କ୍ରିକେଟ ବ୍ୟତୀତ ଲାଲା ଅମରନାଥଙ୍କୁ ସବୁ କ୍ଷେତ୍ରରେ ସବୁବେଳେ ମିସ କରିବି। ତାଙ୍କ ମୃତ୍ୟୁ ମୋ ପାଇଁ ବ୍ୟକ୍ତିଗତ କ୍ଷତି। ଆମ ଭିତରେ ଥିବା ନିବିଡ଼ତା ସବୁବେଳେ ମନେ ପଡ଼ିବ। କ୍ରିକେଟରେ ବିଶାଳ ଜ୍ଞାନ ବ୍ୟତୀତ ସେ ଥିଲେ ଜଣେ ମହାନ ରଣନୀତିଜ୍ଞ। ସ୍ୱାଧୀନତା ପୂର୍ବରୁ ନର୍ଥ ଜୋନ ପାଇଁ ମୁଁ ଖେଳିବା ବେଳେ ସେ ଥିଲେ ମୋର କ୍ୟାପ୍ଟେନ। ଏହା ଥିଲା ପାକିସ୍ତାନର ମହାନ ଦ୍ରୁତ ବୋଲର ଫଜଲ ମହମ୍ମୁଦଙ୍କ ବାକ୍ୟ। ସେ ତାଙ୍କ ବନ୍ଧୁ ତଥା ଅନ ଫିଲ୍ଡ ରାଇଭାଲ ବା ପ୍ରତିଦ୍ୱନ୍ଦ୍ୱୀ ଲାଲ ଅମରନାଥଙ୍କୁ ଏଭଳି ଢଙ୍ଗରେ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅମରନାଥ ହେଉଛନ୍ତି ସ୍ୱାଧୀନତା ପରେ ଭାରତର ପ୍ରଥମ ଟେଷ୍ଟ କ୍ୟାପ୍ଟେନ। ୨୦୦୦ ମସିହାରେ ଲାଲା ଅମରନାଥଙ୍କ ବିୟୋଗ ପରେ ଫଜଲ ଏପରି କିଛି କହିଥିଲେ।
ଭାରତ ବନାମ ପାକିସ୍ତାନ ମ୍ୟାଚ୍ର ଗୁରୁତ୍ୱ ସମ୍ଭବତଃ ଆଉ କୌଣସି ଲଢ଼େଇରେ ନଥାଏ। ଦୁଇ ଦେଶ ମଧ୍ୟରେ ପ୍ରତିଟି ମୁକାବିଲା ରାଜନୀତିକ ଉଷ୍ଣତା ଠାରୁ ଆରମ୍ଭ କରି ଭାବପ୍ରବଣ ଓ ପ୍ରତିଦ୍ୱନ୍ଦ୍ୱିତାର ବେଗକୁ ଆହୁରି ବଢ଼ାଇ ଦେଇଥାଏ। କିନ୍ତୁ ଯୁଦ୍ଧ ରେଖା ଟଣା ହେବା ପୂର୍ବରୁ, ଦୁଇ ଦେଶ ନିଜ ନିଜ ରାସ୍ତାରେ ଯିବା ପୂର୍ବରୁ ସ୍ଥିତି କିଛି ଅଲଗା ଥିଲା। ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିଲା ବନ୍ଧୁତା। ଦୁଇ ଦେଶର ଲୋକ ଗୋଟିଏ ସ୍ୱପ୍ନ ବି ଦେଖୁଥିଲେ।
ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ଦୁବାଇରେ ହେବାକୁ ଯାଉଛି। ଚାମ୍ପିୟନ୍ସ ଟ୍ରଫିରେ ଦୁଇ ଦଳ ପରସ୍ପରକୁ ରବିବାର ଭେଟିବେ। ଏହାକୁ ନେଇ ଏବେ ଠାରୁ ସବୁଆଡ଼େ ଚର୍ଚ୍ଚା। ପୁରୁଣା ଖେଳାଳିମାନେ ଭାରତ-ପାକିସ୍ତାନ ମ୍ୟାଚର ଅଭିଜ୍ଞତା ମଧ୍ୟ ଶେୟାର କରିବାରେ ଲାଗିଛନ୍ତି। ଏସବୁ ଭିତରେ ଆଜି ଆମେ ଏମିତି ଏକ କାହାଣୀ ସମ୍ପର୍କରେ କହିବୁ ଯାହା ଦୁଇ ଜଣ ବନ୍ଧୁଙ୍କ ଉପରେ ପର୍ଯ୍ୟବେସିତ। ଦୁଇ ଜଣ ଲାହୋରରୁ ହିଁ ନିଜ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ବିଭାଜନ ପରେ ଉଭୟ କେମିତି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ହୋଇ ଯାଇଥିଲେ, ତା’ହା ହିଁ ପୂରା କାହାଣୀର ପ୍ରମୁଖ ପ୍ରସଙ୍ଗ।
