Advertisment

Asia Cup: ଏସିଆ କପ ବିବାଦ: ଦୁଇ ମ୍ୟାଚ୍‌ରୁ ପାକିସ୍ତାନର ହାରିଶ ରୌଫ ବାସନ୍ଦ, ସୂର୍ଯ୍ୟ କୁମାରଙ୍କ ମ୍ୟାଚ ଫି’ କଟିଲା

ମ୍ୟାଚ୍‌ ବେଳେ ରୌଫ ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିଲେ। ପୂର୍ବରୁ ଏଥିପାଇଁ ରୌଫଙ୍କ ମ୍ୟାଚ୍‌କୁ ଆଇସିସି ୩୦% କାଟି ଦେଇଥିଲା। ଏବେ ତାଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିବା ଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଶୁଣାଣି ପରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

author-image
Hemant Lenka
sky

ସୂର୍ଯ୍ୟ କୁମାର ଓ ହାରିଶ ରୌଫ

ଭାରତ-ପାକିସ୍ତାନ ଏସିଆ କପ(Asia Cup) ମ୍ୟାଚ୍‌ ବେଳେ ଦେଖାଯାଇଥିବା ବିବାଦରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆସିଛି। ଭାରତ ବିପକ୍ଷ ଏସିଆ କପର ସୁପର ୪ ମ୍ୟାଚ୍‌ରେ ଆତଙ୍କୀ ମାନସିକତା ପ୍ରଦର୍ଶନ କରି ଓଦ୍ଧତ୍ୟର ସୀମା ଟପି ଥିବା ପାକିସ୍ତାନର ଦ୍ରୁତ ବୋଲର ହାରିଶ ରୌଫ (Haris Rauf)ଙ୍କୁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରିଛି ଆଇସିସି।

Advertisment

ମ୍ୟାଚ୍‌ ବେଳେ ରୌଫ ପଡ଼ିଆରେ ଯୁଦ୍ଧ ବିମାନର ଇଙ୍ଗିତ କରି ଦର୍ଶକଙ୍କୁ ଉସକାଇବା ଭଳି ସଙ୍କେତ ଦେଇଥିଲେ। ପୂର୍ବରୁ ଏଥିପାଇଁ ରୌଫଙ୍କ ମ୍ୟାଚ୍‌କୁ ଆଇସିସି ୩୦% କାଟି ଦେଇଥିଲା। ଏବେ ତାଙ୍କୁ ୨ଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିବା ଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ ଶୁଣାଣି ପରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। 

ସେହିପରି ଭାରତୀୟ ଟି-୨୦ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ(Suryakumar Yadav)ପାକିସ୍ତାନ ବିପକ୍ଷ ଏସିଆ କପର ଗ୍ରୁପ ପର୍ଯ୍ୟାୟ ମ୍ୟାଚ ପରେ ଦେଇଥିବା ‘ପହଲଗାମ’ ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆଇସିସି। ସୂର୍ଯ୍ୟ କୁମାରଙ୍କ ମ୍ୟାଚ୍‌ ଫି’ ୩୦% କଟା ଯାଇଛି। ଏଥିସହ ତାଙ୍କୁ ୨ଟି ଡିମେରିଟ ପଏଣ୍ଟ ମିଳିଛି। 

Advertisment

ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ୭ ୱିକେଟରେ ହରାଇବା ପରେ ସୂର୍ଯ୍ୟ କୁମାର ଯାଦବ ବିଜୟକୁ ଭାରତୀୟ ସେନା ବାହିନୀକୁ ଉତ୍ସର୍ଗ କରିଥିଲେ। ସେହିପରି ପହଲଗାମ ଆତଙ୍କବାଦୀ ହମଲାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ। ତେବେ ସୂର୍ଯ୍ୟ କୁମାର ଏପରି ବୟାନ ବିରୋଧରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିର ଦ୍ୱାରସ୍ଥ ହୋଇଥିଲା। ଏହାକୁ ପିସିବି ରାଜନୀତିକ ବୟାନ ଭାବେ ଚିତ୍ରିତ କରିଥିଲା ପିସିବି।

