Advertisment

ବିଶ୍ୱକପ ସେମିରେ ମୁହାଁମୁହିଁ ହେବେ କି ଭାରତ-ପାକିସ୍ତାନ? ଜାଣନ୍ତୁ ପୂରା ସମୀକରଣ

ରବିବାର ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ଭାରତ ଏକତରଫା ଭାବେ ୨୪୩ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଭାରତ ୧ନଂ ସ୍ଥାନରେ ରହି ସେମି ଫାଇନାଲ ଖେଳିବା ନିଶ୍ଚିତ ହୋଇ ଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ଚଳିତ ବିଶ୍ୱକପର ଏକମାତ୍ର ଅପରାଜେୟ ଟିମ ହେଉଛି ଭାରତ। ୮ ମ୍ୟାଚ୍‌ରୁ ୮ ବିଜୟ ସହ ଟିମ ଇଣ୍ଡିଆ ଟେବୁଲ ଟପ୍ପର ହୋଇ ରହିଛି। ଯଦି ବି ଦଳ ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍ସ ଠାରୁ ହାରିବ, ତଥାପି ୧ନଂ ସ୍ଥାନ ରୋହିତ ଆଣ୍ଡ କୋ ରହିବେ।

Advertisment

ରବିବାର ବିଶ୍ୱକପର ଅନ୍ୟତମ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକାକୁ ଭାରତ ଏକତରଫା ଭାବେ ୨୪୩ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଭାରତ ୧ନଂ ସ୍ଥାନରେ ରହି ସେମି ଫାଇନାଲ ଖେଳିବା ନିଶ୍ଚିତ ହୋଇ ଯାଇଛି।

୧୨ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓ ଅଷ୍ଟ୍ରେଲିଆ ୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ତୃତୀୟ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲ ଖେଳିବା ଏକପ୍ରକାରର ନିଶ୍ଚିତ।

Advertisment

ଦକ୍ଷିଣ ଆଫ୍ରିକା ସେମିକୁ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ଅଷ୍ଟ୍ରେଲିଆକୁ ବିଧିବଦ୍ଧ ଭାବେ ଟିକେଟ ମିଳିନାହିଁ। କିନ୍ତୁ କଙ୍ଗାରୁ ଟିମ ବଳକା ଥିବା ୨ ମ୍ୟାଚ୍‌ରୁ ଗୋଟିଏ ବି ଜିତିଲେ, ସେମି ଫାଇନାଲ ଟିକେଟ ହାସଲ କରିନେବ। ଅଷ୍ଟ୍ରେଲିଆ ମଙ୍ଗଳବାର ଆଫଗାନିସ୍ତାନକୁ ଓ ଶନିବାର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।

ତେବେ ୪ର୍ଥ ଦଳ ଭାବେ କିଏ ସେମି ଫାଇନାଲକୁ ଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ୩ ଦଳ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ ରହିଛନ୍ତି। ଶ୍ରୀଲଙ୍କା ଓ ଡଚ୍‌ ଟିମର ସେମି ଫାଇନାଲ ଖେଳିବା ସମ୍ଭାବନା ବହୁତ କମ। ୪ର୍ଥ ସ୍ଥାନରେ ଯେଉଁ ଦଳ ରହିବ, ସେହି ଦଳ ହିଁ ଭାରତ ସହ ସେମି ଫାଇନାଲ ଖେଳିବ।

ତେଣୁ ପାକିସ୍ତାନ ଯଦି ସେମି ଫାଇନାଲରେ ପ୍ରବେଶ କରିବ, ତା’ହେଲେ ଦଳର ମୁକାବିଲା ଅପରାଜେୟ ଭାରତ ସହ ହେବ। ଗ୍ରୁପ ଷ୍ଟେଜରେ ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ।

ଉକ୍ତ ମ୍ୟାଚ୍‌କୁ ଭାରତ ଏକତରଫା ଭାବେ ଜିତି ନେଇଥିଲା। ଏବେ ପୁଣି ଥରେ ଦୁଇ ଚୀରପ୍ରତିଦ୍ୱନ୍ଦ୍ୱୀ ସେମି ଫାଇନାଲରେ ସାମ୍ନାସାମ୍ନି ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ପାକିସ୍ତାନ କେମିତି ଯୋଗ୍ୟତା ଅର୍ଜନ କରିବ?

