ପିଙ୍କ ବଲ ଟେଷ୍ଟ ଓ ଭାରତୀୟ ଟିମ: ପୂରା ରେକର୍ଡ ଉପରେ ନଜର ପକାନ୍ତୁ

ବିରାଟ କୋହଲି ୧୩୬ ରନର ଇନିଂସ ଖେଳି ଭାରତର ପ୍ରଥମ ବ୍ୟାଟର ଭାବେ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିବାର ରେକର୍ଡ କରିଥିଲେ।

ଭାରତୀୟ ଟିମ

  • Published: Monday, 02 December 2024
  • , Updated: 02 December 2024, 05:19 PM IST

ଟେଷ୍ଟ କ୍ରିକେଟରେ ପିଙ୍କ ବଲ ସହ ଭାରତର ସମ୍ପର୍କ ୨୦୧୯ରୁ ଆରମ୍ଭ ହୋଇଛି। ୨୦୧୯ରୁ ୨୦୨୪ ମଧ୍ୟରେ ଭାରତୀୟ ଟିମ ଏକାଧିକ ପିଙ୍କ ବଲ ଟେଷ୍ଟ ଖେଳି ସ୍ମିରଣୀୟ ବିଜୟ ଓ ଲଜ୍ଜାଜନକ ପରାଜୟର ସ୍ୱାଦ ଚାଖିଛି। ତଥାପି ପିଙ୍କ ବଲ ଟେଷ୍ଟରେ ଭାରତ ତା’ର ଦବଦବା କିଛି ମାତ୍ରାରେ ଦେଖାଇ ପାରିଛି।

ଭାରତର ଦିବାରାତ୍ର ଟେଷ୍ଟ ଯାତ୍ରା ୨୦୧୯ ନଭେମ୍ବରରେ ଆରମ୍ଭ ହୋଇଥିଲା। ଭାରତୀୟ ଟିମ କୋଲକାତାର ଇଡେନ ଗାର୍ଡେନ୍ସରେ ତା’ର ପ୍ରଥମ ପିଙ୍କ ବଲ ଟେଷ୍ଟ ବାଂଲାଦେଶ ବିପକ୍ଷରେ ଖେଳିଥିଲା। ଏହି ଐତିହାସିକ ମୁହୂର୍ତ୍ତ ସେତେବେଳେ ଆହୁରି ସ୍ମରଣୀୟ ହୋଇଥିଲା ଯେତେବେଳେ ଭାରତୀୟ ଟିମ ଦମଦାର ବିଜୟ ହାସଲ କରିଥିଲା।

ଉକ୍ତ ମ୍ୟାଚ୍‌ରେ ସ୍ପିଡଷ୍ଟାର ଈଶାନ୍ତ ଶର୍ମା ନିଜର ଦମ ଦେଖାଇ ଦୁଇଟି ଇନିଂସରେ ୯ ୱିକେଟ ଦଖଲ କରିଥିଲେ। ପ୍ରଥମ ଇନିଂସରେ ସେ ୨୨ ରନରେ ୫ ୱିକେଟ ଓ ଦ୍ୱିତୀୟ ଇନିଂସରେ ୫୬ ରନ ଦେଇ ୪ ୱିକେଟ ନେଇଥିଲେ।

ବିରାଟ କୋହଲି ୧୩୬ ରନର ଇନିଂସ ଖେଳି ଭାରତର ପ୍ରଥମ ବ୍ୟାଟର ଭାବେ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିବାର ରେକର୍ଡ କରିଥିଲେ। ବାଂଲାଦେଶ ଗୋଟିଏ ଇନିଂସ ଓ ୪୬ରେ ହାରିଥିଲା। ଈଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଉମେଶ ଯାଦବ ଉକ୍ତ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ।

ଏହି ମ୍ୟାଚ୍‌ର ପ୍ରାୟ ଗୋଟିଏ ବର୍ଷ ପରେ ଭାରତୀୟ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଦିବାରାତ୍ର ଟେଷ୍ଟ ଖେଳିଥିଲା। ୨୦୨୦ ମସିହା ଡିସେମ୍ବର ମାସରେ ଆଡିଲେଡ ଓଭାଲରେ ପିଙ୍କ ବଲ ଟେଷ୍ଟ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଭାରତୀୟ ଟେଷ୍ଟ କ୍ରିକେଟର ସବୁଠାରୁ ଖରାପ ମୁହୁର୍ତ୍ତ ରହିଥିଲା। ପ୍ରଥମ ଇନିଂସରେ ଭାରତୀୟ ଟିମ ୨୪୪ ରନ କରିବା ପରେ ଅଷ୍ଟ୍ରେଲିଆକୁ ୧୯୧ ରନରେ ଅଲଆଉଟ କରି ଦେଇଥିଲା।

ହେଲେ ଦ୍ୱିତୀୟ ଇନିଂସରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୩୬ ରନରେ ଅଲଆଉଟ ହୋଇଯାଇଥିଲା। ଟେଷ୍ଟ କ୍ରିକେଟରେ ଭାରତ ସବୁଠାରୁ କମ ସ୍କୋର କରିବାର ଲଜ୍ଜା ମୁଣ୍ଡାଇଥିଲା। ପାଟ କମିନ୍ସ ଓ ଜୋଶ ହାଜେଲଉଡ ଭାରତୀୟ ବ୍ୟାଟିଂ ଲାଇନ ଅପକୁ ଛିନଛତ୍ର କରିଦେଇଥିଲେ। ଅଷ୍ଟ୍ରେଲିଆ ମଧ୍ୟ ପିଙ୍କ ବଲ ଟେଷ୍ଟକୁ ୮ ୱିକେଟରେ ଜିତି ନେଇଥିଲା।

