/odisha-reporter/media/post_attachments/uploads/2021/04/MI1.jpg)
MI1
ଚେନ୍ନାଇ: ଆଇପିଏଲ ୧୪ର ପ୍ରଥମ ମ୍ୟାଚ୍କୁ ଜିତିବା ପାଇଁ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୬୨ ରନ୍ର ଟାର୍ଗେଟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରୋହିତ ଶର୍ମାଙ୍କ ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭର୍ରେ ୯ ୱିକେଟ ହରାଇ ମାତ୍ର ୧୫୯ ରନ୍ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ କ୍ରିସ୍ ଲୀନ ସର୍ବାଧିକ ୪୯ ରନ୍ କରିଛନ୍ତି।
ଆରସିବି ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୫ଟି ୱିକେଟ ନେଇ ମୁମ୍ବାଇ ବ୍ୟାଟିଂ ଲାଇନ୍ ଅପ୍କୁ ଛିନଛତ୍ର କରିଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହର୍ଷଲ ତାଙ୍କ ପ୍ରଥମ ଓଭର୍ରେ ୧୫ ରନ୍ ବ୍ୟୟ କରିଥିଲେ। ହେଲେ ଇନିଂସ ତଥା ନିଜର ଶେଷ ଓଭର୍ରେ ସେ ୩ଟି ୱିକେଟ ଦଖଲ କରିଛନ୍ତି। ଶେଷ ବଲ୍ରେ ରାହୁଲ ଚହର ରନ୍ ଆଉଟ ମଧ୍ୟ ହୋଇଛନ୍ତି। ଏହାର ଅର୍ଥ ମୁମ୍ବାଇ ଶେଷ ୬ ବଲ୍ରେ ୪ଟି ୱିକେଟ ହରାଇ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଛି।
ବିନା ଦର୍ଶକରେ ଚେନ୍ନାଇରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ବିରାଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ମୁମ୍ବାଇ ପାଇଁ ପ୍ରଥମ ମ୍ୟାଚ୍ ଖେଳୁଥିବା କ୍ରିସ୍ ଲୀନ୍ଙ୍କ ସହ ଅଧିନାୟକ ରୋହିତ ଶର୍ମା ଇନିଂସ୍ ଆରମ୍ଭ କରିଥିଲେ। ରୋହିତ ଭଲ ଆରମ୍ଭ କରିଥିଲେ ହେଁ ୧୫ ବଲ୍ରେ ୧୯ ରନ୍ କରି ରନ୍ ଆଉଟ ହୋଇଯାଇଥିଲେ।
ଏହାପରେ ଲୀନ୍ ବଡ଼ବଡ଼ ଶଟ୍ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତାଙ୍କୁ ଇନଫର୍ମ ସୂର୍ଯ୍ୟକୁମାର ଯାଦବ ଭରପୂର ସହଯୋଗ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୭୦ ରନ୍ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ଏହି ସମୟରେ କାୟଲ ଜାମିସନ ୩୧ ରନ୍ କରିଥିବା ସୂର୍ଯ୍ୟ କୁମାରଙ୍କୁ ଆଉଟ କରିଦେଥିଲେ।
ଲୀନ୍ ମଧ୍ୟ ୪୯ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଶିକାର ବନିଥିଲେ। ଈଶାନ କିଶନ (୨୮) ଓ ହାର୍ଦ୍ଦିକ ପାଣ୍ଡ୍ୟା(୧୩) ହର୍ଷ ପଟେଲଙ୍କ ବଲରେ ଆଉଟ ହେବାକୁ ଦଳୀୟ ସ୍କୋର ସାମାନ୍ୟ ଧିମା ହୋଇଯାଇଥିଲା। ଏକଦା ୨୦୦ରୁ ଅଧିକ ରନ୍ ସ୍କୋରକୁ ଲକ୍ଷ୍ୟ ରଖିଥିବା ମୁମ୍ବାଇ ୧୬୦ ରନ୍ ଅତିକ୍ରମ କରିବାକୁ ସଂଘର୍ଷ କରିଥିଲା।
କୃନାଲ ପାଣ୍ଡ୍ୟା(୭) ବଡ଼ ଶଟ୍ ଖେଳି ଶେଷ ଓଭର୍ର ପ୍ରଥମ ବଲ୍ରେ ହର୍ଷଲ ପଟେଲଙ୍କ ତୃତୀୟ ଶିକାର ବନିଥିଲେ। ଏହାର ପରବର୍ତ୍ତୀ ବଲ୍ରେ ସେ ବିସ୍ଫୋରକ କାଏରନ ପୋଲାର୍ଡ(୭)ଙ୍କ ୱିକେଟ ନେଇ ମୁମ୍ବାଇକୁ ସଂପୂର୍ଣ୍ଣ ବ୍ୟାକଫୁଟ୍କୁ ଠେଲି ଦେଇଥିଲେ। ସେହି ଓଭର୍ର ୪ର୍ଥ ବଲ୍ରେ ସେ ଡେବ୍ୟୁଟାଣ୍ଟ ମାରକୋ ଜାନ୍ସେନ୍ଙ୍କୁ କ୍ଲିନବୋଲ୍ଡ କରି ପ୍ରଥମଥର ପାଇଁ ଆଇପିଏଲ୍ରେ ୫ ୱିକେଟ ଦଖଲ କରିବାର ଗୌରବ ହାସଲ କରିଥିଲେ। ଶେଷ ବଲ୍ରେ ଯଶପ୍ରୀତ ବୁମ୍ରା ୧ ରନ୍ କରିବାକୁ ମୁମ୍ବାଇ ୯ ୱିକେଟ ହରାଇ ୧୫୯ ରନ୍ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
