/odisha-reporter/media/media_files/2025/11/03/wc-2025-11-03-13-27-01.jpg)
ଚାମ୍ପିୟନ ଟିମ୍
ଭାରତୀୟ ବୀରଙ୍ଗନାଙ୍କ କଠିନ ପରିଶ୍ରମ, ଉପରବାଲାରେ କୃପା ଓ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ଶେଷରେ କାମ ଦେଇଛି। ୨ ବର୍ଷ ତଳେ ଏହି ନଭେମ୍ବରରେ ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଥିଲା। ୨୦୨୩ ନଭେମ୍ବର ୧୯ ପୁରୁଷ ଦିନିକିଆ ବିଶ୍ୱକପରେ ହାରି ଯାଇଥିଲା ଭାରତ। ହେଲେ ନଭେମ୍ବର ୨ରେ ଇତିହାସ ରଚିଛି ଭାରତୀୟ ମହିଳା କ୍ରିକେଟ ଟିମ।
ନଭେମ୍ବର ୩ ହେବାର ଗୋଟିଏ ମିନିଟ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ ଟିମ ଇତିହାସ ପୃଷ୍ଠାରେ ନିଜର ନାଁ ଲେଖି ଦେଇଛନ୍ତି। ଅଧିନାୟକ ହରମନପ୍ରୀତ କୌର କଭର ଅଞ୍ଚଳରେ କ୍ୟାଚ୍ ଧରିବା କ୍ଷଣି ଭାରତୀୟ ମହିଳା କ୍ରିକେଟରେ ଯୋଡ଼ି ହୋଇ ଯାଇଛି ନୂଆ ଅଧ୍ୟାୟ।
୫୨ ବର୍ଷ ଧରି ରହିଥିବା ଅପେକ୍ଷା ଶେଷରେ ୫୨ ରନରୁ ମିଳିଛି। ରବିବାର ଖେଳା ଯାଇଥିବା ୨୦୨୫ ମହିଳା ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ୫୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଛି। ଭାରତୀୟ ମହିଳା ଦଳ ବିଶ୍ୱ ମୁକୁଟ ଜିତି ନୂଆ ଅଧ୍ୟାୟ ଆରମ୍ଭ କରିଛି। ମହିଳା କ୍ରିକେଟ୍ରେ ନୂଆ ଯୁଗର ଶୁଭାରମ୍ଭ ହୋଇଛି।
୨୦୦୫ ଓ ୨୦୧୭ରେ ଭାରତୀୟ ମହିଳା ଦଳର ହୃଦୟ ଭାଙ୍ଗିଥିଲା। କାରଣ ୨୦୦୫ ଦିନିକିଆ ବିଶ୍ୱକପ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଓ ୨୦୧୭ ଫାଇନାଲ୍ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିଲା ଭାରତୀୟ ମହିଳା କ୍ରିକେଟ ଟିମ। ଏବେ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ଟ୍ରଫି ତୋଳି ଧରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଭାରତୀୟ ବୀରଙ୍ଗନା।
ନବି ମୁମ୍ବାଇର ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ରବିବାର ରାତିରେ ଭାରତୀୟ ମହିଳା ଦଳ(Indian Women Cricket Team) ରୋମାଞ୍ଚକ ଭାବେ ପ୍ରଥମ ଥର ଫାଇନାଲିଷ୍ଟ୍ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି। ପୁରୁଷ ଦଳର ୪ ବିଶ୍ୱକପୁ ମିଶାଇଲେ ଏହା ଭାରତର ପଞ୍ଚମ ଆଇସିସି ଟ୍ରଫି ହୋଇଛି।
