Advertisment

୫ରେ ବିରାଟଙ୍କ ଜନ୍ମଦିନ, ତା’ ପୂର୍ବରୁ ବଡ଼ କଥା କହିଲେ ମହମ୍ମଦ ରିଜୱାନ

ପୂରା ଷ୍ଟାଡିୟମକୁ ବିରାଟମୟ କରିବା ପାଇଁ ଆସୋସିଏସନ ପକ୍ଷରୁ ୭୦ ହଜାର ‘ବିରାଟ ମାସ୍କ’ ଲୋକଙ୍କୁ ବଣ୍ଟା ଯିବ।

author-image
Hemant Lenka
Virat

Virat

ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ଆସନ୍ତା ୫ ତାରିଖରେ ୩୫ ବର୍ଷ ବୟସରେ ପାଦ ଦେବେ। ୫ ନଭେମ୍ବର ହେଉଛି ବିରାଟଙ୍କ ଜନ୍ମଦିନ। ନିଜ ଜନ୍ମଦିନରେ ବିରାଟ ଐତିହାସିକ ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବେ।

Advertisment

ଏହାକୁ ସ୍ପେଶାଲ କରିବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତ କରିଛି। ବିରାଟଙ୍କୁ ରବିବାର ସ୍ୱତନ୍ତ୍ର ଉପହାର ଦିଆଯିବ। ପୂରା ଷ୍ଟାଡିୟମକୁ ବିରାଟମୟ କରିବା ପାଇଁ ଆସୋସିଏସନ ପକ୍ଷରୁ ୭୦ ହଜାର ‘ବିରାଟ ମାସ୍କ’ ଲୋକଙ୍କୁ ବଣ୍ଟା ଯିବ। ବିରାଟ ପଡ଼ିଆକୁ ଆସିବା କ୍ଷଣି ସମସ୍ତେ ଏହି ମାସ୍କକୁ ପିନ୍ଧି ତାଙ୍କୁ ସ୍ୱାଗତ କରିବେ।

ରବିବାର ବିରାଟଙ୍କ ଜନ୍ମ ଦିନ ହୋଇଥିବା ବେଳେ ତାଙ୍କୁ ଆଗୁଆ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନର ୱିକେଟ କିପର ବ୍ୟାଟର ମହମ୍ମଦ ରିଜୱାନ। ଆଜି ଇଡେନ ଗାର୍ଡେନ୍ସରେ ପାକିସ୍ତାନର ମୁକାବିଲା ବାଂଲାଦେଶ ସହ ହେଉଛି। ଏହାପୂର୍ବରୁ ରିଜୱାନ ବେଶ ଚମତ୍କାର ଢଙ୍ଗରେ ଇଡେନ ପଡ଼ିଆରେ ଅଭ୍ୟାସ କରିଥିଲେ।

Advertisment

ଏହି ଅଭ୍ୟାସ ବେଳେ ସେ ଗଣମାଧ୍ୟମ ସହ ବେଶ କିଛି ସମୟ ବିତାଇଥିଲେ। ତାଙ୍କୁ ଇଡେନରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ସମ୍ପର୍କରେ ପଚରା ଯାଉଥିଲା। ଏଥିସହ ରବିବାର ବିରାଟଙ୍କ ଜନ୍ମ ଦିନ ମଧ୍ୟ ପଡ଼ୁଥିବା ରିଜୱାନଙ୍କୁ କୁହାଯିବାରୁ ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରିଜୱାନ କହିଛନ୍ତି, “ବିରାଟଙ୍କ ଜନ୍ମ ଦିନ ନଭେମ୍ବର ୫ରେ ବୋଲି ଜାଣି ବହୁତ ଭଲ ଲାଗୁଛି। ମୁଁ ତାଙ୍କୁ ଅଲ ଦି ବେଷ୍ଟ କହୁଛି ଓ ଜନ୍ମ ଦିନର ଶୁଭେଚ୍ଛା ମଧ୍ୟ ଜଣାଉଛି। ଅବଶ୍ୟ ମୁଁ ନିଜ ଜନ୍ମଦିନ ପାଳନ କରେ ନାହିଁ କିମ୍ବା ଜନ୍ମ ଦିନରେ ବିଶ୍ୱାସ ରଖେ ନାହିଁ।

ତେବେ ବିରାଟଙ୍କୁ ଜନ୍ମ ଦିନରେ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମୁଁ ଆଶା କରୁଛି ଯେ ସେ ତାଙ୍କ ୪୯ତମ ଦିନିକିଆ ଶତକ ଜନ୍ମ ଦିନରେ ହାସଲ କରନ୍ତୁ। ଚଳିତ ବିଶ୍ୱକପରେ ମଧ୍ୟ ସେ ନିଜର ୫୦ତମ ଦିନିକିଆ ଶତକ ହାସଲ କରନ୍ତୁ ବୋଲି ମୁଁ ଆଶା କରିବି।”

ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ମଧ୍ୟ ବିରାଟଙ୍କ ଜନ୍ମ ଦିନ ସମ୍ପର୍କରେ ପଚରା ଯାଇଥିଲା। କିନ୍ତୁ ସେ ସମ୍ପର୍କରେ ସେ କୌଣସି ପ୍ରକାରର ଉତ୍ତର ଦେଇ ନଥିଲେ।

Virat Kohli Md Rizwan