Advertisment

WPLର ପ୍ରଥମ ମ୍ୟାଚ୍‌: ଗର୍ଜିଲା କୌର ଓ କେରଙ୍କ ବ୍ୟାଟ୍‌, ଗୁଜରାଟକୁ ୨୦୮ ରନର ଟାର୍ଗେଟ

ହରମନପ୍ରୀତ କୌର ଓ ନ୍ୟୁଜିଲ୍ୟାଣ୍ଡର ଆମେଲିଆ କେର୍‌। କୌର ମାତ୍ର ୩୦ ବଲରେ ୬୫ ରନର ଇନିଂସ ଖେଳିଥିବା ବେଳେ କେର ୨୪ ବଲରେ ଅପରାଜିତ ୪୫ ରନର ଇନିଂସ ଖେଳିଛନ୍ତି।

author-image
Hemant Lenka
WPL

WPL

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ମହିଳା ପ୍ରିମିୟର ଲିଗ(WPL)ର ପ୍ରଥମ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା ଗୁଜରାଟ ଜିଆଣ୍ଟ୍ସ ସହ ହୋଇଛି। ଏହି ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି ମୁମ୍ବାଇର ଅଧିନାୟକ ହରମନପ୍ରୀତ କୌର ଓ ନ୍ୟୁଜିଲ୍ୟାଣ୍ଡର ଆମେଲିଆ କେର୍‌। କୌର ମାତ୍ର ୩୦ ବଲରେ ୬୫ ରନର ଇନିଂସ ଖେଳିଥିବା ବେଳେ କେର ୨୪ ବଲରେ ଅପରାଜିତ ୪୫ ରନର ଇନିଂସ ଖେଳିଛନ୍ତି।

Advertisment

ଏହି ଦୁଇ ବ୍ୟାଟରଙ୍କ ବିସ୍ଫୋରକ ଇନିଂସ ବଳରେ ଟସ୍‌ ହାରି ଡିୱାଇ ପାଟିଲ ଷ୍ଟାଡିୟମରେ ବ୍ୟାଟିଂ କରୁଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୭ ରନ କରିଛି। ଫଳରେ WPLର ପ୍ରଥମ ମ୍ୟାଚ୍‌ ଜିତିବାକୁ ବେଥ ମୁନିଙ୍କ ଗୁଜରାଟକୁ ଚ୍ୟାଲେଞ୍ଜିଂ ୨୦୮ ରନର ଟାର୍ଗେଟ ମିଳିଛି। ଗୁଜରାଟ ପାଇଁ ଆଶଲେ ଗାର୍ଡନର ଓ ଜର୍ଜିଆ ୱାରେହାମଙ୍କ ଭଳି ଖେଳାଳି ଖେଳୁଥିଲେ ମଧ୍ୟ ମୁମ୍ବାଇ ବ୍ୟାଟରଙ୍କ ଉପରେ ସେମାନେ ସେତେଟା ପ୍ରଭାବ ପକାଇ ପାରି ନାହାନ୍ତି।

ପ୍ରଥମେ ବ୍ୟାଟିଂ କରୁଥିବା ମୁମ୍ବାଇ ୩ୟ ଓଭରରେ ଓପନର ୟାସ୍ତିକା ଭାଟିଆ(୧)ଙ୍କୁ ହରାଇଥିଲା। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନାଟ ସ୍କିଭର ବ୍ରଣ୍ଟ ଓ ଅନ୍ୟତମ ଓପନର ଏଚ୍‌ ମାଥ୍ୟୁସ ଦମଦାର ବ୍ୟାଟିଂ କରି ୯ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୬୯ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୧୮ ବଲରେ ୨୩ ରନ କରିଥିବା ନାଟ ସ୍କିଭରଙ୍କୁ ୱାରେହାମ ଆଉଟ କରି ଦ୍ୱିତୀୟ ଝଟକା ଦେଇଥିଲେ।