ଭାରତୀୟ ପୁରୁଷ କ୍ରିକେଟ ଟିମ ୨ ଥର ଲେଖାଏ ଦିନିକିଆ ଓ ଟି-୨୦ ଟ୍ରଫି ଜିତିଛନ୍ତି। ହେଲେ ପ୍ରଥମଥର ପାଇଁ ମହିଳା ଦଳ ୫୨ ବର୍ଷ ମଧ୍ୟରେ ଦିନିକିଆ ବିଶ୍ୱକପ ଜିତିଛଛି। ଏଥିସହ ମହିଳା ଦିନିକିଆ ବିଶ୍ୱକପରେ ୨୫ ବର୍ଷ ଧରି ଜାରି ରହିଥିବା ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପୂରା ବିଶ୍ୱ ଭାରତ ରୂପରେ ନୂଆ ବିଜେତା ଦେଖିଛି।
୫୨ ବର୍ଷର ଅପେକ୍ଷା ୫୨ ରନରେ ଶେଷ
୧୭୦୦ ମସିହା ଆରମ୍ଭରୁ ବ୍ରିଟିଶରମାନେ ଭାରତକୁ କ୍ରିକେଟ ଆଣିଥିଲେ। ପ୍ରଥମ କ୍ରିକେଟ ମ୍ୟାଚ୍ ୧୭୨୧ରେ ଖେଳା ଯାଇଥିଲା। ଏହାକୁ ଗୁଜରାଟର କୋଲିସ ଖେଳିଥିଲେ ଓ ଗ୍ରହଣ କରିଥିଲେ। କାରଣ ଏମାନେ ଥିଲେ ସମୁଦ୍ର ଲୁଟେରା। କୋଲିସମାନେ ସବୁବେଳେ ବ୍ରିଟିଶ ଜାହାଜକୁ ଲୁଟ କରନ୍ତି। ତେଣୁ ଇଷ୍ଟ ଇଣ୍ଡିଆ କମ୍ପାନୀ ବେଶ ଚତୁରତାର ସହ କ୍ରିକେଟ ଦ୍ୱାରା କୋଲିସଙ୍କୁ ନିୟନ୍ତ୍ରଣ କରିଥିଲା।
ପ୍ରଥମ କ୍ରିକେଟ କ୍ଲବ ବମ୍ବେର ପାର୍ସୀ ସଂପ୍ରଦାୟରେ ପ୍ରତିଷ୍ଠା ହୋଇଥିଲା। ଏହି କ୍ଲବ ନିଜର ପ୍ରଥମ ମ୍ୟାଚ୍ ୧୮୭୭ରେ ୟୁରୋପ ବିରୋଧରେ ଖେଳିଥିଲା। ୧୯୧୧ରେ ଭାରତୀୟ ପୁରୁଷ ଟିମ ତିଆରି ହୋଇଥିଲା ଓ ଏହି ଟିମ ଇଂଲଣ୍ଡ ଯାଇ ଇଂଲିଶ କାଉଣ୍ଟୀ ଟିମ ସହ ମ୍ୟାଚ୍ ଖେଳିଥିଲା। ୧୯୩୨ରେ ଭାରତୀୟ ପୁରୁଷ ଟିମ ପ୍ରଥମଥର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରିଥିଲା। ମହିଳାଙ୍କ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ୧୯୩୪ରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିଲା।
ମହିଳା କ୍ରିକେଟ ବହୁତ ବିଳମ୍ବରେ ଭାରତକୁ ଆସିଥିଲା। ୧୯୭୩ରେ ପ୍ରଥମଥର ପାଇଁ ମହିଳା କ୍ରିକେଟ ଆସୋସିଏସନ ଅଫ ଇଣ୍ଡିଆ ତିଆରି ହୋଇଥିଲା। ଅର୍ଥାତ ୫୨ ବର୍ଷ ତଳେ ଭାରତୀୟ ମହିଳା କ୍ରିକେଟର ମୂଳଦୁଆ ପଡ଼ିଥିଲା। କିନ୍ତୁ ଭାରତୀୟ ମହିଳା ଦଳ ତା’ର ପ୍ରଥମ ଟେଷ୍ଟ ୧୯୭୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲା।