ଲାହୋରରୁ ଆରମ୍ଭ ହୋଇଥିଲା ଯାତ୍ରା
ଲାହୋରର ଦୁଇ କ୍ରିକେଟର ହେଉଛନ୍ତି ଲାଲା ଅମରନାଥ ଓ ଫଜଲ ମହମ୍ମୁଦ। କିନ୍ତୁ ୧୯୪୭ ଭାରତ ବିଭାଜନ ପରେ ଉଭୟ ପରସ୍ପରକୁ ନିଜ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖିବାକୁ ପାଇଥିଲେ। ବିଭାଜନର କିଛି ବର୍ଷ ପରେ ଦକ୍ଷ ବ୍ୟାଟର, ଚମତ୍କାର କ୍ରିକେଟର ଓ ବିଚକ୍ଷଣ ବୁଦ୍ଧିର ଅଧିକାରୀ ଲାଲା ଅମରନାଥ ସ୍ୱାଧୀନ ଭାରତର ପ୍ରଥମ ଟେଷ୍ଟ କ୍ୟାପ୍ଟେନ ହୋଇଥିଲେ। ୬ଫୁଟ ଉଚ୍ଚ ଦ୍ରୁତ ବୋଲର ଫଜଲ ପାକିସ୍ତାନର ଅନ୍ୟତମ ମହା କ୍ରିକେଟିଂ ହିରୋ ବନିଥିଲେ।
କିନ୍ତୁ ଉଭୟ କ୍ରିକେଟରେ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ହେବା ପୂର୍ବରୁ ଲାଲା ଅମରନାଥ ଥିଲେ ଫଜଲ ମହମ୍ମୁଦଙ୍କ ବନ୍ଧୁ ତଥା ମେଣ୍ଟୋର। ଉଭୟଙ୍କ ଘର ମଧ୍ୟ ଲାହୋରରେ ରହିଥିଲା। ୧୯୪୦ର ମଧ୍ୟ ଭାଗରେ ଅମରନାଥ ଓ ଫଜଲ ଘରୋଇ କ୍ରିକେଟ ଏକାଠି ଖେଳିଥିଲେ। ଦକ୍ଷ କ୍ରିକେଟର ଅମରନାଥ ଯୁବ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଓ ସୁଯୋଗ ଦେବା ପାଇଁ ମଧ୍ୟ ବେଶ ପରିଚିତ। ଏହି ସମୟରେ ସେ ତାଙ୍କ ଠାରୁ ୧୬ ବର୍ଷର ସାନ ଫଜଲଙ୍କ ଭିତରେ ଥିବା ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ।
ଅମରନାଥ ଓ ଫଜଲ ସ୍ୱାଧୀନ ଭାରତର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଟୁର(ଅଷ୍ଟ୍ରେଲିଆ)ର ଅଂଶ ବିଶେଷ ହେବାର ଥିଲା। କିନ୍ତୁ ଭାଗ୍ୟର ଖେଳ କିଛି ଅଲଗା କରିଥିଲା। ଦୁହେଁ ଏକାଠି ଖେଳିବାର ଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ନିଜ ନିଜକୁ ପରସ୍ପରର ବିରୋଧରେ ପାଇଥିଲେ। ଅମରନାଥ ଭାରତ ପାଇଁ ଓ ଫଜଲ ପାକିସ୍ତାନ ପାଇଁ ପରସ୍ପର ବିରୋଧରେ ଲଢ଼େଇ କରିଥିଲେ।