୧- ପାକିସ୍ତାନ ନଭେମ୍ବର ୧୧ରେ ତା’ର ଶେଷ ଲିଗ ମ୍ୟାଚ୍‌ ଇଂଲଣ୍ଡ ବିପକ୍ଷରେ ଖେଳିବ। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ନଭେମ୍ବର ୯ରେ ବିଶ୍ୱକପରେ ତା’ର ଶେଷ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଯଦି ନ୍ୟୁଜିଲ୍ୟାଣ୍ଡ ୯ ତାରିଖରେ ଶ୍ରୀଲଙ୍କା ଠାରୁ ହାରିବ ଓ ପାକିସ୍ତାନ ୧୧ ତାରିଖରେ ଇଂଲଣ୍ଡକୁ ହରାଇବ, ତା’ହେଲେ ବାବର ଆଜମ ଆଣ୍ଡ କୋର ପଏଣ୍ଟ ସଂଖ୍ୟା ୧୦ ହୋଇଯିବ। ନ୍ୟୁଜିଲ୍ୟାଣ୍ଡ ପୂର୍ବଭଳି ୮ ପଏଣ୍ଟରେ ରହିଯିବ।

ଏହାବାଦ ପାକିସ୍ତାନ ଚାହିଁବ ଯେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ନିଜ ନିଜ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ହରାନ୍ତୁ। ଆଫଗାନିସ୍ତାନ ଦୁଇଟି ଯାକ ମ୍ୟାଚ୍‌ ହାରିଲେ ଆଉ ୧୦ ପଏଣ୍ଟରେ ପହଞ୍ଚି ପାରିବ ନାହିଁ। ଏବେ ଆଫଗାନ ୮ ପଏଣ୍ଟ ସହ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି। ଯଦି ଆଫଗାନିସ୍ତାନ ବାକି ଥିବା ୨ ମ୍ୟାଚ୍‌ରୁ ଗୋଟିଏରେ ବି ଜିତି ଗଲା, ତା’ହେଲେ ପାକିସ୍ତାନ ଭଳି ଦଳର ମଧ୍ୟ ପଏଣ୍ଟ ସଂଖ୍ୟା ୧୦ ହୋଇଯିବ।

ଏପରି ସ୍ଥିତିରେ ନେଟ ରନ ରେଟ ଆଧାରରେ ସେମି ଫାଇନାଲକୁ କିଏ ଯିବ, ତା’ର ବିଚାର ହେବ। ସେହିପରି ଯଦି ଆଫଗାନ ଉଭୟ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ହରାଇବ ଦେବ, ତା’ହେଲେ ଉଭୟ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ନିଜ ନିଜର ମ୍ୟାଚ୍‌ ଜିତିଲେ ମଧ୍ୟ ସେମି ଦୌଡ଼ରୁ ବାଦ ପଡ଼ିବେ।

୨- ଯଦି ନ୍ୟୁଜିଲ୍ୟାଣ୍ଡ ପ୍ରତିପକ୍ଷ ଶ୍ରୀଲଙ୍କାକୁ ହରାଇ ଦେଉଛି, ପାକିସ୍ତାନ ୧୧ ତାରିଖରେ ଇଂଲଣ୍ଡ ଠାରୁ ଜିତୁଛି ଓ ଆଫଗାନିସ୍ତାନ ତା’ର ଦୁଇଟି ଯାକ ମ୍ୟାଚ୍‌ ହାରୁଛି, ତା’ହେଲେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରୁ ଗୋଟିଏ ଦଳ ନେଟ ରନ ରେଟ ଆଧାରରେ ସେମି ଫାଇନାଲ ଟିକେଟ ପାଇବେ। ନ୍ୟୁଜିଲ୍ୟାଣ୍ଡର ନେଟ ରନ ରେଟ ଏବେ +୦.୩୯୮ ରହିଛି।

ସେହିପରି ପାକିସ୍ତାନର ନେଟ ରନ ରେଟ +୦.୦୩୬ ଅଛି। ତେଣୁ ନ୍ୟୁଜିଲ୍ୟାଣ୍ଡ କେମିତି ଶ୍ରୀଲଙ୍କାକୁ ହରାଉଛି, ତା’ ଉପରେ ପାକିସ୍ତାନର ନଜର ରହିବ। ଏହାପରେ ଦଳକୁ ସେମି ଟିକେଟ ପାଇଁ ଇଂଲଣ୍ଡ ବିପକ୍ଷ ବିଜୟ ବ୍ୟବଧାନକୁ କେତେ କରିବାକୁ ପଡ଼ିବ, ତା’ର ନିଷ୍ପତ୍ତି ନେବାକୁ ପଡ଼ିବ।

ଗୋଟିଏ ବାକ୍ୟରେ କହିବାକୁ ଗଲେ ପାକିସ୍ତାନ ତା’ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡକୁ ଏକତରଫା ଭାବେ ପରାସ୍ତ କରିବାକୁ ପଡ଼ିବ। ଏପରି ହେଲେ ପାକିସ୍ତାନର ନେଟ ରନ ରେଟ ନ୍ୟୁଜିଲ୍ୟାଣ୍ଡକୁ ଅତିକ୍ରମ କରିବ।

ଅନ୍ୟପକ୍ଷରେ ଆଫଗାନିସ୍ତାନର ନେଟ ରନ ରେଟ – ୦.୩୩୦ ରହିଛି। ତେଣୁ ସେମି ପାଇଁ ଆଫଗାନକୁ ତା’ର ଦୁଇଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ।

ICC India Vs Pakistan ICC Men’s Cricket World Cup 2023 ICC World Cup 2023 CWC 2023 ICC World Cup ICC WC CWC