ସେହିପରି ୧୯୭୮ରେ ସାନ୍ତା ରଙ୍ଗାସ୍ୱାମୀଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ପ୍ରଥମ ଟେଷ୍ଟ ବିଜୟ ଇଣ୍ଡିଜ ବିପକ୍ଷରେ ପାଇଥିଲା। ଏହି ମ୍ୟା ପାଟନାର ମୋଇନ ଉଲ ହକ ଷ୍ଟାଡିୟମରେ ଖେଳା ଯାଇଥିଲା। ୧୯୭୩ରେ ଭାରତୀୟ ମହିଳା କ୍ରିକେଟର ମୂଳଦୁଆ ପଡ଼ିଥିଲେ ହେଁ ଆଜି ଯାଏ ଦଳ ଆଇସିସି ଟ୍ରଫି ଜିତି ନଥିଲା। ଦୀର୍ଘ ୫୨ ବର୍ଷ ପରେ ଭାରତୀୟ ମହିଳା ଦଳ ଟ୍ରଫି ଜିତିଛି।
୨୫ ବର୍ଷ ପରେ ବଦଳିଲା ଇତିହାସ
ଦୀର୍ଘ ୨୫ ବର୍ଷର ଅପେକ୍ଷାରେ ରବିବାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ମହିଳା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣରେ ଦୁନିଆକୁ ମିଳିଛି ଭାରତ ରୂପରେ ନୂଆ ବିଜେତା। ୧୯୭୩ରୁ ମହିଳା ଦିନିକିଆ ବିଶ୍ୱକପ ଖେଳା ଯାଉଛି। ସେବେଠାରୁ ୧୨ଟି ବିଶ୍ୱକପ ଫାଇନାଲ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୭ଥର, ଇଂଲଣ୍ଡ ୪ଥର ଓ ନ୍ୟୁଜିଲ୍ୟାଣ୍ଡ ଥରେ ଟ୍ରଫି ଜିତିଥିଲେ।
୧୯୭୩ରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ଓ ଅଷ୍ଟ୍ରେଲିଆ ୧୯୭୮ରେ ଇଂଲଣ୍ଡକୁ ହରାଇ ବିଶ୍ୱକପ ଉଠାଇଥିଲା। ୧୯୮୨ ଓ ୧୯୮୮ରେ ଅଷ୍ଟ୍ରେଲିଆ ପୁଣି ବିଶ୍ୱକପ ଜିତିଥିଲା। ୧୯୯୩ରେ ଇଂଲଣ୍ଡ ଓ ୧୯୯୭ରେ ଅଷ୍ଟ୍ରେଲିଆ ଚାମ୍ପିନୟ ହୋଇଥିଲା।
କିନ୍ତୁ ୨୦୦୦ ମସିହାରେ ଇତିହାସ ବଦଳିଥିଲା। ପ୍ରଥମଥର ପାଇଁ ମହିଳା ଦିନିକିଆ ବିଶ୍ୱକପ ଜିତିଥିଲା ନ୍ୟୁଜିଲ୍ୟାଣ୍ଡ। ନ୍ୟୁଜିଲ୍ୟାଣ୍ଡ ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ ୪ ରନରେ ହରାଇ ଚାମ୍ପିୟନ ହୋଇଥିଲା। ଏହାପରେ କିନ୍ତୁ ବିଶ୍ୱ ଆଉ କୌଣସି ନୂଆ ବିଜେତାକୁ ଦେଖିନାହିଁ। ୨୦୦୯ ଓ ୨୦୧୨ରେ ପୁଣି ଅଷ୍ଟ୍ରେଲିଆ, ୨୦୧୭ରେ
ଇଂଲଣ୍ଡ ଓ ୨୦୨୨ରେ ଅଷ୍ଟ୍ରେଲିଆ ମହିଳା ଦିନିକିଆ ବିଶ୍ୱକପ(ODI World Cup) ଜିତିଥିଲା। ହେଲେ ୨୦୨୫ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ କିମ୍ବା ନ୍ୟୁଜିଲ୍ୟାଣ୍ଡ କେହି ବି ଫାଇନାଲକୁ ଯାଇ ପାରି ନଥିଲେ। ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିଥିଲେ। ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ବିଶ୍ୱକପ ଜିତିଛି।
ଫାଇନାଲ ମ୍ୟାଚ୍ କେମିତି ଥିଲା?
