଚ୍ଚ ୧୫ ତାରିଖ ଯାଏ ଚାଲିବ। ଏହା ପରେ ମେ’ ୩୦ ତାରିଖରୁ ନକଆଉଟ୍ ମୁକାବିଲା ଖେଳାଯିବ। ୨୦୨୦ ପରେ ରଣଜୀ ଟ୍ରଫି ଆୟୋଜନ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
