Advertisment

ଏସିଆ କପ: ପାକିସ୍ତାନ ଅଧିନାୟକଙ୍କ ସହ ହାତ ମିଳାଇଲେନି ଭାରତର କ୍ୟାପ୍ଟେନ

ଭାରତ ଓ ପାକିସ୍ତାନର ଅଧିନାୟକ ଏଥିରେ ଯୋଗ ଦେଇଥିଲେ ହେଁ ପରସ୍ପର ମଧ୍ୟରେ ଦୂରତା ଦେଖିବାକୁ ମିଳିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Pakistan

Pakistan

ଆଉ କିଛି ଘଣ୍ଟା ପରେ ୟୁଏଇରେ ଆରମ୍ଭ ହେବ ଏସିଆ କପ। ଟି-୨୦ ଫର୍ମାଟରେ ଖେଳା ଯାଉଥିବା ଏସିଆ କପର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଆଫଗାନିସ୍ତାନ ଓ ହଂକଂ। ଭାରତର ଏସିଆ କପ ଅଭିଯାନ ଆସନ୍ତାକାଲି ୟୁଏଇ ପକ୍ଷରୁ ଆରମ୍ଭ ହେବ। ସେହିପରି ୧୪ ତାରିଖରେ ଏସିଆ କପର ସବୁଠାରୁ ବଡ଼ ମ୍ୟାଚ ଖେଳାଯିବ। ଭାରତ ଓ ପାକିସ୍ତାନ ପରସ୍ପରର ମୁହାଁମୁହିଁ ହେବେ। କିନ୍ତୁ ଏହା ପୂର୍ବରୁ ଆଜି ପାରମ୍ପରିକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

Advertisment

ଏସିଆ କପରେ ଭାଗ ନେବାକୁ ଥିବା ସମସ୍ତ ୮ ଦଳର ଅଧିନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମସ୍ତେ ଟ୍ରଫି ସହ ମିଳିତ ଭାବେ ଫଟୋ ଉଠାଇଛନ୍ତି। ଭାରତ ଓ ପାକିସ୍ତାନର ଅଧିନାୟକ ଏଥିରେ ଯୋଗ ଦେଇଥିଲେ ହେଁ ପରସ୍ପର ମଧ୍ୟରେ ଦୂରତା ଦେଖିବାକୁ ମିଳିଛି। ପହଲଗାମ ନରସଂହାର ଓ ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ସମ୍ପର୍କ ଉତ୍ତେଜନାମୂଳକ ରହିଛି। କିଛି ଲୋକ ଏସିଆ କପରେ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମ୍ୟାଚ୍‌ ନ ଖେଳୁ ବୋଲି ଦାବି କରିଥିଲେ। କିନ୍ତୁ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି।

କିନ୍ତୁ ଆଜିର ସାମ୍ବାଦିକ ସମ୍ମିଳନୀ ଓ ଫଟୋ ସେସନ୍ସରେ ପାକିସ୍ତାନର ଅଧିନାୟକ ସଲମନ ଆଘାଙ୍କ ସହ ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଆଦୌ ମିଶି ନାହାନ୍ତି। ଏପରି କି ସେ କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ସବୁ ଦଳର ଅଧିନାୟକମାନଙ୍କ ସହ ହାତ ମିଳାଇଥିଲେ। ସବୁଠାରୁ ଶେଷରେ ଆଫଗାନିସ୍ତାନ ଅଧିନାୟକ ରାଶିଦ ଖାନଙ୍କୁ ଆଲିଙ୍ଗନ କରିଥିଲେ। ହେଲେ ସଲମାନଙ୍କ ସହ ହାତ ମିଳାଇ ନଥିଲେ କିମ୍ବା ତାଙ୍କୁ ଆଲିଙ୍ଗନ କରି ନଥିବା ଭିଡିଓ ସାମ୍ନାକୁ ଆସିଛି। 

Advertisment

ସେହିପରି ଟ୍ରଫିର ସହ ପଡ଼ିଆରେ ଫଟୋ ଉଠାଇବା ସମୟରେ ସୂର୍ଯ୍ୟ କୁମାରଙ୍କ ଡାହାଣ ପଟେ ଶ୍ରୀଲଙ୍କା ଓ ବାମ ପଟେ ଆଫଗାନିସ୍ତାନ ଅଧିନାୟକ ରାଶିଦ ଖାନ ଛିଡ଼ା ହୋଇଥିଲେ। ସେହିପରି ଷ୍ଟେଜ ଉପରେ ଫଟୋ ଉଠାବା ବେଳେ ଭାରତ ଓ ପାକ ଅଧିନାୟକଙ୍କ ମଝିରେ ଆଫଗାନ ଅଧିନାୟକ ରାଶିଦ ଖାନ ରହିଥିଲେ।