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ସ୍ମୃତି ମନ୍ଧାନାଙ୍କ ୪୫ ରନ୍, ଶେଫାଳି ବର୍ମାଙ୍କ ୮୭ ରନ, ଦୀପ୍ତି ଶର୍ମାଙ୍କ ୫୮ ରନ୍ ଓ ରିଚା ଘୋଷଙ୍କ ମିନି ବିସ୍ଫୋରଣ (୨୪ ବଲ୍ରୁ ୩୪ ରନ୍) ବଳରେ ଭାରତ ୭ ୱିକେଟ ହରାଇ ୨୯୮ ରନ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୋରା ଅଧିନାୟକ ୱଲ୍ଭର୍ଟ ୯୮ ବଲ୍ରୁ ୧୦୧ ରନ୍ ୪୨ତମ ଓଭର ପର୍ଯ୍ୟନ୍ତ ଲଢ଼ିଥିଲେ। କିନ୍ତୁ ଏହା ମ୍ୟାଚ୍ ଜିତିବା ପାଇଁ ଯଥେଷ୍ଟ ହୋଇ ନଥିଲା। ଆନେରି ଡର୍କସେନ୍ (୩୫ ରନ୍)ଙ୍କ ଛଡ଼ା ଅନ୍ୟ କୌଣସି ଦକ୍ଷିଣ ଆଫ୍ରିକା ବ୍ୟାଟର୍ ଭାରତୀୟ ବୋଲିଂ ଆଗରେ ତିଷ୍ଠି ନଥିଲେ।
ଦକ୍ଷିଣ ଆଫ୍ରିକା ପାଳି ୪୫.୩ ଓଭରରେ ୨୪୬ ରନ୍ରେ ଶେଷ ହୋଇଯାଇଥିଲା। ଭେଟେରାନ୍ ଅଲ୍ରାଉଣ୍ଡର୍ ଦୀପ୍ତିଙ୍କ ୫ ୱିକେଟ୍ ଦଖଲ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଦୀପ୍ତିଙ୍କ ବ୍ୟତୀତ ଶେଫାଳି ବର୍ମାଙ୍କ ଅଲ୍ରାଉଣ୍ଡ୍ ପ୍ରଦର୍ଶନ (୮୭ ଓ ୨/୩୬) ବି ଭାରତର ବିଶ୍ୱକପ ଜିତିବା ସ୍ୱପ୍ନକୁ ସାକାର କରିଛି। ଲିଗ୍ ପର୍ଯ୍ୟାୟରେ ଭାରତକୁ ହରାଇଥିବା ଡି’କ୍ଲର୍କଙ୍କ କ୍ୟାଚ୍ ନେଇ ଅଧିନାୟକା ହରମନପ୍ରୀତ କୌର୍ ମଧ୍ୟ ୧୯୮୩ ସ୍ମୃତିକୁ ତାଜା କରିଛନ୍ତି।
୧୯୮୩ରେ ଭାରତୀୟ ପୁରୁଷ ଟିମର ଅଧିନାୟକ କପିଲ ଦେବ କ୍ୟାଚ୍ ଧରିବା କ୍ଷଣୀ ଭାରତ ଚାମ୍ପିୟନ ହୋଇଥିଲା। ଶେଫାଳି ଫାଇନାଲ୍ର ଓ ଦୀପ୍ତି (୨୧୫ ରନ୍, ୨୨ ୱିକେଟ୍) ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟିକା ଲୌରା ଓଲ୍ଭର୍ଟ ୫୭୧ ରନ୍ କରି ଏହି ବିଶ୍ୱକପ୍ର ଅଗ୍ରଣୀ ବ୍ୟାଟର୍ ସମ୍ମାନ ବି ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