କପୁରତାଲାରେ ଜନ୍ମ ଗ୍ରହଣ କରିଥିଲେ ହେଁ ଅମରନାଥ ଲାହୋରରେ ନିଜର କ୍ରିକେଟିଂ ସଂସ୍କୃତିକୁ ଆଗକୁ ନେଇଥିଲେ। ପ୍ରସିଦ୍ଧ ମିଣ୍ଟୋ ପାର୍କ(ଏବେ ଇକବାଲ ପାର୍କ)ରେ ଅମରନାଥ ନିଜ କଳାର ନିଖୁଣତାକୁ ମାଜିବା ଆରମ୍ଭ କରିଥିଲେ। ତାଙ୍କ ଦକ୍ଷତାର ଚମକ ଆରମ୍ଭରୁ ହିଁ ଚାରିଆଡ଼େ ଚହଲ ସୃଷ୍ଟି କରିଥିଲା। ୧୯୩୩ ବେଳକୁ ସେ ଅବିଭାଜିତ ଭାରତ ପାଇଁ ପ୍ରଥମ ଟେଷ୍ଟ ଶତକ ଇଂଲଣ୍ଡ ବିପକ୍ଷରେ ମାରିଥିଲେ।
ବମ୍ବେ ଖେଳା ଯାଉଥିବା ମ୍ୟାଚ୍ରେ ତାଙ୍କ ବ୍ୟାଟରୁ ଐତିହାସିକ ଶତକ ଦେଖିବାକୁ ମିଳିଥିଲା। ସେତେବେଳେ ଲାଲା ଅମରନାଥଙ୍କ ବ୍ୟାଟିଂର ଯାଦୁ କାହା ପାଖରେ ନଥିଲା। ସେ ସମସ୍ତଙ୍କୁ ବିସ୍ମିତ କରି ଭାରତୀୟ କ୍ରିକେଟର ଜଣେ ପ୍ରମୁଖ ଚେହେରା ପାଲଟି ଯାଇଥିଲେ। ଭାରତୀୟ କ୍ରିକେଟ ଟିମ ପାଇଁ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିବା ଅମରନାଥ ୪୫ଟି ୱିକେଟ ମଧ୍ୟ ନେଇଛନ୍ତି। ସେ ନିଜ ଡେବ୍ୟୁ ଟେଷ୍ଟରେ ହିଁ ଭାରତ ପାଇଁ ପ୍ରଥମ ଟେଷ୍ଟ ଶତକ ମାରିଥିଲେ।
ଫଜଲ ମହମ୍ମୁଦ ଦ୍ରୁତ ବୋଲର ଭାବେ ନିଜର ଜଲୱା ଦେଖାଇଥିଲେ। କିଶୋର ଅବସ୍ଥାରେ ଫଜଲ ନିଜ ଇଚ୍ଛାରେ ବଲକୁ ପିଚ୍ରେ ଖେଳାଇ ବ୍ୟାଟରଙ୍କୁ ଘାଇଲା କରିବାରେ ସକ୍ଷମ ହେଉଥିଲେ। ଭାରତର ଅଷ୍ଟ୍ରେଲିଆ ଟୁର ପାଇଁ ଫଜଲକୁ ୧୯୪୭-୪୮ରେ ଚୟନ କରାଯାଇଥିଲା। କିନ୍ତୁ ସେତେବେଳେ ହୋଇଥିବା ବିଭାଜନ ଓ ଏହାପରେ ସବୁ କିଛି ବଦଳି ଯାଇଥିଲା।

ବିଭାଜନ ହିଂସା ଭିତରେ ଫଜଲଙ୍କୁ ସାହାଯ୍ୟ କରିଥିଲେ ସିକେ ନାଇଡୁ
୨୦୦୫ରେ ସାମ୍ବାଦିକ ତଥା ଲେଖକ ରାହୁଲ ଭଟ୍ଟାଚାର୍ଯ୍ୟ ତାଙ୍କ ବହିରେ ଲେଖିଛନ୍ତି ଯେ ୧୯୪୭ ମସିହାରେ ଭାରତୀୟ ଟିମ ତା’ର ପ୍ରଥମ ଅଷ୍ଟ୍ରେଲିଆର ଟୁର ପାଇଁ ପ୍ରସ୍ତୁତ ହେଉଥିଲା। ମହାନ କ୍ରିକେଟର ଡନ ବ୍ରାଡମ୍ୟାନଙ୍କ ବିରୋଧରେ ଖେଳିବାକୁ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଏହି ଟିମ ଇତିହାସର ପୃଷ୍ଟାରେ ନିଜ ନାଁ ଲେଖିବାକୁ ଯାଉଥିଲା। ଟୁର ଶୀତ ଋତୁରେ ଆରମ୍ଭ ହେବାକୁ ଥିବା ବେଳେ ସ୍କ୍ୱାଡର ଘୋଷଣା ମାର୍ଚ୍ଚରୁ ହୋଇସାରିଥିଲା।
