ଶତକ ପରେ ହେଡ୍
ଗୋଟିଏ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆଶେସ ସିରିଜ(Test Cricket)ର ପ୍ରଥମ ଟେଷ୍ଟ ମାତ୍ର ୨ ଦିନରେ ଶେଷ ହୋଇ ଯାଇଛି। ଆଶେସ ସିରିଜର କୌଣସି ମ୍ୟାଚ୍ ଦୁଇ ଦିନରେ ଶେଷ ହେବା ବିରଳ ଘଟଣା। ପ୍ରଥମ ଦିନର ୱିକେଟ ବର୍ଷା ପରେ ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଦେଖାଇଛି ତା’ର ଦବଦବା। ୮ ୱିକେଟରେ ଇଂଲଣ୍ଡକୁ ହରାଇ ଆଶେସ ସିରିଜରେ ୧-୦ରେ ଆଗୁଆ ହୋଇଛି ଘରୋଇ ଅଷ୍ଟ୍ରେଲିଆ।
ପ୍ରଥମ ଦିନରେ ୧୯ ୱିକେଟର ପତନ ପରେ ଆଜି ପର୍ଥରେ ଆଉ ୧୩ ୱିକେଟ ଯାଇଛି। କିନ୍ତୁ ୱିକେଟର ଝଡ଼ ଭିତରେ ଟ୍ରାଭିସ ହେଡ୍ ଖେଳିଛନ୍ତି ବିସ୍ଫୋରକ ଶତକୀୟ ଇନିଂସ। ସେ ବିସ୍ଫୋରକ ୧୨୩ ରନର ଇନିଂସ ଖେଳି ଅଷ୍ଟ୍ରେଲିଆକୁ ୮ ୱିକେଟର ବିଜୟ ଭେଟି ଦେଇଛନ୍ତି। ଅଷ୍ଟ୍ରେଲିଆ ମ୍ୟାଚ୍ ଜିତିବାକୁ ୨୦୫ ରନର ଆବଶ୍ୟକ କରୁଥିବା ବେଳେ ହେଡ୍ଙ୍କ ବିସ୍ଫୋରଣ ଯୋଗୁ ମାତ୍ର ୨୮.୨ ଓଭରରେ ଏହାକୁ ହାସଲ କରି ନେଇଛି। ହେଡଙ୍କ ବ୍ୟାଟରୁ ବାହାରିଛି ଆଶେସ ଟେଷ୍ଟ ଇତିହାସର ଦ୍ୱିତୀୟ ଦ୍ରୁତତମ ଶତକ। ସେ ମାତ୍ର ୬୯ ବଲରେ ଶତକ ହାସଲ କରିଛନ୍ତି।
ଆଶେସ ଟେଷ୍ଟ(Test Match)ରେ ଦ୍ରୁତତମ ଶତ ରେକର୍ଡ ଆଡାମ ଗିଲଖ୍ରୀଷ୍ଟଙ୍କ ନାଁରେ ରହିଛି। ସେ ୨୦୦୬-୦୭ ଆଶେସରେ ମାତ୍ର ୫୭ ବଲରେ ଶତକ ହାସଲ କରିଥିଲେ। ଆଜି ହେଡ ୬୯ ବଲରେ ଶତକ ମାରିଛନ୍ତି। ଏହାପରେ ହେଡ୍ ୧୨୩ ରନର ଇନିଂସ ଖେଳି ଆଉଟ ହୋଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ୍ ଜିତିବା ଏକପ୍ରକାରର ନିଶ୍ଚିତ କରି ଦେଇଥିଲେ। ୮୩ ବଲରେ ହେଡ ୧୨୩ ରନ କରିଛନ୍ତି। ଏହି ଇନିଂସରେ ସେ ୧୬ଟି ଚୌକା ଓ ୪ଟି ବିଶାଳ ଛକା ମାରିଛନ୍ତି।
ହେଡଙ୍କ ବ୍ୟତୀତ ମାର୍ନସ ଲାବୁଶେନ ୫୧ ରନ କରି ଶେଷ ଯାଏ ଅପରାଜିତ ରହିଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଡେବ୍ୟୁଟାଣ୍ଟ ଜ୍ୟାକ ୱେଦରଲାଡ ୨୩ ଓ ଅଧିନାୟକ ଷ୍ଟିଭ ସ୍ମିଥ ଅପରାଜିତ ୨ ରନ ଖେଳିଛନ୍ତି।
ପ୍ରଥମ ଇନିଂସରେ ମିଚେଲ ଷ୍ଟାର୍କଙ୍କ ଘାତକ ୭ ୱିକେଟ ଦଖଲ ଯୋଗୁ ଇଂଲଣ୍ଡ ମାତ୍ର ୧୭୨ ରନରେ ଅଲଆଉଟ ହୋଇ ଯାଇଥିଲା। ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବେନ ଷ୍ଟୋକ୍ସଙ୍କ ୫, ବ୍ରାୟଡନ କାର୍ସେଙ୍କ ୩ ଓ ଜୋଫ୍ରା ଆର୍ଚରଙ୍କ ୨ ୱିକେଟ ସଫଳତା ଯୋଗୁ ୧୩୨ ରନରେ ଅଲଆଉଟ ହୋଇ ଯାଇଥିଲା।
ଘରୋଇ ପରିବେଶରେ ଦଳ ପ୍ରଥମ ଦିନରେ ୯ ୱିକେଟ ହରାଇ ୧୨୩ ରନ କରିଥିଲା। ପ୍ରଥମ ଦିନର ଖେଳ ଶେଷ ବେଳକୁ ଅପରାଜିତ ଥିବା ଡେବ୍ୟୁଟାଣ୍ଟ ବ୍ରେଣ୍ଡନ ଡୋଗେଟ୍ଟ(୦) ଓ ନାଥନ ଲାୟନ(୩) ଆଜି ବେଶୀ କିଛି କରି ପାରି ନଥିଲେ। ଅଷ୍ଟ୍ରେଲିଆ ଇନିଂସ ୧୩୨ରେ ଅଟକି ଯାଇଥିଲା।
ପ୍ରଥମ ଇନିଂସରେ ଇଂଲଣ୍ଡକୁ ଗୁରୁତ୍ୱପୂର୍ଣ୍ଣ ୪୦ ରନର ଲିଡ ପାଇଥିଲା। ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପ୍ରଥମ ଓଭରରେ ଜ୍ୟାକ କ୍ରଉଲୀ(୦)ଙ୍କୁ ହରାଇଥିଲେ ହେଁ ବେନ ଡକେଟ(୨୮) ଓ ଓଲି ପପ(୩୩) ଲଢ଼େଇ କରିଥିଲେ। କିନ୍ତୁ ସ୍କଟ ବୋଲାଣ୍ଡ ଉଭୟଙ୍କୁ ଆଉଟ କରିବା ପରେ ତାସର ଘର ଭଳି ଷ୍ଟାର୍କ ଇଂଲଣ୍ଡ ଇନିଂସକୁ ଛିନଛତ୍ର କରି ଦେଇଥିଲେ। ତାଙ୍କୁ ବୋଲାଣ୍ଡ ମଧ୍ୟ ସହଯୋଗ କରିଥିଲେ।
ଜୋ ରୁଟ(୮), ହ୍ୟାରୀ ବ୍ରୁକ(୦), ବେନ ଷ୍ଟୋକ୍ସ(୨), ଜେମି ସ୍ମିଥ(୧୫) ରନ କରିବାକୁ ସକ୍ଷମ ହୋଇଥିଲେ। ବ୍ରାୟଡନ କାର୍ସେ ୩୭ ରନ ଓ ଗସ ଅଟକିନସନ ୨୦ ରନ କରିବାକୁ ଇଂଲଣ୍ଡର ସ୍କୋର ୧୫୦ ଅତିକ୍ରମ କରିଥିଲା। କିନ୍ତୁ ଦଳ ୧୬୪ ରନରେ ଅଲଆଉଟ ହୋଇଯିବାରୁ ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତିବା ପାଇଁ ମିଳିଥିଲା ୨୦୫ ରନର ଟାର୍ଗେଟ।
ଦ୍ୱିତୀୟ ଇନିଂସରେ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ବୋଲାଣ୍ଡ ୫ଟି ଓ ଡେବ୍ୟୁଟାଣ୍ଟ ବ୍ରେଣ୍ଡନ ଡୋଗେଟ୍ଟ ୨ଟି ସଫଳତା ପାଇଛନ୍ତି।
ଚା’ ପାନ ବିରତୀ ପରେ ଅଷ୍ଟ୍ରେଲିଆ ଚେଜ ଆରମ୍ଭ କରିଥିଲା। ଦଳର ନିୟମିତ ଉସମାନ ଖ୍ୱାଜା ଆହତ ହୋଇଥିବାରୁ ହେଡ ଓ ୱେଦରଲାଡ ଇନଂସ ଆରମ୍ଭ କରିଥିଲେ। ପ୍ରଥମ ଇନିଂସରେ ଲାବୁଶେନ ଓପନ କରିଥିଲେ ହେଁ ଏହା ଫଳପ୍ରଦ ହୋଇ ନଥିଲା। ତେଣୁ ଡେଡ୍ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ।
ଏହା ଦଳକୁ ଜବରଦସ୍ତ ଫାଇଦା ଦେଇଥିଲା। ସେ ଆରମ୍ଭରୁ ଆଟାକିଂ ଶଟ ମାରି ଇଂଲଣ୍ଡ ବୋଲରଙ୍କୁ ସେଟ ହେବାକୁ ଦେଇ ନଥିଲେ। ତେବେ ୱେଦରଲାଡ ୨୩ ରନ କରି କାର୍ସେଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ହେଡ ଓ ଲାବୁଶେନ ଦଳୀୟ ସ୍କୋରକୁ ୯୨ରୁ ନେଇ ୧୯୨ରେ ପହଞ୍ଚାଇ ଦେଇଥିଲେ। ଏହା ମଧ୍ୟରେ ହେଡଙ୍କ ବ୍ୟାଟରୁ ଅନେକ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା।
୨୦୧୭ ପରେ ଅଷ୍ଟ୍ରେଲିଆ ଓପନର ଭାବେ ହେଡଙ୍କ ବ୍ୟାଟରୁ ଆଶେସର କୌଣସି ମ୍ୟାଚରେ ଶତକ ଦେଖିବାକୁ ମିଳିଥିଲା। ୨୦୧୭ରେ ଡାଭିଡ ୱାର୍ଣ୍ଣର ଶତକ ମାରିଥିଲେ। ହେଲେ କାମଚଳା ଓପନର ଭାବେ ହେଡ(Travis Head) ଦମଦାର ଶତକ ହାସଲ କରିଛନ୍ତି।
ସେ କେବଳ ଶତକ ହାସଲ କରି ନାହାନ୍ତି, ବରଂ ଅଷ୍ଟ୍ରେଲିଆକୁ ବିଜୟ ଭେଟି ଦେଇଛନ୍ତି। ତେବେ ମ୍ୟାଚ୍ରେ ୧୦ ୱିକେଟ(ପ୍ରଥମ ଇନିଂସରେ ୭ ଓ ଦ୍ୱିତୀୟ ଇନିଂସରେ ୩) ନେଇଥିବା ଷ୍ଟାର୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/22/head-2025-11-22-15-43-47.jpg)