MCG
୨୧ ବର୍ଷୀୟ ନୀତୀଶ କୁମାର ରେଡ୍ଡୀଙ୍କ ସ୍ୱପ୍ନକୁ ସାକାର କରିଛି ଗୋଟିଏ ବର୍ଷା ଭିଜା ମଧ୍ୟାହ୍ନ। ଅଷ୍ଟ୍ରେଲିଆର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖଚାଖଚ ଦର୍ଶକ ଓ ବାପା ମୁତାୟାଲା ରେଡ୍ଡୀଙ୍କ ଉପସ୍ଥିତିରେ ନୀତୀଶ କୁମାର ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି।
ସେ ଯେତେବେଳେ ଲଫ୍ଟଟେଡ ଅନ ଡ୍ରାଇଭ ଦ୍ୱାରା ଚୌକା ମାରି ୧୦୦ ରନ ପୂରଣ କଲେ ସେତେବେଳେ ଏମସିଜିରେ ଥିବା ୬୦ ହଜାର ଦର୍ଶକ ତାଳି ମାରି ଖୁସି ପ୍ରକାଶ କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଏମିତି ଜଣେ ଥିଲେ ଯିଏ ନୀତୀଶ କୁମାରଙ୍କ ଶତକ ପରେ କାନ୍ଦି ପକାଇଥିଲେ।
ସେ ହେଉଛନ୍ତି ନୀତୀଶ କୁମାରଙ୍କ ବାପା ମୁତାୟାଲା ରେଡ୍ଡୀ। ଯିଏ ପୁଅର ସ୍ୱପ୍ନକୁ ସାକାର କରିବା ପାଇଁ ନିଜର ସବୁ କିଛିକୁ ଛାଡ଼ି ଦେଇଥିଲେ। ଏବେ ଐତିହାସିକ ମେଲବର୍ଣ୍ଣରେ ପୁଅର ସ୍ୱପ୍ନ ସାକାର ହୋଇଥିବା ବେଳେ ଏହାର ମୁକସାଖୀ ବନିଛନ୍ତି ବାପା ମୁତାୟାଲା।
ନୀତୀଶ କୁମାର ମାତ୍ର ୨୧ ବର୍ଷ ବୟସରେ ପ୍ରଥମ ଶତକ ହାସଲ କରିଥିବା ବେଳେ ଏହା ପଛରେ ରହିଛି ବାପାଙ୍କ କଠିନ ପରିଶ୍ରମ। ନୀତୀଶଙ୍କ କ୍ରିକେଟିଂ ଦକ୍ଷତାକୁ ଦେଖି ଏହାକୁ ଉପଯୁକ୍ତ ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ ବାପା ମୁତାୟାଲା। ଏଥିପାଇଁ ସେ ୨୦୧୬ରେ ହିନ୍ଦୁସ୍ତାନ ଜିଙ୍କରେ କରୁଥିବା ଚାକିରିକୁ ଛାଡ଼ି ଦେଇଥିଲେ। କିନ୍ତୁ ଏହି ପଥ ଆଦୌ ସହଜ ନଥିଲା।
ପୁଅକୁ କ୍ରିକେଟର କରିବା ପାଇଁ ସେ ଅନେକ ରାତି ଅନିଦ୍ରା ହୋଇଛନ୍ତି। ଅନେକ ଥର ଖାଦ୍ୟ ଖାଇନାହାନ୍ତି। ଏଥିସହ ଅନେକ କ୍ଷେତ୍ରରେ ଅଗଣିତ ବୁଝାମଣା ବି କରିଛନ୍ତି। ପୁଅକୁ କ୍ରିକେଟର କରିବା ବେଳେ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନାକୁ କରିବାକୁ ପଡ଼ିଥିଲା। କିନ୍ତୁ ମୁତାୟାଲା ପଥର ଭଳି ସବୁ କିଛିର ସାମ୍ନା କରିଥିଲେ।