ରାଇଜିଂ ଷ୍ଟାର ଫଜଲ ମହମ୍ମୁଦ ସ୍କ୍ୱାଡରେ ରହିଥିଲେ। ସେ ଫ୍ରେସନାଲ କ୍ରିକେଟକୁ ଆସିବାର କମ ଦିନ ହୋଇଥିଲେ ହେଁ ତାଙ୍କୁ ଦଳରେ ରଖାଯାଇଥିଲା। ଟିମ ଘୋଷଣା ହେବା ବେଳେ ଫଜଲ ପୁନା ବର୍ତ୍ତମାନର ପୁଣେରେ ରହିଥିଲେ। ସେଠାରେ ସେ ଟୁର ପାଇଁ ଅନୁଷ୍ଠିତ କ୍ୟାମ୍ପରେ ଯୋଗ ଦେବାର ଥିଲା। କିନ୍ତୁ ସେତେବେଳେର ପୁନା ଆକାଶ ବଦଳି ଯାଇଥିଲା। ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ କ୍ୟାମ୍ପକୁ ବାତିଲ କରାଯାଇଥିଲା। କ୍ରିକେଟ ଖେଳ ବନ୍ଦ ହୋଇଯାଇଥିବା ବେଳେ ଦେଶ ମଧ୍ୟ ବିଭାଜନ ହୋଇଯାଇଥିଲା। ବ୍ୟସ୍ତବିବ୍ରତ ଫଜଲ ନିଜ ଘର ଲାହୋରକୁ ଯିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ସାମ୍ନାରେ ଥିବା ଚ୍ୟାଲେଞ୍ଜ ସମ୍ପର୍କରେ ତାଙ୍କୁ କିଛି ଜଣା ନଥିଲା।
ବିଭାଜନ ଯୋଗୁ ଭାରତ ଓ ପାକିସ୍ତାନର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟୁଥାଏ। ଏହି ହିଂସା ଭିତରେ ପୁନାରୁ ଲାହୋର ଯିବା କୌଣସି ବିପଦ ଠାରୁ କମ ନଥିଲା। ଫଜଲଙ୍କ ଟ୍ରେନ ତାଙ୍କ ଦେଶ ଆଡ଼କୁ ଯାଉଥିବା ବେଳେ ଯାତ୍ରୀମାନଙ୍କ ମଧ୍ୟରେ ହଣାକଟା ଘଟିଥିଲା। ଯାତ୍ରୀମାନେ ପରସ୍ପର ସହ ମାରପିଟ କରିଚାଲିଥିଲେ। କୋଚ୍ ଭିତରୁ ଲୋକଙ୍କୁ ସେମାନଙ୍କ ଧର୍ମ ଅନୁସାରେ ଘୋଷାଡ଼ି ଆଣି ଆକ୍ରମଣ କରାଯାଉଥିଲା। ଫଜଲ ବିସିଥିବା କୋଚ୍ରେ ମଧ୍ୟ ଉତ୍ତେଜନା ଦେଖାଯାଇଥିଲା। କିଛି ଲୋକ ତାଙ୍କୁ ମଧ୍ୟ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଥିଲେ। ଫଜଲ ମଧ୍ୟ ଏହାର ଅର୍ଥକୁ ବେଶ ଭଲ ଭାବେ ବୁଝି ପାରୁଥିଲେ।
କିନ୍ତୁ ଉକ୍ତ କୋଚରେ ଅବିଭାଜିତ ଭାରତର ପ୍ରଥମ ଟେଷ୍ଟ ଅଧିନାୟକ ସିକେ ନାଇଡୁ ରହିଥିଲେ। ସେ ୧୯୩୧ ଇଂଲଣ୍ଡ ଟୁର ବେଳେ ଭାରତର କମାଣ ସମ୍ଭାଳିଥିଲେ। ଫଜଲଙ୍କ ପ୍ରତି ଟ୍ରେନରେ ବିପଦ ବଢ଼ୁଥିବା ବେଳେ ନାଇଡୁ ହସ୍ତକ୍ଷେପ କରିଥିଲେ। ନାଇଡୁ ନିଜ ଉପସ୍ଥିତ ବୁଦ୍ଧିକୁ ପ୍ରୟୋଗ କରି କ୍ରିକେଟ ବ୍ୟାଟକୁ ବାହାର କରିଥିଲେ। ଫଜଲଙ୍କ ଉପରେ ନଜର ପକାଇଥିବା ଲୋକଙ୍କୁ ପଛକୁ ଘୁଞ୍ଚିବାକୁ ସେ ଚେତାବନୀ ଦେଇଥିଲେ। ଫଜଲ ଏକଥା ନିଜ ଆତ୍ମଜୀବନୀ ଡସ୍କ ଟୁ ଡନରେ ଉଲ୍ଲେଖ କରିଛନ୍ତି।