Advertisment

ମାଥ୍ୟୁସ ଦମଦାର ବ୍ୟାଟିଂ କରୁଥିବା ବେଳେ ତାଙ୍କୁ ୪୭ ରନରେ ଗାର୍ଡନର ପ୍ୟାଭିଲିୟନ ପଠାଇ ଦେଇଥିଲେ। ଆଉଟ ହେବା ପୂର୍ବରୁ ସେ ୩୧ ବଲରେ ୩ଟି ଚୌକା ଓ ୪ଟି ଛକା ବଳରେ ୪୭ ରନର ଇନିଂସ ଖେଳିଥିଲେ। ୭୭ ରନରେ ତୃତୀୟ ୱିକେଟ ହରାଇଥିବା ମୁମ୍ବାଇକୁ ହରମନପ୍ରୀତ କୌର ଓ କେର ସମ୍ଭାଳିଥିଲେ।

ଉଭୟ କେବଳ ୱିକେଟ ବଞ୍ଚାଇ ନଥିଲେ ବରଂ ଦ୍ରୁତ ଗତିରେ ରନ ସଂଗ୍ରହ ମଧ୍ୟ କରିଥିଲେ। ୧୦ ଓଭର ସୁଦ୍ଧା ଦଳୀୟ ସ୍କୋର ୭୭ ଥିବା ବେଳେ ଆଉ ୭ ଓଭରରେ ଉଭୟ ୮୯ ରନ ଯୋଡ଼ିଥିଲେ। ଏଥିସହ ମ୍ୟାଚ୍‌ର ମୋଡ଼ ମଧ୍ୟ ବଦଳାଇ ଦେଇଥିଲେ। ଏହି ଭାଗିଦାରୀରେ ହରମନପ୍ରୀତ କୌରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ସେ ମାତ୍ର ୨୨ଟି ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୫୦ ରନ ପୂରଣ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ସ୍ନେହ ରାଣା ଆଉଟ କରି ଦେଇଥିଲେ। ଆଉଟ ହେବା ପୂର୍ବରୁ କୌର ୩୦ଟି ବଲରେ ୬୫ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୧୪ଟି ଚୌକା ମାରିଛନ୍ତି।

ହରମନପ୍ରୀତ ଆଉଟ ହେବା ପରେ କେର ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ସେ ବଡ଼ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗକୁ ନେଇଥିଲେ। ତାଙ୍କୁ ପୂଜା ବସ୍ତ୍ରକର ଭରପୂର ସହଯୋଗ କରିଥିଲେ। ୧୯ତମ ଓଭର ପକାଉଥିବା ଗାର୍ଡନରଙ୍କୁ ପୂଜା ୩ଟି ଚୌକା ମାରିଥିଲେ। ଏଥିସହ କେରଙ୍କ ସହ ମିଶି ଏହି ଓଭରରୁ ମୋଟ ୧୫ ରନ ଆଦାୟ କରି ଦଳୀୟ ସ୍କୋରକୁ ୧୯୨ରେ ପହଞ୍ଚାଇଥିଲେ।

ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ସେହ୍ନ ରାଣା। ତାଙ୍କର ପ୍ରଥମ ବଲକୁ କେର ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ। ହେଲେ ଦ୍ୱିତୀୟ ବଲରୁ ମାତ୍ର ୧ ରନ ଆଦାୟ କରିଥିଲେ। ପୂଜା ବସ୍ତ୍ରକର ତୃତୀୟ ବଲରେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ କେବଳ ୧ ରନ ହୋଇଥିଲା। ଏଥିସହ ମୁମ୍ବାଇର ଦଳୀୟ ସ୍କୋର ୨୦୦ ଛୁଇଁଥିଲା।

୪ର୍ଥ ବଲରେ ରାଣା ୧ ରନ ଦେଇଥିଲେ। ୫ମ ବଲରେ ପୂଜା ରୂପରେ ତାଙ୍କୁ ୱିକେଟ ମିଳିଥିଲା। ପୂଜା ୮ ବଲରେ ୧୫ ରନ କରି ଆଉଟ ହୋଇଛନ୍ତି। ଶେଷ ବଲରେ ୱଙ୍ଗ ସାମ୍ନା କରିବା ସହ ଛକା ମାରି ଇନିଂସ ଶେଷ କରିଥିଲେ। ଏହି ଛକା ବଳରେ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ବିଶାଳ ୨୦୭ ରନ କରିଛି। କେର ଶେଷ ଯାଏ ୨୪ ବଲରେ ୪୫ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି। ଏହି ଇନିଂସରେ ସେ ୬ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି।

Cricket Women Cricketers WPL Women Cricket