/odisha-reporter/media/media_files/2026/02/19/kaur-2026-02-19-18-17-51.jpg)
ହରମନପ୍ରୀତ କୌର
ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ହରମନପ୍ରୀତ କୌର(Harmanpreet Kaur) ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ ପାଇଁ କାନବେରାର ମାନୁକା ଓଭାଲକୁ ଓହ୍ଲାଇବା କ୍ଷଣି ତାଙ୍କ ନାଁରେ ଯୋଡ଼ି ହୋଇ ଯାଇଛି ନୂଆ ରେକର୍ଡ।
ଏବେ ସେ ମହିଳା ଅନ୍ତର୍ଜାତୀୟରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ବିଶ୍ୱର ୧ ନମ୍ବର ଖେଳାଳି ବନି ଯାଇଛନ୍ତି। ଆଜି ଅଷ୍ଟ୍ରେଲିଆ ବିପକ୍ଷରେ କୌର ନିଜର ୩୫୬ତମ ଅନ୍ତର୍ଜାତୀୟ ମ୍ୟାଚ୍ ଭାରତ ପାଇଁ ଖେଳିଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ସବୁଠାରୁ ଅଧିକ ମ୍ୟାଚ୍ ଖେଳିଥିବା ତାଲିକାର ୧ନମ୍ବର ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ରହିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ ପାଇଁ ୩୫୫ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ।
ଏବେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ତାଲିକାରେ କୌର ୧ ନମ୍ବରରେ ପହଞ୍ଚି ଯାଇଛନ୍ତି। କୌର ଓ ବେଟ୍ସଙ୍କ ପରେ ୩୦୯ ମ୍ୟାଚ୍ ସହ ଅଷ୍ଟ୍ରେଲିଆର ଏଲିସ ପେରୀ ତୃତୀୟ ଓ ୩୩୩ ମ୍ୟାଚ୍ ସହ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମିତାଲି ରାଜ ୪ର୍ଥ ସ୍ଥାନରେ ଅଛନ୍ତି। ୩୦୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ସହ ଇଂଲଣ୍ଡର କିମ୍ବଦନ୍ତୀ ଖେଳାଳି ଚାର୍ଲୋଟ୍ଟ ଏଡୱାର୍ଡସ ୫ ନମ୍ବରରେ ରହିଛନ୍ତି।
ହରମନପ୍ରୀତ କୌର ୨୦୦୯ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ଏବେ ସେ ୩ଟି ଯାକ ଫର୍ମାଟରେ ଭାରତର ଅଧିନାୟକ। ସେ ଭାରତ ପାଇଁ ୬ଟି ଟେଷ୍ଟ, ୧୬୧ ଦିନିକିଆ ଓ ୧୮୯ ଟି-୨୦ ଖେଳିଛନ୍ତି। ନିଜର ୧୮୯ତମ ଟି-୨୦ରେ ସେ ଭାରତ ପାଇଁ ପୂରା ବିଶ୍ୱରେ ସବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଖେଳାଳି ବନି ଯାଇଛନ୍ତି।
କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ପ୍ରଥମଥର ପାଇଁ ୨୦୨୫ରେ ଦିନିକିଆ ବିଶ୍ୱକପ ଜିତିଥିଲା। ଇଂଲଣ୍ଡରେ ଦଳ ପ୍ରଥମଥର ପାଇଁ ନିକଟରେ ଟି-୨୦ ସିରିଜ କବଜା କରିବାର ରେକର୍ଡ କରିଥିଲା। ଭାରତୀୟ କ୍ରିକେଟ ପ୍ରତି ତାଙ୍କର ଅବଦାନ ପାଇଁ ନିକଟରେ ସରକାର ତାଙ୍କୁ ପଦ୍ମ ଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ।
କୌର ଆଜି ନିଜର ଐତିହାସିକ ମ୍ୟାଚ୍ ଖେଳିଥିଲେ ହେଁ ଭାରତକୁ ନିରାଶ ହେବାକୁ ପଡ଼ିଛି। ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍କୁ ଭାରତ ୨୧ ରନ(ଡିଏଲଏସ୍ ମେଥଡ)ରେ ଜିତି ନେଇଥିଲା। କିନ୍ତୁ ଆଜି ଦଳକୁ ୧୯ ରନରେ ହାରିବାକୁ ପଡ଼ିଛି। ଏଥିସହ ୩ ଟିକିଆ ଟି-୨୦ ସିରିଜ ୧-୧ ସ୍ଥିତିକୁ ଚାଲି ଆସିଛି। ଶେଷ ମ୍ୟାଚ୍ ଆସନ୍ତା ଶନିବାର ଆଡିଲେଡ ଓଭାଲରେ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