ନାଇଡୁଙ୍କ ପାଇଁ ଫଜଲ ଟ୍ରେନରେ ସୁରକ୍ଷିତ ଭାବେ ବମ୍ବେରେ ପହଞ୍ଚିଥିଲେ। ସେଠାରୁ ସେ ସୁରକ୍ଷିତ ଭାବେ ନିଜ ଘର କରାଚି ଯାଇଥିଲେ। ଜୀବନର ସବୁଠାରୁ ବିପଦପୂର୍ଣ୍ଣ ଯାତ୍ରା କରିଥିବା ଫଜଲ ୩ ଦିନ ପରେ ଲାହୋରରେ ପହଞ୍ଚିଥିଲେ।

ଲାଲା ଅମରନାଥ ଓ ୧୯୪୭ର ବିଭାଜନ
ଫଜଲଙ୍କ ମେଣ୍ଟୋର ତଥା ବନ୍ଧୁ ଲାଲା ଅମରନାଥ ମଧ୍ୟ ବିଭାଜନର ଭୟଙ୍କର ପରିସ୍ଥିତିରୁ ବର୍ତ୍ତି ପାରି ନଥିଲେ। ସେ ମଧ୍ୟ ଫଜଲଙ୍କ ଭଳି ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ରାହୁଲ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି, ଲାଲା ଅମରନାଥ ବିଭାଜନ ସମୟରେ ପଟିଆଲାରେ ରହିଥିଲେ। ସେ ଲାହୋରରେ ଥିବା ନିଜ ପୈତୃକ ଘର ହରାଇଥିଲେ। ଏହା ମଧ୍ୟରେ ଥିବା ତାଙ୍କ ବନ୍ଧୁକ ଓ ନନ ଜାର ବ୍ୟାଟ ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଥିଲା। ଏହି ବ୍ୟାଟରେ ସେ ଭାରତ ପାଇଁ ପ୍ରଥମ ଶତକ ମାରିଥିଲେ।
ଅଷ୍ଟ୍ରେଲିଆ ଟୁର ପାଇଁ ଅମରନାଇ ଦିଲ୍ଲୀ ଆସୁଥିଲେ। ଏତିକି ବେଳେ କିଛି ଦଙ୍ଗାକାରୀ ତାଙ୍କ ଟ୍ରେନ ବଗିରେ ପଶି ଯାଇଥିଲେ। ସେମାନେ ଅମରନାଥଙ୍କୁ ହତ୍ୟା କରିବାକୁ ଚାହୁଁଥିବା କିଛି ଲୋକ କହିଥିଲେ। ଏକଥା ଶୁଣି ସେ ବିଚଳିତ ହୋଇ ନଥିଲେ, ବରଂ ସେ ନିଜ ଉପସ୍ଥିତି ବୁଦ୍ଧିକୁ ପ୍ରୟୋଗ କରିଥିଲେ। ଅମରନାଥ ଦେଖିବାକୁ ପାଇଥିଲେ ଯେ କିଛି ଲୋକ ଅସ୍ତ୍ରଶସ୍ତ୍ର ଧରି ବୁଲୁଛନ୍ତି। ସେମାନେ ପରସ୍ପର ସହ କଥା ହେବା ସହ ତାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ମଧ୍ୟ କରୁଛନ୍ତି।
ଏହା ଦେଖି ଅମରନାଥ ପୂରା ଡରି ଯାଇଥିଲେ। ସେ ଅମ୍ବାଲାରେ ଓହ୍ଲାଇ ପଡ଼ିଥିଲେ। ସେଠାରେ ଥିବା ଜଣେ ପୁଲିସ୍ ଅଫିସର ତାଙ୍କୁ ଚିହ୍ନି ପାରିଥିଲେ। ଅଫିସର ଜଣଙ୍କ ଅମରନାଥଙ୍କ ଜୀବନ ରକ୍ଷା ପାଇଁ ତାଙ୍କୁ ରିଷ୍ଟରେ ଶିଖ କଡ଼ା ପିନ୍ଧିବାକୁ ଦେଇଥିଲେ। ଆକ୍ରମଣକାରୀମାନେ ଦ୍ୱିତୀୟ ଥର ପାଇଁ ଯେତେବେଳେ ଅମରନାଥଙ୍କୁ ମାରିବା ପାଇଁ ଆସନ୍ତି ସେତେବେଳେ ତାଙ୍କ ହାତରେ ଥିବା ଶିଖ କଡ଼ା ଉପରେ ସେମାନଙ୍କର ନଜର ପଡ଼ିଥିଲା। ଏହାକୁ ଦେଖି ସେମାନେ ତାଙ୍କୁ ଆକ୍ରମଣ ନ କରି ସେଠାରୁ ଚାଲି ଯାଇଥିଲେ। ଗଲା ବେଳେ ସେମାନେ ଅମରନାଥଙ୍କୁ କହିଥିଲେ ଯେ ଭଗବାନଙ୍କୁ ଧନ୍ୟବାଦ। ଆମେ ଆପଣଙ୍କୁ କର୍ଣ୍ଣାଲ ପୂର୍ବରୁ ହତ୍ୟା କରିବାକୁ ଯୋଜନା କରିଥିଲୁ। କିନ୍ତୁ ଆପଣଙ୍କ ହାତରେ କଡ଼ା ଥିବାରୁ ଆପଣ ବର୍ତ୍ତି ଗଲେ।

ବିଭାଜନ ପରେ ଅମରନାଥଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ଫଜଲ
ବିଭାଜନକୁ ନେଇ ଉପମହାଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିଯୋଗୁ ଫଜଲ ମହମ୍ମୁଦ ଭାରତୀୟ ଟିମ ସହ ଅଷ୍ଟ୍ରେଲିଆ ଟୁର ନ ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ରହିଥିଲା। ଏହି ସିରିଜର ଭାରତର ନେତୃତ୍ୱ ଅମରନାଥ ନେଇଥିଲେ। ଅଷ୍ଟ୍ରେଲିଆର ଅଧିନାୟକ ଥିଲେ ଡନ ବ୍ରାଡମ୍ୟାନ।
ଫଜଲଙ୍କ ମେଣ୍ଟୋର ତଥା ବନ୍ଧୁ ଲାଲା ଅମରନାଥ ଗୋଟିଏ ବାର୍ତ୍ତା ଜରିଆରେ ନିଜର ଅଷ୍ଟ୍ରେଲିଆ ଟୁର ବାତିଲ କରିବା ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ କହିଥିଲେ। ତାଙ୍କର ଆଶା ଥିଲା ଯେ ଫଜଲଙ୍କ ଜଲୱା ଅଷ୍ଟ୍ରେଲିଆରେ ଭାରତକୁ ଗୌରବ ଆଣିଦେବ। ଏପରି କି ଉଭୟ ଦେଶର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀମାନେ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଫଜଲଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫଜଲ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ।
କିଛି ବର୍ଷ ପରେ ଫଜଲ ପୂରା ଘଟଣାକୁ ମନେ ପକାଇଥିଲେ। ସେ କହିଥିଲେ ଯେ “ଲାଲା ଅମରନାଥ କ୍ୟାପ୍ଟେନ ଥିବା ବେଳେ ମୋତେ ଭାରତୀୟ ଟିମରେ ଅଷ୍ଟ୍ରେଲିଆ ଟୁର ପାଇଁ ଚୟନ କରାଯାଇଥିଲା। କିନ୍ତୁ ମୋ ଭାବନା ନୂଆ କରି ତିଆରି ହୋଇଥିବା ପାକିସ୍ତାନ ପ୍ରତି କ୍ରିକେଟ ଠାରୁ ଅଧିକ ରହିଥିଲା। ଏଥିପାଇଁ ମୁଁ ଅଷ୍ଟ୍ରେଲିଆ ଟୁରରେ ଯିବାକୁ ମନା କରି ଦେଇଥିଲି। ସେ ନୱାବ ଅଫ ମାମଦତ (ଏବେ କାର ଫିରୋଜପୁର ନିକଟରେ ଏକ ଅଞ୍ଚଳ)ର ତତ୍କାଳୀନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ମୋତେ ବୁଝାଇବାକୁ କହିଥିଲେ। ମୁଁ ଯଦି ଟିମରେ ରହିବି, ତା’ହେଲେ ସେ ଯେକୌଣସି ଦେଶକୁ ହରାଇବାକୁ ସକ୍ଷମ ହେବେ ବୋଲି କହିଥିଲେ। ମୋର ପୂର୍ବତନ ଅଧିନାୟକ ଓ ଜଣେ ମହାନ କ୍ରିକେଟରଙ୍କ ଠାରୁ ଏପରି କଥା ଶୁଣିବା ମୋ ପାଇଁ ବହୁତ ବଡ଼ କଥା।” ଲାଲା ଅମରନାଥଙ୍କୁ ୨୦୦୦ ମସିହାରେ ଶ୍ରଦ୍ଧାଞ୍ଜଳୀ ଦେବା ବେଳେ ସେ ଏକଥା କହିଥିଲେ।
୧୯୫୨: ଭାରତ ବନାମ ପାକିସ୍ତାନ ଓ ଅମରନାଥ ବନାମ ଫଜଲ
ବିଭାଜର କିଛି ବର୍ଷ ପରେ ଅର୍ଥାତ ୧୯୫୨ ମସିହାରେ ପାକିସ୍ତାନ ଯେତେବେଳେ ତା’ର ପ୍ରଥମ ଟେଷ୍ଟ ସିରିଜ ଖେଳିଥିଲା ସେତେବେଳେ ଦଳର ସାମ୍ନାରେ ଭାରତ ହିଁ ରହିଥିଲା। ପାକିସ୍ତାନ ଟିମର ଦ୍ରୁତ ବୋଲିଂ ବାହିନୀର କମାଣ ଫଜଲ ମହମ୍ମୁଦ ସମ୍ଭାଳିଥିଲେ। ତାଙ୍କ ନଜର ପୁରୁଣା ବନ୍ଧୁ ତଥା ମେଣ୍ଟୋର ଲାଲା ଅମରନାଥଙ୍କ ୱିକେଟ ଉପରେ ରହିଥିଲା। ସେ ନିଜର ପ୍ରଥମ ଟେଷ୍ଟ ୱିକେଟ ଲାଲା ଅମରନାଥଙ୍କ ରୂପରେ ପାଇଥିଲେ। ଉକ୍ତ ସିରିଜ ବେଶ ସଂଘର୍ଷମୟ ରହିଥିଲା।
ଭାରତ ଦିଲ୍ଲୀରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟକୁ ଜିତିଥିଲା। କିନ୍ତୁ ପାକିସ୍ତାନ ଲକ୍ଷ୍ନୌରେ କମବ୍ୟାକ କରିଥିଲା। ଫଜଲ ଏହି ମ୍ୟାଚ୍ରେ ୧୨ଟି ୱିକେଟ ନେବାରୁ ପାକିସ୍ତାନ ପ୍ରଥମଥର ପାଇଁ ଟେଷ୍ଟରେ ବିଜୟ ସ୍ୱାଦ ଚାଖିଥିଲା। ଭାରତ ଅବଶ୍ୟ ଟେଷ୍ଟ ସିରିଜକୁ ଜିତି ନେଇଥିଲା। ହେଲେ କ୍ରିକେଟର ସବୁଠାରୁ ବଡ଼ ଲଢ଼େଇ ପାଇଁ ଏହା ମଞ୍ଚ ପ୍ରସ୍ତୁତ କରିଥିଲା।
ଭାରତ ପାଇଁ ଅମରନାଥ ଓ ପାକିସ୍ତାନ କ୍ରିକେଟ ପାଇଁ ଫଜଲଙ୍କ ଅବଦାନ
