Advertisment

ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ୮ ବର୍ଷ ବାସନ୍ଦ

ଦୁବାଇ: ଜିମ୍ବାୱେର ପୂର୍ବତନ ହିଥ୍ ଷ୍ଟ୍ରିକ୍ ୮ ବର୍ଷ ଲାଗି କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଆଣ୍ଟି କରପସନ୍ କୋଡ୍‌ର ଉଲ୍ଲଙ୍ଘନ କରିଥିବାରୁ ଷ୍ଟ୍ରିକଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି। ଷ୍ଟ୍ରିକ୍ ମଧ୍ୟ ଦୁର୍ନୀତି ରୋକିବା ପାଇଁ ଧାର୍ଯ୍ୟ ନିୟମର ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଛନ୍ତି। ଯାହା ପରେ ଆଇସିସି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଷ୍ଟ୍ରିକ୍ ସ୍ୱୀକାର କରିଛନ୍ତି ଯେ ସେ ଆଇସିସି ଆଣ୍ଟି କରପସନ୍ କୋଡର ୫ଟି ନିୟମର ଉଲ୍ଲଙ୍ଘନ […]

author-image
Ranjit Kumar Jena
ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର୍ ୮ ବର୍ଷ ବାସନ୍ଦ

heath-Streak

ଦୁବାଇ: ଜିମ୍ବାୱେର ପୂର୍ବତନ ହିଥ୍ ଷ୍ଟ୍ରିକ୍ ୮ ବର୍ଷ ଲାଗି କ୍ରିକେଟରୁ ବାସନ୍ଦ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଆଣ୍ଟି କରପସନ୍ କୋଡ୍‌ର ଉଲ୍ଲଙ୍ଘନ କରିଥିବାରୁ ଷ୍ଟ୍ରିକଙ୍କୁ ଏହି ଦଣ୍ଡାଦେଶ ଶୁଣାଯାଇଛି। ଷ୍ଟ୍ରିକ୍ ମଧ୍ୟ ଦୁର୍ନୀତି ରୋକିବା ପାଇଁ ଧାର୍ଯ୍ୟ ନିୟମର ଉଲ୍ଲଙ୍ଘନ କରିଥିବା ସ୍ୱୀକାର କରିଛନ୍ତି। ଯାହା ପରେ ଆଇସିସି ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଷ୍ଟ୍ରିକ୍ ସ୍ୱୀକାର କରିଛନ୍ତି ଯେ ସେ ଆଇସିସି ଆଣ୍ଟି କରପସନ୍ କୋଡର ୫ଟି ନିୟମର ଉଲ୍ଲଙ୍ଘନ କରିଛନ୍ତି।

Advertisment

ଆଇସିସିର ଇଣ୍ଟିଗ୍ରିଟୀ ୟୁନିଟର ଜେନେରାଲ ମ୍ୟାନେଜର୍ ଆଲେକ୍ସ ମାର୍ଶାଲ୍ କହିଛନ୍ତି, ‘ଅଭିଜ୍ଞ ପୂର୍ବତନ କ୍ରିକେଟର ଏବଂ ଜାତୀୟ ଦଳର କୋଚ୍ ରହିଆସିଥିବା ହିଥ୍ ଷ୍ଟ୍ରିକ୍ ଆଣ୍ଟି-କରପସନ୍ ଶିକ୍ଷା ସଂସ୍କରଣରେ ଭାଗ ନେଇଥିଲେ ଏବଂ ସେ କୋଡ୍ ଅନ୍ତର୍ଗତ ନିଜର ସବୁ ଦାୟିତ୍ୱ ବିଷୟରେ ସମ୍ପୂର୍ଣ୍ଣ ଅବଗତ ଥିଲେ। ଜଣେ ପୂର୍ବତନ କ୍ୟାପଟେନ୍ ଓ କୋଚ୍ ଭାବେ ଖେଳର ଅଖଣ୍ଡତା ବଜାୟ ରଖିବା ତାଙ୍କର ଦାୟିତ୍ୱ ଥିଲା। ସେ ଅନେକ ସମୟରେ ଖେଳର କୋଡ୍ ଉଲ୍ଲଙ୍ଘନ କରିଛନ୍ତି, ଯେଉଁଥିରେ ଚାରି ଅନ୍ୟ ଖେଳାଳିଙ୍କୁ ସହାୟତା କରିବା ସାମିଲ୍ ଅଛି। ସେ ମଧ୍ୟ ତଦନ୍ତରେ ବାଧା ପହଞ୍ଚାଇବା ସହ ଏହାକୁ ବିଳମ୍ବ କରିବାକୁ ପ୍ରୟାସ କରିଛନ୍ତି। ଏହି ସବୁ ଅଭିଯୋଗ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଯଥେଷ୍ଟ ଥିଲା।’

ଜିମ୍ବାୱେର ଅନ୍ୟତମ ମହାନ୍ ବୋଲର ଷ୍ଟ୍ରିକ୍ ୨୦୧୭ ଓ ୨୦୧୮ ଭିତରେ ଖେଳାଯାଇଥିବା ଏକାଧିକ ମ୍ୟାଚକୁ ନେଇ ସନ୍ଦେହ ଘେରରେ ଥିଲେ। କୋଚ୍ ଭାବେ ତାଙ୍କ ଉପରେ କିଛି ମ୍ୟାଚରେ ଆଣ୍ଟି କରପସନ୍ କୋଡର ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ରହିଥିଲା। ଏହି ମୁକାବିଲା ଗୁଡ଼ିକ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ୍, ଆଇପିଏଲ, ବାଂଲାଦେଶ ପ୍ରିମିୟର ଲିଗ୍ ଏବଂ ଆଫଗାନିସ୍ତାନ ପ୍ରିମିୟର୍ ଲିଗର ମ୍ୟାଚ୍ ସାମିଲ୍ ଅଛି। ନିଜ ଉପରେ ଲାଗିଥିବା ଅଭିଯୋଗ ବିରୋଧରେ ଷ୍ଟ୍ରିକ୍ ଅପିଲ୍ କରିଥିଲେ, କିନ୍ତୁ ଶେଷରେ ସେ ନିଜ ଭୁଲ୍ ମାନିଛନ୍ତି। ଏବେ ଷ୍ଟ୍ରିକ୍ ୮ ବର୍ଷ ପର୍ଯ୍ୟନ୍ତ କ୍ରିକେଟର କୌଣସି ଗତିବିଧିରେ ଅଂଶଗ୍ରହଣ କରିପାରିବେ ନାହିଁ।

Advertisment

ହିଥ୍ ଷ୍ଟ୍ରିକ୍ ଜିମ୍ବାୱେ ପକ୍ଷରୁ ୬୫ ଟେଷ୍ଟ ଓ ୧୮୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଡାହାଣହାତୀ ଏହି ସୁଇଂ ବୋଲର ଟେଷ୍ଟରେ ୨୧୬ ଓ ଦିନିକିଆରେ ୨୩୯ ୱିକେଟ୍ ନେଇଛନ୍ତି। କେବଳ ଏତିକି ନୁହେଁ ଷ୍ଟ୍ରିକ୍ ଟେଷ୍ଟରେ ୧୯୯୦ ରନ୍ ଓ ଦିନିକିଆରେ ୨୯୪୨ ରନ୍ କରିଛନ୍ତି। ୨୦୦୫ରେ ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ। ଏହା ପରେ ସେ ଇଂଲଣ୍ଡର ୱାରୱିକଶାୟର୍ କ୍ରିକେଟ୍ କ୍ଲବର କ୍ୟାପଟେନ୍ ହୋଇଥିଲେ।