ଅଭିଯୋଗ ପରେ ଆଇସିସି ମ୍ୟାଚ୍‌ ରେଫରୀ ରିଚି ରିଚାର୍ଡସନ ବିଧିବଦ୍ଧ ଭାବେ ଏହାର ଶୁଣାଣି କରିଥିଲେ। ସୂର୍ଯ୍ୟ କୁମାର ଅଭିଯୋଗକୁ ଗ୍ରହଣ ନ କରି ଦୋଷ ସ୍ୱୀକାର କରି ନଥିଲେ। ସେ ନିଜ ସପକ୍ଷରେ ଏକାଧିକ ଯୁକ୍ତି ରଖିଥିଲେ।

ହେଲେ ଆଇସିସି ଏହାକୁ ଗ୍ରହଣ କରି ନାହିଁ। ଆଇସିସି (ICC)ସୂର୍ଯ୍ୟ କୁମାରଙ୍କ ଆବେଦନକୁ ଅଗ୍ରାହ୍ୟ କରି ମ୍ୟାଚ୍‌ ଫି’ ୩୦% କାଟି ଦେଇଛି। ଏଥିସହ ଭବିଷ୍ୟତରେ ରାଜନୀତିକ ବୟାନବାଜୀକୁ କ୍ଷାନ୍ତ ରହିଥିବାକୁ ତାଙ୍କୁ କୁହାଯାଇଛି। ସେ ଆଇସିସିର ଆଚରଣ ବିଧିର ଧାରା ୨.୨୧କୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କୁ ଏପରି ଜୋରିମାନା ଲାଗିଛି। 

ହାରିଶଙ୍କ ବ୍ୟତୀତ ପାକିସ୍ତାନ ଓପନର ସାହିବଜାଦା ଫରହାନ(Sahibzada-farhan) ମଧ୍ୟ ଭାରତ ବିପକ୍ଷ ମ୍ୟାଚ୍‌ରେ ବନ୍ଧୁକ ସେଲିବ୍ରେସନ କରିଥିଲେ। ସେ ଅର୍ଦ୍ଧଶତକ ହାସଲ କରିବା ବେଳେ ବ୍ୟାଟକୁ ଏକେ ୪୭ ଭଳି ବ୍ୟବହାର କରି ଗୁଳି ଫୁଟାଇବାର ସଙ୍କେତ ଦେଇଥିଲେ। ଏହା ଆଇସିସି ଆଚରଣ ବିଧିର ଲେଭଲ ୧ ଅପରାଧ ହୋଇଥିବାରୁ ତାଙ୍କୁ ନୋଟିସ କରାଯାଇଥିଲା। ତେବେ ଫରହାନଙ୍କ ବିରୋଧରେ ଆଇସିସି କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ନେଇନି। ତାଙ୍କୁ କେବଳ ଚେତାବନୀ ଓ ଗୋଟିଏ ଡିମେରିଟ ପଏଣ୍ଟ ଦେଇ ଛାଡ଼ି ଦେଇଛି ଆଇସିସି। ଭବିଷ୍ୟତରେ ଏପରି ଆଚରଣ ନ କରିବାକୁ ମଧ୍ୟ ତାଙ୍କୁ କୁହାଯାଇଛି।

ପାକିସ୍ତାନ ପକ୍ଷରୁ ଅର୍ଶଦୀପ ସିଂହ ଓ ଯଶପ୍ରୀତ ବୁମ୍ରାଙ୍କ ବିରୋଧରେ ମଧ୍ୟ ଅଭିଯୋଗ କରାଯାଇଥିଲା। ଆଇସିସି ଅର୍ଶଦୀପ ସିଂହ ଧାରା ୨ର ଉଲ୍ଲଙ୍ଘନ କରିଥିବାର କୌଣସି ପ୍ରମାଣ ଆଇସିସି ପାଇନାହିଁ। କିନ୍ତୁ ବୁମ୍ରା ଗୋଟିଏ ମ୍ୟାଚ୍‌ରେ ରୌଫଙ୍କୁ ଆଉଟ କରିବା ପରେ ଉତ୍ତେଜନା ସୃଷ୍ଟିକାରୀ ଇଙ୍ଗିତ କରିଥିଲେ। ତେଣୁ ତାଙ୍କୁ ଗୋଟିଏ ଡିମେରିଟ ପଏଣ୍ଟ ମିଳିଛି। ଏହାକୁ ବୁମ୍ରା ମଧ୍ୟ ଗ୍ରହଣ କରି ନେଇଛନ୍ତି। 

Asia Cup Haris Rauf sahibzada-farhan