ଭାରତୀୟ କ୍ରିକେଟର ରୂପରେଖ ପ୍ରସ୍ତୁତ କରିବାରେ ଲାଲା ଅମରନାଥ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ଏମିତି ଜଣେ ଅଧିନାୟକ ଥିଲେ ଯିଏ ଯୁବ ପ୍ରତିଭାଙ୍କୁ ଆଗକୁ ଆଣୁଥିଲେ। ସେ ଟିମରେ ଶୃଙ୍ଖଳାକୁ ଗୁରୁତ୍ୱ ଦେଉଥିଲେ ଓ ଭାରତର ଭବିଷ୍ୟତର ମୂଳଦୁଆ ପକାଇଥିଲେ। ପୋଲୀ ଉମରିଗର ଓ ବିଜୟ ମଞ୍ଜରେକରଙ୍କ ଭଳି ଖେଳାଳିଙ୍କୁ ଅମରନାଥ ଗଢ଼ି ତୋଳିଥିଲେ। ଭାରତୀୟ କ୍ରିକେଟକୁ ନୂଆ ରୂପ ଦେଇଥିଲେ ଅମରନାଥ।
ଫଜଲଙ୍କ କଥା ଦେଖିଲେ ସେ ପାକିସ୍ତାନ କ୍ରିକେଟର ପ୍ରଥମ ସୁପରଷ୍ଟାର। ୧୯୫୪ରେ ସେ ଇଂଲଣ୍ଡ ବିପକ୍ଷ ଓଭାଲ ମ୍ୟାଚ୍ରେ ପାକିସ୍ତାନକୁ ଐତିହାସିକ ବିଜୟ ଭେଟି ଦେଇଥିଲେ। ଏହି ପ୍ରଦର୍ଶନ ପରେ ବିଶ୍ୱସ୍ତରରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମିଳିଥିଲା। ତାଙ୍କ ପାଇଁ ପାକିସ୍ତାନ କ୍ରିକେଟକୁ ପରିଚୟ ମିଳିଥିଲା। ୬ ଫୁଟ ଉଚ୍ଚ ଫଜଲ ଦେଖିବାକୁ ମଧ୍ୟ ବେଶ ହ୍ୟାଣ୍ଡସମ। ଏଥିପାଇଁ ତାଙ୍କୁ ବଲିଉଡ ଓ ହଲିଉଡରେ ଅଭିନୟ ପାଇଁ ଅଫର ମିଳଥିଲା। କିନ୍ତୁ ସେ ସବୁ କିଛିକୁ ଅଗ୍ରାହ୍ୟ କରି ଦେଇଥିଲେ। ଫଜଲ କେବଳ କ୍ରିକେଟ ଉପରେ ଫୋକସ କରିଥିଲେ।
ପୁଣି ଉତ୍ସାହ: ଦୁବାଇରେ ରବିବାର ଖେଳିବେ ଭାରତ-ପାକିସ୍ତାନ
ଦୀର୍ଘ ଦଶନ୍ଧି ଧରି ଭାରତ ଓ ପାକିସ୍ତାନ କ୍ରିକେଟ ମ୍ୟାଚର ଉତ୍ସାହ ତୀବ୍ର ହେବାରେ ଲାଗିଛି। ଭାରତ ଓ ପାକିସ୍ତାନ ମ୍ୟାଚ୍ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲଢ଼େଇରେ ପରିଣତ ହୋଇଛି। ଭାରତ ଓ ପାକିସ୍ତାନ ଯେତେବେଳେ ମୁହାଁମୁହିଁ ହୁଅନ୍ତି ସେତେବେଳେ ଆଇସିସିକୁ ସବୁଠାରୁ ଅଧିକ ବ୍ୟବସାୟିକ ସଫଳତା ମିଳିଛି। ଏବେ ପୁଣି ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିଲେ ହେଁ ଭାରତ ସେଠାକୁ ଗସ୍ତ କରିବାକୁ ମନା କରିଥିଲା। ଏଥିପାଇଁ ଭାରତର ମ୍ୟାଚ୍ ଗୁଡ଼ିକ ଦୁବାଇରେ ଅନୁଷ୍ଠିତ ହେଉଛି। ରବିବାର ଦୁବାଇରେ ଦୁଇ ଦେଶ ମ୍ୟାଚ୍ ଖେଳିବେ। ଏହାକୁ ଦେଖିବା ପାଇଁ ଦୁଇ ଦେଶର କ୍ରିକେଟ ଫ୍ୟାନ ଏବେ ଠାରୁ ବେଶ ଉତ୍ସାହିତ। ଭାରତ ଓ ପାକିସ୍ତାନ ମ୍ୟାଚ୍ କେବଳ ବିଜୟ କିମ୍ବା ପରାଜୟରେ ସୀମିତ ନୁହେଁ, ଏହା ଭାବପ୍ରବଣତାର ସହ ଜଡ଼ିତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।