ପ୍ରେସ କନଫରେନ୍ସ ବେଳେ ସୂର୍ଯ୍ୟ କୁମାର ଓ ସଲମାନଙ୍କ ମଝିରେ ମଧ୍ୟ ରାଶିଦ ଖାନ ବସିଥିଲେ। ସୂର୍ଯ୍ୟ କୁମାର ସାମ୍ବାଦିକ ସମ୍ମିଳନୀ ପରେ ଶ୍ରୀଲଙ୍କା, ବାଂଲାଦେଶ, ୟୁଏଇ ଓ ଆଫଗାନିସ୍ତାନର ଅଧିନାୟକମାନଙ୍କ ସହ କଥା ହୋଇ ହାତ ମିଳାଇଥିଲେ। କିନ୍ତୁ ସଲମାନଙ୍କୁ କହିଛି ବି କହି ନଥିଲେ। 

ଏସିଆ କପରେ ଭାରତର ପଲ୍ଲା ଭାରି ରହିଛି ଓ ଦଳ ନିକଟରେ ଟି-୨୦ ବିଶ୍ୱକପ ଜିତିଛି। ତେଣୁ ଭାରତ ଏସିଆ କପ ଜିତିବାର ପ୍ରବଳ ଦାବିଦାର ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। କିନ୍ତୁ ସୂର୍ଯ୍ୟ କୁମାର ଯାଦବ କିମ୍ବା ସଲମାନ ବେଶ ଚତୁରତାର ସହ ଏହି ପ୍ରସଙ୍ଗରେ ମତ ରଖିଛନ୍ତି।

ଭାରତର ଏସିଆ କପ ଜିତିବ ବୋଲି ସମସ୍ତେ କହୁଛନ୍ତି। ଭାରତ ୧ନଂ ଟିମ ବୋଲି ସମସ୍ତେ କହୁଛନ୍ତି। ଏ ସମ୍ପର୍କରେ ଆପଣ କ’ଣ କହିବେ ବୋଲି ଜଣେ ସାମ୍ବାଦିକଙ୍କ ପକ୍ଷରୁ ସୂର୍ଯ୍ୟ କୁମାରଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସୂର୍ଯ୍ୟ କୁମାର ସ୍ମିତ ହାସ୍ୟ ଦେଇ କହିଥିଲେ ଯେ “କିଏ କହିଛନ୍ତି? ମୁଁ ତ ଶୁଣିନି? ହଁ, ଆପଣଙ୍କ ପ୍ରସ୍ତୁତି ଯଦି ଭଲ ରହିଛି, ତା’ହେଲେ ପଡ଼ିଆରେ ଆପଣଙ୍କ ଭିତରେ ଜିତିବାର ବିଶ୍ୱାସ ରହିବ। ହିଁ, ଆମେ ବେଶ କିଛି ଦିନ ହେବ ଧଳା ବଲ କ୍ରିକେଟ ଖେଳୁଛୁ। କିନ୍ତୁ ଏଠାକୁ ଆମେ ୩ରୁ ୪ ଦିନ ତଳେ ଆସିଛୁ। ଟିମ ହିସାବରେ ଆମେ ବେଶ ଭଲ ସମୟ ବିତାଇଛୁ। ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛୁ।”

ପାକିସ୍ତାନ ଅଧିନାୟକ ସଲମାନଙ୍କୁ ତାଙ୍କ ଆକଳନ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, “ଟି-୨୦ କ୍ରିକେଟରେ କେହି ବି ପ୍ରବଳ ଦାବିଦାର ନୁହନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଆପଣଙ୍କୁ ଭଲ କ୍ରିକେଟ ଖେଳିବାର ଅଛି। ଏହା ଦ୍ରୁତଗତିରେ ବଦଳୁ ଥିବା ଖେଳ। କିଛି ଓଭର ଖେଳର ମୋଡ଼ ବଦଳାଇ ଦେବ।”

ପାକିସ୍ତାନ ବେଶ କିଛି ଦିନ ହେବ ୟୁଏଇରେ ରହିଛି। ନିକଟରେ ଆଫଗାନିସ୍ତାନ, ୟୁଏଇ ଓ ପାକିସ୍ତାନକୁ ନେଇ ଦୁବାଇରେ ତ୍ରିପାକ୍ଷିକ ଟି-୨୦ ସିରିଜ ଖେଳା ଯାଇଥିଲା। ପାକିସ୍ତାନ ଫାଇନାଲରେ ଆଫଗାନିସ୍ତାନକୁ ହରାଇ ବିଜୟୀ ହୋଇଛି। ତେଣୁ ପାକିସ୍ତାନ ଏସିଆ କପରେ କିଛି ଭଲ କରିବାକୁ ଆଶା ରଖିଛି।

India Vs Pakistan Asia Cup Cricket