/odisha-reporter/media/media_files/2025/10/25/rana-2025-10-25-13-01-33.jpg)
୪ ୱିକେଟ ନେଇଥିବା ରାଣାଙ୍କ ସହ ଗିଲ ଓ ରୋହିତ
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରି ସାରିଥିବା ଭାରତକୁ ସମ୍ମାନ ରକ୍ଷା କରିବା ପାଇଁ ମିଳିଛି ୨୩୭ ରନର ଟାର୍ଗେଟ। ଶେଷ ଦିନିକିଆରେ ଘରୋଇ ଅଷ୍ଟ୍ରେଲିଆ ୨୩୬ ରନରେ ଅଲଆଉଟ ହୋଇଯାଇଛି। ସିଡ୍ନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିଲେ ହେଁ କଙ୍ଗାରୁ ଟିମ(India Vs Australia) ପୂରା ୫୦ ଓଭର ଖେଳିବାକୁ ସକ୍ଷମ ହୋଇନାହିଁ।
ଦଳ ୪୬.୪ ଓଭରରେ ୨୩୬ ରନ କରିବାକୁ ସକ୍ଷମ ହୋଇଛି। ପ୍ରଥମ ଦୁଇଟି ଦିନିକିଆ(ODI) ହାରି ସାରିଥିବା ଶୁବମନ ଗିଲଙ୍କ ଭାରତକୁ ଶେଷ ମ୍ୟାଚ୍ ଜିତିବାକୁ କେବଳ ୨୩୭ ରନ କରିବାକୁ ପଡ଼ିବ।
ଭାରତ ପକ୍ଷରୁ ହର୍ଷିତ ରାଣା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ୱାଶିଂଟନ ସୁନ୍ଦର ୨ଟି, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆକୁ ଅଧିନାୟକ ମିଚେଲ ମାର୍ଶ ଓ ଡ୍ରାଭିସ ହେଡ୍ ଠିକଠାକ ଆରମ୍ଭ ଦେଇଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୬୧ ରନ ମଧ୍ୟ ଯୋଡ଼ି ଦେଇଥିଲେ। କିନ୍ତୁ ୧୦ମ ଓଭରର ପ୍ରଥମ ବଲରେ ମହମ୍ମଦ ସିରାଜ ୨୫ ବଲରେ ୨୯ ରନ କରିଥିବା ହେଡଙ୍କୁ କ୍ରିଷ୍ଣାଙ୍କ ହାତରେ କ୍ୟାଚ ଆଉଟ କରାଇ ଭାରତକୁ ପ୍ରଥମ ସଫଳତା ଦେଇଥିଲେ।
ଦ୍ୱିତୀୟ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିବା ମାଥ୍ୟୁ ଶର୍ଟଙ୍କୁ ମଧ୍ୟ ଭଲ ସାର୍ଟ ମିଳିଥିଲା। ସେ ମାର୍ଶଙ୍କ ମିଶି ସ୍ଥିତି ଆଗକୁ ନେଇଥିଲେ। କିନ୍ତୁ ଦଳୀୟ ସ୍କୋର ୮୮ ରନ ଥିବା ବେଳେ ୪୧ ରନ କରିଥିବା ମାର୍ଶଙ୍କୁ କ୍ଲିନବୋଲ୍ଡ କରିଦେଇଥିଲେ। ଶର୍ଟ ଓ ମ୍ୟାଟ ରେନଶ’ ଅଷ୍ଟ୍ରେଲିଆ ସ୍କୋର ୧୦୦ ପାର କରିବା ସହ ମିଡିଲ ଓଭରରେ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।
ହେଲେ ସୁନ୍ଦରଙ୍କ ବଳରେ ୩୦ ରନ କରି ଆଉଟ ହୋଇଯାଇଥିଲେ ଶର୍ଟ। ରେନ ଶ’ ଅର୍ଦ୍ଧଶତକ ହାସଲ କରିବା ସହ ଆଲେକ୍ସ କେରୀଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଦଳର ସ୍କୋର ୧୮୩ ଥିବା ବେଳେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ଘରୋଇ ଟିମ।
ହର୍ଷିତ ରାଣା ନିଜର କମବ୍ୟାକ ଓଭରରେ ପ୍ରଥମେ କେରୀ(୨୩) ଓ ପରେ ମିଚେଲ ଓୱେନ(୧)ଙ୍କୁ ଆଉଟ କରିଥିଲେ। ରେନ ଶ’ (୫୬) ବଡ଼ ଶଟ ଖେଳିବାକୁ ଯାଇ ସୁନ୍ଦରଙ୍କ ବଲରେ LBW ହୋଇଯାଇଥିଲେ।
ମିଚେଲ ଷ୍ଟାର୍କ(୨)ଙ୍କୁ ବୋଲ୍ଡ କରିଥିଲେ କୁଲଦୀପ। ନାଥନ ଏଲିସ(୧୬) ବେଶୀ କିଛି କରିପାରି ନଥିଲେ। କୁପର କନୋଲୀ ମଧ୍ୟ କେବଳ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ।
ଶେଷରେ ହର୍ଷିତ ରାଣା ଖାତା ଖୋଲିବା ପୂର୍ବରୁ ଜୋଶ ହାଜେଲଉଡଙ୍କୁ କ୍ଲିନବୋଲ୍ଡ କରି କଙ୍ଗାରୁ ଟିମର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲିଆ ୪୬.୪ ଓଭରରେ ୨୩୬ ରନ କରି ଅଲଆଉଟ ହୋଇଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