ତେବେ ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତ ଜବରଦସ୍ତ କମବ୍ୟାକ କରିଥିଲା। ସିରିଜର ବାକି ମ୍ୟାଚ୍‌ରେ ଭାରତ ଦମ ଦେଖାଇଥିଲା। ଏଥିସହ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ୨-୧ରେ ହରାଇ ବର୍ଡର-ଗାଭାସ୍କର ଟ୍ରଫି କବଜା କରିବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ଠାରୁ ପିଙ୍କ ବଲ ଟେଷ୍ଟରେ ହାରିଥିଲେ ହେଁ ଭାରତୀୟ ଟିମ ଇଂଲଣ୍ଡକୁ ଧୂଳି ଚଟାଇବାକୁ ସକ୍ଷମ ହୋଇଥିଲା। ୨୦୨୧ ଫେବୃଆରୀ ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅହମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପିଙ୍କ ବଲ ଟେଷ୍ଟ ଖେଳା ଯାଇଥିଲା।

ଟେଷ୍ଟ କ୍ରିକେଟର ସବୁଠାରୁ କମ ସମୟ ମଧ୍ୟରେ ଉକ୍ତ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ଦୁଇ ଦିନ ଭିତରେ ଭାରତ ବିଜୟ ହାସଲ କରି ନେଇଥିଲା। ଅକ୍ଷର ପଟେଲ ନିଜ ଯାଦୁ ଦେଖାଇ ମ୍ୟାଚ୍‌ରେ ୧୧ ୱିକେଟ ଦଖଲ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୭ ୱିକେଟ ନେବା ସହ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ମାରିଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସରେ ୧୧୨ ଓ ଦ୍ୱିତୀୟ ଇନିଂସରେ କେବଳ ୮୧ ରନ କରିପାରିଥିଲା। ଭାରତ ୧୦ ୱିକେଟରେ ମ୍ୟାଚ୍‌ ଜିତିବା ସହ ଘରୋଇ ମାଟିରେ ନିଜ ଦବଦବା ଦେଖାଇଥିଲା।

୨୦୨୨ ମାର୍ଚ୍ଚ ମାସରେ ଭାରତ ବେଙ୍ଗାଲୁରୁର ଏମ ଚିନାସ୍ୱାମୀ ଷ୍ଟାଡିୟମରେ ପୁଣି ଗୋଟିଏ ଦିବାରାତ୍ର ଟେଷ୍ଟ ଖେଳିଥିଲା। ଏଥର ଦଳର ସାମ୍ନାରେ ଥିଲା ଶ୍ରୀଲଙ୍କା। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଶ୍ରେୟସ ଆୟରଙ୍କୁ ସଂଘର୍ଷପୂର୍ଣ୍ଣ ୯୨ ରନ ବଳରେ ୨୫୨ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା କେବଳ ୧୦୯ ରନ କରିପାରିଥିଲା। ଯଶପ୍ରୀତ ବୁମ୍ରା ଏକାକୀ ୨୪ ରନ ଦେଇ ୫ ୱିକେଟ ନେଇଥିଲେ।

ଦ୍ୱିତୀୟ ଇନିଂସରେ ମଧ୍ୟ ଶ୍ରେୟସ ଆୟର ୬୭ ରନ କରିବାରୁ ଶ୍ରୀଲଙ୍କାକୁ ବିଶାଳ ୪୪୭ ରନର ଟାର୍ଗେଟ ମିଳିଥିଲା। ରବି ଅଶ୍ୱିନ ଓ ଅକ୍ଷର ପଟେଲ କମାଲ କରି ଶ୍ରୀଲଙ୍କାକୁ ୨୦୮ରେ ଅଲଆଉଟ କରି ଦେଇଥିଲେ। ଭାରତ ୨୩୮ ରନରେ ବିଜୟ ହାସଲ କରିଥିଲା।

ଭାରତୀୟ ଟିମ ଏଯାଏ ପିଙ୍କ ବଲରେ ୪ଟି ମ୍ୟାଚ୍‌ ଖେଳିଥିବା ବେଳେ ୩ଟିରେ ଜିତିଛି। ସେହିପରି ଗୋଟିଏ ମ୍ୟାଚ୍‌ ଅଷ୍ଟ୍ରେଲିଆ ଠାରୁ ହାରିଛି। ଏବେ ସେହି ଅଷ୍ଟ୍ରେଲିଆ ସହ ଦଳ ଡିସେମ୍ବର ୬ରୁ ପୁଣି ଗୋଟିଏ ପିଙ୍କ ବଲ ଟେଷ୍ଟ ଖେଳିବାକୁ ଯାଉଛି। ଯେଉଁ ଆଡିଲେଡ ଓଭାଲରେ ଭାରତ ୩୬ ରନରେ ଅଲଆଉଟ ହୋଇଥିଲା, ସେହିଠାରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ତେଣୁ ଭାରତ ପାଖରେ ପ୍ରତିଶୋଧ ନେବାର ସୁଯୋଗ ରହିବ।

ଭାରତ ଏବେ ବର୍ଡର-ଗାଭାସ୍କର ସିରିଜରେ ୧-୦ରେ ଆଗରେ ରହିଛି।

Related story