କିନ୍ତୁ ମୁତାୟାଲା ଯେତେବେଳେ ମେଲବର୍ଣ୍ଣ ଷ୍ଟାଡିୟମରେ ଛିଡ଼ା ପୁଅ ଦେଶ ପାଇଁ ଶତକ ମାରିବା ସହ ବ୍ୟାଟକୁ କିସ୍ କରୁଛି ସେତେବେଳେ ତାଙ୍କର ସବୁ ପ୍ରକାରର କଷ୍ଟ ଏବେ ଫଳ ଦେଇଥିବା ସେ ଅନୁଭବ କରିଛନ୍ତି। ନୀତୀଶ କୁମାର ମଧ୍ୟ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକକୁ ବାପା ମୁତାୟାଲାଙ୍କୁ ଉତ୍ସର୍ଗ କରିଛନ୍ତି। ଏହି ଶତକ ଆପଣଙ୍କ ପାଇଁ ଡାଡ ବୋଲି ନୀତୀଶ କୁମାର କହିଛନ୍ତି।
ଆନ୍ଧ୍ର ପ୍ରଦେଶର କୁରନୁଲର କ୍ରିକେଟ ପଡ଼ିଆରୁ ଆଇପିଏଲ ଷ୍ଟାରଡ୍ରମ। ଏହାପରେ ଭାରତୀୟ ଟିମରେ ପହଞ୍ଚିଥିଲେ ନୀତୀଶ କୁମାର ରେଡ୍ଡୀ। ୨୦୨୪ରେ ସନ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଆଇପିଏଲରେ ନିଜର ଜଲୱା ଦେଖାଇଥିଲେ। ଆଇପିଏଲ ପ୍ରଦର୍ଶନ ଆଧାରରେ ତାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା।
ଏବେ ବର୍ଡର-ଗାଭାସ୍କର ଟ୍ରଫିରେ ତାଙ୍କୁ ବିରାଟ କୋହଲିଙ୍କ ହାତରୁ ଟେଷ୍ଟ କ୍ୟାପ ମିଳିଥିଲା। ପ୍ରଥମ ମ୍ୟାଚ୍ରୁ ସେ ସମସ୍ତଙ୍କୁ ପ୍ରଭାବିତ କରି ଚାଲିଥିଲେ। ଏବେ ସୁଯୋଗ ମିଳିବା ମାତ୍ରେ ସେ ମେଲବର୍ଣ୍ଣର ଶତକ ମାରିଛନ୍ତି।
ନୀତୀଶ କୁମାରଙ୍କ ପିଲା ଦିନର କୋଚ କୁମାର ସ୍ୱାମୀ କହିଛନ୍ତି, “ସମସ୍ତେ ନିଜ ନିଜ ସିନେମାରେ ହିରୋ ହେବାକୁ ଚାହାନ୍ତି। କିନ୍ତୁ ନୀତୀଶ କୁମାରଙ୍କ ଷ୍ଟୋରୀକୁ ଦେଖିଥିଲେ, ସେଥିରେ ହିରୋ ହେଉଛନ୍ତି ମୁତାୟାଲା। ବାପାଙ୍କ କଠିନ ପରିଶ୍ରମ ଯୋଗୁ ଆଜି ନୀତୀଶ କୁମାର କିଛି ଜୀବନରେ ହାସଲ କରିପାରିଛନ୍ତି।
ବାପା କ’ଣ ସବୁ ସ୍ଥିତିର ସମ୍ମୁଖୀନ ହୋଇଥିଲେ ସେସବୁ ନୀତୀଶ କୁମାର ଦେଖିଛନ୍ତି। ଚାକିରି ଛାଡ଼ି ପୁଅ ପଛରେ ସମୟ ବରବାର କରୁଥିବା କଥା କହି ତାଙ୍କୁ ପରିବାର ଲୋକ ଅନେକ କଥା ଶୁଣାଇଛନ୍ତି। ତଥାପି ମୁତାୟାଲା ଆଶା ଛାଡ଼ି ନଥିଲେ। ଏବେ ପୂରା ବିଶ୍ୱର ତାଙ୍କ କଠିନ ପରିଶ୍ରମର ଫଳକୁ ଦେଖିଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/MCG_1735391864.jpg)